ଗୋ-ରକ୍ଷା ନାମରେ ହିଂସା ନେଇ ସୁପ୍ରିମ କୋର୍ଟଙ୍କ କ୍ଷୋଭ କେନ୍ଦ୍ର ସରକାରଙ୍କୁ ଝଟ୍କା
ନୂଆଦିଲ୍ଲୀ, ୭ ସେପ୍ଟେମ୍ବର: ଗୋ-ରକ୍ଷକଙ୍କ ହିଂସାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ (ସୁପ୍ରିମ କୋର୍ଟ)ଙ୍କ ଆଭିମୁଖ୍ୟ କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଝଟକା ହୋଇଛି । ସରକାର ଏଭଳି ହିଂସାକାଣ୍ଡ ଘଟିଲେ କେବଳ ଉଦବେଗ ପ୍ରକାଶ କରି କାମ ସାରୁ ଥିଲେ । ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ରାଜ୍ୟ ବ୍ୟାପାର କହି ନିଜ ଦେହ ଝାଡି ନେଉ ଥିଲେ । ଏବେ କିନ୍ତୁ ତାହା ସମ୍ଭବ ହେବ ନାହଁ । ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଚାପ ପକାଇବାକୁ ବାଧ୍ୟ ହେବ । ଏହା ଆଶା କରୁଛନ୍ତି ଗୋ-ସୁରକ୍ଷା ନାମରେ ହିଂସାକୁ ବିରୋଧ କରୁଥିବା ସଚେତନ ମହଲ ।
ସୁପ୍ରିମ କୋର୍ଟ ଖଣ୍ଡପୀଠ ବୁଧବାର ଗୋ-ରକ୍ଷା ନାମରେ ଚାଲିଥିବା ହିଂସାକୁ ନେଇ କ୍ଷୋଭ ପ୍ରକାଶ କରିବା ପରେ ଏଭଳି ଏକ ବାତାବରଣ ସୃଷ୍ଟି ହୋଇଛି । ଦେଶର ସର୍ବୋଚ୍ଚ ଅଦାଲତ ଗୋ-ରକ୍ଷକଙ୍କ ଆଡୁ ହିଂସାକାଣ୍ଡ ବୃଦ୍ଧି ପାଉ ଥିବାରୁ ଉଦ୍ବେଗ ପ୍ରକାଶ କରି ଏଭଳି ହିଂସାକାଣ୍ଡ ଘଟାଉ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏସଂପର୍କୀତ ଏକ ମାମଲାର ଶୁଣାଣୀ ବେଳେ କୋର୍ଟ କହିଛନ୍ତି ଯେ, ଗୋ-ରକ୍ଷା ନାମରେ ହେଉଥିବା ହିଂସାକାଣ୍ଡକୁ ରୋକିବା ସକାଶେ ସାରା ଦେଶରେ ଜିଲ୍ଲାସ୍ତରରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯିବା ଆବଶ୍ୟକ । ଗୋ-ରକ୍ଷକଙ୍କ ଆଡୁ ଚାଲି ଥିବା ହିଂସାକୁ ରୋକିବା ସକାଶେ ରାଜ୍ୟ ସରକାରମାନେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସଂପର୍କରେ ସାତ ଦିନ ଭିତରେ ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି । ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂକୁ କଡାକଡି କରାଯିବା ସକାଶେ କୋର୍ଟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡ଼ିଜିଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
ଗୋ-ରକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟମାନଙ୍କୁ ନିଦେ୍ର୍ଦଶ ଦେବା ଲାଗି କେନ୍ଦ୍ରର ସାଂବିଧାନିକ ଦାୟିତ୍ୱ ଅଛି କି ନାହିଁ ବୋଲି ମାମଲାର ଶୁଣାଣୀ ବେଳେ ସୁପ୍ରିମ କୋର୍ଟ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ଅଦାଲତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଏଭଳି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଆଇନରେ ବ୍ୟବସ୍ଥା ରହିଛି । ଏହାର ଜବାବରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଲେ, ‘ଆମେ ଜାଣିଛୁ’ ଏଭଳି ଆଇନ ରହିଛି । କିନ୍ତୁ, ସରକାର କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି? ଗୋ-ରକ୍ଷା ନା’ରେ ବୃଦ୍ଧି ପାଉଥିବା ହିଂସାକୁ ରୋକିବା ପାଇଁ ସରକାରଙ୍କୁ ଯୋଜନାବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ । ମାମଲାର ପରବର୍ତୀ ଶୁଣାଣୀ ସେପ୍ଟେମ୍ବର ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଅମିତାଭ ରାୟ ଓ ବିଚାରପତି ଏଏମ ଖାନୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି ।
ଆବେଦନକାରୀଙ୍କ ଅଭିଯୋଗ ହେଉଛି, ଗୋ-ଚାଲାଣ ଓ ଗୋମାଂସ ରଖିବା ଅଭିଯୋଗରେ ଦେଶର ୬୦ଟି ସ୍ଥାନରେ ତଥାକଥିତ ଗୋରକ୍ଷକମାନେ ହିଂସାକାଣ୍ଡ ଘଟାଇଛନ୍ତି । କେତେକ ଘଟଣାରେ ମୃତ୍ୟୁ ମଧ୍ୟ ହୋଇଛି । ତେବେ, ଆଇନଶୃଙ୍ଖଳା ରକ୍ଷା ରାଜ୍ୟର ବ୍ୟାପାର କହି କେନ୍ଦ୍ର ସରକାର ତାଙ୍କର ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରୁ ପଛଘୁଂଚା ଦେଉଛନ୍ତି । ୟୁପି, ରାଜସ୍ଥାନ, ହରିଆଣା ସମେତ ଚାରିଟି ବିଜେପି ଶାସିତ ଉତରାଂଚଳ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ବୃଦ୍ଧି ପାଇଁ ଆତଙ୍କ ସୃଷ୍ଟି କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS