ବମିଖାଲ ପୋଲ ଭୁଶୁଡ଼ିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ, ‘ପଣ୍ଡା ଇନଫ୍ରା’ ଓ ତିନି ଯନ୍ତ୍ରୀଙ୍କୁ ଦାୟି କରାଯାଇଛି
ଭୁବନେଶ୍ୱର, ୪ ଅକ୍ଟୋବର: ବମିଖାଲ ରେଳ ଓଭରବ୍ରିଜ୍ର କିଛି ଅଂଶର ଛାତ ପଡୁ ଥିବା ବେଳେ ଭୁଶୁଡ଼ି ପଡ଼ିବାରୁ ଜଣକର ମୃତ୍ୟୁ ଘଟି ଥିଲା ଓ ମୃତ ବ୍ୟକ୍ତିଙ୍କ ଝିଅ ସମେତ କାମ କରୁଥିବା କିଛି ଶ୍ରମିକ ସିମେଂଟ, କଂକ୍ରିଟ୍ ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇ ଥିଲେ । ତଦନ୍ତ ରିପୋର୍ଟ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀଙ୍କ ନେତୃତ୍ୱରେ ବିଶେଷଜ୍ଞ ଦଳ ଏହାର ତଦନ୍ତ କରି ଦୁର୍ଘଟଣା ପାଇଁ ଦାୟିତ୍ୱରେ ଥିବା ତିନି ଜଣ ପୂର୍ତ ବିଭାଗ ଯନ୍ତ୍ରୀଙ୍କ ସମେତ କଂଟ୍ରାକ୍ଟର ‘ପଣ୍ଡା ଇନ୍ଫ୍ରା’କୁ ଦାୟି କରିଛନ୍ତି । ୪୪ କୋଟି ଟଙ୍କାର ଏହି ନିର୍ମାଣ କାର୍ଯ୍ୟରୁ ‘ପଣ୍ଡା ଇନ୍ଫ୍ରା’କୁ ୨୮ କୋଟି ଟଙ୍କାର କାମ ମିଳି ଥିଲା । ବଳକା ଟଙ୍କାରେ ରେଳବାଇ କାମ କରିଛିି । ନିର୍ମାଣ କାର୍ଯ୍ୟ ତ୍ରୁଟୀପୂର୍ଣ୍ଣ ଥିଲା ଏବଂ ପୂର୍ତ ବିଭାଗ ଯନ୍ତ୍ରୀମାନଙ୍କ ଆଡୁ ଉପଯୁକ୍ତ ଭାବେ କାମର ତଦାରଖ ହୋଇ ନ ଥିଲା ବୋଲି ବିଶେଷଜ୍ଞ କମିଟି ରିପୋର୍ଟ ଦେଇଥିବା ଜଣାପଡିଛି । ନିର୍ମାଣ କାର୍ଯ୍ୟ ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଅରକୁ ଅଣଦେଖା କରାଯାଇଥିବା ଏହି ରିପୋର୍ଟରେ ଦର୍ଶା ଯାଇଛି । କଂଟ୍ରାକ୍ଟର ମଧ୍ୟ ପୂର୍ତ ବିଭାଗରେ ନିର୍ମାଣ କାର୍ଯ୍ୟର ଡ଼ିଜାଇନ୍ ଦାଖଲ ନ କରି ଖାମଖିଆଲି ଭାବେ କାମ କରିଥିବା ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ରିପୋର୍ଟ ଦାଖଲ କରାଯିବା ପରେ କଂଟ୍ରାକ୍ଟର ‘ପଣ୍ଡା ଇନ୍ଫ୍ରା’କୁ ‘କଳା ତାଲିକାଭୁକ୍ତ’ ପାଇଁ ନିଷ୍ପତ୍ତି ନିଆଯାଇଛି । ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ପୂର୍ତ ବିଭାଗର ତିନି ଯନ୍ତ୍ରୀଙ୍କୁ ଚାର୍ଜସିଟ୍ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଧାପନ୍ତୁରିଆ ଥିବା ବମିଖାଲ ରେଳବାଇ ଓଭରବ୍ରିଜ୍ର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ସକାଶେ ଅନ୍ୟ କାହାକୁ ଠିକା ଦେବାକୁ ବିଚାର କରାଯାଉଥିବା ମଧ୍ୟ ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଦୁର୍ଘଟଣା ପରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ‘ପଣ୍ଡା ଇନ୍ଫ୍ରା’ ମାଲିକ ପ୍ରତାପ ପଣ୍ଡା ଓ ତିନି ପୂର୍ତ ବିଭାଗ ଯନ୍ତ୍ରୀଙ୍କୁ ଗିରଫ କରି ଜେଲ୍କୁ ପଠାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS