ସାମାଜିକ ଗଣମାଧ୍ୟମରେ ବୁଲୁ ଥିବା ଫଟୋଟି କାହାର ?
ଭୁବନେଶ୍ୱର: ଗତ ବୁଧବାର ରାତିରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ଼ରେ ଥିବା ତୋଷାଳୀ ସ୍ୟାଣ୍ଡସ୍ ହୋଟେଲରେ ନିଶାଶକ୍ତ ଉତ୍ସୁଙ୍ଖଳ ଯୁବକ, ଯୁବତୀଙ୍କ ଅଶ୍ଲୀଳ ନୃତ୍ୟ ଏବଂ ପୁଲିସ ଚଢାଉ ଘଟଣା ଚାପି ଦେବାକୁ ପୁରୀ ପୁଲିସ ଚାହିଁ ଥିଲେ ମଧ୍ୟ ଘଟଣାଟି ସଂପୂର୍ଣ୍ଣ ଭାବେ ଚପି ନାହିଁ । ସାମାଜିକ ଗଣମାଧ୍ୟମରେ ଦୁଇ ଦିନ ହେଲା କିଛି ଯୁବତୀଙ୍କ ଫଟୋ ବୁଲୁଛି । ଗୋଟିଏ ଫଟୋ ତଳେ ‘କିଙ୍ଗ୍ ପିନ୍’ ମଧ୍ୟ ଲେଖା ହୋଇଛି । ଖବରକାଗଜ ଓ ଇଲୋକ୍ଟ୍ରୋନିକ ମିଡ଼ିଆରେ ପ୍ରଥମ ଦିନର ଖବର ପ୍ରସାର ପରେ ଅଧିକ କିଛି ନାହିଁ । ତେଣୁ, ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନର ଉଙ୍କି ମାରୁଛି । ହୋଟେଲଟି ପେଣ୍ଠକଟା ସାମୁଦ୍ରିକ ଥାନା ଅଧିନରେ ଥିବା ବେଳେ କେଉଁ ପରିସ୍ଥିତିରେ ପୁରୀ ପୁଲିସ ମୁଖ୍ୟାଳୟର ସ୍ୱତନ୍ତ୍ର ସ୍କ୍ୱାଡ ବୁଧବାର ରାତିରେ ଚଢାଉ କଲେ, ତାହା କେହି କହୁ ନାହାନ୍ତି । ଅବଶ୍ୟ ପରେ ସ୍ପେଶାଲ ସ୍କ୍ୱାଡ ଧରି ଆଣି ଥିବା ୨୫ ଯୁବକ, ଯୁବତୀଙ୍କୁ ପେଣ୍ଠକଟା ସାମୁଦ୍ରିକ ଥାନାକୁ ହସ୍ତାନ୍ତର କରାଯାଇଥିଲା ଏବଂ ଥାନରେ ସେମାନଙ୍କୁ ୧୪ ଘଂଟା ଅଟକ ରଖି ପଚରାଉଚୁରା କରାଯିବା ପରେ ଗୁରୁବାର ଅପରାହ୍ନରେ ବ୍ୟକ୍ତିଗତ ମୂଚାଲିକା (ପିଆର ବଂଡ୍)ରେ ଛାଡ଼ି ଦିଆଯାଇ ଥିଲା । ତେବେ, ସେମାନଙ୍କ ବିରୋଧରେ କିଛି ଦଫା ଲାଗିଛି କି ନାହିଁ – ତାହା ସ୍ପଷ୍ଟ ହୋଇ ନାହିଁ । ପୁଲିସ ମାମଲାକୁ ଚପାଇବାକୁ ଯାଇ ଖବରଦାତାମାନଙ୍କୁ ଦୂରେଇ ରଖିବାରୁ ପ୍ରଥମେ ଏହା ଏକ ‘ସେକ୍ସ୍ ର୍ୟାକେଟ୍’ ଏବଂ ପରେ ‘ରେଭ୍ ପାର୍ଟି’ ଉପରେ ଚଢାଉ ବୋଲି ପ୍ରଚାର ହୋଇଥିଲା । ପରେ, ପୁଲିସ ଏହା ଏକ ‘ବ୍ରାଚଲର୍ ପାର୍ଟି’ ଥିଲା ବୋଲି ସଫେଇ ଦେଇଥିଲେ । ଝାଡଖଣ୍ଡର ଅନିନେଶ ନାମକ ଜଣେ ଯୁବକର ବିବାହ ଉପଲକ୍ଷେ ଏହି ବ୍ୟାଚଲାର୍ ପାର୍ଟି ଆୟୋଜନ କରାଯାଇଥିଲା ବୋଲି ପୁଲିସ କହିବା ପରେ ଅପପ୍ରଚାରରେ ଭଟ୍ଟା ପଡି ଥିଲା । ଜଣେ ରାଜ୍ୟ ବାହାରର ଯୁବକଙ୍କ ବିବାହ ଉପଲକ୍ଷେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତାରେ ଥିବା ଏହି ଦାମୀ, ବିଳାସପୂର୍ଣ୍ଣ ହୋଟେଲରେ ବ୍ରାଚଲର ପାର୍ଟି ଆୟୋଜନ କରାଯିବାରେ କିଛି ଅସୁବିଧା ନାହିଁ । ତେବେ, ବ୍ରାଚଲର ପାର୍ଟି ନା’ରେ ରାତି ଅଧ ଯାଏ ହୋଟେଲ ଡ଼ିଜି ଶବ୍ଦରେ କଂପିବା ଏବଂ ହୋଟେଲରେ ରହି ଥିବା ଅନ୍ୟ ଗ୍ରାହକମାନେ ବିରକ୍ତ ହୋଇ ପୁଲିସ ମୁଖ୍ୟାଳୟକୁ ଫୋନ୍ କରିବା ହିଁ ଉଭୟ ତୋଷାଳି ସ୍ୟାଣ୍ଡସ୍ ହୋଟେଲ ଓ ପୁଲିସ ପାଇଁ ଅଡୁଆ ହୋଇଛି । ପୁଲିସ ମୁଖ୍ୟାଳୟ ପେଣ୍ଠକଟା ସାମୁଦ୍ରିକ ଥାନାକୁ ସୂଚନା ନ ଦେଇ ନିଜର ସ୍ୱତନ୍ତ୍ର ସ୍କ୍ୱାଡ ଦ୍ୱାରା ଚଢାଉ କରାଇବା ଫଳରେ ସାମୁଦ୍ରିକ ଥାନା ସନେ୍ଦହ ଘେରକୁ ଚାଲି ଆସିଛି ।
ଲଜ୍ୟାର ବିଷୟ ହେଉଛି, ଉଗ୍ର ଡ଼ିଜେ ସଂଗୀତର ତାଳେ ତାଳେ ନୃତ୍ୟ କରୁଥିବା ଉତ୍ସୃଙ୍ଖଳ ଯୁବକ, ଯୁବତୀଙ୍କ ମଧ୍ୟରୁ ଦୁଇ ଜଣ (ଯୁବତୀ) କେବଳ ଅନ୍ତଃବସ୍ତ୍ରରେ ଥିଲେ ବୋଲି ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ପୁଲିସ କହିଛି, ବ୍ୟାଚଲର ପାର୍ଟିରେ ଭୁବନେଶ୍ୱର ଓ ମୁମ୍ବାଇର ଦୁଇଟି ଦଳ ନୃତ୍ୟ ପ୍ରଦର୍ଶନ କରୁଥିଲେ । ଭୁବନେଶ୍ୱର ଦଳ ‘ଜୟଶ୍ରୀ ଗୃପ୍’ରେ ପୁରୀ,ନିମାପଡା,ଗୋପ ଓ ଭୁବନେଶ୍ୱରର ଝିଅମାନେ ଥିବା ବେଳେ ମୁମ୍ବାଇ ଗୃପ୍ରେ ମାତ୍ର ଦୁଇ ଜଣ ଝିଅ ଥିଲେ । ସାମୁଦ୍ରିକ ଥାନା ପୁଲିସର ଅଜ୍ଞାତରେ ବା ବିନା ଅନୁମତିରେ ଏଭଳି ଏକ ହାଇ ପ୍ରେଫାଇଲ୍ ପାର୍ଟି ଆୟୋଜନ ହେଲା ଏବଂ ବିଳମ୍ବ ରାତି ପର୍ଯ୍ୟନ୍ତ ଡ଼ିଜେ ବାଜିବା ସହ ବାହାରୁ ଆସିଥିବା ଯୁବତୀଙ୍କ କଥିତ ଅଶ୍ଲୀଳ ନୃତ୍ୟ (!) ଚାଲିଲା, ସାଧାରଣରେ ପ୍ରଶ୍ନ ହେବା ସ୍ୱାଭିକ । ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ବେଳେ ସାମୁଦ୍ରିକ ଥାନା ପୁଲିସ କେମିତି ଜାଣି ପାରି ନ ଥିଲେ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ରାଂଚିର ଅନିନେଶଙ୍କ ପାଇଁ ବ୍ୟାଚଲର ପାଟିର୍ର ଆୟୋଜନ କରିଥିବା ଅନୀଲ କୁମାର ଓ ସୁନିଲ କୁମାରଙ୍କ ବ୍ରହ୍ମପୁର ସହରରେ ନିଜର ହୋଟେଲ ବ୍ୟବସାୟ ରହିଛିି । ଶାସକ ବିଜେଡ଼ି ସହିତ ମଧ୍ୟ ସେମାନେ ସିଧାସଳଖ ସଂପୃକ୍ତ । ଏଭଳି ଏକ ହାଇ ପ୍ରୋଫାଇଲ୍ ପାର୍ଟି ଆୟୋଜନ କରାଯିବା ସମୟରେ ଆଇନଗତ ଦିଗକୁ ସେମାନେ ଅଣଦେଖା କରିବା ରହସ୍ୟମୟ ମନେ ହେଉଛି । ବ୍ୟାଚଲର ପାର୍ଟିରେ ବାହାରୁ ଝିଅ ଆଣି ହୋଟେଲରେ ନଚାଇବା ମଧ୍ୟ କେତେଦୂର ଆଇନସମ୍ମତ? ପୁଲିସ ଚଢାଉ ସମୟରେ ନୃତ୍ୟରତା ଝିଅମାନଙ୍କ ନିଶାଗ୍ରସ୍ତ ଅବସ୍ଥା ଓ ବେଶ ପୋଷାକ ସଂପର୍କରେ ଯାହା ଖବର ପ୍ରକାଶ ପାଇଛି, ତାହା ପେଶାଦାର କାରବାରର ସୂଚନା ଦେଉଛି । ପୁଲିସ ଚାପରେ ଥିବାରୁ ଏସବୁ ପ୍ରଶ୍ନର ସଠିକ୍ ଉତ୍ତର ମିଳି ପାରୁ ନାହିଁ । ହୋଟେଲ ବ୍ୟବସାୟୀ ତଥା ଅନିନେଶଙ୍କ ବଂଧୁ ଅନୀଲ କୁମାର ଏବଂ ତାଙ୍କ ଭଉଣୀ ବ୍ରହ୍ମପୁର ମହାନଗର ନିଗମର ମେୟର କେ.ମାଧବୀ ପ୍ରତ୍ୟକ୍ଷ ଭାବେ ବିଜେଡ଼ି ସହ ସଂପୃକ୍ତ । ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଏହି ପରିବାରର ଘରୋଇ ସଂପର୍କ ରହିଛି । ତେଣୁ, ମେରାଇନ ଡ଼୍ରାଇଭ ରୋଡରେ ଥିବା ତୋଷାଳି ସ୍ୟାଣ୍ଡସ୍ରେ ବ୍ୟାଚଲର ପାର୍ଟି ଆୟୋଜନ, ରାତି ଅଧ ଯାଏ ଡ଼ିଜେ ବଜାଇବା ସହ ବାହାରୁ ଝିଅଙ୍କୁ ଆଣି ନଚାଇବା ସକାଶେ ପୁଲିସର ଅନୁମତି ଆବଶ୍ୟକ ବୋଲି ସେମାନେ ଅନୁଭବ କଲେ ନାହିଁ ! ପୁଲିସ ମଧ୍ୟ ତୋଷାଳୀ ସ୍ୟାଣ୍ଡସ୍ରୁ ବୁଧବାର ରାତିରେ ଧରି ଆଣି ଥିବା ଯୁବକ, ଯୁବତୀଙ୍କୁ ବ୍ୟକ୍ତିଗତ ମୂଚାଲିକାରେ ଛାଡି ଦେଇ ଶାସକ ଦଳ ପ୍ରତି ଆନୁଗତ୍ୟ ପ୍ରଦଶ୍ରନ କଲେ । ଯଦି ବିଜେଡ଼ି ନେତାଙ୍କ ଏଥିିରେ ସଂପୃକ୍ତି ନ ଥା’ନ୍ତା ପୋଲିସ କାର୍ଯ୍ୟାନୁଷ୍ଠାନ ଏହି ଭଳି ହୋଇ ଥାଆନ୍ତା କି? ଏହି ପ୍ରଶ୍ନର ଉତ୍ତର କେବଳ ପୁରୀ ଏସପି ଦେଇ ପାରିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS