ବିଧାନସଭା ଭୋଟ ଫଳାଫଳ: ଗୁଜରାଟରେ ବିଜେପିର ଆସନ ସଂଖ୍ୟା କମିଛି କଂଗ୍ରେସର ବଢିଛି
– ପ୍ରସାଦ ରାଓ –
ନୂଆଦିଲ୍ଲୀ,୧୯ ଡ଼ିସେମ୍ବର: ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପଳାଫଳ ବିଜେପି ସପକ୍ଷରେ ଯାଇ ଥିବାରୁ ଦଳ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଚୂଡାନ୍ତ ପଳାଫଳ ପ୍ରକାଶ ପାଇବା ପୂର୍ବରୁ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟ ଉତ୍ସବମୁଖର ହୋଇ ଉଠିଥିଲା । ନାଚ, ଗୀତ ସହ ବିଜେପି କର୍ମୀମାନେ ‘ନରେନ୍ଦ୍ର ମୋଦୀ ଜିନ୍ଦାବଦ’ ଧ୍ୱନୀରେ ଗଗନ, ପବନ କଂପାଇ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ସହ ଦଳର ମୁଖ୍ୟାଳୟରେ ପହଂଚି ପରବର୍ତୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ବିଧାୟକ ଦଳ ନେତା କିଏ ହେବ ସେ ସଂପର୍କରେ ନିର୍ଣ୍ଣୟ ନେବା ପାଇଁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଦାୟିତ୍ୱ ଦିଆ ଯାଇଥିବା ଜଣାପଡିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଜିର ବୈଠକ ପରେ ଚର୍ଚ୍ଚା ହେଉଥିଲେ ମଧ୍ୟ ନୂଆ ମୁହଁକୁ ନେଇ ବିଚାରବିମର୍ଷ ଚାଲି ଥିବା ମଧ୍ୟ ସୂଚନା ମିଳିଛି । ହିମାଚଳ ପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧୁମଲ ନିର୍ବାଚନରେ ହାରି ଯାଇ ଥିବାରୁ ସେଠାରେ ନୂଆ ମୁହଁ ଖୋଜିବାକୁ ଦଳରେ ତତ୍ପରତା ପ୍ରକାଶ ପାଇଛି ।
ସୋମବାର ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳକୁ ନେଇ ବିଜେପି ଖୁସୀ ପ୍ରଦର୍ଶନ କରୁଥିଲେ ମଧ୍ୟ ବାସ୍ତବରେ ୨୦୧୨ ତୁଳନାରେ ୧୬ଟି କମ୍ ଆସନ ପାଇଛି । ୨୦୧୨ରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକଙ୍କ ସଂଖ୍ୟା ଥିଲା ୧୧୫ । କଂଗ୍ରେସ ପାଇଥିଲା ୬୧ଟି ଆସନ ଏବଂ ଅନ୍ୟମାନଙ୍କ ଖାତାକୁ ଯାଇଥିଲା ବଳକା ୬ଟି ଆସନ । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଜିତିଥିବା ଆସନ ସଂଖ୍ୟା ୯୯କୁ ଖସି ଯାଇଥିବା ବେଳେ କଂଗ୍ରେସ ଲଂପ ଦେଇଛି ୬୧ରୁ ୮୦କୁ । ଅନ୍ୟାନ୍ୟଙ୍କ ଖାତାକୁ ଯାଇଛି ୩ଟି ଆସନ । ରାଜ୍ୟରେ ବିଜେପି ୧୬ଟି ଆସନ କମ୍ ପାଇଥିବା ବେଳେ କଂଗ୍ରେସ ଅଧିକ ୧୯ଟି ଆସନ ପାଇଛି । ଅନ୍ୟାନ୍ୟଙ୍କ ଖାତାରୁ ୩ଟି ଆସନ କମି ଯାଇଛି । ଲଗାତର ୨୨ ବର୍ଷ କ୍ଷମତାରେ ରହି ବିଭିନ୍ନ କାରଣରୁ ଜନ ଅସନ୍ତୋଷର ସମ୍ମୁଖୀନ ହୋଇ ଥିବା ବିଜେପି ୯୯ ଆସନ ପାଇ ଷଷ୍ଠ ଥର ପାଇଁ ରାଜ୍ୟରେ କ୍ଷମତାସୀନ ହେବା ଏକ ବଡ଼ ସଫଳତା ବୋଲି ପଳାଫଳ ପ୍ରକାଶ ପାଇବା ପରେ ବିଜେପିର ବରିଷ୍ଠ ନେତାମାନେ ଯୁକ୍ତି ଦର୍ଶାଉ ଥିଲେ ମଧ୍ୟ ବାସ୍ତବରେ କଂଗ୍ରେସର କଡ଼ା ଟକ୍କର ଏବଂ ରାହୁଲ ଗାନ୍ଧୀଙ୍କ ସହ ହାର୍ଦ୍ଦିକ, ଅଳ୍ପେଶ ଓ ଜିଗ୍ନେଶଙ୍କ ବୁଝାମଣା ବିଜେପିକୁ ନାକେଦମ୍ କରିଥିଲା ।
୨୦୧୭ରେ ଗୁଜରାଟରେ ବିଜେପି ୧୫୦ ବିଧାନସଭା ଆସନ ପାଇବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଟାର୍ଗେଟ୍ ରଖି ଥିଲେ । ତେବେ, ତାହା ୯୯ରେ ସୀମିତ ହୋଇ ଯିବା ଦଳ ପାଇଁ ଶକ୍ତ ଧକ୍କା ହୋଇଛି । ସେହିଭଳି, କଂଗ୍ରେସ ଗୁଜରାଟ ଶାଖା ସରକାର ଗଠନ ପାଇଁ ସର୍ବନିମ୍ନ ଆବଶ୍ୟକତା ୯୨ ଆସକୁ ଟାର୍ଗେଟ୍ କରି ନିର୍ବାଚନ ଲଢୁ ଥିଲେ । ତେବେ, ୧୨ଟି ଆସନ କମି ଯିବାରୁ କଂଗ୍ରେସ କ୍ଷମତାକୁ ଆସି ପାରିଲା ନାହିଁ । ୨୦୧୭ ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ଲଢେଇ ହୋଇ ଥିଲା । ଗ୍ରାମାଂଚଳ ଭୋଟର ବିଜେପି ପ୍ରତି ବିମୁଖ ଭାବ ପ୍ରଦର୍ଶନ କରି କଂଗ୍ରେସକୁ ଭୋଟ ଦେଇଥିବା ବେଳେ ସହରାଂଚଳ ଭୋଟର କଂଗ୍ରେସ ପ୍ରତି ବିମୁଖ ଥିବା ସୋମବାର ପ୍ରକାଶିତ ଭୋଟ ଫଳାଫଳରୁ ସୂଚନା ମିଳିଛି । ଗୁଜରାଟରେ ସହରାଂଚଳ ବିଧାନସଭା ଆସନ ସଂଖ୍ୟା ଅଧିକ । ତେଣୁ, ଭାଜପା କଂଗ୍ରେସ ଠାରୁ ଅଧିକ ଆସନ ପାଇଛି । ଦେଶରେ ଅନ୍ୟ ଯେଉଁ ସବୁ ରାଜ୍ୟରେ ଆଗକୁ ନିର୍ବାଚନ ହେବାକୁ ଅଛି, ସେସବୁ ରାଜ୍ୟରେ ସହରାଂଚଳ ଅପେକ୍ଷା ଗ୍ରମାଂଚଳ ଆସନ ସଂଖ୍ୟା ଅଧିକ ଥିବାରୁ ଗୁଜରାଟ ଟ୍ରେଂଡ୍ ଚାଲୁ ରହିଲେ କଂଗ୍ରେସ ଲାଭବାନ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି । ତେବେ,ଗୁଜରାଟ ଭଳି ଆଗାମୀ ଦିନରେ ହେବାକୁ ଥିବା କର୍ଣ୍ଣାଟକ, ତ୍ରିପୁରା, ମେଘାଳୟ ଓ ମିଜୋରାମ ବିଧାନସଭା ନିର୍ବାଚନ ମଧ୍ୟ ବିଜେପି ଜିତିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଶାହା ସୋମବାର ଦମ୍ଭର ସହ କହିଛନ୍ତି । ସୋମବାର ପ୍ରକାଶିତ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଭୋଟ ପଳାଫଳ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ଓ ତାଙ୍କ ଦଳ ଜନାଦେଶକୁ ସମ୍ମାନ ଦେଉଛି । ଦୁଇ ରାଜ୍ୟର ଜନସାଧାରଣଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ଅପରପକ୍ଷରେ, କଂଗ୍ରେସର ଜାତିବାଦ ରାଜନୀତିକୁ ଭୋଟର ପ୍ରତ୍ୟାଖାନ କରି ବିଜେପିର ‘ବିକାଶ’ ସପକ୍ଷରେ ବହୁମତ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟାରେ କହିଛନ୍ତି ।
୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ହୋଇଥିବା ନିର୍ବାଚନ ଫଳାଫଳ ମଧ୍ୟ ବିଜେପି ସପକ୍ଷରେ ଯାଇଛି । ସୋମବାର ଗୁଜରାଟ ସହ ଏହି ରାଜ୍ୟର ଭୋଟ ଫଳ ପ୍ରକାଶ ପାଇଛି । ବିଜେପି ୬୮ ଆସନରୁ ୪୪ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୨୧ଟି ଆସନ ମିଳିଛି । ଅନ୍ୟମାନଙ୍କ ହାତକୁ ୩ଟି ଆସନ ଯାଇଛି । ଗତ ପାଂଚ ବର୍ଷ ଧରି ରାଜ୍ୟରେ ବୀରଭଦ୍ର ସିଂହଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଥିଲା । ବ୍ୟାପକ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ମୁଖ୍ୟମନ୍ତ୍ରୀ ସିଂହ ଓ ତାଙ୍କ ସରକାର ଜନ ଅସନ୍ତୋଷର ଶିକାର ଥିବାରୁ ନିର୍ବାଚନରେ କଂଗ୍ରେସ ଜିତିବା ଆଶା କ୍ଷୀଣ ଥିଲା । ତେଣୁ, ଏହି ନିର୍ବାଚନ ସମୟରେ କଂଗ୍ରେସ ଉପ ସଭାପତି ଥିବା ରାହୁଲ ଗାନ୍ଧୀ ଗୁଜରାଟ ପାଇଁ ସଂପୂର୍ଣ୍ଣ ସମୟ ଦେଇ ହିମାଚଳ ପ୍ରଦେଶ ନିର୍ବାଚନକୁ ଅଣଦେଖା କରିଥିଲେ । ରାହୁଲ ହିମାଚଳ ପ୍ରଦେଶକୁ ମଧ୍ୟ ସମୟ ଦେଇଥିଲେ ଫଳାଫଳ ଟିକିଏ ଭଲ ହୋଇଥା’ନ୍ତା ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS