ଯୁଦ୍ଧ ବିରତି ପରେ ମଧ୍ୟ ରାଜନୀତି ଥମି ନାହିଁ !


ପ୍ରସାଦ ରାଓ
ଭୁବନେଶ୍ୱର ମେ’ ୧୧
ଶନିବାର ସନ୍ଧ୍ୟାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ପରେ ମଧ୍ୟ ରାଜନୀତି ଥମିନି । ପାକିସ୍ତାନ ଗତକାଲି ରାତିରେ ପୁଣିଥରେ ଯୁଦ୍ଧ ବିରତି ଘୋଷଣାକୁ ଉଲଂଘନ କରି ତା’ର ଦୋମୁହାଁ ନୀତିକୁ ପଦାରେ ପକାଇ ଥିବା ବେଳେ ଆଜି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ଓ ଗତକାଲି ସନ୍ଧ୍ୟାରେ ଘୋଷଣା ହୋଇଥିବା ଯୁଦ୍ଧ ବିରତି ଉପରେ ଆଲୋଚନା ପାଇଁ ତୁରନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି । ଭାରତ ଓ ପାକିସ୍ତାନ ସ୍ଥାୟୀ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି ବୋଲି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ୍ ପ୍ରଥମେ ଘୋଷଣା କରିବା ପରେ ସନ୍ଧ୍ୟାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରି ଦଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ, ଏହି ଘୋଷଣାର କିଛି ଘଂଟା ମଧ୍ୟରେ ପାକିସ୍ତାନ ଆଡୁ ରାଜସ୍ଥାନ, ଜମ୍ମୁ, ଗୁଜୁରାଟ ସୀମାନ୍ତରେ ପୁଣି ଥରେ ଦ୍ରୋନ୍ ଆକ୍ରମଣ କରାଯାଇ ଯୁଦ୍ଧ ବିରତି ଉଲଂଘନର ସଂକେତ ଦିଆଯାଇଥିଲା । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ବୁଝାମଣା ହୋିଥିବା ଘୋଷଣା ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ଆଶା କରାଯାଉଥିଲା । ତେବେ, ରାତିରେ ପାକିସ୍ତାନ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ପୁନର୍ବାର ପରିସ୍ଥିତିକୁ ବିଗାଡି ଦେଇଥିଲା । ତେବେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଆଜି ସାମାଜିକ ଗଣମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ବୁଝାମଣା ହୋଇଥିବା ସ୍ୱୀକାର କରିଛନ୍ତି । ଆସନ୍ତା କାଲି ମଧ୍ୟାହ୍ନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରରେ ବୈଠକ ହେବାକୁ ଥିବାରୁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ପହଲାଗାମ ଗଣହତ୍ୟାକୁ ନେଇ ଗତ ୭ ତାରିଖରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ବାତାବରଣ ସୃଷ୍ଟି ହୋଇଥିଲା । ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା । ଭାରତୀୟ ବିମାନ ବାହିନୀ ଭାରତର ସୀମା ସରହଦ ଭିତରେ ରହି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଓ ପାକିସ୍ତାନ ଭିତରେ ଥିବା ନଅଟି ଆତଙ୍କବାଦୀ ଶିବିରକୁ ମାଟିରେ ମିଶାଇ ଦେଇଥିଲେ । ତାହାରୀ ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଆଡୁ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ମଧ୍ୟ ଭାରତୀୟ ସେନାର ପରାକ୍ରମ ନିକଟରେ ପାକିସ୍ତାନ ସେନାକୁ ଧୂଳି ଚାଟିବାକୁ ପଡିଥିଲା । ଭାରତର ସେନା କାର୍ଯ୍ୟାନୁଷ୍ଠାନକୁ ସମଗ୍ର ବିଶ୍ୱ ସମର୍ଥନ କରିଥିବା ବେଳେ ପାକିସ୍ତାନ ତାହାର ସେନା କାର୍ଯ୍ୟାନୁଷ୍ଠାନ ଜାରି ରଖିବାରୁ ଭାରତୀୟ ସେନା ପାକିସ୍ତାନରେ ଯେଭଳି ଭୟାବହ ପରିସ୍ଥିତି ସୃଷ୍ଟି କଲେ ତାହା ସଂପୂର୍ଣ୍ଣ ବିଶ୍ୱ ଦେଖିଛି । ଭାରତର ସମସ୍ତ ରାଜନୈତିକ ଦଳ ଓ ଜନତା ଏକାସ୍ୱରରେ ପାକିସ୍ତାନର ଆତଙ୍କବାଦକୁ ବିରୋଧ କରିବା ସହ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିଲେ ଏବଂ ସେନାର ମନୋବଳ ବଢାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଭାରତ ଏକ ନିର୍ଣ୍ଣାୟକ ଯୁଦ୍ଧର ଦ୍ୱାରଦେଶରେ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରଂପ୍ ଯୁଦ୍ଧ ବିରତିର ଆହ୍ୱାନ ଦେଇଥିଲେ ଏବଂ ଗତକାଲି ନିଜ ଆଡୁ ଦୁଇ ଦେଶ ଯୁଦ୍ଧ ବିରତି ପାଇଁ ରାଜି ଥିବା ଘୋଷଣା କରିଥିଲେ । ପରେ, ସନ୍ଧ୍ୟାରେ ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ବୁଝାମଣା ହୋଇଥିବା ସୂଚନା ଦେଇଥିଲେ । ତେବେ, ,ହାର କିଛି ଘଂଟା ମଧ୍ୟରେ ପାକିସ୍ତାନ ଯୁଦ୍ଧ ବିରତି ବୁଝାମଣାର ଉଲଂଘନ କରି ଭାରତୀୟ ସୀମାନ୍ତରେ ଉତ୍ପାତ କରିଥିଲା । ଭାରତ ମଧ୍ୟ ତାହାର ଜବାବ ଦେବାକୁ ସେନା ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇ ପାକିସ୍ତାନର ଦୋମୁହାଁ ନୀତି ଯୋଗୁଁ ଯୁଦ୍ଧର ଘନଘଟା ବଢିବ ବୋଲି ସଂକେତ ଦେଇଥିଲା ।
ଗତ ପାଂଚ ଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଯୁଦ୍ଧର ଘନଘଟା ଚାଲିଥିଲା ତାହାର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶାରେ ପଡିନଥିଲେ ମଧ୍ୟ ଦେଶର ଅନ୍ୟାନ୍ୟ ଅଂଚଳ ପରି ଓଡ଼ିଶାରେ ମଧ୍ୟ ରାଜନୈତିକ ଚଳଚଂଚଳତା ଦେଖିବାକୁ ମିଳିଥିଲା । ଓଡ଼ିଶାରେ ବିଭିନ୍ନ ରାଜନୈତିକ ଦଳ ସୀମାନ୍ତରେ ଯୁଦ୍ଧ ଲଢୁଥିବା ଭାରତୀୟ ସେନା ଯବାନଙ୍କ ମଂଗଳ କାମନା କରି ଭିନ୍ନ ଭିନ୍ନ ଭାବେ ସମୂହ ଦୀପଦାନ ଓ ତ୍ରିରଂଗା ଶୋଭାଯାତ୍ରା କରିଥିଲେ । ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଭାରତୀୟ ସେନାର ମନୋବଳ ବଢାଇବା । ମେ’ ୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ରାଜଧାନୀ ଭୁନନେଶ୍ୱରରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ୧୦ ତାରିଖ ସନ୍ଧ୍ୟାରେ କଂଗ୍ରେସ ଭବନ ସମ୍ମୁଖରେ ସଭାର ଆୟୋଜନ ହୋଇଥିଲା । ୧୦ ତାରିଖ ସନ୍ଧାରେ ରାଜ୍ୟ କଂଗ୍ରେସ ନେତାମାନେ ତ୍ରିରଙ୍ଗା ପତାକା ଉଡାଇ ପାକିସ୍ତାନ ବିରୋଧରେ ଗର୍ଜନ କରୁଥିବା ଦେଖିବାକୁ ମିଳିଥିଲା । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ପକ୍ଷରୁ ମଧ୍ୟ ୯ ତାରିଖ ସନ୍ଧ୍ୟାରେ ପ୍ରଭୁ ଶ୍ରୀଲିଂଗରାଜଙ୍କ ମନ୍ଦିର ନିକଟରେ ସମୂହ ଦୀପଦାନ ଓ ୧୦ ତାରିଖ ଦିନ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା । ରାଜ୍ୟରେ ବିଜେପିର ସରକାର ଥିବାରୁ ଦଳର ଆଗୁଆ ସଂଗଠନମାନେ ସେନାର ମନୋବଳ ବଢାଇବା ଦିଗରେ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ । ସମ୍ଭାବ୍ୟ ଯୁଦ୍ଧଜନିତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଡୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା । ଦେଶର ସମସ୍ତ ରାଜନୈତିକ ଦଳ ଗୋଟିଏ ସ୍ୱରରେ ଆତଙ୍କବାଦ ବିରୋଧରେ ଭାରତର ସେନା କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବାରୁ ଯୁଦ୍ଧ ଲଢୁଥିବା ସେନାର ଶୁଭ କାମନା କରି କାର୍ଯ୍ୟକ୍ରମମାନ ଜାରି ରହିଛି । ଏଥିରେ କୌଣସି ରାଜନୀତି ନଥିବା ସେମାନେ କହୁଥିଲେ ମଧ୍ୟ ବାସ୍ତବରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ନିଜ ନିଜ ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଥିଲା ।
୯ ତାରିଖ ସନ୍ଧ୍ୟାରେ ବିଜେଡି ପକ୍ଷରୁ ହୋଇଥିବା କାର୍ଯ୍ୟକ୍ରମରେ ବିଜେଡି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱରର ପରାଜିତ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମେତ ବହୁ ପୁରୁଖା ନେତା, ଯୁବ, ଛାତ୍ର ଓ ମହିଳା ସଂଗଠନର ସଦସ୍ୟ ଏବଂ ବିଏମସି କର୍ପୋରେଟରମାନେ ଯୋଗ ଦେଇଥିଲେ । ବିଜେଡିର କିଛି ବରିଷ୍ଠ ନେତା ଓ କର୍ପୋରେଟର ନବ ଗଠିତ ରାଜନୈତିକ ବ୍ୟାପାର କମିଟି ଓ ଦଳର ଅନ୍ୟ କର୍ମକର୍ତ୍ତା ଚୟନକୁ ନେଇ ଘୋର ଅସନ୍ତୁଷ୍ଟ ଥିବାରୁ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ତେବେ, ଭାରତୀୟ ସେନାର ମନୋବଳ ବଢାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ରାଜନୈତିକ ଦୃଷ୍ଟିରୁ ଦେଖିବା ଉଚିତ ନୁହେଁ ବୋଲି ଦଳର କିଛି ନେତା କହିଛନ୍ତି ।
ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀର ପହଲଗାମ ନିକଟସ୍ଥ ବୈସରନ ଉପତ୍ୟକାରେ ପାକ୍-ପ୍ରଶିକ୍ଷିତ ଆତଙ୍କବାଦୀମାନେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ୁଳି କରି ହତ୍ୟା କରିବା ସମଗ୍ର ଦେଶକୁ କ୍ରୋଧିତ କରିଥିଲା । ପାକ୍ ପ୍ରୟୋଜିତ ଆତଙ୍କବାଦର ବିରୋଧରେ ସମଗ୍ର ଦେଶ ଏକାଠି ଅଛି ବୋଲି ରାଜନୈତିକ ଦଳମାନେ ବାର୍ତ୍ତା ଦେବା ସହ ଭାରତ ସରକାରଙ୍କ ଆଡୁ ଆତଙ୍କବାଦ ବିରୋଧରେ ପ୍ରଥମେ ‘ଅପରେସନ୍ ସିନ୍ଦୂର-୧’ ହାତକୁ ନିଆଯାଇଥିଲା । ଭାରତୀୟ ବାୟୁ ସୀମା ଭାରତର ସୀମା ସରହଦ ଭିତରେ ରହି ପାକିସ୍ତାନ ପାକିସ୍ତାନ ନିୟନ୍ତ୍ରଣରେ ଥିବା କଶ୍ମୀର (ପିଓକେ) ଓ ଏଲଓସିକୁ ଲାଗି ରହିଥିବା ପାକିସ୍ତାନ ଅଂଚଳର ଡ୍ରୋନ୍ ଆକ୍ରମଣ କରି ନଅଟି ଗୁରୁତ୍ୱପୂର୍ଣ୍ଣ ଆତଙ୍କୀ ଶିବିରକୁ ଧ୍ୱଂସବିଧ୍ୱସ୍ତ କରିଥିଲେ । ଭାରତୀୟ ବାୟୁ ସେନାର ଆକ୍ରମଣରେ ପାକିସ୍ତାନ ମାଟିରେ ଶତାଧିକ ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନ ଏହାର ପ୍ରତିବାଦରେ ଭାରତ ବିରୋଧରେ ଜବାବୀ ସେନା କାର୍ଯ୍ୟାନୁଷ୍ଠାନ କରିବାରୁ ଭାରତ ‘ଅପରେସନ୍ ସିନ୍ଦୂର-୨’ ମାଧ୍ୟମରେ ତାହାର ଜବାବ ଦେଇଥିଲା । ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆମେରିକା ରାଷ୍ଟ୍ରପତି ଟ୍ରଂପ୍ ଯୁଦ୍ଧ ବିରତି ପାଇଁ ଦୁଇ ଦେଶକୁ ଆହ୍ୱାନ ଦେଇ ମଧ୍ୟସ୍ଥତା କରିଥିଲେ । ଭାରତ ସର୍ତ୍ତ ରଖି ଅସ୍ତ୍ର ବିରତି ପାଇଁ ରାଜି ହେବା ପରେ ଗତକାଲି ସନ୍ଧ୍ୟାରେ ପ୍ରଥମେ ରାଷ୍ଟ୍ରପତି ଟ୍ରାଂପ ଓ ପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଯୁଦ୍ଧ ବିରତିର ସୂଚନା ଦେଇଥିଲେ ।
ତେବେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣାର କିଛି ଘଂଟା ମାଧ୍ୟରେ ପାକିସ୍ତାନ ଭାରତର ସୀମାନ୍ତ ଅଂଚଳରେ ପୁଣି ଥରେ ଡ୍ରୋନ୍ ଆକ୍ରମଣ କରି ସମଗ୍ର ବିଶ୍ୱକୁ ଚକିତ କରିଥିଲା । ଭାରତ ଆଡୁ ମଧ୍ୟ ଡ୍ରୋନଗୁଡିକୁ ନଷ୍ଟ କରି ଦିଆଯାଇ ପାକ୍ ସେନାର ଆକ୍ରମଣକୁ ବିଫଳ କରାଯାଇଥିଲା । ଭାରତ ଆଡୁ ଯୁଦ୍ଧ ବିରତିର ସର୍ତ୍ତ ଥିଲା, ଭବିଷ୍ୟତରେ ଦେଶରେ କୌଣସି ପ୍ରକାର ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀ ଆକ୍ରମଣ ହେଲେ ତାହାକୁ ‘ଯୁଦ୍ଧ କାର୍ଯ୍ୟ’ ଭାବେ ବିବେଚନା କରାଯାଇ ପାକିସ୍ତାନକୁ ଉଚିତ ଜବାବ ଦିଆଯିବ । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ସେନା ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଛି । ତଥାପି, ପାକିସ୍ତାନ ଯୁଦ୍ଧ ବିରତିକୁ ଉଲଂଘନ କରି ଭାରତକୁ ଯୁଦ୍ଧ ପାଇଁ ଉସୁକାଇବା ଚିନ୍ତାର ବିଷୟ ଥିଲା । ଯୁଦ୍ଧ ବିରତିକୁ ଘୋଷଣା ପରେ ଯେଉଁମାନେ ଆଶ୍ୱସ୍ତ ହୋଇଥିଲେ ସେମାନେ ପାକିସ୍ତାନର ଦୋଗଲାପଣକୁ ନେଇ ପୁଣିଥରେ ଆତଙ୍କିତ ହୋଇପଡିଥିଲେ । ଓଡ଼ିଶା ସରକାର ସମ୍ଭାବ୍ୟ ବିପଦକୁ ଆଖିରେ ରଖି ଗତ ଏକ ସପ୍ତାହ ହେଲା ରାଜ୍ୟରେ ସୁରକ୍ଷା ବନେ୍ଦାବସ୍ତ କଡାକଡି କରିଥିଲେ । ରାଜଧାନୀ ଭୁବନେଶ୍ୱରସ୍ଥିତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡରୁ ଆରମ୍ଭ କରି ରାଜ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ସୁରକ୍ଷା ଦୃଷ୍ଟିିରୁ ଗୁରୁତ୍ୱପୂର୍ଣ୍ଣ ଥିବା ୨୪୪ ଜିଲ୍ଲାକୁ ଚିହ୍ନଟ କରାଯାଇ ‘ଅପରେସନ୍ ଅଭୟ’ ମାଧ୍ୟମରେ ସୁରକ୍ଷା ତାଲିକ ଦିଆଯାଇଥିଲା । ଏହି ୨୪୪ଟି ଜିଲ୍ଲା ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଂଗାଲୁର, ହାଇଦ୍ରାବାଦ, ଚଣ୍ଡିଗଡ ଭଳି ବୃହତ୍ତ ସହର ସମେତ ପଶ୍ଚିମ ବଂଗର ସର୍ବାଧିକ ୩୨ଟି ଜିଲ୍ଲା ରହିଛି । ତାହା ପଛକୁ ରାଜସ୍ଥାନ (୨୮ ଜିଲ୍ଲା), ଆସାମ (୨୦ ଜିଲ୍ଲା), ପଂଜାବ (୨୦ ଜିଲ୍ଲା), ଜମ୍ମୁ-କଶ୍ମୀର (୨୦ ଜିଲ୍ଲା) ଏବଂ ଓଡ଼ିଶା (୧୨ ଜିଲ୍ଲା) ଥିଲା ।
ଓଡ଼ିଶାର ଭୁବନେଶ୍ୱର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଗଂଜାମ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲାକୁ ସ୍ପର୍ଶକାତର ଜିଲ୍ଲା ଭାବେ ଚିହ୍ନଟ କରାଯାଇ ‘ଅପରେସନ ଅଭୟ’ କାର୍ଯ୍ୟକାରୀ କରାଯିବା ପରେ ପରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ ନିର୍ଣ୍ଣାୟକ ‘ଅପରେସନ୍ ସିନ୍ଦୂର-୨’ ସେନା କାର୍ଯାନୁଷ୍ଠାନ ଆରମ୍ଭ ହୋଇଥିଲା । ୯ ତାରିଖରୁ ଭାରତର ସ୍ଥଳ ସେନା ଏଥିରେ ସାମିଲ ହେବାକୁ ପ୍ରସ୍ତୁତ ଥିବା ବେଳେ ୧୦ ତାରିଖ ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତାରେ ଯୁଦ୍ଧ ବିରତି ଘୋଷଣା ହୋଇଛି । ତେବେ, ଯୁଦ୍ଧ ବିରତି ଘୋଷଣାର କିଛି ଘଂଟା ପରେ ପାକିସ୍ତାନ ଭାରତ ସୀମାନ୍ତରେ ଡ୍ରୋନ୍ ଆକ୍ରମଣ କରି ‘ପାକିସ୍ତାନ ଏକ ଭରସାଯୋଗ୍ୟ ରାଷ୍ଟ୍ର ନୁହେଁ’ ବୋଲି ରହିଥିବା ଧାରଣାକୁ ବଳବତ୍ତର କରିଛି । ପାକିସ୍ତାନର କୌଣସି ପ୍ରକାର ଦୁଃସାହସକୁ ଭାରତର ତିନି ସେନା ଜବାବ ଦେବାକୁ ପ୍ରସ୍ତୁତ ବୋଲି ଭାରତ କହି ସାରି ଥିବାରୁ ଆଗକୁ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
– ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS