‘ଅଫିସ୍ ଅଫ୍ ପ୍ରଫିଟ୍’: ୨୦ ‘ଆପ୍’ ବିଧାୟକଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ, ୧୯ ଜାନୁୟାରୀ: ବିଧାୟକ ଥାଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନ୍ୟ ଲାଭଜନକ ପଦବୀରେ ନିଯୁକ୍ତି ପାଇଥିବା ୨୦ ଜଣ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କୁ ‘ଅଯୋଗ୍ୟ’ ଘୋଷଣା କରାଯିବା ସକାଶେ ନିର୍ବାଚନ କମିସନ୍ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରିଛନ୍ତି । ମୋଟ ୨୧ ଜଣ ‘ଆପ୍’ ବିଧାୟକଙ୍କ ବିରୋଧରେ ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗ ଥିଲା । ତେବେ, ଜଣେ ବିଧାୟକ ଗତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ବିଧାୟକ ପଦରୁ ଇସ୍ତଫା ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ବିରୋଧରେ ପଞ୍ଜାବରେ ନିର୍ବାଚନ ଲଢି ଐହି ତାଲିକାରୁ ବାଦ୍ ପଡି ଥିଲେ । ଅନ୍ୟ ୨୦ ଜଣ ବିଧାୟକଙ୍କୁ ବିଦାୟକ ପଦରେ ରହିବା ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ନିର୍ବାଚନ କମିସନ୍ ସୁପାରାଶ କରିଛନ୍ତି ।
ନିର୍ବାଚନ କମିସନ୍ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏହି ବିଧାୟକମାନେ ଗୋଟିଏ ପଦବୀରେ ଥାଇ ସମସ୍ତ ସରକାରୀ ସୁବିଧା, ସୁଯୋଗ ଉପଭୋଗ କରୁଥିବା ବେଳେ ଅସାମ୍ବିଧାନିକ ଭାବେ ଦିଲ୍ଲୀ ସରକାରଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ସହାୟତା କରିବା ସକାଶେ ପାର୍ଲାମେଂଟାରୀ ସଚିବ ଭାବେ ନିଯୁକ୍ତି ପାଇଛନ୍ତି, ଯାହାକି ସମ୍ବିଧାନ-ସମ୍ମତ ନୁହେଁ । ତେଣୁ, ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କମସନ୍ ସୁପାରିଶ କରୁଛି । ନିର୍ବାଚନ କମିସନଙ୍କ ଏହି ସୁପାରିଶ କାର୍ଯ୍ୟକାରୀ ହେବା ଏକ ପ୍ରକାର ନିଶ୍ଚିତ ଥିବାରୁ ଦିଲ୍ଲୀ ବିଧାନସଭା ପାଇଁ ଅତିଶୀଘ୍ର ଏକ ଛୋଟକାଟିଆ ନିର୍ବାଚନ ହେବା ଆଶା କରାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିର୍ବାଚନ ସମୟରେ ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁ କାର୍ଯ୍ୟକାରୀ କରିବା ସକାଶେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହାୟତା ପାଇଁ ୨୧ ଜଣ ଦଳୀୟ ବିଧାୟକଙ୍କୁ ପାର୍ଲାମେଂଟାରୀ ସଚିବ ଭାବେ ନିଯୁକ୍ତି ଦେଇ ବିବାଦ ଘେରକୁ ଆସିଥିଲେ । ତକ୍ରାଳୀନ ଦିଲ୍ଲୀ ଲେଫ୍ଟନାଂଟ ଗଭର୍ଣ୍ଣର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଅସାମ୍ବିଧାନିକ ଦାର୍ଶାଇ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିସନଙ୍କ ନିକଟକୁ ପଠାଇ ଦେଇ ଥିଲେ । ତେବେ, ପାର୍ଲମେଂଟାରୀ ସଚିବ ଭାବେ ନିଯୁକ୍ତ ୨୧ ବିଧାୟକଙ୍କୁ କୌଣସି ଅତିରିକ୍ତ ସରକାରୀ ସୁବିଧା ଦିଆ ଯାଉ ନାହିଁ । ସେମାନେ କୌଣସି ଆର୍ଥିକ ପ୍ରୋତ୍ସାହନ ବା ସରକାର ସୁବିଧା ନ ନେଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନମଂଗଳ କାର୍ଯ୍ୟର ତଦାରଖରେ ସଂପୃକ୍ତ ମନ୍ତ୍ରୀମାନଙ୍କୁ ସହାୟତା କରିବା ସକାଶେ ନିଯୁକ୍ତି ପାଇଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ଦ୍ୱାରା ତାହା ଗ୍ରହଣୀୟ ହୋଇ ନ ଥିଲା । ଶୁକ୍ରବାର (୧୯ ତାରିଖ) ନିର୍ବାଚନ କମିସନ୍ ସଂପୃକ୍ତ ୨୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସକାଶେ ରାଷ୍ଟ୍ରପତିଙ୍କୁ ସୁପାରିଶ କରି ନିଜର ମତ ସ୍ପଷ୍ଟ କରି ଦେଇଛନ୍ତି । ତେବେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନ ସଭାରେ ‘ଆପ୍’ ବିଧାୟକଙ୍କ ସଂଖ୍ୟା ୬୭ ଥିବାରୁ ନିର୍ବାଚନ କମିସନଙ୍କ ଏହି ସୁପାରିଶ କାର୍ଯ୍ୟକାରୀ ହେଲେ ବି କେଜରିୱାଲ ସରକାରଙ୍କ ପାଇଁ କିଛି ଫରକ ପଡିବ ନାହିଁ ।
ନିର୍ବାଚନ କମିସନଙ୍କ ଏହି ସୁପାରିଶ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ‘ଆପ୍’ର ଜଣେ ମୁଖପାତ୍ର କହିଛନ୍ତି ଯେ, ଦଳ ନିର୍ବାଚନ କମିସନ୍ ଙ୍କ ସୁପାରିଶ ସଂପର୍କରେ ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥାର ଖବରରୁ ସୂଚନା ପାଇଛି । ପ୍ରତ୍ୟକ୍ଷ ଭାବେ ନିର୍ବାଚନ କମିସନଙ୍କ ଠାରୁ କୌଣସି ସୂଚନା ପାଇ ନାହିଁ । ତେବେ, ନିର୍ବାଚନ କମିସନଙ୍କ ଏହି ସୁପାରିଶକୁ ରଦ୍ଦ କରାଯିବା ସକାଶେ ଦିଲ୍ଲୀ ହାଇକୋର୍ଟରେ ଦଳ ଆବେଦନ କରିବ । ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗରେ ଅଭିଯୁକ୍ତ ବିଧାୟକମାନଙ୍କୁ ସଫେଇ ରଖିବାର ସୁଯୋଗ ନ ଦେଇ ନିର୍ବାଚନ କମିସନ ଏକପାଖିଆ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଜଣେ ପାର୍ଲାମେଂଟ ସଦସ୍ୟ ବା ବିଧାୟକ ଗୋଟିଏ ସରକାରୀ ପଦବୀରେ ଥାଇ ଅନ୍ୟ କୌଣସି ଆର୍ଥିକ ବା ଅନ୍ୟ କିଛି ପ୍ରୋତ୍ସାହନ ଥିବା ପଦ, ପଦବୀରେ ନିଯୁକ୍ତିକୁ ଗ୍ରହଣ କରିବା ସାମ୍ବିଧାନିକ ଦୃଷ୍ଟିରୁ ଅସିଦ୍ଧ । କେବଳ ଆର୍ଥିକ ପ୍ରୋତ୍ସାହନ ନୁହେଁ; ଅଫିସ୍ କରିବାକୁ ଜାଗା, ସରକାରୀ ଘର ବା ସରକାରୀ କାର୍ ମଧ୍ୟ ନେବା ‘ଅଫିସ୍ ଅଫ୍ ପ୍ରଫିଟ୍’ ଭାବେ ଗ୍ରହଣ କରାଯିବ । ସଂପୃକ୍ତ ଏମ୍ପି ବା ବିଧାୟକଙ୍କୁ ସମ୍ବିଧାନ ଅନୁଯାୟୀ ‘ଅଯୋଗ୍ୟ’ ଘୋଷଣା କରା ଯାଇ ପାରିବ । ୨୦ ‘ଆପ୍’ ବିଧାୟକ ଏହି ସାମ୍ବିଦାନିକ ମର୍ଯାଦା ଉଲଂଘନ କରି ଥିବାରୁ ସେମାନଙ୍କୁ ବିଧାୟକ ପଦରୁ ବରଖାସ୍ତ ପାଇଁ ସୁପାରିଶ କରାଯାଇଥିବା କମିସନ୍ ପକ୍ଷରୁ କୁହାଯାଇଛି । ତେବେ, ମୁଖ୍ୟ ନିର୍ବାଚନ କମିସନର (ସିଇସି) ଏ.କେ.ଜୋତି ଅବସର ଗ୍ରହଣ କରିବାକୁ ମାତ୍ର ତିନି ଦିନ ଥିବା ବେଳେ ‘ଆପ୍’ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ବିଭିନ୍ନ ମହଲରେ ଭୃକୁଂଚନ ସୃଷ୍ଟି କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS