‘ଋଣରୁ ମୁକ୍ତି ଓ ଉପଯୁକ୍ତ ଲାଭଜନକ ଦର ଦାବି’: ଦିଲ୍ଲୀରେ ଚାଷିଙ୍କ ଦୁଇ ଦିନିଆ ‘କିଶାନ ମୁକ୍ତି ସଂସଦ’ ଆଜିଠାରୁ ଆରମ୍ଭ
ନୂଆଦିଲ୍ଲୀ, ୨୦ ନଭେମ୍ବର: ଚାଷିଙ୍କ ମୁଖ୍ୟ ଦାବି ହେଉଛି ସେମାନଙ୍କ ଦ୍ୱାରା ଉତ୍ପାଦିତ ଫସଲର ଲାଭଜନକ ଦର ଏବଂ ଋଣ ଜାଲରୁ ସେମାନଙ୍କୁ ମୁକ୍ତ କରାଯିବା । ଆଇନ ସମ୍ମତ ଭାବେ ବିଭିନ୍ନ ଫସଲ ଉତ୍ପାଦନରେ ହେଉଥିବା ଖର୍ଚ୍ଚକୁ ଆକଳନ କରାଯାଇ ତାହା ଉପରେ ୫୦ ପ୍ରତିଶତ ଲାଭକୁ ନେଇ ଲାଭଜନକ ଦର ଧାର୍ଯ୍ୟ କରାଯିବା । ଏହି ଦାବିକୁ ନେଇ ସୋମବାର ୨୦ ତାରିଖରୁ ଦୁଇ ଦିନିଆ ବିକ୍ଷୋଭର ଆୟୋଜନ କରାଯାଇଛି ଏଠାରେ ।
ନିଖିଳ ଭାରତ କିଶାନ ସଂଘର୍ଷ ସମିତି (ଏଆଇକେଏସସିସି) ପକ୍ଷରୁ ଆୟୋଜନ କରାଯାଇଥିବା ଏହି ବିକ୍ଷୋଭରେ ଦେଶର ୧୮୦ଟି ଚାଷି ସଂଗଠନର ସଭ୍ୟମାନେ ଯୋଗ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ସଂଘର୍ଷ ସମିତିର ସଭାପତି ଅଶୋକ ଧାୱଲେ । ଚାଷିଙ୍କୁ ଉତ୍ପାଦନର ଉଚିତ ମୂଲ୍ୟ ଏବଂ ଋଣ ଯନ୍ତାରୁ ଚାଷିଙ୍କୁ ମୁକ୍ତ କରାଯିବା ‘ଆମର ମୁଖ୍ୟ ଦାବି’ ବୋଲି ସେ କହିଛନ୍ତି । ତୁରନ୍ତ ଋଣ ଛାଡ ମଧ୍ୟ ସଂଘର୍ଷ ସମିତିର ଦାବି ମଧ୍ୟରେ ଅନ୍ତର୍ଭୁକ୍ତ । ୨୦୧୪ ଲୋକସଭା ନିର୍ବାଚନର ପ୍ରଚାର ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷିଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ତାଙ୍କ ଦଳ କ୍ଷମତାକୁ ଆସିଲେ ଚାଷିଙ୍କୁ ସେମାନଙ୍କ ଉତ୍ପାଦର ୁଚିତ ଦର ଦେବ ଏବଂ ସ୍ୱାମୀନାଥନ କମିସନର ସୁପାରିଶକୁ କାର୍ଯ୍ୟକାରୀ କରିବ । କିନ୍ତୁ, ତାହା କାର୍ଯ୍ୟକାରୀ କରାଗଲା ନାହିଁ । ଅନ୍ୟପକ୍ଷରେ, ପେଯ୍ରୋଲ, ଡ଼ିଜେଲ ଭଳି ଇଂଧନ, କୀଟନାଶକ, ସାର, ଏପରିକି ପାଣିର ଦର ମଧ୍ୟ ଆକାଶଛୁଆଁ ବଢି ଗଲା । ସରକାର ବିଭିନ୍ନ କ୍ଷେତ୍ରରେ ରିହାତି କାଟ୍ କରି ଚାଷିଙ୍କ ସଂକଟକୁ ବହୁଗୁଣିତ କରିଛନ୍ତି । ଚାଷିଙ୍କୁ ଉଚିତ ଲାଭଜନକ ଦର ନ ମିଳିବା ଯୋଗୁ ଋଣ ବୋଝରେ ଚାପି ହୋଇ ସେମାନେ ଆତ୍ମହତ୍ୟା କରିବା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଧାୱଲେ ଅଭିଯୋଗ କରିଛନ୍ତି ।
ଦେଶବ୍ୟାପୀ ଚାଷିମାନେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନ ଥିବାରୁ ସୋମାବର ଦିନ ସମଗ୍ର ଦେଶରୁ ଲକ୍ଷାଧିକ ଚାଷି ନୂଆଦିଲ୍ଲୀ ଠାରେ ଏକାଠି ହୋଇ ‘କିଶାନ ମୁକ୍ତି ସଂସଦ’ରେ ଭାଗ ନେବେ । ଦୁଇ ଦିନିଆ ବିକ୍ଷୋଭ ସମୟରେ ବିକ୍ଷୋଭ ସ୍ଥଳରେ ଏହି ‘କିଶାନ ମୁକ୍ତି ସଂସଦ’ ବା କିଶାନ ପାର୍ଲାମେଂଟ ଅନୁଷ୍ଟିତ ହୋଇ ଏକ ଚିଠା ବିଲ୍ ଗୃହୀତ କରାଯିବ । ମୁଖ୍ୟତଃ, ଚାଷିଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ କରାଯିବା ଏବଂ ଋଣ ବୋଝରୁ ସେମାନଙ୍କୁ ମୁକ୍ତ ଦିଆଯିବା ଚିଠା ବିଲ୍ରେ ପ୍ରମୁଖ ଦାବି ପ୍ରସ୍ତାବ ହେବ ବୋଲି ଏଆଇକେଏସ୍ସିସି ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS