ଜାତୀୟ ରାଜନୀତିରେ ‘ନମୋ’ଙ୍କ ସ୍ଥାନ ନେବାକୁ ଯାଉଛନ୍ତି କି ଯୋଗୀ ?


ପ୍ରସାଦ ରାଓ
୦୩/ନଭେମ୍ବର
ଏବେ ନିର୍ବାଚନ ଋତୁ ଚାଲିଛି ଓ ବିଜେପିରେ ଚାଲିଛି ଯୋଗୀ-ଆରାଧନା । ‘ନମୋ’ଙ୍କୁ ଛାଡି ନେତାମାନେ ଯୋଗୀଙ୍କ ଘୋଷା ପାଠ ଘୋଷୁଛନ୍ତି । ଦିଲ୍ଲୀ ସାଂସଦ ମନୋଜ ତିୱାରୀଙ୍କଠାରୁ ଆରମ୍ଭ କରି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ପର୍ଯ୍ୟନ୍ତ । ଟେଲିଭିଜନର ଯେକୌଣସି ନ୍ୟୁଜ୍ ଚ୍ୟାନେଲକୁ ଗଲେ ଯୋଗୀଙ୍କ ଆହ୍ୱାନ । ଚଳିତ ମାସରେ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେଉଛି । ତେବେ, ୟୁପିର ନଅଟି ଆସନରେ ହେଉଥିବା ବିଧାନସଭା ଉପ ନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେଣୁ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶବ୍ୟାପୀ ନିର୍ବାଚନୀ-ଫୋକସ୍ ରେ ଅଛନ୍ତି । ସନାତନୀ ହିନ୍ଦୁଙ୍କୁ ଏକଜୁଟ କରି ସଂଖ୍ୟାଲଘୁ ସଂପ୍ରଦାୟ ଓ ସେମାନଙ୍କ ସମର୍ଥନ ଦେଉଥିବା ରାଜନୈତିକ ଦଳଙ୍କୁ କୋଣଠେସା କରିବାକୁ ଯୋଗୀଙ୍କ ମନ୍ତ୍ର ‘ନମୋ’ଙ୍କୁ ଫିକା କରିଦେଇଥିବା ବେଳେ ‘ନମୋ’ ମଧ୍ୟ ଯୋଗୀଙ୍କ ଆହ୍ୱାନକୁ ଘୋଷା ପାଠ କରି ସାରିଲେଣି । ୨୦୨୪ ଲୋକସଭା ନିର୍ବାଚନରେ ୟୁପିରେ ବିଜେପିର ପ୍ରଦର୍ଶନ ଚିନ୍ତାଜନକ ଥିଲା । ବିଜେପି କେନ୍ଦ୍ରୀୟ ନେତୃତ୍ୱ ଯୋଗୀଙ୍କୁ କୋଣଠେସା କରି ୟୁପିରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ୟୁପିର ଜଣେ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ଆଶାରେ ଯୋଗୀଙ୍କୁ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରି ଦେଇଥିଲେ । ଏଭଳି ଏକ ମାହୋଲ ସୃଷ୍ଟି କରାଯାଇଥିଲା ଯେ ଯୋଗୀଙ୍କ କଟ୍ଟର ହିନ୍ଦୁତ୍ୱ ଆଉ କାମ କରୁନାହିଁ, ୟୁପିରେ ବିଜେପି ନେତୃତ୍ୱରେ ପରିବର୍ତ୍ତନ ନିହାତି ଜରୁରୀ ବୋଲି ବିଜେପିର ଗୁଣଗାନ କରୁଥିବା ଜାତୀୟ ଗଣମାଧ୍ୟମ ମଧ୍ୟ ବାର୍ତ୍ତା ଦେବା ଆରମ୍ଭ କରି ଦେଇଥିଲେ । ତେବେ, ଯୋଗୀ ‘ଏକ୍ ରହେଙ୍ଗେ ତୋ ନେକ୍ ରହେଙ୍ଗେ- ସୁରକ୍ଷିତ ରହେଙ୍ଗେ; ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ ଦେଇ ତାଙ୍କ ବିରୋଧରେ ଚାଲିଥିବା ଗୋଟି ଚାଲଣାକୁ ଓଲଟାଇ ଦେଇଥିଲେ । ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ଓ ବିଜେପିର ଆକସ୍ମିକ ବିଜୟ ପଛରେ ଯୋଗୀଙ୍କ ‘ନାରା’ କାମ ଦେଇଛି କି ନାହିଁ – ନିଶ୍ଚିତ ଭାବେ କହି ହେବ ନାହିଁ । କଂଗ୍ରେସ ଦଳ ତାହାର ଭୁଲ ରଣନୀତିି ଓ ଅହଂଭାବ କାରଣରୁ ଜିତିବା ନିର୍ବାଚନ ହାରିଲା ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ତେବେ, ହରିୟାଣା ପରାଜୟ ବିରୋଧୀ ମେଂଟରେ କଂଗ୍ରେସର ସ୍ଥିତିକୁ ଦୁର୍ବଳ କରିଥିବା ବେଳେ ବିଜେପିରେ ଯୋଗୀଙ୍କ ଗୁରୁତ୍ୱ ବଢିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମଉଜିଆ ଢଙ୍ଗରେ ଯୋଗୀଙ୍କ ବାଣୀକୁ ପ୍ରଚାର କରୁଛନ୍ତି । ‘କଟେଙ୍ଗେ ତୋ ବଟେଙ୍ଗେ, ବାଂଟନେ ୱାଲେ ମେହେଫିଲ୍ ସଜାଏଙ୍ଗେ’ ବୋଲି ‘ନମୋ’ ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନ ସଭାରୁ ଆରମ୍ଭ କରି ଦିଲ୍ଲୀର ବିଭିନ୍ନ ସଭା ସମିତିରେ ଉତ୍ସାହର ସହ ହିନ୍ଦୁ ସମାଜକୁ ଆହ୍ୱାନ ଦେଉଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଗତ ମାସରେ ନାଗପୁରରେ ଆୟୋଜିତ ଆରଏସଏସ କାର୍ଯ୍ୟକ୍ରମରେ ଯୋଗୀଙ୍କୁ ପ୍ରଶଂସା କରିଥିଲେ ଏବଂ ‘କଟେଙ୍ଗେ ତୋ ବଟେଙ୍ଗେ’ ପ୍ରତି ସଂଘ ପରିବାରର ଦୃଢ ସମର୍ଥନ ଜଣାଇ ଥିଲେ । ତାହା ପରରୁ ଚାରି ଆଡେ ଯୋଗୀ ହିଁ ଯୋଗୀ..! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେକୌଣସି ମନ୍ତବ୍ୟକୁ ‘ମଥାର ତିଳକ’ ଭାବେ ବିଚାର କରୁଥିବା ବିଜେପି ନେତାମାନେ ମୋଦୀ ଯୋଗୀଙ୍କ ସ୍ଲୋଗାନକୁ ସାମାନ୍ୟ ପରିବର୍ତ୍ତନ କରି ରିପିଟ୍ କରୁଥିବା ଦେଖି ଉତ୍ସାହିତ ହେବା ଏବଂ ନିଜ ନିଜ ଢଙ୍ଗରେ ତାହାକୁ ରିପିଟ୍ କରିବା କିଛି ଅସ୍ୱାଭାବିକ ନୁହେଁ । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଇତିମଧ୍ୟରେ ‘କଟ୍ଟର ହିନ୍ଦତ୍ୱବାଦୀ’ ଭାବେ ଜାତୀୟ ଗଣମାଧ୍ୟମ ଜରିଆରେ ଦେଶବାସୀଙ୍କ ସମ୍ମୁଖରେ ନିଜକୁ ଉପସ୍ଥାପନ କରି ସାରିଲେଣି । ଆଉ, ୨୦୨୫ ଫେବୃୟାରୀରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ଦିଲ୍ଲୀ ସିଂହାସନକୁ ଆଖେଇ ଥିବା ମନୋଜ ତିୱାରୀଙ୍କ ଭଳି ବିଜେପି ନେତାମାନେ ଯୋଗୀଙ୍କ ସ୍ଲୋଗାନକୁ ଦୋହରାଇ ହିନ୍ଦୁତ୍ୱ ଭୋଟର ଧ୍ରୁବିକରଣ ଉଦ୍ୟମରେ ଲାଗିଛନ୍ତି । ଆଜି ଦିନରେ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ଯେତେ ସବୁ ରାଜନୈତିକ ବିତର୍କ ହେଉଛି ସେସବୁ ଯୋଗୀଙ୍କ ଆହ୍ୱାନ ଏବଂ ହିନ୍ଦୁତ୍ୱବାଦୀ ନେତାଙ୍କ ପୁନରାବୃତ୍ତିକୁ ନେଇ । ଟିଭି ନ୍ୟୁଜରେ ଯୋଗୀଙ୍କ ଭିଜୁଆଲ ସହ ବିତର୍କରେ ଭାଗ ନେଉଥିବା ବିଜେପି ନେତା ଓ ମୁଖପାତ୍ରଙ୍କ ମୁହଁରୁ ‘କଟେଙ୍ଗେ ତୋ ବଟେଙ୍ଗେ…’ର ରିପିଟେସନ୍ ବିରକ୍ତିକର । ତଥାପି, ଚଳିତ ନଭେମ୍ବର ମାସରେ ହେଉଥିବା ୟୁପିରେ ବିଧାନସଭା ଉପ ନିର୍ବାଚନ, ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଏବଂ ଆଗାମୀ ଦିନରେ ହେବାକୁ ଥିବା ଦିଲ୍ଲୀ, ବିହାର ଭଳି ସ୍ପର୍ଶକାତର ରାଜ୍ୟରେ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ବିଜେପି ଓ ତାହାର ସମର୍ଥକଙ୍କ ପାଇଁ ଏହି ସ୍ଲାଗାନ ବେଶ୍ ଗୁରୁତ୍ୱ ରଖୁଛି । ୨୦୨୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ବିଜେପି ହିନ୍ଦୁ ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ଏହି ସ୍ଲୋଗାନ ରିପିଟ୍ କରି ଚାଲିବ ବୋଲି ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ୨୦୧୯ ନିର୍ବାଚନରେ ୟୁପିର ମୋଟ ୮୦ ଲୋକସଭା ଆସନରୁ ୬୨ଟି ବିଜେପି ଜିତି ଥିଲା । ସମାଜବାଦୀ ପାର୍ଟି ୦୫ଟି ଓ ବିଏସପି (ବହୁଜନ ସମାଜ ପାର୍ଟି) ୧୦ଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲେ । ୨୦୨୪ ଲୋକସଭା ନିର୍ବାଚନ ଥିଲା ଶାସକ ଏନଡିଏ ଓ ବିରୋଧୀ ‘ଇଣ୍ଡି’ ମେଂଟ ମଧ୍ୟରେ ପ୍ରଥମ ଶକ୍ତି ପରୀକ୍ଷା । ୟୁପିର ୮୦ ଲୋକସଭା ଆସନରୁ ‘ଇଣ୍ଡି’ ମେଂଟ (ସମାଜବାଦୀ ପାର୍ଟି ଯୁକ୍ତ କଂଗ୍ରେସ) ୪୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ମିଳିଛି ୩୬ ଆସନ । ଲୋକସଭାରେ ସମାଜବାଦୀ ପାର୍ଟି (ଏସପି) ସାଂସଦ ସଂଖ୍ୟା ୦୫ରୁ ୩୭ ଓ କଂଗ୍ରେସ ସାଂସଦ ସଂଖ୍ୟା ୦୧ରୁ ୦୬କୁ ବୃଦ୍ଧି ପାଇଥିବା ବେଳେ ଏନଡିଏରେ ଥିବା ବିଜେପିର ସାଂସଦ ସଂଖ୍ୟା ୬୨ରୁ ୩୩କୁ ଖସିଛି । ଏହାର ଅଂଶୀଦାର ଦଳମାନେ (ଆରଏଲଡି ସମେତ) ଆଉ ତିନିଟି ଆସନ ପାଇ ସଂଖ୍ୟାକୁ ୩୬ରେ ପହଂଚାଛନ୍ତି । ବିଶେଷକରି, ଲୋକସଭାରେ ବିଜେପି ସାଂସଦ ସଂଖ୍ୟା (ୟୁପିରୁ) ୬୨ରୁ ୩୩କୁ ଖସି ଯିବା ଦଳର ରାଷ୍ଟ୍ରୀୟ ନେତୃତ୍ୱ ପାଇଁ ଚିନ୍ତାର କାରଣ ହୋଇ ରହିଛି । ବିରୋଧୀ ମେଂଟ ସଂଖ୍ୟାଲଘୁଙ୍କ ଭୋଟ ସହ ପଛୁଆ ବର୍ଗଙ୍କ ଭୋଟ ଧ୍ରୁବୀକରଣ କରିବାରେ ସଫଳ ହେବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତାକୁ ନେଇ ପ୍ରଶ୍ନ ଉଠିଛି । ଏହି ସଂକଟରୁ ଉଭୁରିବା ପାଇଁ ଦେଶବ୍ୟାପୀ ହିନ୍ଦୁ ଭୋଟର ଧ୍ରୁବୀକରଣ ଦିଗରେ ବିଜେପି କାର୍ଯ୍ୟ ଆରମ୍ଭ କରି ଦେଇଛି । ୟୁପି ବିଧାନସଭା ଉପ ନିର୍ବାଚନରେ ବିଜେପିର ବିଜୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେ ହିନ୍ଦୁ ଭୋଟ ଧ୍ରୁବୀକରଣ ସକାଶେ ‘କଟେଙ୍ଗେ ତୋ ବଟେଙ୍ଗେ, ଏକ୍ ରହେଙ୍ଗେ ତୋ ନେକ୍ ରହେଙ୍ଗେ- ସୁରକ୍ଷିତ ରହେଙ୍ଗେ’ ସ୍ଲୋଗାନର ସୂତ୍ରପାତ କରିଛନ୍ତି । ହରିୟାଣା ବିଜୟ ବିଜେପିର ମନୋବଳ ବଢାଇଛି । ଚଳିତ ମାସରେ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟରେ ଲୋକସଭା ଓ ବିଧାନସଭା ଉପ ନିର୍ବାଚନ ହେଉଥିବାରୁ ଯୋଗୀ-ସ୍ଲୋଗାନ ହିନ୍ଦୁ ମତଦାତାଙ୍କୁ ସଂଗଠିତ କରିବାରେ କେତେଦୂର ସଫଳ ହେଉଛି, ତାହା ନଭେମ୍ବର ୨୩ରେ ଫଳାଫଳ ଆସିଲେ ସ୍ପଷ୍ଟ ହେବ । ତେବେ, ଯୋଗୀଙ୍କ ‘କଟେଙ୍ଗେ ତୋ ବଟେଙ୍ଗେ…’ ସ୍ଲୋଗାନ ଆସିବା ପରେ ‘ନମୋ’ଙ୍କ ଗଲା ଦଶ ବର୍ଷର ସ୍ଲୋଗାନ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ..’ ବିଜେପି ରଣନୀତିରେ ପଛଦ୍ୱାରକୁ ଚାଲି ଯାଇଥିବା ଆଜି ଦିନରେ ଚାଲିଥିବା ନିର୍ବାଚନ ପ୍ରଚାରରୁ ସ୍ପଷ୍ଟ ହେଉଛି । ବିରୋଧୀ ‘ଇଣ୍ଡି’ ମେଂଟ ସେହି ଏକା ଭାଷାରେ ବିଜେପିକୁ ଜବାବ ଦେବା ଆରମ୍ଭ କରିଛି । ଚଳିତ ମାସରେ ହେଉଥିବା ୟୁପି ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନଦେଇ ନାହିଁ ୦୯ଟି ଯାକ ଆସନରେ ସମାଜବାଦୀ ପାର୍ଟି (ଏସପି) ପ୍ରାର୍ଥୀଙ୍କ ପ୍ରତି ନିଃସର୍ତ୍ତ ସମର୍ଥନ ଘୋଷଣା କରିଛି । ଏସପି ନେତା ଅଖିଳେଶ ଯାଦବ ପିଡିଏ (ପଛୁଆ, ଦଳିତ ଓ ଅଳ୍ପସଂଖ୍ୟକ) ରାଜନୀତିରେ ଅଛନ୍ତି । ଯୋଗୀଙ୍କ ସ୍ଲୋଗାନକୁ କାଟିବା ପାଇଁ ସେ ‘ଜୁଡେଙ୍ଗେ ତୋ ଜିତେଙ୍ଗେ’ ସ୍ଲୋଗାନ ଆରମ୍ଭ କରିଛନ୍ତି ଓ ପଛୁଆ, ଦଳିତ ଏବଂ ଅଳ୍ପସଂଖ୍ୟକ ମତଦାତାଙ୍କୁ ଏକାଠି ରଖିବା ପ୍ରୟାସ କରୁଛନ୍ତି । ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ମଧ୍ୟରେ ଚାଲିଥିବା ପୋଷ୍ଟର ୱାର୍ ଏବେ ଜାତୀୟ ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି । ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ପଛରେ ନାହାନ୍ତି । ୟୁପିରେ ବିଏସପି ପ୍ରଭାବ-ଶୂନ୍ୟ ହେବାକୁ ବସିଥିବା ବେଳେ ମାୟାବତୀ ସଦ୍ୟ ଗଣମାଧ୍ୟମକୁ ଆସି ‘ବିଏସପି କେ ସାଥ୍ ଯୁଡେ ରହୋଗେ ତୋ ଆଗେ ବଢୋଗେ – ସୁରକ୍ଷିତ ରହୋଗେ..’ ବୋଲି ୟୁପିର ଦଳିତ ଓ ପଛୁଆ ବର୍ଗ ମତଦାତାଙ୍କୁ ଆହ୍ୱାନ ଦେଇଛନ୍ତି । ୟୁପି ସମତେ ଦେଶରେ ଏବେ ଯେଉଁ ରାଜନୀତି ଚାଲିଛି ତାହା ଆଉ ‘ହିନ୍ଦୁ ବନାମ ମୁସଲମାନ’ ନୁହେଁ, ‘ହିନ୍ଦୁ ବନାମ ହିନ୍ଦୁ’ ହୋଇଥିବା ଦେଖିବାକୁ ମିଳୁଛି । ସଂଖ୍ୟାଲଘୁ ସଂପ୍ରଦାୟ ମତଦାତା ଏକପ୍ରକାର ଅଣ-ବିଜେପି ରାଜନୈତିକ ଦଳଙ୍କ ସହ ଯୋଡି ହୋଇଥିବା ବେଳେ ହିନ୍ଦୁ ଭୋଟ ବିଭାଜିତ ନହେବା ବିଜେପି ଚାହୁଁଛି । ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ପଛୁଆ, ଦଳିତ ଓ ଅଳ୍ପସଂଖ୍ୟକଙ୍କ କଥା କହି ହିନ୍ଦୁ ଭୋଟ ବିଭାଜନ ଉଦ୍ୟମରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ୟୁପି, ମହାରାଷ୍ଟ୍ର ଓ ଝାଡଖଣ୍ଡର ହିନ୍ଦୁ, ଦଳିତ ଓ ପଛୁଆବର୍ଗ ମତଦାତା ଯୋଗୀଙ୍କ ‘କଟୋଙ୍ଗେ ତୋ ବଟୋଙ୍ଗେ’, ଅଖିଳେଶଙ୍କ ‘ଜୁଡେଙ୍ଗେ ତୋ ଜିତେଙ୍ଗେ’ ଓ ମାୟାବତୀଙ୍କ ‘ବିଏସପି ସାଥ୍ ଯୁଡୋଗେ ତୋ ଆଗେ ବଢୋଗେ – ସୁରକ୍ଷିତ ରହୋଗେ’ ଆହ୍ୱାନ ମଧ୍ୟରୁ କାହାକୁ ଅଧିକ ବିଶ୍ୱାସକୁ ନେଉଛନ୍ତି – ତାହା ଖୁବଶୀଘ୍ର ସାମ୍ନାକୁ ଆସିଯିବ । ଜାତୀୟ ରାଜନୀତିରେ ଯୋଗୀ ‘ନମୋ’ଙ୍କ ସ୍ଥାନ ନେବାକୁ ଯାଉଛନ୍ତି କି ନା – ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS