ବଂଶାଲି ଓ ଦୀପିକାଙ୍କ ପାଇଁ ଅଗ୍ନି ପରୀକ୍ଷାର ସମୟ


– ପ୍ରସାଦ ରାଓ –
ଆଜି, କାଲି ଫିଲ୍ମ ରିଲିଜ ହେବା ପୂର୍ବରୁ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଲାଇଭ୍ ସୋ’ରେ ତାହାର ପ୍ରଚାର କରିବା ସାଧାରଣ କଥାରେ ପରିଣତ ହୋଇଛି । ଫିଲ୍ମକୁ ନେଇ କୌଣସି ପ୍ରକାର ବିବାଦର ସୂତ୍ରପାତ ହେଲେ ତାହା ପ୍ରଯୋଜକ ବା ନିଦେ୍ର୍ଦଶକଙ୍କ ପ୍ରଚାର ଅଭିଯାନର ଅଂଶ ବୋଲି ଧରି ନିଆ ଯାଇଥାଏ । ଏହା ଏକ ଷ୍ଟଂଟ୍ ବୋଲି ସମସ୍ତେ ଭାବନ୍ତି । କିନ୍ତୁ, ସଂଜୟ ଲିଳା ବଂଶାଳୀଙ୍କ ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଆଉ ପ୍ରଚାର-ସର୍ବସ୍ୱ ଷ୍ଟଂଟ୍ ହୋଇ ରହି ନାହିଁ । ବାସ୍ତବରେ ଏହି ଫିଲ୍ମକୁ ନେଇ ଯେଉଁ ତୀକ୍ତତା ଦେଖା ଦେଇଛି, ତାହା ଉଭୟ ଫିଲ୍ମ ଜଗତ ଓ ଦେଶର ରାଜନୀତିକୁ ପ୍ରଭାବିତ କରିବା ସହ ଅସହିଷ୍ଣୁତାର ଏକ ନୂତନ ଉଦାହରଣ ସୃଷ୍ଟି କରିଛି । ମହାରାଣୀ ପଦ୍ମାବତୀଙ୍କ ଅସ୍ତତ୍ୱକୁ ନେଇ ଐତାହାସିକଙ୍କ ମହଲରେ ଭିନ୍ନମତ ପ୍ରକାଶ ପାଉଥିବା ବେଳେ ରାଜପୁତ ରମଣୀମାନେ ଏହି ମହିୟଷୀ ମହିଳାଙ୍କ ସଂପର୍କରେ ଖୁବ୍ କମ୍ ଜାଣନ୍ତି । ତେବେ, ନିଜ ଅସ୍ମିତାର ରକ୍ଷା ପାଇଁ ମହାରାଣୀ ପଦ୍ମାବତୀଙ୍କ ବଳୀଦାନକୁ ସେମାନେ ଗର୍ବ ଓ ଗୌରବର ବିଷୟ ବୋଲି ଦାବି କରିବାକୁ ପଛାଉ ନାହାନ୍ତି । ଯେଉଁ ଚରିତ୍ରକୁ ସେମାନେ ଦେବୀ ଭାବେ ପୂଜା କରୁଛନ୍ତି, ତାହାକୁ ବଲିଉଡ୍ ତଡକା ଦେଇ ବିକୃତ ଭାବେ ଚିତ୍ରଣ କରାଯାଉଥିବା କ୍ଷୋଭର ବିଷୟ କହି ସେମାନେ ସଂଜୟ ଲିଳା ବଂଶାଳୀଙ୍କ ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରିଛନ୍ତି । ‘ପଦ୍ମାବତୀ’ ଫିଲ୍ମରେ ମହାରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରୁଥିବା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଏହି ରାଜପୁତ ରମଣୀଙ୍କ ଆକ୍ରୋଶରୁ ବାଦ୍ ପଡି ନାହାନ୍ତି । ଫିଲ୍ମ ମୁକ୍ତିଲାଭକୁ କେହି ଅଟକାଇ ପାରିବ ନାହିଁ ବୋଲି ମନ୍ତବ୍ୟ ଦେଇ ଦୀପିକା ନିଜର ଅହଂ ଭାବକୁ ଉଜାଗର କରି ଥିବା ବେଳେ ରାମାୟଣରେ ରାବଣର ଭଗ୍ନୀ ସୁର୍ପଣଖାଙ୍କୁ ଯେପରି ନାକ କାଟି ଦିଆଯାଇଥିଲା ଠିକ୍ ସେହି ଭଳି ଦୀପିକାଙ୍କ ନାକ ଓ ବଂଶାଳୀଙ୍କ ମୁଣ୍ଡ କାଟି ଦିଆଯିବ ବୋଲି ରାଜପୁତ କରଣୀ ସେନା ଓ ୟୁପି କ୍ଷତ୍ରୀୟ ସମାଜ ପକ୍ଷରୁ ଧମକ ଦିଆଯାଇଛି । ଏହି ଫିଲ୍ମ ରିଲିଜ୍ ହେବା ରାଜପୁତାନାର ରାଣୀ ଓ କରଣୀ ସେନାକୁ ତାହାର ପ୍ରିଭ୍ୟୁ ଦେଖାଇବାକୁ କରଣୀ ସେନା ଜିଦ୍ରେ ଅଟଳ ରହିଛି । ଉତ୍ତର ପ୍ରଦେଶ କ୍ଷତ୍ରୀୟ ସମାଜ ବଂଶାଳୀ ବା ଦୀପିକାଙ୍କ ମୁଣ୍ଡ କାଟ୍ ପାଇଁ ୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିବା ବେଳେ ରାଜସ୍ଥାନ ମହିଳା କମିସନ ଡ଼ିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମକୁ ବିବାଦ ମୁକ୍ତ କରିବାକୁ ବଂଶାଳୀଙ୍କୁ ନିଦେ୍ର୍ଦଶ ଦେଇଛି । ଉତ୍ତର ପ୍ରଦେଶ ସରକାର ‘ପଦ୍ମାବତୀ’ ରିଲିଜ୍ ହେଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ କରି ଫିଲ୍ମର ମୁକ୍ତିଲାଭ ତାରିଖ ଘୁଂଚାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କରଣୀ ସେନାର ଧମକ ପରିପ୍ରେକ୍ଷୀରେ ଦୀପିକା ପାଦୁକୋନଙ୍କୁ ମୁମ୍ବାଇ ପୁଲିସ ସୁରକ୍ଷା ଦେବା ପରିସ୍ଥିତି କେତେ ସଂଗୀନ ତାହା ସ୍ପଷ୍ଟ କରିଛି ।
କରଣୀ ସେନା ଓ ରାଜପୁତ ରମଣୀମାନେ ‘ପଦ୍ମାବତୀ’ ଦେଖି ନାହାନ୍ତି ସତ, କିନ୍ତୁ ଏହାର ଟ୍ରେଲର ରିଲିଜ୍ ହେବା ପରେ ଫିଲ୍ମରେ ଥିବା ଗୋଟିଏ ନାଚ ଦୃଶ୍ୟକୁ ଦେଖି କ୍ଷୁବ୍ଧ । ସେମାନଙ୍କ ଅଭିଯୋଗ ହେଉଛି, ରାଜପୁତ ମହାରାଣୀମାନେ କେବେ କାହାରି ଦରବାରରେ ନୃତ୍ୟ କରିବାର ନଜିର ନାହିଁ । ପୁଣି, ପଦ୍ମାବତୀଙ୍କ ଭଳି ଜଣେ ଆତ୍ମସମ୍ମାନକୁ ପ୍ରାଧାନ୍ୟ ଦେଇଥିବା ରାଜପୁତ ମହାରାଣୀ ଦରବାରରେ ନାଚିବା ପ୍ରଶ୍ନ ଉଠୁ ନାହିଁ । ଫିଲ୍ମରେ ମହାରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରୁଥିବା ଦୀପିକା ପାଦୁକୋନ୍ ଦରବାରରେ ନୃତ୍ୟ ପ୍ରଦର୍ଶନ କରିବା ସମୟରେ ଯେଭଳି ଢଙ୍ଗରେ ପୋଷାକ ପିନ୍ଧିଛନ୍ତି ତାହା ମଧ୍ୟ ରାଜପୁତ ରମଣୀଙ୍କ ଗାରିମାକୁ କ୍ଷୁର୍ଣ୍ଣ କରୁଛି । ଫିଲ୍ମର ଗୋଟିଏ ଦୃଶ୍ୟ ଏଭଳି ହୋଇଥିବା ବେଳେ ସଂପୂର୍ଣ୍ଣ ଫିଲ୍ମରେ ଆଉ କଣ ହୋଇ ନ ଥିବ? ଇତିହାସକୁ ବିକୃତ କରାଯାଇ ବଲିଉଡ୍ ଢାଂଚାର ତାହାକୁ ପ୍ରସ୍ତୁତ କରାଯାଇଥିବା ଏବଂ ରାଣୀ ପଦ୍ମାବତୀଙ୍କ ଭଳି ଏକ ଗରୀମାମୟୀ ମହିଳାଙ୍କ ବ୍ୟକ୍ତିତ୍ୱକୁ ନ୍ୟୁନ ଭାବେ ପଦର୍ଶନ କରାଯାଇଥିବା ଗ୍ରହଣୀୟ ନୁହେଁ ରାଜପୁତ ରାଣୀ, ମହାରାଣୀମାନେ ନିକଟରେ ଏକ ଇଲୋକ୍ଟ୍ରୋନିକ ଗଣମାଧ୍ୟମର ଲାଇଭ୍ ସୋ’ରେ ମତବ୍ୟକ୍ତ କରିଛନ୍ତି । ଆବଶ୍ୟକ ପଡିଲେ ଏହି ଫିଲ୍ମ ପ୍ରଦର୍ଶନକୁ ନଷିଦ୍ଧ କରିବା ଦାବିରେ ଲକ୍ଷାଧିକ ରାଜପୁତ ମହିଳା ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ, ବିରୋଧ ସତ୍ୱେ ଫିଲ୍ମଟି ରିଲିଜ୍ ହେଲେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି କରଣୀ ସେନା ଚେତାବନୀ ଦେଇଛି ।
ଫିଲ୍ମ ‘ପଦ୍ମାବତୀ’ ରାଜପୁତ ମାନଙ୍କ ଆଡୁ ଏଭଳି ବିରୋଧ ହେଉଥିବା ସମୟରେ କେନ୍ଦ୍ର ସରକାର ନୀରବତା ଦେଶବାସୀଙ୍କୁ ବିସ୍ମିତ କରିଛି । ତେବେ, ବିଜେପି ବହୁ ବିଳମ୍ବରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛି । ଦଳର ବହୁ ନେତା ଏହି ଚଳଚ୍ଚତ୍ରକୁ ବିରୋଧ କରି ମହାରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ନ୍ୟୁନ ଭାବେ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରିଛନ୍ତି । ଲୁଟେରା ବିଦେଶୀ ଆଲ୍ଲାଉଦ୍ଦିନ ଖିଲଜୀଙ୍କ ସହ ମହାରାଣୀ ପଦ୍ମାବତୀଙ୍କ କୌଣସି ପ୍ରକାର ସଂପର୍କ ନଥିବା ବେଳେ ଫିଲ୍ମରେ ଉଭୟଙ୍କ ସଂପର୍କକୁ ନେଇ ଯାହା ଚିତ୍ରଣ କରାଯାଇଛି, ସେଥିରେ କିଛି ବାସ୍ତବତା ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବିଜେପି ନେତାମାନେ ‘ପଦ୍ମାବତୀ’ ବିବାଦକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିବା ସହ ନିର୍ମାତା ସଂଜୟ ଲିଳା ବଂଶାଳୀଙ୍କ ଦ୍ୱାରା ନିର୍ମିତ ଫିଲ୍ମ ପ୍ରତି କରଣୀ ସେନାର ବିରୋଧକୁ ସମର୍ଥନ କରିଥିବା କେନ୍ଦ୍ର ସରକାରଙ୍କ ମତିଗତିକୁ ସ୍ପଷ୍ଟ କରିଛି । ଚଳଚ୍ଚିତ୍ର ନିର୍ମାତାମାନେ ଇତିହାସକୁ ବିକୃତ କରିବା ଠିକ୍ ନୁହେଁ, ‘ପଦ୍ମାବତୀ’ ଭଳି ସ୍ପର୍ଶକାତର ବିଷୟରେ ଚଳିଚ୍ଚିତ୍ର ନିର୍ମାଣ କରାଯିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଥିଲା ବୋଲି କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ମନ୍ତବ୍ୟ କରଣୀ ସେନାର ସ୍ୱର ଭଳି ମନେ ହେଉଛି । ମହାରାଣୀ ପଦ୍ମାବତୀ ଆଲ୍ଲାଉଦ୍ଦିନ ଖିଲଜୀର ଲୋଲୁପ ଦୃଷ୍ଟିରୁ ନିଜ ସତୀତ୍ୱକୁ ରକ୍ଷା କରିବା ପାଇଁ ଅଗ୍ନୀକୁଣ୍ଡରେ ଝାସ (ରାଜସ୍ଥାନୀ ଭାଷାରେ ‘ଜୌହାର’) ଦେଇ ଯେଭଳି ମହନୀୟତା ପ୍ରଦର୍ଶନ କରିଛନ୍ତି ତାହାକୁ କଳାତ୍ମକ ପ୍ରଦର୍ଶନ ନାମରେ କଦର୍ଯ୍ୟ ଭାବେ ଚିତ୍ରର କରାଯିବା ଗର୍ହିତ ବ୍ୟାପାର ବୋଲି କରଣୀ ସେନାର ଅଭିଯୋଗକୁ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ଗଡକରୀ ଏକପ୍ରକାର ସମର୍ଥନ କରୁଥିବା ତାଙ୍କ ମନ୍ତବ୍ୟରୁ ସୂଚନା ମିଳୁଛି । ଗୁଜରାଟ ଓ ୟୁପିରେ ମଧ୍ୟ ବିଜେପି ନେତାମାନେ ଏହି ଫିଲ୍ମ ବିରୋଧରେ କଟୁ ମନ୍ତବ୍ୟ ଦେଇ ବିଜେପିର ଆଭିମୁଖ୍ୟକୁ ଉଜାଗର କରିଛନ୍ତି । ଗୁଜରାଟ ବିଜେପି ମୁଖପାତ୍ର ଆଇ.କେ. ଜାଡେଜା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ କୌଣସି ପ୍ରକାର ଅଶାନ୍ତିକୁ ପ୍ରତିହତ କରିବା ସକାଶେ କିଛି ନିର୍ବାଚିତ କ୍ଷତ୍ରୀୟ ପ୍ରତିନିଧିଙ୍କ ସମ୍ମୁଖରେ ଫିଲ୍ମର ‘ପ୍ରି-ରିଲିଜ୍’ ପ୍ରଦର୍ଶନ କରାଯିବାକୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବା ଶାସକ ଦଳର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରୁଛି ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର୍ ପ୍ରଥମେ ଫିଲ୍ମକୁ ବିରୋଧ କରୁଥିବା ରାଜପୁତ ମହାରାଜାମାନଙ୍କୁ କଟୁ ସମାଲୋଚନା କରି ପରେ ‘ୟୁ-ଟର୍ଣ୍ଣ’ ମାରିବା ତାଙ୍କ ରାଜନୈତିକ ବାଧ୍ୟବାଧକତାକୁ ସ୍ପଷ୍ଟ କରୁଛି । କିଛି ଦିନ ପୂର୍ବରୁ ଥରୁର୍ ‘ପଦ୍ମାବତୀ’ ଫିଲ୍ମକୁ ହେଉଥିବା ବିରୋଧକୁ ସମାଲୋଚନା କରିଥିଲେ । ଯେଉଁ ରାଜପୁତ ମହାରାଜାମାନେ ସଂଜୟ ଲିଳା ବଂଶାଳୀଙ୍କ ଫିଲ୍ମରେ ସେମାନଙ୍କ ଆତ୍ମମର୍ଯାଦା କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ କରୁଛନ୍ତି ସେମାନଙ୍କ ପୂର୍ବସୁରୀମାନେ ବ୍ରିଟିଶ ସାମ୍ରାଜ୍ୟର ଶକ୍ତି ନିକଟରେ ନତମସ୍ତକ ହୋଇ ନିଜର ସୁରକ୍ଷା ପାଇଁ ବୁଝାମଣା କରିବାକୁ ପଛାଇ ନ ଥିଲେ ବୋଲି ଥରୁର୍ଙ୍କ ମନ୍ତବ୍ୟ ଥିଲା । ତେବେ, ନିଜ ଦଳ ଭିତରୁ ବା ବାହାରୁ ଚାପର ସମ୍ମୁଖୀନ ହୋଇ ଥରୁର୍ ଗତ ଶୁକ୍ରବାର ଦିନ ବୟାନ ବଦଳାଇଛନ୍ତି । ତାଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ‘ରାଜପୁତ ସଂପ୍ରଦାୟ’ ପ୍ରତି ଉଦ୍ଦିଷ୍ଟ ନଥିଲା, ‘ରାଜପୁତଙ୍କ ଆତ୍ମସମ୍ମାନ’ କଥା କହି ଯେଉଁ ବିଜେପି ସମର୍ଥକମାନେ ବଂଶାଳିଙ୍କ ବିରୋଧରେ ନକାରାତ୍ମକ ବାତାବରଣ ସୃଷ୍ଟି କରିଛନ୍ତି ସେମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ବୋଲି ଥରୁର୍ କହିଛନ୍ତି । ଯେଉଁ ରାଜପୁତ ମହାରାଜାମାନେ ବ୍ରିଟିଶଙ୍କ ସହ ସାଲିସ କରିଥିଲେ ସେମାନଙ୍କୁ ହିଁ ସେ ଆକ୍ଷେପ କରି ଥିଲେ ବୋଲି ସ୍ପଷ୍ଟ କରି ଥରୁର୍ କହିଛନ୍ତି ଯେ, ବିବିଧତା ମଧ୍ୟରେ ଏକତା ଭାରତୀୟ ସଂସ୍କୃତି ହୋଇଥିବାରୁ ଶାସକ ଦଳ ରାଜପୁତଙ୍କ ଭାବନାକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ ।
‘ପଦ୍ମାବତୀ’କୁ ନେଇ ରାଜନେତାମାନେ ପରିସ୍ଥିତିକୁ ଦେଖି ରଂଗ ବଦଳାଉ ଥିବା ବେଳେ ବଲିଉଡ୍ ଜବତ ନିର୍ମାତା ସଂଜୟ ଲିଳା ବଂଶାଳିଙ୍କ ପଛରେ ଦୃଢ ଭାବେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ସଲମନ ଖାନ୍ଙ୍କଠାରୁ ଆରମ୍ଭ କରି ପକାଶ ରାଜ୍ଙ୍କ ପର୍ଯ୍ୟନ୍ତ ସମସ୍ତ ବଲିଉଡ୍ ନିର୍ମାତା, ନିଦେ୍ର୍ଦଶକ, ଅଭିନେତା, ଅଭିନେତ୍ରୀ ସଂଜୟ ଲିଳା ବଂଶାଳିଙ୍କ ମନୋବଳ ବଢାଇ ଚାଲିଛନ୍ତି । ସଲମନ ଖାନ୍, ଜାଭେଦ ଅଖତାର, ଫରହାନ ଅଖତାର, କରନ ଜୋହର, ରାଜ କୁମାର ରାଓ, ନିଦେ୍ର୍ଦଶକ ହଂସଲ ମେହେଟ୍ଟା, ସିଦ୍ଧାର୍ଥ ମାଲହୋତ୍ରା, ଅଦିତି ରାଓ ହାଇଦରୀ, ଚିତ୍ର ନିର୍ମାତା ମଧୁର ଭଣ୍ଡାରକର, ଅଭିନେତା ସୁଶାନ୍ତ ସିଂହ ରାଜପୁତ, ପ୍ରକାଶ ରାଜ୍, ଚିତ୍ର ନିର୍ମାତା ଅଶୋକ ପଂଡିତ, ବିକ୍ରମ ଗୋଖଲେ, ପୂର୍ବତନ ସିବିଏଫସି ଅଧ୍ୟକ୍ଷ ପହଲାଜ ନିହାଲନୀ, ଚଳଚ୍ଚିତ୍ର ନିର୍ମାତା ଶାମ ବେନେଗଲ୍ ପ୍ରମୁଖ ବଂଶାଳିଙ୍କ ସପକ୍ଷରେ ଟ୍ୱିଟ୍ କରି ‘ପଦ୍ମାବତୀ’ର ମୁକ୍ତିଲାଭକୁ ରୋକିବା ସକାଶେ ହେଉଥିବା ହିଂସାକୁ ବିରୋଧ କରିଛନ୍ତି । ଏହା ତୁରନ୍ତ ରୋକାଯିବାକୁ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ମୁକ୍ତ ଓ ଅବାଧ ମତବ୍ୟକ୍ତ କରିବାର ଅଧିକାରକୁ ଏଭଳି ବିରୋଧ କ୍ଷୁର୍ଣ୍ଣ କରୁଛି ବୋଲି ସେମାନେ କହିଛନ୍ତି ।
‘ପଦ୍ମାବତୀ’ ଚଳଚ୍ଚିତ୍ରର ନିର୍ମାଣ ଦିନରୁ ହିଁ କରଣୀ ସେନାର ବିରୋଧ ଆରମ୍ଭ ହୋଇଯାଇଛି । ରାଜସ୍ଥାନ ଓ ଅନ୍ୟାନ୍ୟ ଅଂଚଳରେ ଫିଲ୍ମର ସୁଟିଂ ବେଳେ ସେଟ୍ ପୋଡି ଦେବା ଏବଂ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରାଯିବା ଦୃଷ୍ଟିକୁ ଆସିଥିଲା । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ବିରୋଧ ବଢି ଯାଇଛି । ‘ପଦ୍ମାବତୀ’ ଫିଲ୍ମ ନିଷିଦ୍ଧ କରାଯବି ସକାଶେ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନ ଏକ ଖଣ୍ଡପୀଠ ଦ୍ୱାରା ଖାରଜ ହୋଇଯିବା ପରେ କରଣୀ ସେନା ସିବିଏଫ୍ସି ବା ସେନସର୍ ବୋର୍ଡ ଉପରେ ନଜର ରଖିଛନ୍ତି । ସବିଏଫ୍ସି ଚଳଚ୍ଚିତ୍ରରେ କେତେକେ ବୈଷୟିକ ତୃଟୀ ଥିବା ଦର୍ଶାଇ ଆବଶ୍ୟକ ସଂଶୋଧନ କରାଯାଇ ଫିଲ୍ମର କପି ଦାଖଲ କରାଯିବାକୁ ନିର୍ମାତା ବଂଶାଳୀଙ୍କୁ ନିଦେ୍ର୍ଦଶ ଦେଇ ଥିଲେ । ସଂଶୋଧିତ କପି ଏପର୍ଯ୍ୟନ୍ତ ଦାଖଲ ହୋଇ ନାହିଁ । ସେ ନିଜେ ମଧ୍ୟ ଫିଲ୍ମଟି ଦେଖି ନାହାନ୍ତି ବୋଲି ସିବିଏଫ୍ସି ଅଧ୍ୟକ୍ଷ କହିଛନ୍ତି । ଏଭଳି ପରିସ୍ଥିତିରେ ‘ପଦ୍ମାବତୀ’ ଡ଼ିସେମ୍ବର ପହିଲାରେ ମୁକ୍ତିଲାଭ କଲା ଭଳି ମନେ ହେଉ ନାହିଁ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS