ଓଡ଼ିଶା ରାଜନୀତି: ସରକାର ଶିଶୁ ଦିବସ ପାଳିଲେ, ବିଜେପି ଅସହିଷ୍ଣୁ କାହିଁକି?
– ପ୍ରସାଦ ରାଓ-
ଭୁବନେଶ୍ୱର,୧୪ ନଭେମ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଭଳି ଏକ ଗଣ-କାର୍ଯ୍ୟକ୍ରମକୁ ହାତଛଡା କରିବାକୁ ଚାହିଁଲେ ନାହିଁ । ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଏକାଠି ବସାଇ ନିଜ ମନ କଥା କହିବା ମାଧ୍ୟମରେ ସରକାରଙ୍କ କଥା ସେମାନଙ୍କ ନିକଟରେ ପହଂଚାଇବା ଥିଲା ତାଙ୍କ ଉଦେ୍ଦଶ୍ୟ । ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ଏହି କାର୍ଯ୍ୟକ୍ରମ ଆୟୋଜନ କଲା । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ୨୪ଟି ସ୍କୁଲର ୪,୫୦୦ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଏକାଠି କରାଗଲା । ସେହିଭଳି ଜିଲ୍ଲା ଓ ବ୍ଲକ ସ୍ତରରେ ଏକା ସମୟରେ କାର୍ଯ୍ୟକ୍ରମର ଆୟୋଜନ ହେଲା । ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପୂର୍ବାହ୍ନରେ ପହଂଚି ତାଙ୍କ ମନ କଥା କହିଲେ । ଜିଲ୍ଲା ଓ ବ୍ଲକ ସ୍ତରରେ ବଡ଼ ବଡ଼ ଏଲଇଡ଼ି ସ୍କିନ୍ ଲଗା ଯାଇ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ସିଧାସଳଖ ପ୍ରସାରଣ କରା ଗଲା । ରାଜ୍ୟବାସୀ ଉତ୍ସୁକ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷଣ ଶୁଣିବା ପାଇଁ । ତେଣୁ, ଘରେ ଘରେ ଟିଭି ସମ୍ମୁଖରେ ବସି ଏହି କାର୍ଯ୍ୟକ୍ରମ ଦେଖିଲେ । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ପିଲାମାନଙ୍କୁ ସେ ଦେଇଥିବା ମାର୍ଗଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହା ସମସ୍ତେ ଅନୁଭବ କରିଥିବେ । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ବିଜେପି ଯେଭଳି ପ୍ରତିକ୍ରିୟା ପ୍ରକାଶ କଲା, ତାହା ଅସହିଷ୍ଣୁତା ହିଁ କୁହାଯିବ । କାରଣ, ପିଲାମାନଙ୍କ ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଗାମ୍ଭୀର୍ଯ୍ୟକୁ ଅଣ-ଦେଖା କରି ଏଥିରେ ଅନ୍ତର୍ନିହିତ ରାଜନୀତିକୁ ଖୋଳି ବାହାର କରିବା ଏବଂ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ସମାଲୋଚନା କରିବା ବିଜେପିର ଏକ ଅଭ୍ୟାସ ବୋଲି ପ୍ରମାଣିତ କରି ଦେଲେ ଦଳର ମୁଖପାତ୍ରମାନେ ।
ବିଜେପିର ଅଭିଯୋଗ ଥିଲା, ୧) ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଭାଷଣ ଦେବା ନା’ରେ ଇଂରାଜୀ ଲେଖା ବଡ଼ ପରଦାରୁ ପଢି ପିଲାଙ୍କୁ ଠକିଛନ୍ତି । ୨) ରାଜ୍ୟ ସରକାର ଏଭଳି ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବା ସକାଶେ ସରକାରୀ ତହବିଲ୍ରୁ ୩୮ରୁ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାକି ଜନସାଧାରଣ ଟିକସ ଆକାରରେ ଦେଉଥିବା ଅର୍ଥ । ୩) ରାଜନୈତିକ ଉଦେ୍ଦଶ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ଆଡୁ ବିଭିନ୍ନ ଘୋଷଣା କରାଯାଇଛି । ତିନିଟି ଯାକ ଅଭିଯୋଗ ଅସତ୍ୟ ନୁହେଁ । ତେବେ, ବିଜେପି ରାଜ୍ୟ ଶାଖା ଯେଉଁ ଭଳି ଭାବେ ଏହି ଅଭିଯୋଗ ଗୁଡ଼ିକ ଉପସ୍ଥାପନ କଲେ ଏବଂ ଯେଉଁ ସମୟରେ ଉପସ୍ଥାପନ କଲେ ତାହା ଦଳ ସପକ୍ଷରେ ଯିବା ପରିବର୍ତେ ଦଳ ପାଇଁ ବୁମେରାଂ ହେଲା ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀ ଇଂରାଜୀରେ ଲେଖା ଓଡ଼ିଆ ଭାଷଣ ସଭା, ସମିତିରେ ପଢି ଥାଆନ୍ତି । ଏହା କିଛି ନୂଆ କଥା ନୁହେଁ । ୧୪ ତାରିଖ ଶିଶୁ ଦିବସ ରାଜ୍ୟସ୍ତର କାର୍ଯ୍ୟକ୍ରମରେ ମଧ୍ୟ ତାହା କରିଛନ୍ତି । କିନ୍ତୁ, ସେ ମନରୁ କିଛି କଥା କହିବାକୁ ମଧ୍ୟ ଉଦ୍ୟମ କରିଛନ୍ତି । ଓଡ଼ିଶାର ବରପୁତ୍ର ମଧୁ ବାବୁଙ୍କୁ ସ୍ମରଣ କରି ଭାଷଣ ଆରମ୍ଭ କରିଥିଲେ । ତାଙ୍କ ପିତା ତଥା ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ସାହସିକତାକୁ ସ୍ମରଣ କରିଥିଲେ । ଯାହା ସ୍ମରଣରେ ଶିଶୁ ଦିବସ ପାଳନ ହୋଇଥାଏ ସେହି ପୂର୍ବତନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କୁ ମଧ୍ୟ ପ୍ରାରମ୍ଭରେ ସ୍ମରଣ କରିଥିଲେ । ଛାତ୍ରଛାତ୍ରୀ ମଧୁ ବାବୁଙ୍କ ଭଳି ସ୍ୱାଭିମାନୀ ଓ ବିଜୁ ବାବୁଙ୍କ ଭଳି ସାହାସୀ ହେବାକୁ ପରାମର୍ଶ ଦେଇଥିଲେ । କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ସଂଗୀତ, ନୃତ୍ୟ, ଆଇଟି ପ୍ରଭୃତି କ୍ଷେତ୍ରରେ ଓଡ଼ିଶାର ଉକ୍ରର୍ଷକୁ ମନେ ପକାଇ ଦେଇ ନିଜ ଭାଷା, ନିଜ ଜନ୍ମ ମାଟି, ନିଜ ରାଜ୍ୟ ଓ ଦେଶର ବିକାଶ ଏବଂ ଗୌରବ ପାଇଁ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀଙ୍କୁ ଉଦ୍ବୁଦ୍ଧ କରିଥିଲେ । ନିଜ ଅଭିଭାବକମାନଙ୍କୁ ସମ୍ମାନ ଓ ସୁରକ୍ଷା ଦେବା ସହ ଶିକ୍ଷକ ଓ ଶିକ୍ଷାନୁଷ୍ଠାନକୁ ଗୌରବାନ୍ୱୀତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେ ପରାମର୍ଶ ଦେଇ ଥିଲେ । ଏଥିରେ ବିଜେପି ବିଚଳିତ ହେଲା ଭଳି କିଛି ନଥିଲା । ରାଜନୀତିର ଗନ୍ଧ ମଧ୍ୟ ନ ଥିଲା । ପ୍ରତ୍ୟେକ ଅଭିଭାବକ ନିଜ ପିଲାମାନଙ୍କୁ ପରାମର୍ଶ ଦେଲା ଭଳି ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଏକ ପ୍ରୟୋଜିତ କାର୍ଯ୍ୟକମରେ ପରାମର୍ଶ ଦେବା କଣ କଣ ଅନୁଚିତ ଥିଲା !
ଏଭଳି କାର୍ଯ୍ୟକ୍ରମରେ ସରକାରୀ ତହବିଲ୍ରୁ ଅର୍ଥ ବ୍ୟୟ ହେବା ମଧ୍ୟ ସ୍ୱାଭାବିକ । ୩୮ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଜେପିର ହିସାବ ଯେ ପକ୍କା, ଏଥିରେ ସନେ୍ଦହ ନାହିଁ । କିନ୍ତୁ, ଶିଶୁ ଦିବସ ଅବସରରେ ରାଜ୍ୟର ଦୁଇ ଲକ୍ଷରୁ ଅଧିକ ପିଲାଙ୍କୁ ଏକା ସମୟରେ ଏକାଠି ବସାଇ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା, ସେମାନଙ୍କ ଉତ୍ସାହିତ କଲା ଭଳି ପ୍ରୋତ୍ସାହନ ଘୋଷଣା କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗଣ ଶିକ୍ଷା ବିଭାଗ ଏକ ଅଭିନବ କାର୍ଯ୍ୟକ୍ରମ ଆୟାଜନ କରିବାରେ ଅର୍ଥ ବ୍ୟୟ କରିବାରେ ଅସୁବିଧା ରହିଲା କେଉଁଠି (?) ଜଣାପଡୁ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଏହାଠାରୁ ଯଥେଷ୍ଟ ଅଧିକ ଅର୍ଥ ବ୍ୟୟ ହୋଇଥାଏ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗରୀବ ପରିବାରଙ୍କୁ ରଂଧନ ଗ୍ୟାସ ସିଲିଣ୍ଡର ବାଂଟିବା, ପ୍ରତି ଘରକୁ ପାଇପ ଲାଇପ ଲାଇନ୍ ମାଧ୍ୟମରେ ଗ୍ୟାସ୍ ପହଂଚାଇବା କାର୍ଯ୍ୟର ଶୁଭାରମ୍ଭ ନାରେ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଇ ଆଇଓସିଏଲ୍ର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ବିଜେପି ପ୍ରଚାରରେ ଆଇଓସିଏଲ୍ ଅର୍ଥ ବ୍ୟୟ ଯଦି ଦୋଷାବହ ନୁହେଁ, ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିଶୁ ଦିବସର ଆନନ୍ଦ ଦେବା ସକାଶେ ରାଜ୍ୟ ସରକାର ୪୦ କୋଟି ଖର୍ଚ କରିବା ନେଇ ବିଜେପି ଏତେଦୂର ପ୍ରତିକ୍ରିୟାଶୀଳ ହେବାର ଯଥାର୍ଥତା ରହିଲା କେଉଁଠି ! ୧୭ ବର୍ଷ ହେଲା ସରକାର ଏଭଳି କିଛି କାର୍ଯ୍ୟକ୍ରମ କରି ନାହାନ୍ତି । ଏବେ କାହିଁକି? ବିଜେପି ଏଭଳି ପ୍ରଶ୍ନ କରିବା ଅପେକ୍ଷା ଖୁସୀ ହେବା କଥା । କାରଣ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ଅତିମାତ୍ରାରେ ଉତ୍ସାହିତ କରିଥିବା ଓଡ଼ିଶା ସରକାରଙ୍କ ଶିଶୁ ଦିବସ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଉଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ନିକଟରେ ପଂହଚିବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କୁ ଓଡ଼ିଶାର ବିକାଶ ଓ ଭାଷାକୁ ସମୃଦ୍ଧ କରିବାର ମନ୍ତ୍ର ଦେଇଛନ୍ତି । ସେଥି ସକାଶେ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି । ବିଜେପି ପାଇଁ ଏହା ଚିନ୍ତାର କାରଣ ହୋଇ ଥାଇ ପାରେ । ଓଡ଼ିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ମମତା ନାହିଁ ବୋଲି ବିଜେପି ଓ ଅନ୍ୟ ଅଣ-ବିଜେଡ଼ି ଦଳର ନେତାମାନେ ବାରଂବାର ଯେଉଁ ପ୍ରଚାର କରି ଆସୁଛନ୍ତି ତାହା ଭୁଲ ପ୍ର୍ରମାଣିତ କରିବା ସକାଶେ ମଙ୍ଗଳବାର ଉଦ୍ୟମ ହୋଇଛି । ଶିଶୁ ଦିବସ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଉଦ୍ୟମ କରିଛନ୍ତି । ଓଡ଼ିଆ ଭାଷା ଓ ଓଡ଼ିଶାର ସ୍ୱାଭାମାନ ସଂପର୍କରେ ପିଲାମାନଙ୍କୁ ସଚେତନ କରିବା ସକାଶେ ସଂକଳ୍ପପତ୍ର ଅଣାଯାଇଛି । ଓଡ଼ିଆ ଭାଷା ପ୍ରତି ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ‘ଓଡ଼ିଆ ଭାଷା ବୃତ୍ତି’ ଓ ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି’ ଭଳି ପ୍ରେତ୍ସାହନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ ସର୍ବାଧିକ ନମ୍ବର ରଖି ଥିବା ପ୍ରତି ବ୍ଲକର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ‘ଓଡ଼ିଆ ଭାଷା ବୃତ୍ତି’ (ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର) ଦିଆଯିବ । ବିଜ୍ଞପିତ ଅଂଚଳ ପରିଷଦକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ୧୦ମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖି ଥିବା ଛାତ୍ରଛାତ୍ରୀଙ୍କୁ ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି’ ମିଳିବ । ରାଜ୍ୟର ୪୦ ହଜାର ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବେ । ପ୍ରତ୍ୟେକଙ୍କୁ ୫,୦୦୦ଟଙ୍କା ଲେଖାଏଁ ଦିଆଯିବ । ଭଲ ନମ୍ବର ରଖି ଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ସରକାର ସମ୍ବର୍ଦ୍ଧିତ କରିବେ ଏବଂ ଭଲ ପ୍ରଦର୍ଶନ କରିଥିବା ପ୍ରତି ବ୍ଲକର ତିନିଟି ସ୍କୁଲ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ସଂପୃକ୍ତ ସ୍କୁଲର ଶିକ୍ଷକମାନେ ପୁରସ୍କାର ଅର୍ଥ ନିଜ ଭିତରେ ବାଂଟି ନେବେ । ଏହାଛଡା, ପିପିପି ମୋଡ୍ରେ ସ୍କୁଲମାନଙ୍କରେ ଶିକ୍ଷା ଓ ଭିତ୍ତିଭୂମୀର ବିକାଶରେ ପୂରାତନ ଛାତ୍ରଛାତ୍ରୀଙ୍କୁ ସଂଶ୍ଲିଷ୍ଟ କରାଯିବା ସକାଶେ ମୁଖ୍ୟମନ୍ତ୍ରୀ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ପୂରାତନ ଛାତ୍ରଛାତ୍ରୀ ସହାୟତା ଆକାରରେ ଯେତିକି ଅର୍ତ ଦାନ ଦେବେ ସରକାର ତାହାର ଦୁଇ ଗୁଣ ଅର୍ଥ ଦେଇ ବିକାଶ କାର୍ଯ୍ୟ କରିବେ । ଏଥି ସକାଶେ ସରକାରଙ୍କ ଆଡୁ ୧୦୦ େକୋଟି ଟଙ୍କାର ଏକ କର୍ପସ ପାଂଠି ଗଠନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଛାତ୍ରଛାତ୍ର, ଶିକ୍ଷକ, ଅଭିଭାବକଙ୍କୁ ‘ପଢିବା, ଗଢିବା ଓ ଶ୍ରେଷ୍ଠ ହେବା’ର ସଂକଳ୍ପ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏଭଳି ଚାତୁରୀ ବିରୋଧୀଙ୍କୁ ଅକଳରେ ପକାଇବା ସ୍ୱାଭାବିକ । ତେବେ, ପୂର୍ବତନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜନ୍ମ ଦିନକୁ ପ୍ରତି ବର୍ଷ ଦେଶରେ କିଭଳି ପାଳନ କରାଯାଉଥିଲା ପିଲା ଦିନୁ ଆମେ ଦେଖି ଆସିଛୁ । ଗୋଲାପ ଫୁଲ ଓ ଚକୋଲେଟରେ ବଂଟାରେ ଶିଶୁ ଦିବସ ସରିଯାଏ । ଏହି ଦିନଟିର ଗୁରୁତ୍ୱକୁ ଅନୁଭବ କରିବାର ସୁଯୋଗ ଆମକୁ କେବେ ମିଳି ନଥିଲା । ନିରାସକ୍ତ ଭାବେ ପାଳନ ହୋଇ ଆସୁଥିବା ଶିଶୁ ଦିବସକୁ ସ୍ୱତନ୍ତ୍ର ରଂଗ ଦେଇ ପାଳନ କରିବାକୁ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପ୍ରଥମ ଥର ପାଇଁ ପଦକ୍ଷେପ ନେଇଛନ୍ତି । ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏକାଠି ବସି ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି । ସମସ୍ତଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ଘୋଷଣା ହୋଇଛି । ଏହାଦ୍ୱାରା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭାଭାବକମାନେ ଯଦି ଖୁସୀ ବିଜେପିର ଏତେ ଗାତ୍ରଦାହ କାହିଁକି ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS