‘ଯାତ୍ରା’ର ଯାତ୍ରା ସଂକଟରେ: କଳାକାରଙ୍କୁ ନ ଜଣାଇ ପାର୍ଟି ବନ୍ଦ କରିବାକୁ ମାଲିକଙ୍କ ଧମକ କାହା ସ୍ୱାର୍ଥରେ ?
ଭୁବନେଶ୍ୱର,୧୯ ଜାନୁୟାରୀ: ସାଧାରଣତଃ ଡ଼ିସେମ୍ବର ମାସରେ ଏକ୍ସ-ମାସ୍ ଛୁଟି ସରିବା ପରେ ପରୀକ୍ଷା ଋତୁ ଆରମ୍ଭ ହୋଇଯାଏ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ପାଠ ପଢା ବାତାବରଣକୁ ନେଇ ଅଧିକ କଠୋର ହୋଇ ଯାଆନ୍ତି । ଦୁର୍ଗା ପୂଜାରୁ ଏକ୍ସମାସ୍ ପର୍ଯ୍ୟନ୍ତ ଢିଲା ମାରି ଆସିଥିବା ଏହି ଉପର କ୍ଲାସ୍ ଛାତ୍ରଛାତ୍ରୀମାନେ ମଧ୍ୟ ମୁଣ୍ଡ ଉପରେ ଥିବା ପରୀକ୍ଷାକୁ ନେଇ ଅଧିକ ସ୍ପର୍ଶକାତର ହୋଇ ପଡନ୍ତି । ତେଣୁ, ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ପଡୁ ଥିବା ପର୍ବପର୍ବାଣୀ ଓ ମନୋରଂଜନ କାର୍ଯ୍ୟକ୍ରମ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ଧ୍ୟାନ ଭଙ୍ଗ କରିବାର ଅଧିକ ଆଶଙ୍କା ଥିବାରୁ ସରକାର ମଧ୍ୟ ଅଧିକ କଠୋର ହେବାକୁ ବାଧ୍ୟ ହୋଇଥା’ନ୍ତି ।
ଏଇ ଦେଖନ୍ତୁ, ସବୁ ଶ୍ରେଣୀର ଜନସାଧାରଣଙ୍କ ରାତି ଅନିଦ୍ରା ମନୋରଂଜନର ମାଧ୍ୟମ ‘ଯାତ୍ରା’ ଉପରେ ଲାଗୁ ହୋଇଥିବା ସରକାରୀ କଟକଣା ! ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ଆଖିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଏବେ ଯାତ୍ରା ପାଇଁ ଟେଂଟ୍ ଲଗାଇବାକୁ ଅନୁମତି ଦେଉ ନାହାନ୍ତି । ଯାତ୍ରା ପାର୍ଟି ଗୁଡ଼ିକ ସରସ୍ୱତୀ ପୂଜାରୁ ଆରମ୍ଭ କରି ଦୋଳ ପର୍ଯ୍ୟନ୍ତ ବେଶ୍ ଆଖିଦୃଶିଆ ଅର୍ଥ ରୋଜଗାର କରିଥା’ନ୍ତି । ତେବେ, ସରକାରୀ କଟକଣା ଯୋଗୁଁ ଯାତ୍ରା ପାର୍ଟି ମାଲିକ ମାନଙ୍କ ସ୍ୱପ୍ନଭଙ୍ଗ ହୋଇ ଥିବାରୁ ସେମାନେ କ୍ଷୁବ୍ଧ । ରାଜ୍ୟର ପାଖାପାଖି ୫୦୦୦ କଳାକାରଙ୍କ ଜୀବିକା ହେଉଛି ଯାତ୍ରା । ଯାତ୍ରା ପାର୍ଟିର ରୋଜଗାର ବନ୍ଦ ହୋଇ ଗଲେ ଏହି କଳାକାରଙ୍କ ଜୀବନ, ଜୀବିକା ଚାଲିବ କେମିତି? ଏହି ପ୍ରଶ୍ନ ଉଠାଇଛି ଓଡ଼ିଶା ଯାତ୍ରା ଦଳ ମାଲିକ ସଂଘ (ଓଜେଟିଓଏ) । କଳାକାରଙ୍କ ଅପେକ୍ଷା ଯାତ୍ରା ପାର୍ଟି ମାଲିକମାନେ ଅଧିକ ଚିନ୍ତାରେ ଥିବା ଦେଖିବାକୁ ମିଳୁଛି । କାରଣ, ସେମାନେ ବଲିଉଡ୍ ରୁ ଏକ ପ୍ରକାର ଅବସର ନେଇ ସାରିଥିବା ବା ଅବସର ନେବାକୁ ଯାଉଥିବା ଓଡ଼ିଶା ବାହାରର ବଡ କଳାକାରଙ୍କୁ ଅଧିକ ଅର୍ଥ ବିନିମୟରେ ଚୁକ୍ତି ସ୍ୱାକ୍ଷର କରାଇ ଓଡ଼ିଆ ଯାତ୍ରାରେ କାମ କରାଉଛନ୍ତି ଏବଂ ବେଶ୍ ରୋଜଗାର କରୁଛନ୍ତି । ଯାତ୍ରା ଶିଲ୍ପକୁ ବଲିଉଡ଼ି ବା ଜଲିଉଡର ‘ଟଚ୍’ ଦେବାକୁ ସଂଗୀତ, ନୃତ୍ୟ ଠାରୁ ଆରମ୍ଭ କରି ଦ୍ୱି-ଅର୍ଥବୋଧକ ସଂଳାପରେ ଅତ୍ୟାଧୁନିକ ପୁଟ ଦିଆଯାଇ ପରିବେଷଣ କରାଯାଉଛି । ବେପାର ସେମିତି ଚାଲି ଥିଲା ବୋଲି କିଛି ବର୍ଷ ହେଲା ମାଲିକମାନଙ୍କ ଏକାଧିକ ଯାତ୍ରା ପାର୍ଟି ଚଳାଇ ଥିଲେ । ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ଶିଳ୍ପକୁ ନିଜ ନିୟନ୍ତ୍ରଣରେ ରଖି ଅସାଧୁ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରୁଥିଲେ । ବର୍ତମାନ ସରକାରୀ କଟକଣା ସେମାନଙ୍କ ବ୍ୟବସାୟ ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ, ରାଜ୍ୟ ସରକାରଙ୍କ ଆଡୁ ସୁବିଧା, ସୁଯୋଗ ନ ମିଳିଲେ ଅଗଷ୍ଟ ୧ ତାରିଖରୁ ଯାତ୍ରା ପରିବେଷଣ ସଂପୂର୍ଣ୍ଣ ବନ୍ଦ କରି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଓଜେଟିଓଏ କହିବା ଅନୁଯାୟୀ, ରାଜ୍ୟରେ ପ୍ରାୟ ୨୩ଟି ବଡ଼ ଓ ବହୁ ସଂଖ୍ୟକ ଛୋଟ ଯାତ୍ରା ଦଳ ରହିଛି । ଯାତ୍ରା ଶିଳ୍ପ ରାଜ୍ୟରେ ସବୁଠାରୁ ବଡ଼ ମନୋରଂଜନର ମାଧ୍ୟମ ହୋଇ ଥିଲେ ମଧ୍ୟ ଗଲା କିଛି ବର୍ଷ ହେଲା ଦର୍ଶକ ସଂଖ୍ୟା କମିବା ଏହି ଶିଳ୍ପ ପାଇଁ ସବୁଠାରୁ ବଡ଼ ବିପଦ ହୋଇଛି । ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ମନୋରଂଜନଧର୍ମୀ ଧାରାବାହିକ ପ୍ରତି ଦର୍ଶକଙ୍କ ଅହେତୁକ ଆଗ୍ରହ ଏବଂ ଇଂଟରନେଟ୍ ର ବ୍ୟାପକତା ରାତୀସାରା ମନୋରଂଜନ ଦେଇ ଆସୁଥିବା ଯାତ୍ରା ଶିଳ୍ପ ପ୍ରତି ଦର୍ଶକଙ୍କ ଅନାଗ୍ରହର ମୁଖ୍ୟ କାରଣ ହୋଇଛି । ବିଶେଷକରି, ଶସ୍ତାରେ ଇଂଟରନେଟ୍ ସୁବିଧା ମିଳି ଯାଉଥିବା ଏବଂ ମୋବଇଲ ହ୍ୟାଂଡସେଟ୍ ଗୁଡ଼ିକରେ ସହଜରେ ସିନେମା ଠାରୁ ଆରମ୍ଭ କରି ସବୁ ପ୍ରକାର ମନୋରଂଜନ ଉପଲବ୍ଧ ହେଉଥିବା ଓଡ଼ିଆ ସିନେମା ଭଳି ଯାତ୍ରା ଶିଳ୍ପକୁ ମଧ୍ୟ ବିପନ୍ନ କରିଛି । ଯାତ୍ରାପାର୍ଟି ଗୁଡ଼ିକ ସେମାନଙ୍କ ଟିକଟ ଦର ୫୦ ଟଙ୍କାରୁ ୧୫୦ ବା ୨୦୦ ଟଙ୍କାକୁ ବଢାଇବା ସତ୍ତ୍ୱେ ପକେଟକୁ ଲାଭ ଆସୁ ନାହିଁ । ତେଣୁ, ଯାତ୍ରା ପାର୍ଟିର ପରିଚାଳନା ଖର୍ଚ୍ଚ ଓ କଳାକାରଙ୍କ ପ୍ରାପ୍ୟ ଦେବା ପରେ ମାଲିକଙ୍କ ପକେଟକୁ ସେଭଳି କିଛି ଲାଭାଂଶ ଆସୁ ନାହିଁ । ଏହି ପରିସ୍ଥିତିରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆଳ ଦେଖାଇ ଯାତ୍ରା ପରିବେଷଣ ପାଇଁ ଟେଂଟ୍ ଲଗାଇବାକୁ ଜିଲ୍ଲାପାଳମାନେ ଅନୁମତି ଦେଉ ନ ଥିବା ଏହି ଶିଳ୍ପ ପାଇଁ ସବୁଠାରୁ ବଡ଼ ସଂକଟ ହୋଇଛି ବୋଲି ମାଲିକ ସଂଘ କହିଛି ।
ଅପରପକ୍ଷରେ, ଯାତ୍ରା ପାର୍ଟି ମାଲିକମାନେ ଅଗଷ୍ଟ ୧ ତାରିଖରୁ ଯାତ୍ରା ପାର୍ଟି ଗୁଡିକୁ ବନ୍ଦ କରି ଦିଆଯିବ ବୋଲି ଦେଇଥିବା ଚେତାବନୀ ଯାତ୍ରା କଳାକାର ମାନଙ୍କୁ କ୍ଷୁବ୍ଧ କରିଛି । ମାଲିକମାନେ ସେମାନଙ୍କ ସହ କୌଣସି ଆଲୋଚନା ନ କରି ଯାତ୍ରା ପାର୍ଟି ବନ୍ଦ କରି ଦେବେ ବୋଲି ନିଷ୍ପତ୍ତି ନେବା ସଂପୂର୍ଣ୍ଣ ଏକପାଖିଆ ବୋଲି ଯାତ୍ରା କଳାକାରମାନେ କହିଛନ୍ତି । ଯାତ୍ରା ବନ୍ଦ ହେଲେ ସେମାନେ କରିବେ କଣ, ଚଳିବେ କେମିତି (?) ବୋଲି କଳାକାରମାନେ ପ୍ରଶ୍ନ ଉଠାଇଛନ୍ତି । ଲାଭ କମୁ ଥିଲେ ମାଲିକମାନେ ଖର୍ଚ୍ଚ କାଟ୍ ନ କରି ଯାତ୍ରା ପାର୍ଟି ବନ୍ଦ କରି ଦେବାକୁ କେମିତି ଚିନ୍ତା କରୁଛନ୍ତି ବୋଲି ଯାତ୍ରା କଳାକାରମାନେ ପ୍ରଶ୍ନ କରିଥିବା ବେଳେ ଯାତ୍ରା ପାର୍ଟିରେ ଲାଭ ହେଉ ନ ଥିଲେ ଜଣେ ଜଣେ ମାଲିକ ଏକାଧିକ ଯାତ୍ରା ପାର୍ଟି କରି ବ୍ୟବସାୟ କେମିତି ଚଳାଇଛନ୍ତି ବୋଲି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନା ଖାନ୍ ପ୍ରଶ୍ନ କରିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା ମଧ୍ୟ ଓଜେଟିଓଏର ଧମକକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସଂଘ ସରକାରଙ୍କୁ ନ ଜଣାଇ ଯାତ୍ରା ପାର୍ଟି ବନ୍ଦ କରି ଦେବାକୁ ନିଷ୍ପତ୍ତି ନେଲା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଜେଟିଓଏ ସରକାରଙ୍କ ସମସ୍ୟା ସଂପର୍କରେ ଜଣାଇଲେ ତାହା ଉପରେ ବିଚାର କରାଯିବ ବୋଲି ରାଜ୍ୟ ସଂସ୍କୃତି ମନ୍ତ୍ରୀ କହିଥିବା ବେଳେ ଓଜେଟିଓଏର ଅଧ୍ୟକ୍ଷ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସରକାରଙ୍କୁ ପଚାରି କଣ ଆମେ ଆମ ବ୍ୟବସାୟ ବନ୍ଦ କରିବୁ କି ବୋଲି ସେ ପାଲଟା ପ୍ରଶ୍ନ କରିବା ତଥ୍ୟାଭିଜ୍ଞ ମହଲକୁ ଚକିତ କରିଛି । କଳାକାରଙ୍କ ସ୍ୱାର୍ଥ କଥା କହୁଥିବା ଯାତ୍ରା ପାର୍ଟି ମାଲିକ ସଂଘ ଉଭୟ କଳାକାଳ ଓ ସରକାରଙ୍କୁ ଉପେକ୍ଷା କରି ଏକପାଖିଆ ବ୍ୟବସାୟ ବନ୍ଦ କରିବାକୁ ଚେତାବନୀ ଦେବା ବାସ୍ତବରେ କାହା ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ ବୋଲି ଏବେ ସାଧାରଣରେ ପ୍ରଶ୍ନ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS