ଓଡ଼ିଶା ପୁଲିସ ମହାନିର୍ଦେଶକ ଏତେ ଅସହାୟ କାହିଁକି?
ଭୁବନେଶ୍ୱର (ପ୍ରସାଦ ରାଓ): ମୁଁ ଜାଣିବାରେ ଓଡ଼ିଶା ପୁଲିସ ପ୍ରଶାସନ ଏବେ ଜଣେ ଦକ୍ଷ ପ୍ରଶାସକଙ୍କ ହାତରେ ରହିଛି । ରାଜ୍ୟ ପୁଲିସ ମହାନିର୍ଦେଶକ ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିର୍ମଳ ଭାବମୂର୍ତୀ ବହୁ ପରୀକ୍ଷିତ । ବ୍ରହ୍ମପୁର ଏସପି ଭାବେ ସେ ଖୁବ୍ କମ୍ ଦିନ କାମ କରିଥିଲେ । ସେହି ସମୟରେ ତାଙ୍କ କାର୍ଯ୍ୟଶୈଳୀ ସହ ପରିଚୟ ହୋଇଥିଲା । ପରବର୍ତୀ ସମୟରେ ତାଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ପଦପଦବୀରେ ଦେଖିବାକୁ ମିଳିଛି । ଭୁବନେଶ୍ୱର-କଟକ ମହାନଗର ପୁଲିସ କମିସନର ଓ ରାଜ୍ୟ ଭିଜିଲାନ୍ସ ମହାନିର୍ଦେଶକ ଭାବେ ତାଙ୍କ ଶେଷ ଦୁଇଟି ଦାୟିତ୍ୱ ନିଷ୍କଳଙ୍କ ଥିଲା । ତେଣୁ, ରାଜ୍ୟ ପୁଲିସ ମହାନିର୍ଦେଶକ ଭାବେ ଡ଼କ୍ଟର ଶର୍ମାଙ୍କ ନିଯୁକ୍ତି ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବ ବୋଲି ଆଶା କରିବା ଭୁଲ ନୁହେଁ । ଏଥିସକାଶେ ସରକାରଙ୍କ ଅଙ୍ଗୀକାରବଦ୍ଧ ଥିବା ମଧ୍ୟ ଏହି ନିଯୁକ୍ତିରେ ପ୍ରତିଫଳିତ ହେଉଛି । ତେବେ, ପନ୍ଦର ଦିନ ତଳେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର କୁନ୍ଦୁଲି ନିକଟରେ ଘଟି ଥିବା ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାର ତଦନ୍ତରେ ଶିଥିଳତା ଏହି ଦକ୍ଷ ପୁଲିସ ମୁଖ୍ୟଙ୍କୁ ସନେ୍ଦହ ଘେରକୁ ଟାଣି ଆଣିଛି । ଏଇଥି ପାଇଁ ନୁହେଁ ଯେ, ସେ ରାଜ୍ୟ ପୁଲିସ ମୁଖ୍ୟ ଥିବା ସମୟରେ କୁନ୍ଦୁଲି ଗଣ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ଘଟିଲା । ସନେ୍ଦହର କାରଣ ହେଉଛି, ଘଟଣା ଘଟି ପନ୍ଦର ଦିନ ବିତି ଗଲାଣି, ପୁଲିସ ପ୍ରଶାସନ ଅଭିଯୁକ୍ତଙ୍କୁ ଧରିବା ଦୂରେ ଥାଉ, ଚିହ୍ନଟ କରିବାରେ ସୁଦ୍ଧା ସକ୍ଷମ ହୋଇ ନାହିଁ । ପୁଲିସର ସବୁ ଥିଓରୀ – ଘଟଣାରେ ମାଓବାଦୀଙ୍କ ସଂପୃକ୍ତି ବା ପୂର୍ବ ଶତୃତା ବା ପ୍ରେମ ବ୍ୟାପାର – କୌଣସିଟିକୁ ପ୍ରମାଣିତ କରିବାରେ ରାଜ୍ୟ ପୁଲିସ ବା କ୍ରାଇମ୍ ବ୍ରାଂଚ୍ ସକ୍ଷମ ହୋଇ ନାହିଁ । ଦକ୍ଷିଣ-ପଶ୍ଚିମାଂଚଳ ଡ଼ିଆଇଜି ଦାୟିତ୍ୱରେ ଥିବା ମହିଳା ଅଧିକାରୀଙ୍କ ଦକ୍ଷତାକୁ ନେଇ ସନେ୍ଦହର ଅବକାଶ ନାହିଁ । ତେବେ, ଘଟଣାକୁ ଯେଭଳି ଗୁରୁତ୍ୱ ମିଳିବା କଥା, ତାହା ମିଳୁ ନ ଥିବାରୁ ପୁଲିସ ଉପରେ କୌଣସି ଅଦୃଶ୍ୟ ଚାପ ରହିଥିବା ସନେ୍ଦହ ଅଧିକ ଦୃଢ ହେବାରେ ଲାଗିଛି ।
ଅକ୍ଟୋବର ୧୦ ତାରିଖରେ ଏହି ଘୃଣ୍ୟ ଘଟଣା ଘଟିଲା କୋରାପୁଟ ଜିଲ୍ଲାର ମାଓ ଅଧ୍ୟୁଷିତ ପଟ୍ଟାଙ୍ଗୀ ବ୍ଲକରେ । ମୁଷାଗୁଡା ଗ୍ରାମର ଜଣେ ନାବାଳିକା କୁନ୍ଦୁଳି ହାଟକୁ ଯାଇ ନିଜର ପାସ୍ପୋର୍ଟ ଫଟୋ ଉଠାଇ ଘରକୁ ଫେରିବା ସମୟରେ ଅର୍ଦ୍ଧ ସାମରିକ ବାହିନୀର ପୋଷାକ ପିନ୍ଧି ଥିବା ଚାରି ଜଣ ଦୁର୍ବତ୍ତ ତାଙ୍କୁ ଯୋର୍ କରି ଉଠାଇ ନେଇ ଥିଲେ ବାଟରୁ । ସେମାନେ ନବମ ଶ୍ରେଣୀ ପଢୁଥିବା ଏହି ବାଳିକାକୁ ନିକଟସ୍ଥ ଜଙ୍ଗଲକୁ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁର୍ବୁତ୍ତମାନେ ଦୁଷ୍କର୍ମ ପରେ ତାଙ୍କୁ ମୂମୂର୍ଷୁ ଅବସ୍ଥାରେ ଜଙ୍ଗଲରେ ଛାଡି ପଳାଇ ଥିଲେ । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ନାବାଳିକା ଜଣକ ଗୁରୁତର ଥିବା ସତ୍ୱେ କୌଣସି ପ୍ରକାର ନିଜକୁ ଘୋଷାଡି ଘୋଷାଡି ରାସ୍ତା ଉପରକୁ ଆସି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କୁନ୍ଦୁଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ଠାରେ ନୂତନ ଭାବେ ପ୍ରତିଷ୍ଠିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲରେ ରଖି ଚିକିତ୍ସା କରାଯାଉଛି । ନାବାଳିକାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁ ଥିବା ପ୍ରଶାସନ କହିଛି । ତେବେ, ତାଙ୍କୁ ସାଧାରଣ ଗାଇନିକ୍ ୱାଡ୍ରେ ରଖି ଚିକିତ୍ସା କରାଯାଉଥିବା ନେଇ ସମାଲୋଚନା ହେଉଛି ।
ଅନ୍ୟ ସମସ୍ତ ଘଟଣା ଭଳି ଏହି ଗଣଦୁଷ୍କର୍ମ ଘଟଣାରେ ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ପୋଷାକ ପିନ୍ଧିଥିବା ଚାରି ଜଣ ଦୁର୍ବୁତ ସାମିଲ ଥିବା ଅଭିଯୋଗ ମାମଲାକୁ ସଂଗୀନ କରି ଦେଇଛି । ଥାନାରେ ହୋଇଥିବା ମାମଲା ଅନୁଯାୟୀ, ଚାରି ଜଣ ଅର୍ଦ୍ଧ ସାମରିକ ବାହିନୀ ଯବାନ ଏହି ଘୃଣ୍ୟ କାଣ୍ଡ ଘଟାଇ ଥିଲେ । ନାବାଳିକାର ବୟାନ ଏବଂ ନାବାଳିକାଙ୍କ ସଂପର୍କୀୟ ଭାଇ ଦେଇଥିବା ଏତାଲାକୁ ଭିତ୍ତି କରି ପୁଲିସ ଅଂଚଳରେ ମାଓ ଦମନ କାର୍ଯ୍ୟରେ ନିୟୋଜିତ ଅର୍ଦ୍ଧ ସାମରିକ ବାହିନୀର ଚାରି ଜଣ ଅଜ୍ଞାତ ଯବାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୁଲିସ ଘଟଣାକୁ ‘ରେଡ୍ ଫ୍ଲାଗ୍’ ମାମଲା ଭାବେ ପଂଜିକରଣ କରି ଆଇପିସିର ବିଭିନ୍ନ ଦଫା ସହ ‘ପୋକ୍ସୋ’ ଆଇନରେ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରଥମେ ସ୍ଥାନୀୟ ପୁଲିସ ମାମଲାର ତଦନ୍ତ କରୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଭାର ରାଜ୍ୟ କ୍ରାଇମ୍ ବ୍ରାଂଚ୍ ହାତରେ ନ୍ୟସ୍ତ କରିଛନ୍ତି । ତେବେ, କୋରାପୁଟ ଜିଲ୍ଲାର ଜଙ୍ଗଲ ଅଂଚଳରେ ମାଓ ଦମନ କାର୍ଯ୍ୟରେ ନିୟୋଜିତ ସିଆରପିଏଫ୍, ବିଏସ୍ଏଫ୍ ଓ କୋବ୍ରା ବାହିନୀର ଅଧିକାରୀମାନେ ବିଭିନ୍ନ କାରଣ ଦର୍ଶାଇ ଘଟଣା ସହ ସେମାନଙ୍କ ଯବାନ ସଂପୃକ୍ତି ନ ଥିବା କହିଛନ୍ତି । ପୁଲିସ ମଧ୍ୟ ମାମଲାରେ ବିଭିନ୍ନ ଥିଓରୀ (ଲଭ୍ ଆଙ୍ଗେଲ୍, ମାଓ ଆଙ୍ଗେଲ୍ ଓ ପୂର୍ବ ଶତୃତା) ଯୋଡ଼ି ଗଣ ଦୁଷ୍କର୍ମରେ ଯବାନଙ୍କ ସଂପୃକ୍ତିକୁ ନ କାରିବା ପାଇଁ ଉଦ୍ୟମ କରିବା ସହ ତଦନ୍ତର ମୋଡକୁ ଅନ୍ୟ ଦିଗକୁ ଢଳାଇଛନ୍ତି । ନିଜ ଥିଓରୀକୁ ଅଧିକ ବଳିଷ୍ଠ କରିବା ସକାଶେ ପୁଲିସ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ଗାଁ ମୂଷାଗୁଡାରୁ ତାଙ୍କ ଚାରି ଜଣ ସଂପର୍କୀୟଙ୍କୁ ଉଠାଇ ଆଣି ଅଟକ ରଖି ଥିଲେ । ପଚରାଉଚୁରା ବେଳେ ଅପରାଧ ମାନି ନେବାକୁ ସେମାନଙ୍କ ଉପରେ ଚାପ ପଡ଼ି ଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଓ ଦୁଷ୍କର୍ମର ଶିକାର ନାବାଳିକା ଏହାର ବିରେୀଧ କରିବା ସହ ତଦନ୍ତ ବାଟବଣା କରିବା ସକାଶେ ଉଦ୍ୟମ ହେଉଛି ବୋଲି ଅଭିଯୋଗ କରିବାରୁ ପୁଲିସ ତିନି ଜଣଙ୍କୁ ଛାଡି ଦେଇ ଚତୁର୍ଥ ସଂପର୍କୀୟ ଭାଇକୁ ଅଟକ ରଖି ଥିଲା । ପରେ ସଂପଅକ୍ତ ଯୁବକକୁ ଭୁବନେଶ୍ୱର ଆଣି ‘ଲାଇ ଡ଼ିଟେକ୍ସନ୍ ଟେଷ୍ଟ୍’ କରାଯାଇଛି । ଏଥିରୁ କୌଣସି ଠୋସ୍ ପ୍ରମାଣ ନ ମିଳିବାରୁ ଯୁବକକୁ ଛାଡି ଦିଆଯାଇଥିଲା । ଦକ୍ଷିଣ-ପଶ୍ଚିମାଂଚଳ ଡ଼ିଆଇଜି ପୁଣି ଥରେ ସନ୍ଦିଗ୍ଧ ଯୁବକମାନଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡ଼କାଇବାରୁ ‘କିଛି ଗୋଟାଏ ସୁରାକ’ ହାତରେ ଲାଗି ଥିବା ଧାରଣା ସୃଷ୍ଟି ହୋଇଥିଲା । ତେବେ, ‘ପର୍ବତରୁ ମୂଷିକ ପ୍ରସବ’ ଭଳି ଦକ୍ଷିଣ-ପଶ୍ଚିମାଂଚଳ ଡ଼ିଆଇଜିଙ୍କ ସଫେଇ ଥିଲା ହାସ୍ୟାସ୍ପଦ । ଏହି ଯୁବକମାନେ ଥାନାରେ ଅଟକ ଥିବା ବେଳେ ପୁଲିସ ମାଡ ମାରିଥିବା ଅଭିଯୋଗ କରି ଥିବାରୁ ସତ୍ୟାସତ୍ୟ ଜାଣିବା ସକାଶେ ସେ ଡ଼କାଇ ଥିଲେ ବୋଲି ଡ଼ିଆଇଜି ସଫେଇ ଦେଇଛନ୍ତି ।
ମାମଲାର ରାଜନୈତିକ ଦିଗକୁ ଦେଖିଲେ, ନାବାଳିକା ପ୍ରତି ଦୁଷ୍କର୍ମ ଅଭିଯୋଗକୁ ନେଇ ପ୍ରଥମେ ବିରୋଧୀ କଂଗ୍ରେସ ପକ୍ଷରୁ ଯେଭଳି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରାଯାଇଥିଲା, ତାହା ନରମ ପଡି ଯାଇଥିବା ସ୍ପଷ୍ଟ ହେଉଛି । ମିଡ଼ିଆର ନଜର ଘଟଣା ଉପରୁ ହଟିବା ଦେଖି ରାଜନୀତି ଶିଥିଳ ପଡି ଯାଇଛି । ଘଟଣା ଦିନ ପ୍ରଥମେ ଗ୍ରାମବାସୀ ଗଣ ଦୁଷ୍କର୍ମର ଦୃଢ ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ । ପରେ, କୋରାପୁଟ ବିଧାୟକ ଏହାର ନେତୃତ୍ୱ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଧାରଣା ସହ ରାସ୍ତା ଅବରୋଧ ଚାଲୁ ରଖି ଥିଲେ । ଅଭିଯୁକ୍ତମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗିରଫ କରାଯିବାକୁ ଅଂଚଳବାସୀଙ୍କ ଦାବି ପୁଲିସ ଓ ସାଧାରଣ ପ୍ରଶାସନକୁ ଚିନ୍ତାରେ ପକାଇ ଥିଲା । ଜୟପୁର କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ଏବଂ ଗଣ ଦୁଷ୍ମର୍ମରେ ସହ ସଂପୃକ୍ତ ଦୁର୍ବୁତ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ କୋରାପୁଟ ଜିଲ୍ଲାରେ ସାତ ଘଂଟିଆ ବନ୍ଦ ଡ଼ାକରା ଦେଇଥିଲେ । ପିଡ଼ିତାଙ୍କ ପ୍ରତି ସ୍ୱତଃସ୍ପୁର୍ତ ସମବେଦନା ‘ବନ୍ଦ’କୁ ସଫଳ କରି ଥିଲା । ଏହା ଦେଖି ରାଜ୍ୟ କଂଗ୍ରେସ ନେତୃତ୍ୱ ରାଜନୈତିକ ଫାଇଦା ପାଇଁ ଦୁଇ ଦିନିଆ ପଦଯାତ୍ରାର ଆୟୋଜନା କରିଥିଲେ । କୋରାପୁଟ ବିଧାୟକ ଏହାର ସଂଯୋଜନା କରିଥିବା ବେଳେ ଓଡ଼ିଶା ପିସିସି ସଭାପତି ଏଥିରେ ନାକ ପୁରାଇବା ଦେଖି ଏଭଳି ପଦଯାତ୍ରାର କୌଣସି ଯୋଜନା ନ ଥିଲା କହି ଜୟପୁର ବିଧାୟକ ତାରା ବାହିନୀପତି ଓ ତାଙ୍କ ପତ୍ନୀ ମୀନାକ୍ଷି ବାହିନୀପତି ନିଜ ସମର୍ଥକଙ୍କ ସହ ଏଥିରୁ ଦୂରେଇ ଯାଇଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରମୁଖ ପଦଯାତ୍ରାରେ ଯୋଗ ଦେଇଥିବା ବେଳେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାରାଙ୍କ ସମର୍ଥନରେ ପଦଯାତ୍ରାରୁ ଦୂରେଇ ରହିବା ରାଜ୍ୟ କଂଗ୍ରେସରେ ନେତୃତ୍ୱ ପାଇଁ ଚାଲି ଥିବା ଅନ୍ତଦ୍ୱର୍ନ୍ଦ୍ୱକୁ ଅଧିକ ଉଜାଗର କରିଥିଲା । ଏହା ପରଠାରୁ ଦୁଷ୍କର୍ମର ଶିକାର ନାବାଳିକାକୁ ନ୍ୟାୟ ଦେବା ପାଇଁ କଂଗ୍ରେସର ଆନେ୍ଦାଳନରେ ଭଟ୍ଟା ପଡି ଯାଇଛି । ତାରା ସଂପୂର୍ଣ୍ଣ ନୀରବ ଥିବା ବେଳେ ଘଟଣାର ସିବିଆଇ ତଦନ୍ତ ଦାବିରେ ରାଜ୍ୟ ରାଜଭବନ ସମ୍ମୁଖରେ ଦଳ ଧାରଣା ଦେବ କହି ପିସିସି ସଭାପତି ହରିଚନ୍ଦନ ଆତ୍ମରକ୍ଷା କରିଛନ୍ତିି । କୋରାପୁଟ ଜିଲ୍ଲାରେ ବିଜେପିର ସ୍ଥିତି ସେତେ ବଳିଷ୍ଠ ନୁହେଁ । ନିକଟରେ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ‘ବନ୍ଦ’ ପାଳନ ସମୟରେ କଂଗ୍ରେସ ବିଧାୟକ ତାରାଙ୍କ ହାତ ଧରି ଥିଲେ । ପରେ, ଏକ ବିବୃତି ଦେଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ପୂର୍ବତନ କଂଗ୍ରେସ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ କୋରାପୁଟ ସାଂସଦ ଗିରିଧର ଗମାଂଗ ଏବେ ବିଜେପିରେ ଥାଇ ବି ଏହି ଘଟଣାରୁ ରାଜନୈତିକ ଫାଇଦା ଉଠାଇ ପାରି ନାହାନ୍ତି । ବିଜେପୁର ବିଧାନସଭା ଉପ ନିର୍ବାଚନ ଓ ବିଜେପି ଆଡୁ ନିତିଦିନିଆ ରାଜନୈତିକ ଆକ୍ରମଣର ମୁକାବିଲା କରିବାରେ ବ୍ୟସ୍ତ ଶାସକ ବିଜେଡ଼ି ପାଇଁ କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାର ତଦନ୍ତରେ ଅଗ୍ରଗତି ବା ନାବାଳିକା ପରିବାରକୁ କ୍ଷତିପୂରଣ ଦେବା ବିଷୟରେ ଚିନ୍ତା କରିବାକୁ ଫୁରସତ ନାହିଁ ।
‘ନିର୍ଭୟା’ ଘଟଣା ଭଳି କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ଓଡ଼ିଶାବାସୀଙ୍କ କ୍ଷୋଭକୁ ପ୍ରତିଫଳନ କଲା ଭଳି ବଡ ଧରଣର କ୍ୟାଂଡେଲ ଶୋଭାଯାତ୍ରା ବା ସଭା, ସମିତି ଆୟୋଜନ ନ ହେବା, ବିରୋଧୀ କଂଗ୍ରେସ ବା ବିଜେପି ଆଡୁ ସରକାରଙ୍କ ଉପରେ ଯଥେଷ୍ଟ ଚାପ ସୃଷ୍ଟି ନ ହେବା ମାମଲାକୁ ଏକପ୍ରକାର ଥଣ୍ଡା ବାକ୍ସ ଭିତରକୁ ଠେଲି ଦେଇଛି । ଏଭଳି ସମୟରେ ଓଡ଼ିଶା ପୁଲିସ ହିଁ ନାବାଳିକାର ଏକମାତ୍ର ସାହା । ତେବେ, ଗଣ ଦୁଷ୍କର୍ମ ଘଟଣାରେ ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ପୁଲିସ ଏକପ୍ରକାର ‘ରକ୍ଷାତ୍ମକ’ ସ୍ଥିତିରେ ଥିବାରୁ ତଦନ୍ତ ଆଗେଇ ପାରୁ ନାହିଁ । ମାଓ ଥିଓରୀକୁ ନିଜେ ପୁଲିସ ମହାନିଦେ୍ର୍ଦଶକ ଡ଼କ୍ଟର ଶର୍ମା ପରବର୍ତୀ ସମୟରେ ଅସ୍ୱୀକାର କରିଛନ୍ତି । ପୂର୍ବ ଶତୃତା ବା ଲଭ୍ ଆଙ୍ଗେଲ୍କୁ ମଧ୍ୟ ପୁଲିସ ପ୍ରମାଣିତ କରିପାରିନାହିଁ । କ୍ରାଇମ୍ ବ୍ରାଂଚ୍ ତଦନ୍ତ ଶିଥିଳ ଭାବେ ଚାଲି ଥିବା ଅଭିଯୋଗ ହେଉଛି । ଏଭଳି ଅସହାୟତା କୋଚିତ ଦେଖିବାକୁ ମିଳେ । କାହା ଚାପରେ ପୁଲିସ ମହାନିର୍ଦେଶକ ଏତେ ଅସାହୟ (!) ଜଣାପଡୁ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS