ରାଜ୍ୟରେ ତିନି ମାସରେ ୧୩ଟି ଏନକାଉଂଟର, ତଥାପି ଅପରାଧ କମୁନି !


ଭୁବନେଶ୍ୱର ୩୦/୦୪ (ପ୍ରସାଦ ରାଓ): ଗତ ଫେବୃୟାରୀରୁ ଏପ୍ରିଲ ମଧ୍ୟରେ ରାଜ୍ୟରେ ପୁଲିସ ଏନକାଉଂଟର ବଢିଛି । କିନ୍ତୁ, ଅପରାଧ ହାର କମିବା ଭଳି ମନେ ହେଉ ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କେବଳ ସଂଗଠିତ ଅପରାଧ ନୁହେଁ, ପୂର୍ବ ଶତୃତାକୁ ନେଇ ହତ୍ୟା, ନାବାଳିକା ଦୁଷ୍କର୍ମ ଭଳି ଆପରାଧିକ ଘଟଣା ବୃଦ୍ଧି ପାଉଥିବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପୁଲିସ ସଂଗଠିତ ଅପରାଧକୁ ରୋକିବାକୁ ଏନକାଉଂଟର କୌଶଳ ଆପଣାଇଛନ୍ତି । ତେବେ, ଅନ୍ୟାନ୍ୟ ଅପରାଧ ବୃଦ୍ଧି ପଛରେ ପୁଲିସ ପ୍ରତି ଅପରାଧୀଙ୍କ ମନରେ ଭୟର ଅଭାବକୁ ଦାୟି କରାଯାଇଛି । ରାଜ୍ୟରେ ପୁଲିସିଂ ବ୍ୟବସ୍ଥା ତା’ବାଟରେ ଓ ଅପରାଧୀ ତା’ବାଟରେ – ଗଲା କିଛି ମାସ ହେଲା ଜନସାଧାରଣରେ ଏଭଳି ଧାରଣା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୦୨୫ ଫେବୃୟାରୀ ୧୭ରୁ ଏପ୍ରିଲ ୨୫ ତାରିଖ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୧୩ଟି ପୁଲିସ ଏନକାଉଂଟର ଘଟିଛି । ଏହି ସବୁ ଏନକାଉଂଟରରେ ୧୯ ଜଣ ପୁଲିସ ଗୁଳିରେ ଜଖମ ହୋଇଛନ୍ତି ଓ ୨୧ ଜଣଙ୍କୁ ପୁଲିସ ଗିରଫ କରିଛି । ରାଜ୍ୟରେ ୨୦୨୩ରେ ମାତ୍ର ୫ଟି ଓ ୨୦୨୪ରେ ୩ଟି ପୁଲିସ ଏନକାଉଂଟର ହୋଇଥିବା ବେଳେ ୨୦୨୫ର ଫେବୃୟାରୀରୁ ଏପ୍ରିଲ ତିନି ମାସରେ ୧୩ଟି ଏନକାଉଂଟର ହୋଇଛି । ରାଜ୍ୟରେ ସଂଗଠିତ ଅପରାଧକୁ ରୋକିବା ପାଇଁ ପୁଲିସ ଏନକାଉଂଟର କୌଶଳକୁ ଗୁରୁତ୍ୱ ଦେଇଥିବା ଏବେ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି । କିଛି ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ରାଜ୍ୟରେ ସଂଗଠିତ ଅପରାଧ ବୃଦ୍ଧି ପାଇଥିବାରୁ ତାହାକୁ ରୋକିବାକୁ ପୁଲିସକୁ ରାତିଅଧିଆ ନାକାବନ୍ଦୀ କରିବାକୁ ପଡୁଛି । ପୁଲିସର ନାକାବନ୍ଦୀ ବେଳେ ଧରା ପଡିବା ଭୟରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଉଛନ୍ତି । ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇବାକୁ ବାଧ୍ୟ ହେଉଛି । ଅପରାଧୀଙ୍କୁ ଜଖମ କରି ଗିରଫ କରିବା ପୁଲିସର ମୂଳ ଉଦ୍ଦେଶ୍ୟ ହୋଇଥିଲେ ମଧ୍ୟ ଅନେକ ସମୟରେ ତାହା ଘାତକ ହେଉଛି । ରାଜ୍ୟ ସରକାର ଅପରାଧ ଓ ଅପରାଧୀଙ୍କ ପ୍ରତି ‘ଶୂନ୍ୟ ସହନଶୀଳ’- ଏହି ବାର୍ତ୍ତା ଜନତାରେ ପହଂଚାଇବା ସକାଶେ ପୁଲିସ ଏନକାଉଂଟର କୌଶଳ ଆପଣାଇ ଥିବା କିଛି ପୁଲିସ ଅଧିକାରୀ ସ୍ୱୀକାର କରୁଥିଲେ ମଧ୍ୟ ତାହା ମରଣାନ୍ତକ ନହେବା ଦିଗରେ ଯତ୍ନବାନ ଥିବା କହୁଛନ୍ତି ।
ରାଜ୍ୟ ପୁଲିସ ଗତ ଫେବୃୟାରୀ ୧୭, ମାର୍ଚ୍ଚ ୯, ଏପ୍ରିଲ ୩ ଓ ୧୧ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଏନକାଉଂଟର କରି ୭ ଜଣ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ସମ୍ବଲପୁର, ଅନୁଗୁଳ, ରାଉରକେଲା, ଝାରସୁଗୁଡା ଓ କଟକରେ ମଧ୍ୟ ଏଭଳି ଏନକାଉଂଟର ହୋଇଛି । ୨୦୨୪ ଜୁନରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟ ଅତିଥି ଭବନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ବୈଠକ କରି ରାଜ୍ୟ ସରକାର ଅପରାଧ ପ୍ରତି ‘ଶୂନ୍ୟ ସହନଶୀଳ’ ବୋଲି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଓ ରାଜ୍ୟ ପୁଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଏସପି ଓ ଡିସିପିମାନଙ୍କ ସହ ଆଲୋଚନା କରି ଅପରାଧୀଙ୍କୁ କଠୋର ହସ୍ତରେ ଦମନ କରିବାକୁ ନିର୍ଦେଶ ଦେଇଥିଲେ । ଅପରାଧୀଙ୍କୁ ଏନକାଉଂଟର କରିବାକୁ ମୁଖିଆଙ୍କ ଅଫିସିଆଲ ନିର୍ଦେଶ ନଥିଲେ ମଧ୍ୟ ପରୋକ୍ଷ ଇଂଗିତ ଥିବାରୁ ତଳିଆ ପୁଲିସ ଅଧିକାରୀମାନେ ଏନକାଉଂଟର କୌଶଳକୁ ଗୁରୁତ୍ୱ ଦେଇଥିବା ଅନୁମାନ କରାଯାଉଛି । ଗତ ଫେବୃୟାରୀରୁ ଏପ୍ରିଲ ମାସ ମଧ୍ୟରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ୧୩ଟି ଏନକାଉଂଟର ରାଜ୍ୟରେ ଅପରାଧ ସଂଖ୍ୟା କମାଇବାରେ କେତେ ସଫଳ ହୋଇଛି, ତାହା ଆଜି ଦିନରେ ବଡ ପ୍ରଶ୍ନ । ପ୍ରତି ଦିନ ଖବର କାଗଜ ପୃଷ୍ଠାକୁ ଓଲଟାଇଲେ ଦେଖିବାକୁ ମିଳୁଛି ହତ୍ୟା, ଦୁଷ୍କର୍ମ, ଛୋଟ ଛୋଟ ଶିଶୁଙ୍କ ପ୍ରତି ଯୌନ ନିର୍ଯ୍ୟାତନା ପରେ ହତ୍ୟା ଭଳି ଜଘଣ୍ୟ ଘଟଣାର ଲୋମହର୍ଷକ ବିବରଣୀ । ଏଥିରୁ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଅପରାଧ ରୋକିବାରେ କେତେ ସଫଳ ପାଇଛନ୍ତି ସ୍ପଷ୍ଟ ହେଉଛି ।
ରାଜଧାନୀରୁ ଆରମ୍ଭ କରି ରାଜ୍ୟର ସମସ୍ତ ପ୍ରମୁଖ ସହର ଓ ଗ୍ରାମାଂଚଳରେ ନାରୀ ନିର୍ଯ୍ୟାତନା, ନାବାଳିକାଙ୍କୁ ଦୁଷ୍କର୍ମ, ଘରୋଇ ହିଂସା, ସଂଗଠିତ ଓ ଅସଂଗଠିତ ହତ୍ୟା ଘଟଣା ନିତିଦିନିଆ ହୋଇଥିବା ଦେଖିବାକୁ ମିଳୁଛି । ବିରୋଧୀ ଏନେଇ ସରକାରଙ୍କୁ ଘେରିଲେ ଶାସକ ଦଳ ପୂର୍ବ ସରକାରଙ୍କ ଦୋଷ ଦୁର୍ବଳତା ଆଲୋଚନା କରି ନିଜକୁ ନିଷ୍ପାପ ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି । ଗତ ବିଧାନସଭା ଅଧିବେଶନରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ବିରୋଧୀ ରାଜନୈତିକ ଦଳଙ୍କ ପ୍ରମୁଖ ପ୍ରସଙ୍ଗ ଥିଲା । କଂଗ୍ରେସ ବିଧାୟକମାନେ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରି ଗୃହରୁ ନିଲମ୍ବିତ ହୋଇଥିଲେ । ବିଧାନସଭା ବାହାରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ମାର୍ଚ୍ଚ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ବେଳେ ବ୍ୟାପକ ହିଂସା ଘଟି ବହୁ ପୁଲିସ କର୍ମଚାରୀ ଓ କଂଗ୍ରେସ କର୍ମୀ ଆହତ ହୋଇଥିଲେ । ପୁଲିସ ପକ୍ଷରୁ ପାଂଚ ହଜାରରୁ ଅଧିକ କଂଗ୍ରେସ କର୍ମୀଙ୍କ ବିରୋଧରେ ବିଭିନ୍ନ ଗୁରୁତର ଦଫାରେ ମାମଲା ରୁଜୁ କରାଯାଇଛି । କିଛି କଂଗ୍ରେସ କର୍ମୀ ଗିରଫ ହୋଇ ଜେଲରେ ଅଛନ୍ତି । କଂଗ୍ରେସ ଏହି ପ୍ରସଙ୍ଗରେ ଲଢେଇ ଜାରି ରଖିବ ବୋଲି ଘୋଷଣା କରିଛି ।
ବାମପନ୍ଥୀ ଦଳମାନେ ମଧ୍ୟ ରାଜ୍ୟରେ ଅପରାଧ ଓ ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ନେଇ ସରକାର-ବିରୋଧୀ ବିକ୍ଷୋଭରେ ମାତିଛନ୍ତି । ତେବେ, ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ବେଳେ ଦଳ ଶାସନରେ ଥିବା ସମୟରେ ହୋଇଥିବା ମହିଳା-ବିରୋଧୀ ଅପରାଧ ପାଇଁ ସମାଲୋଚିତ ହୋଇ ପ୍ରସଙ୍ଗ ବଦଳାଇବାକୁ ବାଧ୍ୟ ହେଉଛି । ଅପରପକ୍ଷରେ, ଗତ ବର୍ଷ ଜୁନରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ପରରୁ ରାଜ୍ୟରେ ଅପରାଧ ହାସ ୪.୨ ପ୍ରତିଶତ କମିଥିବା ଗତ ବିଧାନସଭା ଅଧିବେଶନ ସମୟରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଥିଲେ । ବିରୋୀ କେବଳ ସରକାରଙ୍କୁ ନିନ୍ଦିତ କରିବା ପାଇଁ ଅପରାଧୀ ବୃଦ୍ଧି କଥା କହି ସରକାରଙ୍କୁ ଘେରୁଛନ୍ତି ଓ ବିଧାନସଭାକୁ ଅଚଳ କରୁଛନ୍ତି ବୋଲି ଆଇନ ମନ୍ତ୍ରୀଙ୍କ ପାଲଟା ଅଭିଯୋଗ ଥିଲା । ଏପ୍ରିଲରେ ବିଧାନସଭା ଅଧିବେଶନ ସରିବା ପରେ ସମସ୍ତେ ପ୍ରାୟତଃ ନିରବ । ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଲେ ବିରୋଧୀ ଦଳମାନେ ତଥ୍ୟ ଅନୁଧ୍ୟାନକାରୀ ଟିମ୍ ଗଠନ କରି ସଂପୃକ୍ତ ଅଂଚଳକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ଗଣମାଧ୍ୟମରେ ବୟାନ ରଖୁଛନ୍ତି । ସେତିକିରେ ବିରୋଧୀ ସୀମିତ । ପୁଲିସ ଏନକାଉଂଟର ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ୧୩ଟି ଏନକାଉଂଟର ପରେ ମଧ୍ୟ ରାଜ୍ୟରେ ଅପରାଧ ବଢୁଥିବା ପୁଲିସ ପ୍ରତି ଅପରାଧୀଙ୍କ ମନରେ ଡର ନଥିବାର ବାର୍ତ୍ତା ଦେଉଛି । ରାଜ୍ୟ ପୁଲିସ ମୁଖ୍ୟ ଅପରାଧ ନିୟନ୍ତ୍ରଣ ପାଇଁ ଆଉ କି କୌଶଳ ଆପଣାଇବେ ତାହା ଏବେ ଦେଖିବାକୁ ବାକି ରହିଛି ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS