ଦୋଷ କଲା କିଏ, ଦଣ୍ଡ ପାଉଛି କିଏ ?


ଭୁବନେଶ୍ୱର ୨୮/୦୪ (ପ୍ରସାଦ ରାଓ): ଜମ୍ମୁ-କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଆତଙ୍କୀ ଆକ୍ରମଣ ଘଟଣା ପରେ ଭାରତରୁ ପାକିସ୍ତାନୀ ନାଗରିକଙ୍କୁ ତଡିବା ପାଇଁ ଭାରତ ସରକାର କଡା ଆଭିମୁଖ୍ୟ ଆପଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦେଶ ପରେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ଥିବା ପାକିସ୍ତାନ ନାଗରିକଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଦେଶ ଛାଡିବାକୁ ନିର୍ଦେଶ ଦେଇଛନ୍ତି । ଇତିମଧ୍ୟରେ, ଶତାଧିକ ପାକିସ୍ତାନୀ ନାଗରିକ ଭାରତ ଛାଡିଲେଣି । ଅନ୍ୟମାନେ ଧାର୍ଯ୍ୟ ସମୟ ମଧ୍ୟରେ ଦେଶ ନ ଛାଡିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡ଼ିଶାରେ ଥିବା ୧୨ ଜଣ ପାକ୍ ନାଗରିକ ମଧ୍ୟ ଦେଶ ଛାଡିବାକୁ ନୋଟିସ ପାଇ ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କଲେଣି ବା ପତ୍ୟାବର୍ତ୍ତନ ଅପେକ୍ଷାରେ ରହିଛନ୍ତି । କିଛି ପାକିସ୍ତାନୀ ମହିଳା ଭାରତୀୟ ପୁରୁଷଙ୍କୁ ବିବାହ କରି ସନ୍ତାନ ସନ୍ତତି ସହ ବର୍ଷ ବର୍ଷ ଧରି ଦୀର୍ଘକାଳୀନ ଭିସାରେ ଭାରତରେ ରହି ଆସୁଥିଲେ । ପହଲଗାମ ଘଟଣା ପରେ ଏହି ମହିଳାମାନଙ୍କୁ ଦେଶ ଛାଡିବାକୁ ନିର୍ଦେଶ ଦିଆଯିବା ଏକ ଭାବୁକ ପରିସ୍ଥିତି ସୃଷ୍ଟି କରିଛି । ଦୀର୍ଘ ତିନି ଦଶନ୍ଧୀରୁ ଅଧିକ ସମୟ ହେଲା ନିଜ ପରିବାର ସହ ଓଡ଼ିଶାରେ ବିତାଇ ସାରିଥିବା ପାକିସ୍ତାନୀ ନାଗରିକ ୫୫ ବର୍ଷ ବୟସ୍କା ମହିଳା ଶାରଦା ବାଇ ଓରଫ ଶାରଦା କୁକ୍ରେଜା ଭାରତ ଛାଡିବା ପାଇଁ ବଲାଂଗୀର ପୁଲିସଠାରୁ ନୋଟିସ ପାଇବା ପରେ ଘର ସଂସାର ଛାଡି କୁଆଡେ ଯିବେ ଓ କାହା ପାଖକୁ ଯିବେ – ସେନେଇ ଚିନ୍ତାରେ ପଡିଛନ୍ତି । ତାଙ୍କୁ ଦେଶରୁ ବିତାଡିତ କରାନଯାଉ, ପରିବାର ସହ ରହିବାକୁ ଦିଆଯାଉ ବୋଲି ଶାରଦାଙ୍କ ଆକୁଳ ନିବେଦନକୁ ରାଜ୍ୟ ସରକାର ବା ପ୍ରଶାସନ ଶୁଣିବା ଅବସ୍ଥାରେ ନାହାନ୍ତି, ଏହାର କାରଣ ହେଉଛି, ଭାରତରେ ଦୀର୍ଘକାଳୀନ ବା ସ୍ୱଳ୍ପକାଳୀନ ଭିସାରେ ବସବାସ କରୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟ ମଧ୍ୟରେ ଦେଶାନ୍ତର କରିବାକୁ ଭାରତ ସରକାରଙ୍କ ନିର୍ଦେଶ ରହିଛି ଓ ଖୋଦ୍ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ନିର୍ଦେଶ ଦେଇଛନ୍ତି । ରାଜ୍ୟ ସରକାର କେନ୍ଦ୍ରରୁ ନିର୍ଦେଶ ପାଇବା ପରେ ପୁଲିସ ପ୍ରଶାସନ ମାଧ୍ୟମରେ ପାକ୍ ନାଗରିକଙ୍କୁ ଚିହ୍ନଟ କରି ଦେଶ ଛାଡିବାକୁ ନିର୍ଦେଶନାମା ଜାରି କରିଛନ୍ତି । ଶାରଦା କୁକ୍ରେଜାଙ୍କ କହିବା ଅନୁଯାୟୀ, ତାଙ୍କ ପିତା ୧୯୮୭ ମସିହାରେ ଛଅଟି ସନ୍ତାନଙ୍କ ସହ ୬୦ ଦିନିଆ ଭିସାରେ ଭାରତ ଚାଲି ଆସି ଓଡ଼ିଶାର କୋରାପୁଟ ଜିଲ୍ଲାରେ ସ୍ଥାୟୀ ବାସିନ୍ଦା ହୋଇଯାଇଥିଲେ । ଶାରଦା ୩୫ ବର୍ଷ ତଳେ ବଲାଂଗୀର ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ଓ ଦୁଇ ଜଣ ନାତି ନାତୁଣୀ ଅଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଭାରତୀୟ ନାଗରିକତା ଥିବା ବେଳେ ଶାରଦାଙ୍କ ପାକିସ୍ତାନୀ ନାଗରିକତା କାଏମ ରହିଛି । ୧୯୭୦ରେ ଜନ୍ମିତ ଶାରଦାଙ୍କ ପାସପୋର୍ଟରେ ତାଙ୍କ ଜନ୍ମ ପାକିସ୍ତାନ ସିନ୍ଧ ପ୍ରଦେଶର ସୁକୁର ସହରରେ ବୋଲି ଉଲ୍ଲେଖ ରହିଛି । ତାଙ୍କ ନିକଟରେ ଦୀର୍ଘକାଳୀନ ଭିସା ନାହିଁ କିମ୍ବା ସେ ଛାଡ ଶ୍ରେଣୀଭୁକ୍ତ ନୁହନ୍ତି । ତେଣୁ, ବଲାଂଗୀର ପୁଲିସ ତାଙ୍କୁ ଭାରତ ଛାଡିବାକୁ ନୋଟିସ ଦେଇଛନ୍ତି । ଦେଶ ନଛାଡିଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ପୁଲିସ ଚେତାବନୀ ଦେଇଛନ୍ତି । ତାଙ୍କ ନିକଟରେ ଭୋଟର ଆଇଡି ଓ ଆଧାର କାର୍ଡ ଅଛି । ଭାରତୀୟ ନାଗରିକତା ପାଇଁ ସେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ମିଳି ନାହିଁ । ପାକିସ୍ତାନରେ ତାଙ୍କର କେହି ସଂପର୍କିୟ ନାହାନ୍ତି ବା ସେ କାହାରି ସହିତ କେବେ କଥା ହୋଇ ନାହାନ୍ତି । ଏଭଳି ସ୍ଥିତିରେ ପରିବାର ଛାଡି ପାକିସ୍ତାନ ଚାଲି ଯିବାକୁ କୁହାଗଲେ ସେ କୁଆଡେ ଯିବେ ବୋଲି ଗଣମାଧ୍ୟମକୁ ପ୍ରଶ୍ନ କରିବା ସହ ପରିବାର ନିକଟରୁ ତାଙ୍କୁ ଦୂରେଇ ଦିଆନଯାଉ ବୋଲି କାକୁତି ମିନତି ହେଉଛନ୍ତି । ଶାରଦାଙ୍କ ନିକଟରେ ଦୀର୍ଘକାଳୀନ ଭିସା ବା ଆଇନସଂଗତ କାଗଜପତ୍ର ନାହିଁ ବା ସେ ଭିସା ଛାଡ ଶ୍ରେଣୀରେ ଯାଉନଥିବାରୁ ତାଙ୍କୁ ଦେଶ ଛାଡିବାକୁ ନୋଟିସ ଦିଆଯାଇଛି ବୋଲି ବଲାଂଗୀର ପୁଲିସ ଅଧିକ୍ଷକ କହିଛନ୍ତି । କେବଳ ଶାରଦା କୁକ୍ରେଜା ନୁହନ୍ତି, ଓଡ଼ିଶା ଛାଡିବାକୁ ନୋଟିସ ପାଇଥିବା ୧୨ ପାକିସ୍ତାନୀ ନାଗରିକଙ୍କ ସମସ୍ୟ ପ୍ରାୟ ସମାନ ବୋଲି କୁହାଯାଉଛି । ଭୁବନେଶ୍ୱର କମିଶନରେଟ ପୁଲିସର ସୂଚନା ଅନୁସାରେ, ଭାରତ ଛାଡିବାକୁ ନୋଟିସ ପାଇଥିବା ୧୨ ପାକ୍ ନାଗରିକଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ଅଛନ୍ତି । କଟକର ତିନି ଜଣ ଓ ବାଲେଶ୍ୱରର ଜଣକୁ ମଧ୍ୟ ଦେଶାନ୍ତର ନୋଟିସ ଦିଆଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ଗତକାଲି ଏନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିର୍ଦେଶକୁ କେବଳ କାର୍ଯ୍ୟକାରୀ କରୁଛନ୍ତି । ଆଗକୁ ଯାହା ନିର୍ଦେଶ ଆସିବ ତାହାକୁ କାର୍ଯ୍ୟକାରୀ କରାଯିବ । ଏପ୍ରଇ ୨୨ ତାରିଖରେ ଜମ୍ମୁ-କଶ୍ମୀରର ଭୂ-ସ୍ୱର୍ଗ ଭାବେ ପରିଚିତ ପହଲଗାମରେ ହୋଇଥିବା ଆତଙ୍କୀ ଗୁଳିକାଣ୍ଡରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ପ୍ରାଣ ଯାଇଛି । ଏହାକୁ ନେଇ ସମଗ୍ର ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଥିବା ବେଳେ ପାକିସ୍ତାନ ବିରୋଧରେ ଭାରତର କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇସାରିଛି । ଆଗକୁ ଏକ ନିର୍ଣ୍ଣୟକ ଯୁଦ୍ଧ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଭାରତରେ ବସବାସ କରୁଥିବା ପାକିସ୍ତାନୀ ନାଗରିକଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଚିହ୍ନଟ କରି ଦେଶାନ୍ତର କରାଯିବାକୁ ଭାରତ ସରକାରଙ୍କ ନିର୍ଦେଶର ଅଂଶ କୁହାଯାଇପାରେ । ତେବେ, ପାକ୍ ସମର୍ଥିତ ଆତଙ୍କବାଦୀମାନେ ଏହି ବର୍ବର କାଣ୍ଡ ଘଟାଇ ଥିବା ବେଳେ ଶାରଦା କୁକ୍ରେଜାଙ୍କ ଭଳି ନିରୀହ ମହିଳାମାନେ ଏବେ ପାକିସ୍ତାନର ଏହି ବର୍ବରତାର ଚରମ ପରିଣତି ଭୋଗିବାକୁ ଯାଉଛନ୍ତି । ତେଣୁ, ଦୋଷ କଲା କିଏ, ଦଣ୍ଡ ପାଉଛି କିଏ (?) ବୋଲି ସାଧାରଣରେ ଚର୍ଚ୍ଚା ହେବା ସ୍ୱାଭାବିକ ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS