ପୂର୍ବତନ ଆସିକା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ପୋଲାଇ ଗିରଫ, ରବି ନାହାକକୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ
ଭୁବନେଶ୍ୱର, ୧୧ ଡ଼ିସେମ୍ବର (ମୋଅନୁଭବ ମିଡ଼ିଆ): ମଦ ବେପାରକୁ ନେଇ ଶତୃତା । ଶତୃତାକୁ ନେଇ ନଭେମ୍ବର ୬ ତାରିଖ ରାତିରେ ଆସିକାର କରଂଜେଇ ମନ୍ଦିର ନିକଟରେ ଘଟିଥିଲା ପ୍ରତାପ ପୋଲାଇ ହତ୍ୟାକାଣ୍ଡ । ‘ରାଧାକୃଷ୍ଣ’ ବସ୍ ମାଲିକ ପ୍ରତାପଙ୍କୁ ହତ୍ୟା କରିଥିଲେ ରବି ନାହାକ ଓ ତାର ଗ୍ୟାଂଗ୍ । ‘ଆକବରୀ ତୁଫାନ୍’ ବସ୍ରେ ସେ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ବୁତ୍ତମାନେ ବସ୍ ଭିତରେ ପଶି ଗୁଳି କରି ମାରି ଥିଲେ ପ୍ରତାପଙ୍କୁ । ରବି ନାହାକ ଗିରଫ ହୋଇ ଆସିକା ଜେଲ୍ ରେ ଅଛି । ଶୁକ୍ରବାର ତାକୁ ଆସିକା କୋର୍ଟରେ ହାଜର କରାଯିବାକୁ ଥିଲା । ରବିକୁ କୋର୍ଟ ପରିସରରେ ହତ୍ୟା କରିବାକୁ ସୁପାରୀ ନେଇ ଥିଲା ଝାଡ଼ଖଣ୍ଡର କୁଖ୍ୟାତ ଅପରାଧୀ ବବଲୁ ପାଶ୍ୱ୍ୱାନ୍ । ସାତ ଲକ୍ଷ ଟଙ୍କାର ସୁପାରୀ । ତିନି ଲକ୍ଷ ଟଙ୍କା ଅଗ୍ରିମ ନେଇ ବବଲୁ ତା’ର ସହଯୋଗୀ ଜିତେନ୍ଦ୍ର ନାୟକ ସହ ଡ଼ିସେମ୍ବର ୭ ତାରିଖ ପହଂଚି ଥିଲା ଭଂଜନଗରରେ । ରାତିରେ ଡ଼େରା ପକାଇ ଥିଲେ ଗୋଟିଏ ଲଜ୍ ରେ । ନରେଶ ପାଶୱାନ୍ ନା’ରେ ଆଧାର କାର୍ଡ ଦିଆଯାଇ ରୁମ୍ ବୁକ୍ ହୋଇଥିଲା । ପୂର୍ବରୁ ଗଂଜାମ ଏସ୍ପି୍ଙ୍କୁ ଝାଡ଼ଖଣ୍ଡ ପୁଲିସ ଗୁଇନ୍ଦା ବିଭାଗ ଏ ସଂପର୍କରେ ସୁରାକ ଦେଇ ଥିଲେ । ପୁଲିସ ସଜାଗ ହୋଇ ବିଭିନ୍ନ ହୋଟେଲ୍ ଓ ଲଜିଂରେ ବ୍ୟାପକ ତଲାସୀ କରିବା ସହ ବ୍ଲକିଂ ମଧ୍ୟ ଚାଲୁ ରଖି ଥିଲା । ଶୁକ୍ରବାର ସୁପାରୀ କିଲର୍ ବବଲୁ ପାଶ୍ୱାନ ଓ ତା’ର ସହଯୋଗୀ ଜିତେନ୍ଦ୍ର ଜଳଖିଆ ଖାଉଥିବା ବେଳେ ପୁଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କ କାର୍ ର ପିଛା କରିବାରୁ ଗୁଳି ମାଡ଼ ମଧ୍ୟ କରିଥିଲେ । ପୁଲିସର ପାଲଟା ଗୁଳିରେ ବବଲୁ ଆହତ ହୋଇଛି ।
ପୁଲିସ ଏନ୍କାଉଂଟରରେ ପ୍ରଥମେ ବବଲୁ ଗୁରୁତର ଆହତ ହୋଇ ଭଂଜନଗର ଡ଼ାକ୍ତରଖାନାରେ ଭର୍ତି ହୋଇଥିଲା । ଦୁଇ ଗୋଡରେ ଗୁଳି ଲାଗି ଥିବାରୁ ଅବସ୍ଥା ସଂକଟାପନ୍ନ ହୋଇ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହେଲା । ପ୍ରଥମ ଏନ୍କାଉଂଟରରେ ଖସି ଯାଇଥିବା ଜିତେନ୍ଦ୍ରକୁ ତାରସିଂ ଅଂଚଳରେ ଅନ୍ୟ ଏକ ଏନ୍କାଉଂଟର କରାଯାଇ ଗିରଫ କରାଯାଇଛି । ବବଲୁ ଭଳି ଜିତେନ୍ଦ୍ରର ଦୁଇ ଗୋଡରେ ଗୁଳି ବାଜିଛି । ବବଲୁକୁ ସୁପାରୀ ଦେଇଥିବା ଆସିକା ଏନଏସିର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ପୋଲାଇ ମୃତ ପ୍ରତାପ ପୋଲାଇର ଭାଇ ବୋଲି କହୁଛି । ବବଲୁକୁ ପୁଲିସ ଏନକାଉଂଟର କରିବା ବେଳେ ସୂର୍ଯ୍ୟ ପୋଲାଇ ଘଟଣା ସ୍ଥଳରୁ ଖସି ପଳାଇ ଥିଲେ । ତେବେ, ପୁଲିସ ହାବୁଡରେ ପଡ଼ି ଥିବା ଆଇ-୨୦ କାର୍ ସୂର୍ଯ୍ୟଙ୍କୁ ପୁଲିସ ନଜରକୁ ଟାଣି ଆଣିଥିଲା । ପରେ, ପୁଲିସ ତଦନ୍ତ କରି ସଂପୂର୍ଣର୍ ଷଡଯନ୍ତ୍ରର ପର୍ଦ୍ଦାଫାସ୍ କରିବାରେ ସକ୍ଷମ ହୋଇଛି । ଅପରାଧୀଙ୍କ ନିକଟରୁ ୫ଟି ମୋବାଇଲ୍, ଗୋଟିଏ ୯ଏମଏମ ଓ ଗୋଟିଏ ୭ଏମଏମ ପିସ୍ତଲ୍, ଦୁଇ ପିସ୍ତଲ୍ ର ଦୁଇଟି ଲେଖାଏଁ ଜୀବନ୍ତ ଗୁଳି ଓ ଗୋଟିଏ ଆଇ-୨୦ କାର୍ ଜବତ ହୋଇଥିବା ପୁଲିସ କହିଛନ୍ତି । ରବି ନାହାକକୁ ହତ୍ୟା କରିବାକୁ ଆସିଥିବା ସୁପାରୀ କିଲର୍ଙ୍କୁ ସୂର୍ଯ୍ୟ ଲଜିଷ୍ଟିକ୍ ସପୋର୍ଟ ଦେଇଥିଲେ ବୋଲି ପୁଲିସ କହିଛନ୍ତି । ଷଡଯନ୍ତ୍ରରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।
ଆସିକା ପାକଲାପଲ୍ଲୀର ସୂର୍ଯ୍ୟ ପଲେଇ ପୂର୍ବରୁ ମଧ୍ୟ ବହୁ ଅପରାଧରେ ସଂପୃକ୍ତ । ସେ ରାଉରକେଲା ଚାଲି ଯାଇ ସେଠାରେ ବେପାର କରୁଥିଲା ।
ପ୍ରତାପ ପୋଲାଇଙ୍କୁ ରବି ନାହାକ ଗ୍ୟାଙ୍ଗ୍ ହତ୍ୟା କରିବା ପରେ ସୂର୍ଯ୍ୟ ଏହି ଷଡଯନ୍ତ୍ର ରଚି ଥିଲା । ସୁରକ୍ଷା ବଳୟରେ ଥିବା ରବି ନାହାକକୁ ଜେଲ୍ରୁ ଆସିକା କୋର୍ଟକୁ ଅଣାଯିବା ବେଳେ କୋର୍ଟ ପରିସରରେ ହତ୍ୟା କରିବା ଷଡଯନ୍ତ୍ର ହୋଇଥିଲା ବୋଲି ପୁଲିସ କହିଛନ୍ତି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବବଲୁ ପାଶ୍ୱ୍ୱାନ ବିରୋଧରେ ଝାଡ଼ଖଣ୍ଡରେ ୪୦ରୁ ଅଧିକ ମାମଲା ରହିଛି । ସେ ପୂର୍ବରୁ ଝାଡ଼ଖଣ୍ଡର ପିଏଲ୍ଏଫଆଇ ସଦସ୍ୟ ଥିଲା । ପରେ ନିଜର ଏକ ଗ୍ୟାଙ୍ଗ୍ ତିଆରି କରି ଝାଡଖଣ୍ଡରୁ ଓଡ଼ିଶାର ସମ୍ବଲପୁର, ରାଉରକେଲା ପର୍ଯ୍ୟନ୍ତ ଅଂଚଳରେ ଲୁଟପାଟ୍, ହତ୍ୟା, ହତ୍ୟା ଉଦ୍ୟମ ଭଳି ଜଘଣ୍ୟ ଅପରାଧ ମାନ ଚଳାଇ ଥିଲା । ପୁଲିସ୍ ଏନ୍କାଉଂଟର୍ର ବେଳେ ତା’ ନିକଟରୁ ଗୋଟିଏ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ କାର୍ ଜବତ ହୋଇଥିଲା । ଭଞ୍ଜନଗର ନିକଟସ୍ଥ ନିଧିପଲ୍ଲୀ ଠାରେ ପୁଲିସ ଏହି ଏନ୍କାଉଂଟର କରିଥିଲେ । ଅପରାଧୀଙ୍କ ଆଡୁ ପୁଲିସ ଉପରେ ଦୁଇ ରାଉଣ୍ଡ ଗୁଳି ଫାୟାର ହେବାରୁ ପୁଲିସ ପାଲଟା ଜବାବ ଦେଇ ଥିଲେ । ତେବେ, ବବଲୁର ସହଯୋଗୀ ଜିତେନ୍ଦ୍ର ସେଠାରୁ ଖସି ପଳାଇ ଥିଲା । ତାରସିଂ ଜଂଗଲ ନିକଟରେ ଆଉ ଏକ ଏନକାଉଂଟରରେ ସେ ପୁଲିସ ହାବୁଡରେ ପଡିଲା । ତା’ ଦୁଇ ଗୋଡରେ ମଧ୍ୟ ଗୁଳି ଲାଗିଛି । ଜିତେନ୍ଦ୍ର ନିକଟରୁ ମଧ୍ୟ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ଗୋଟିଏ ମଟର ସାଇକଲ ଜବତ ହୋଇଛି । ପୁଲିସ ତଦନ୍ତ ସମୟରେ ଜବତ କାର୍ ସୂର୍ଯ୍ୟ ପୋଲାଇର ବୋଲି ଜଣା ପଡିବାରୁ ସୂର୍ଯ୍ୟଙ୍କୁ ଟାର୍ଗେଟ୍ କରାଯାଇ ପୁଲିସ ତଦନ୍ତ ଚାଲି ଥିଲା । ପରେ ସଂପୂର୍ଣର୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ସୂର୍ଯ୍ୟଙ୍କୁ ପୁଲିସ ଗତକାଲି ଗିରଫ କରିଛନ୍ତି । ଗଞ୍ଜାମ ପୁଲିସର ଏହା ଏକ ବଡ ସଫଳତା ବୋଲି ଏସ୍ପି ଆଶିଷ ସିଂହ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS