କୁନ୍ଦୁଲି ଗଣ-ଦୁଷ୍କର୍ମରେ ଏସ୍ଓଜି ସଂପୃକ୍ତ? ବିଷ୍ଣୁଙ୍କ ବିବୃତିକୁ ନେଇ ସରକାର ଅଡୁଆରେ…
– ପ୍ରସାଦ ରାଓ-
ଭୁବନେଶ୍ୱର,୦୪ ନଭେମ୍ବର: କୁନ୍ଦୁଲି ଗଣ-ଦୁଷ୍କର୍ମ ଘଟଣାରେ କେଉଁମାନେ ସଂପୃକ୍ତ? ଏହି ପ୍ରଶ୍ନ ଆଜି ସୁଦ୍ଧା ଅସମାଧିତ ରହିଛି । ଘଟଣା ଘଟିବାର ତିନି ସପ୍ତାହ ଟପି ଗଲା ପରେ ବି ରାଜ୍ୟ ପୁଲିସ ବା କ୍ରାଇମ୍ ବ୍ରାଂଚ୍ ଏହି ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇ ନାହାନ୍ତି । ଦୁଷ୍କର୍ମରେ ସଂପୃକ୍ତ ଅପରାଧୀଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବା ସକାଶେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦିଆଯିବା ସହ ୧୩ ତାରିଖରୁ ଧାରଣା ଦିଲ୍ଲୀ ସ୍ଥାନାନ୍ତର ହେବ ବୋଲି ଘୋଷଣା କରାଯାଇଥିବା ବେଳେ ବିଜେଡ଼ି ଦଳିତ ସେଲ୍ ସଭାପତି ବିଷ୍ଣୁ ଦାସଙ୍କ ଏକ ବିବୃତି ସରକାରଙ୍କୁ ଦୋହଲାଇ ଦେଇଛି । କୋରାପୁଟ ଜିଲ୍ଲାରେ ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ ଘଟିଥିବା ଏହି ଗଣ-ଦୁଷ୍କର୍ମରେ ଏସ୍ଓଜି ଯବାନ ସଂପୃକ୍ତ ଥିବା ସେ ସନେ୍ଦହ କରୁଛନ୍ତି ବୋଲି ଦାସ ସଂପୃକ୍ତ ଅଂଚଳ ଗସ୍ତ କରି ଫେରିବା ପରେ ବିବୃତି ଦେଇଥିଲେ । ଅବଶ୍ୟ ପରେ ସେ ଏହାକୁ ପ୍ରତ୍ୟାହର କରି ନେଇଛନ୍ତି । ତାଙ୍କ ବିବୃତିକୁ ଠିକ୍ ଭାବେ ଉପସ୍ଥାପନ କରାଯାଇ ନାହିଁ କହି ସେ ଏହି ପ୍ରସଙ୍ଗର ମୋଡ ବଦଳାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ, ‘ଥରେ ପାଟିରୁ କଥା ଖସିବା ପରେ ଆଉ ଫେରେନି’ ନ୍ୟାୟରେ ବିଷ୍ଣୁଙ୍କ ବିବୃତିକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ଝଡ ଥମିବାର ନାଁ ଧରୁନି । ବିଷ୍ଣୁଙ୍କ ବିବୃତି ପରେ ପରେ ବିଜେପି ଦଳିତ ମୋର୍ଚ୍ଚା ଦାୟିତ୍ୱରେ ଥିବା ଦିଲ୍ଲୀପ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ ଡାକି କୁନ୍ଦୁଲି ଗଣ-ଦୁଷ୍କର୍ମ ସହ ଏସଓଜି ସଂପୃକ୍ତ ଥିବା ବିଜେଡ଼ି ନେତା ବିଷ୍ଣୁ ଦାସ ସନେ୍ଦହ ପ୍ରକାଶ କରିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଏକ ସ୍ପଷ୍ଟିକରଣ ଦେବାକୁ ଦାବି କରିଛନ୍ତି । କଂଗ୍ରେସର ବରିଷ୍ଠ ଯୁବ ନେତା ପ୍ରଦୀପ ମାଝୀ ମଧ୍ୟ ଏକ ବିବୃତିରେ, ବିଜେଡ଼ିର ଦଳିତ ସେଲ୍ ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇ ସାରି ଥିବାରୁ ଏବଂ ଘଟଣା ସହ ଏସଓଜିର ସଂପୃକ୍ତି ନେଇ ସନେ୍ଦହ ପ୍ରକାଶ କରି ଥିବାରୁ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛନ୍ତି ।
ପୂର୍ବରୁ ରାଜ୍ୟ ପୁଲିସ ମୁଖ୍ୟ ଏହି ଘଟଣାରେ ଅର୍ଦ୍ଧ ସାମରିକ ବାହିନୀ ବା ମାଓବାଦୀ ସଂପୃକ୍ତ ନୁହନ୍ତି କହି ପୂର୍ବ ଶତୃତା ବା ପ୍ରେମ ବ୍ୟାପାର ଦିଗକୁ ଘଟଣାର ମୋଡ ବଦଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ପୀଡିତାଙ୍କ ୪ ଜଣ ସଂପର୍କୀୟଙ୍କୁ ଉଠାଇ ନେଇ ଜେରା କରିବା ପରେ ତିନି ଜଣଙ୍କୁ ଛାଡି ଚତୁର୍ଥ ଜଣକୁ ଭୁବନେଶ୍ୱର ଆଣି ‘ଲାଇ ଡ଼ିଟେକ୍ସନ୍ ଟେଷ୍ଟ୍’ କରାଇ ଥିଲେ । ତାହା ପରେ ମଧ୍ୟ କୌଣସି ସୁରାକ ନ ମିଳିବାରୁ ଖାଲି ହାତରେ ବସିଛନ୍ତି । ବିଜେଡ଼ି ଦଳିତ ସେଲ୍ ସଭାପତି ଦାସ କୋରାପୁଟ ଜିଲ୍ଲାକୁ ଯାଇ ଦୁଷ୍କର୍ମର ଶିକାର ହୋଇଥିବା ପଟ୍ଟାଙ୍ଗୀ ଥାନା ମୂଷାଗୁଡା ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ଏବଂ ଅଂଚଳବାସୀଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଥିଲେ । ଯବାନଙ୍କ ଭଳି ପୋଷାକ ପିନ୍ଧିଥିବା ୪ ଜଣ ଦୁର୍ବୁତ୍ତ ନାବାଳିକାକୁ ଏକୁଟିଆ ପାଇ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ପୀଡ଼ିତା ଓ ଅଂଚଳବାସୀ ବୟାନ ଦେଇଥିବାରୁ ଏହା ଏସଓଜି ଯବାନଙ୍କ କାଣ୍ଡ ବୋଲି ସନେ୍ଦହ ହେଉଥିବା ସେ ଏଠାରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ସଂପୃକ୍ତ ଯବାନମାନେ ନାବାଳିକାକୁ ପୂର୍ବରୁ ମଧ୍ୟ ଅଶ୍ଳୀଳ ଇଂଗିତ କରିଥିବା ବିଷ୍ଣୁ କହିଛନ୍ତି । ଘଟଣାରେ ଏସଓଜି ଯବାନଙ୍କ ସଂପୃକ୍ତି ସନେ୍ଦହ କରାଯାଉ ଥିବାରୁ କ୍ରାଇମ୍ ବ୍ରାଂଚ୍ ଏଡ଼ିଜି ଏହାର ତଦନ୍ତ କରିବା ଆବଶ୍ୟକ ବୋଲି ମଧ୍ୟ ବିଜେଡ଼ି ଦଳିତ ସେଲ୍ ଦାବି କରିଥିବା କୁହାଯାଉଛି । ପରେ, ବିଷ୍ଣୁ ନିଜ ମନ୍ତବ୍ୟରୁ ଓହରି ଯିବା ପଛରେ ସରକାରଙ୍କ ଚାପ ରହିଥିବା ଅନୁମାନ କରାଯାଉଛି । ମିଡ଼ିଆ ତାଙ୍କ କଥାକୁ ଠିକ୍ ଭାବେ ଉପସ୍ଥାପନ କରି ନାହିଁ କହି ସେ ଅଡ଼ୁଆରୁ ମୁକୁଳିବାକୁ ଚାହୁଁ ଥିଲେ ମଧ୍ୟ ବିରୋଧୀ ଏହି ସୁଯୋଗ ହାତଛଡା କରିବା ଅବସ୍ଥାରେ ନଥିବା ଦେଖିବାକୁ ମିଳୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS