ମହାରାଷ୍ଟ୍ର ରାଜନୀତି, ଶରଦ ପାୱାର ରାଜନୀତିରୁ ସନ୍ୟାସ ନେବେ ?


ପ୍ରସାଦ ରାଓ
ମୁମ୍ବାଇ/୦୫/ନଭେମ୍ବର
ଦେଶର ବରିଷ୍ଠ ରାଜନେତା ତଥା ଏନସିପିର ପ୍ରତିଷ୍ଠାତା ଶରଦ ପାୱାର ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆଉ ୧୮ ମାସ ଥିବାରୁ ତାହା ସରିବା ପରେ ନିର୍ବାଚନ ରାଜନୀତିରୁ ଅବସର ନେବେ ବୋଲି ସଂକେତ ଦେଇଛନ୍ତି । ୮୩ ବର୍ଷ ବୟସ୍କ ପାୱାର ୧୯୯୯ ମସିହାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ବିଦେଶୀ କହି ଆକ୍ଷେପ କରିବାରୁ କଂଗ୍ରେସରୁ ବିଦା ହୋଇଥିଲେ ଓ ଏନସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ଗଠନ କରିଥିଲେ । ବହୁ ଉତ୍ଥାନ, ପତନ ଭିତରେ ସେ ଆଜି ମଧ୍ୟ ଜାତୀୟ ରାଜନୀତିରେ ସକ୍ରୀୟ ରହିଛନ୍ତି । ୨୦୨୩ରେ ତାଙ୍କ ପୁତୁରା ଅଜିତ ପାୱାର ଏନସିପି ନେତୃତ୍ୱର ଦାବିଦାର ହୋଇ ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିବାରୁ ଓ ଅନ୍ୟୁନ ୪୦ ଜଣ ବିଧାୟକ ଓ ସାଂସଦଙ୍କ ସହ ମୂଳ ଦଳରୁ ଅଲଗା ହୋଇ ମହାରାଷ୍ଟ୍ରରେ ଶିବସେନା (ସିନ୍ଧେ)-ବିଜେପି ମେଂଟ ସରକାରରେ ସାମିଲ ହେବାରୁ ଏନସିପିରେ ବିଭାଜନ ଘଟିଥିଲା । ଏହି ବିଭାଜନ ପରେ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଏନସିପି ଅଜିତ ପାୱାର ଗୋଷ୍ଠୀକୁ ‘ମୂଳ ଏନସିପି’ ଭାବେ ସ୍ୱୀକୃତି ଦେଇ ଦଳର ମୂଳ ନିର୍ବାଚନ ଚିହ୍ନ ‘ଘଂଟା’ ମଧ୍ୟ ଅଜିତଙ୍କ ଗୋଷ୍ଠୀକୁ ହସ୍ତାନ୍ତର କରି ଦେଇଛନ୍ତି । ଶରଦ ପାୱାରଙ୍କ ଗୋଷ୍ଠୀକୁ ଏନସିପି (ଶରଦଚନ୍ଦ୍ର ପାୱାର) ଭାବେ ନୂଆ ନାମ ଓ ନୂଆ ନିର୍ବାଚନ ଚିହ୍ନ ମିଳିଛି । ଗତ ଲୋକସଭା ନିର୍ବାଚନରେ ଏନସିପିର ଏହି ଦୁଇ ଗୋଷ୍ଠୀ ମହାରାଷ୍ଟ୍ରରେ ପରସ୍ପର ବିରୋଧରେ ନିର୍ବାଚନ ଲଢିଥିଲେ । ଆସନ୍ତା ୨୦ ତାରିଖରେ ହେଉଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶରଦ ପାୱାରଙ୍କ ଏନସିପି କଂଗ୍ରେସ ଓ ଶିବସେନା (ୟୁବିଟି) ସହ ‘ମହା ବିକାଶ ଅଘାଡି’ରେ (ଏମଭିଏ)ରେ ରହି ଓ ଅଜିତି ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀ ବିଜେପି ଓ ଶିବସେନା (ଏକନାଥ ସିନ୍ଧେ)ଙ୍କ ସହ ‘ମହାୟୁତି’ରେ ରହି ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । କୌଣସି ରାଜନୈତିକ ଦଳର ନେତୃତ୍ୱ ନେବା ପାଇଁ ବୟସ ସୀମା ନିର୍ଦ୍ଧାରିତ ରହିବା ଆବଶ୍ୟକ । ଶରଦ ପାୱାରଙ୍କୁ ୮୦ ବର୍ଷ ବୟସ ହୋଇସାରିଥିଲେ ମଧ୍ୟ ସେ ଏନସିପି ନେତୃତ୍ୱରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ୨୦୨୩ ଜାନୁୟାରୀରେ ଏନସିପିରେ ବିଭାଜନ ଘଟାଇବା ପୂର୍ବରୁ ପୁତୁରା ଅଜିତ ପାୱାର ଖୋଲାଖୋଲି ଅଭିଯୋଗ କରିଥିଲେ ଏବଂ ଦଳର ସର୍ବୋଚ୍ଚ ନେତୃତ୍ୱ ହାତକୁ ନ ଆସିବାରୁ ଏନସିପିରେ ବିଭାଜନ ଘଟାଇ ଥିଲେ । ଅଜିତ ପାୱାରଙ୍କ ଅଭିଯୋଗକୁ ନେଇ ସେତେବେଳେ ଶରଦ ପାୱାରଙ୍କ ଉତ୍ତର ଥିଲା, ‘ମୁଁ ଥକି ଯାଇ ନାହିଁ ବା ଅବସର ନେଇ ନାହିଁ । ସେମାନେ କିଏ ମୋତେ ଅବସର ନେବାକୁ କହିବାକୁ ? ଏବେ ମଧ୍ୟ ମୁଁ କାର୍ଯ୍ୟ କରିବାକୁ ସକ୍ଷମ’ । ଅଜିତ ପାୱାର ଏନସିପିରେ ବିଭାଜନ ଘଟାଇବା ପରେ ମହାରାଷ୍ଟ୍ରରେ ବିଜେପି-ଶିବସେନା (ସିନ୍ଧେ) ମେଂଟ ସରକାରରେ ସାମିଲ ହୋଇ ରାଜ୍ୟର ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ଶରଦ ପାୱାର ଏନସିପିର ନୂଆ ନାମ ଓ ନୂଆ ନିର୍ବାଚନ ଚିହ୍ନକୁ ନେଇ ‘ମହା ବିକାଶ ଅଘାଡି’ରେ ଅଛନ୍ତି, ଯିଏକି ରାଜ୍ୟ ରାଜନୀତିରେ ମୁଖ୍ୟ ବିରୋଧୀ ମେଂଟ ଭୂମିକାରେ ରହିଛି । ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନସିପି ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୦୮ଟି ଆସନ ଜିତିଥିବା ବେଳେ ଅଜିତ ପାୱାରଙ୍କ ଏନସିପି ଚାରିଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଗୋଟିଏ ଆସନରେ ଜିତିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ଥିଲା । ଶରଦ ପାୱାରଙ୍କ ଏନସିପି ପ୍ରତି ମହାରାଷ୍ଟ୍ରରେ ଏବେ ମଧ୍ୟ ଜନସମର୍ଥନ ଅତୁଟ ଥିବା ସେଥିରୁ ପ୍ରତିଫଳିତ ହୋଇଥିଲା । ଅପରପକ୍ଷରେ, ଅଜିତ ପାୱାର ତାଙ୍କ ଗଡ କୁହାଯାଉଥିବା ବାରାମତୀ ଲୋକସଭା ଆସନରୁ ନିଜ ପତ୍ନୀଙ୍କୁ ଜିତାଇବାକୁ ସଫଳ ହୋଇନଥିଲେ ଓ ଭଉଣୀ (ଶରଦ ପାୱାରଙ୍କ ଝିଅ) ସୁପ୍ରିୟା ସୁଲେ ଭାଉଜଙ୍କୁ ବହୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନ ଫଳାଫଳ ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାରଙ୍କ ପତିଆରାକୁ କ୍ଷୁର୍ଣ୍ଣ କରିବା ସହ ଶାସକ ମେଂଟ (ମହାୟୁତି)ରେ ମଧ୍ୟ ତାଙ୍କୁ ଅପଦସ୍ତ କରିଛି । ଅଜିତ ପାୱାରଙ୍କୁ ମହାୟୁତିରେ ସାମିଲ କରିବାରୁ ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ଫଳାଫଳ ବିଜେପି, ଶିବସେନା (ସିନ୍ଧେ) ବିରୋଧରେ ଗଲା ବୋଲି ‘ମହାୟୁତି’ରେ ଆଲୋଚନ ହେଉଥିବା ଦେଖିବାକୁ ମିଳୁଛି । ଆସନ୍ତା ୨୦ ତାରିଖ ହୋଇଥିବା ନିର୍ବାଚନରେ ବାରାମତୀ ବିଧାନସଭା ଆସନରୁ ଅଜିତ ପାୱାର ‘ମହାୟୁତି’ର ପ୍ରାର୍ଥୀ ଥିବା ବେଳେ ତାଙ୍କ ସଂପର୍କୀୟ ୟୁଗେନ୍ଦ୍ର ପାୱାର ଏନସିପି (ଶରଦଚନ୍ଦ୍ର ପାୱାର)ର ପ୍ରାର୍ଥୀ ଅଛନ୍ତି । ଯାହାକି, ଉପ ମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାରଙ୍କ ପାଇଁ ସମସ୍ୟା ହୋଇଛି । ଏଭଳି ସମୟରେ, ଏନସିପି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାର ତାଙ୍କ ଦୁର୍ଗ ବାରାମତୀରେ ସମର୍ଥକମାନଙ୍କୁ ଉଦବୋଧନ ଦେଇ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆଉ ୧୮ ମାସ ଥିବାରୁ ତାହା ପରେ ଆଉ ନିର୍ବାଚନ ଲଢି ନପାରନ୍ତି କହି ସକ୍ରୀୟ ରାଜନୀତିରୁ ଅବସର ନେବାର ସଂକେତ ଦେଇଛନ୍ତି । ସେ କହିଛନ୍ତି, ‘ମୁଁ ଏବେ କ୍ଷମତାରେ ନାହିଁ । ରାଜ୍ୟସଭା କାର୍ଯ୍ୟକାଳ ଆଉ ଦେଢ ବର୍ଷ ରହିଛି । ତାହା ପରେ ମୁଁ ଆଉ ଭବିଷ୍ୟତରେ କୌଣସି ନିର୍ବାଚନ ଲଢିବି ନାହିଁ । କେଉଁଠି ହେଲେ ତ ଅଟକିବାକୁ ପଡିବ..’ । ବାରାମତୀର ମତଦାତା ୧୪ ଥର ତାଙ୍କୁ ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶରଦ ପାୱାର ପଣନାତି ୟୁଗେନ୍ଦ୍ର ପାୱାରଙ୍କୁ ବାରାମତୀ ଆସନରୁ ବିଧାନସଭାକୁ ପ୍ରାର୍ଥୀ କରି ପୁତୁରା ଅଜିତ ପାୱାରଙ୍କ ସମ୍ମୁଖରେ ବଡ ମୁକାବିଲା ରଖିଛନ୍ତି । ପୁତୁରା ଅଜିତ ପାୱାର ପୂର୍ବରୁ ପାଂଚ ଥର ବାରାମତୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତାହା ମଧ୍ୟ ଦାଦା ଶରଦ ପାୱାରଙ୍କ ନେତୃତ୍ୱରେ । ଏନସିପିରେ ବିଭାଜନ ଘଟାଇବା ପରେ ପ୍ରଥମ ଥର ପାଇଁ ସେ ନିଜ ବଳରେ ବାରାମତୀ ଆସନରୁ ବିଧାନସଭା ନିର୍ବାଚନ ଲଢୁଛନ୍ତି । ଶରଦ ପାୱାର କହିଛନ୍ତି, ପୁତୁରା ଅଜିତ ପାୱାରଙ୍କ ପ୍ରତି ତାଙ୍କ ମନରେ କୌଣସି ବିଦ୍ୱେଷ ନାହିଁ । ‘୩୦ ବର୍ଷ ଧରି ସେ ଆପଣମାନଙ୍କ ନେତୃତ୍ୱ ନେଉଥିଲେ । ପରବର୍ତ୍ତୀ ୩୦ ବର୍ଷ ନୂଆ ପୀଢି ନେତୃତ୍ୱ ନେବା ସମୟ ଆସିଛି’ ବୋଲି ଦୀର୍ଘ ଷାଠିଏ ବର୍ଷ ଧରି ସକ୍ରୀୟ ରାଜନୀତିରେ ଥିବା ଶରଦ ପାୱାରା ଆଜି ଅଜିତଙ୍କୁ ଇଂଗିତ କରିବା ସହ ପଣନାତି ୟୁଗେନ୍ଦ୍ର ପାୱାରଙ୍କ ସପକ୍ଷରେ ମତଦାନ କରିବାକୁ ବାରାମତୀ ଭୋଟରଙ୍କୁ ଅପିଲ କରିଛନ୍ତି । ମହାରାଷ୍ଟ୍ରରେ ଏନସିପି ଓ ଶିବସେନାରେ ବିଭାଜନ ଘଟିବା ପରେ ଦୁଇ ଆଂଚଳିକ ଦଳ ନିଜ ନିଜ ଅସ୍ତିତ୍ୱ ବଂଚାଇ ରଖିବା ସଂଘର୍ଷରେ ଅଛନ୍ତି । ଏନସିପି (ଅଜିତ ପାୱାର ଗୋଷ୍ଠୀ) ଓ ଶିବସେନା (ସିନ୍ଧେ ଗୋଷ୍ଠୀ) ବିଜେପି ସହ ଶାସକ ‘ମହାୟୁତି’ରେ ରହିଥିବା ବେଳେ ୨୦୨୨ ଜୁନରେ ଶିବସେନାରେ ବିଭାଜନ ପରେ ସଂଖ୍ୟାଲଘୁ ହୋଇପଡିଥିବା ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ, କଂଗ୍ରେସ ଓ ଏନସିପି ଶରଦଚନ୍ଦ୍ର ପାୱାର ଗୋଷ୍ଠୀ ବିରୋଧୀ ମହାମେଂଟ ‘ମହା ବିକାଶ ଅଘାଡି’ରେ ରହିଛନ୍ତି । ମହାରାଷ୍ଟ୍ରରେ ‘ମହାୟୁତି’ ସରକାରରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଏକନାଥ ସିନ୍ଧେ । ତେବେ, ୨୦୨୪ ବିଧାନସଭା ନିର୍ବାଚନରେ ମହାୟୁତି ବା ଏମଭିଏର କେହି ହେଲେ ‘ମୁଖ୍ୟମନ୍ତ୍ରୀ ଚେହେରା’କୁ ସାମ୍ନାରେ ନରଖି ନିର୍ବାଚନ ମଇଦାନରେ ଅଛନ୍ତି । ନିର୍ବାଚନ ଫଳାଫଳ ଆସିଲେ ଯିଏ ସଂଖ୍ୟାଗରିଷ୍ଠତା ପାଇବ ବିଧାୟକ ଦଳ ବୈଠକରେ ସେହି ମେଂଟରୁ ମୁଖ୍ୟମନ୍ତ୍ରୀ କିଏ ହେବ ଚୟନ କରାଯିବ ବୋଲି ଉଭୟ ମେଂଟ ଘୋଷଣା କରିଛନ୍ତି । ଶରଦ ପାୱାର ନିଜେ ବିଧାନସଭା ନିର୍ବାଚନରେ ପ୍ର୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି । ରାଜ୍ୟସଭା କାର୍ଯ୍ୟକାଳ ସରିବା ପରେ ରାଜନୀତିରୁ ଅବସର ନେବେ ବୋଲି ସେ ବାରାମତୀ ଜନତା ସମ୍ମୁଖରେ ଘୋଷଣା କରି ପଣନାତି ୟୁଗେନ୍ଦ୍ର ପାୱାରଙ୍କ ହାତରେ ଦଳର ନେତୃତ୍ୱ ସମର୍ପିବାର ପରୋକ୍ଷ ସୂଚନା ଦେଇଛନ୍ତି । ଅପରପକ୍ଷରେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏମଭିଏ କ୍ଷମତାକୁ ଆସିଲେ ଶିବସେନା (ୟୁବିଟି)ରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ରଖିଛନ୍ତି । ଏଭଳି ସ୍ଥିତିରେ ମହାରାଷ୍ଟ୍ର ଜନତା ନଭେମ୍ବର ୨୦ରେ ହେବାକୁ ଥିବା ନିର୍ବାଚନରେ କେଉଁ ମେଂଟ ସପକ୍ଷରେ ଭୋଟ ଦେଉଛନ୍ତି ଓ ୧୮ ମାସ ପରେ ରାଜନୀତିରୁ ସନ୍ୟାସ ନେବେ ବୋଲି ଶରଦ ପାୱାରଙ୍କ ଘୋଷଣା ନିର୍ବାଚନକୁ କିଭଳି ଭାବେ ପ୍ରଭାବିତ କରୁଛି, ତାହା ନଭେମ୍ବର ୨୩ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS