୨୦୧୭ରେ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ଓଡ଼ିଶା


ଭୁବନେଶ୍ୱର, ୧୮ଜାନୁୟାରୀ: ୨୦୧୭ରେ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ଓଡ଼ିଶା । ତେବେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ନଭେମ୍ବର ପର୍ଯ୍ୟନ୍ତ ହିସାବ ସାରିଛି । ଡ଼ିସେମ୍ବର ମାସର ହିସାବ ଚାଲିଛି । ନଭେମ୍ବର ସୁଦ୍ଧା ରାଜ୍ୟକୁ ମୋଟ ୮୪, ୬୫୮ ବିଦେଶୀ ପର୍ଯ୍ୟଟକ ଆସିଥିବା ଏବଂ ରାଜ୍ୟ ସରକାର ଏ ବାବଦରେ ପ୍ରାୟ ୩୮୮.୦୫ କୋଟି ଟଙ୍କା ଆୟ କରିଥିବା ସରକାରୀ ହିସାବରୁ ଜଣାପଡିଛି । ୨୦୧୬ରେ ରାଜ୍ୟକୁ ୭୬, ୩୬୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ ଏବଂ ରାଜ୍ୟ ସରକାର ପାଖାପାଖି ୩୫୦ କୋଟି ଟଙ୍କା ଆୟ କରିଥିଲେ । ବିଭିନ୍ନ ଉତ୍ସବ ଏବଂ ଏସୀୟ କ୍ରୀଡ଼ା, ବିଶ୍ୱ ହକି ଲିଗ୍ ଭଳି ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା ଆୟୋଜନ ମାଧ୍ୟମରେ ରାଜ୍ୟ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକଙ୍କୁ ଆଣି ପାରିଥିବା ସରକାରୀ ଭାବେ କୁହାଯାଇଛି । ନଭେମ୍ବର ଓ ଡ଼ିସେମ୍ବର ମାସ ‘ପର୍ଯ୍ୟଟନ ଋତୁ’ ଭାବେ ପରିଚିତ । ଏହି ଦୁଇ ମାସ ରାଜ୍ୟକୁ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସିଥା’ନ୍ତି । ତେଣୁ, ଡ଼ିସେମ୍ବର ମାସର ପରିସଂଖ୍ୟାନ ଯୋଡି ହେଲେ ୨୦୧୭ରେ ରାଜ୍ୟକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧ ଳକ୍ଷ ଟପିଯିବ ଏବଂ ରାଜ୍ୟ ସରକାରଙ୍କ ଆୟ ମଧ୍ୟ ସେହି ତୁଳନାରେ ପାଖାପାଖି ୪୦୦ କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ରାଜ୍ୟକୁ ନଭେମ୍ବର ମାସରେ ମୋଟ ୧୩, ୪୭୩ ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ।
୨୦୧୭ ଜୁଲାଇ ମାସରେ ରାଜ୍ୟ ସରକାର ଭୁବନେଶ୍ୱର ଠାରେ ଏସୀୟ କ୍ରୀଡ଼ା ଓ ଡ଼ିସେମ୍ବର ମାସରେ ବିଶ୍ୱ ହକି ଲିଗ୍ ଆୟୋଜନ କରିଥିଲେ । ଏହି ଦୁଇଟି ଆନ୍ତର୍ଜାତିକ କ୍ରୀଡ଼ାରେ ବହୁ ସଂଖ୍ୟାରେ ବିଦେଶୀ ଖେଳାଳୀ, ଅଫିସିଆଲ୍ ଓ ସେମାନଙ୍କ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ଦୁଇଟି କ୍ରୀଡ଼ା ପାଇଁ ସରକାର ବ୍ୟାପକ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇ ଥିଲେ । ତେଣୁ, ରାଜ୍ୟକୁ ବିଦେଶୀ ପର୍ଯ୍ୟଟକ ଆଗମନ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ଢେର ଅଧିକ ହୋଇ ଥିଲା ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ସ୍ୱୀକାର କରିଛନ୍ତି । ୨୦୧୫ ବର୍ଷ ପୁରୀ ବଡ଼ ଠାକୁର ମାନଙ୍କ ନବକଳେବର ପାଇଁ ବ୍ୟାପକ ପ୍ରଚାର ଓ ବିପୁଳ ଅର୍ଥ ବ୍ୟୟ ସତ୍ୱେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ଉଦ୍ ବେଗଜନକ ଭାବେ ହ୍ରାସ ପାଇ ଥିଲା । ସେହି ବର୍ଷ ରାଜ୍ୟକୁ ୬୬, ୯୭୧ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ୨୦୧୪ ତୁଳନାରେ ତାହା କମ୍ ଥିଲା । ୨୦୧୪ରେ ରାଜ୍ୟକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ସଂଖ୍ୟା ଥିଲା ୭୧, ୪୨୬ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ମୁତାବକ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆତଙ୍କିତ କଲା ଭଳି ଅପରାଧ ସଂଖ୍ୟା ନଗଣ୍ୟ ହୋଇ ଥିବାରୁ ଓଡ଼ିଶାକୁ ଏକ ସୁରକ୍ଷିତ ‘ପର୍ଯ୍ୟଟନ ରାଜ୍ୟ’ ଭାବେ ବିଦେଶୀ ପର୍ଯ୍ୟଟକମାନେ ବିଚାର କରିଥା’ନ୍ତି । ତେଣୁ, ୨୦୧୬ ଓ ୨୦୧୭ରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟ ବେଶ୍ ବଢିଛି ବୋଲି ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏନସିଆରବି ରିପୋର୍ଟ ଅନୁସାରେ, ରାଜ୍ୟରେ ୨୦୧୪ରୁ ୨୦୧୬ ମଧ୍ୟରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆତଙ୍କିତ କଲା ଭଳି କୌଣସି ବଡ ଧରଣର ଅପରାଧ ହୋଇ ନାହିଁ । ଯେଉଁ ୪ଟି ଅପରାଧ ଘଟଣା ରିପୋର୍ଟ ହୋଇଛି, ସେସବୁ ଛୋଟ ଚୋରି ଭଳି ନଗଣ୍ୟ ଘଟଣା । ୨୦୧୪ ଓ ୨୦୧୬ରେ ଗୋଟିଏ ଲେଖାଏ ଘଟଣା ଘଟି ଥିବା ବେଳେ ୨୦୧୫ ରେ ଦୁଇଟି ଘଟଣା ଘଟି ଥିଲା । ଏହି ଚାରିଟି ଘଟଣା ପୁରୀ ଜିଲ୍ଲାରେ ସୀମିତ ଥିଲା ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS