ଗଣତନ୍ତ୍ରର କଂଠରୋଧ ଚାଲିଛି, ଖୁସୀ ହେବା ନା ଦୁଃଖ କରିବା ?
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୨ ଜାନୁୟାରୀ: ଦେଶରେ ଜନରାଜ୍ୟ ଦିବସ ପାଳନ କରିବାକୁ ମାତ୍ର ତିନି ଦିନ ବାକି ରହିଛି । ଭାରତ ଏକ ବୃହତ୍ତମ ଗଣତନ୍ତ୍ର ଭାବରେ ୧୦ ଜଣ ଏସୀୟ ରାଷ୍ଟ୍ର ମୁଖ୍ୟଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ଏସୀୟ ରାଷ୍ଟ୍ର ମୁଖ୍ୟମାନେ ମୁଖ୍ୟ ଅତିଥି ଭାବେ ଜନରାଜ୍ୟ ଦିବସ ଉତ୍ସବରେ ଯୋଗ ଦେବା ଭାରତୀୟ ବିଦେଶ ନୀତି ଓ କୂଟନୀତିର ବିଜୟ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଚୀନ ଓ ଅନ୍ୟ ପଟେ ପାକିସ୍ତାନ ଭାରତକୁ ଗିଳି ଦେବା ପାଇଁ ଦୁଇ ସୀମାନ୍ତରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ସହ ସୁଯୋଗ ପାଇବା ମାତ୍ରେ ଆକ୍ରମଣର ଯୋଜନା କରୁଥିବା ବେଳେ ସେମାନଙ୍କୁ ଉଚିତ ଜବାବ ଦେବା ସକାଶେ ଭାରତର ଏହା କୌଶଳ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ସର୍ଜିକାଲ ଷ୍ଟାଇକ୍ ମାଧ୍ୟମରେ ଶତୃ ପକ୍ଷଙ୍କ ଆତଙ୍କରାଜର ଉପଯୁକ୍ତ ଜବାବ ଦେଇ ଭାରତୀୟଙ୍କ ମନରେ ବିଶ୍ୱାସ ଜାଗ୍ରତ କରି ପାରିଛନ୍ତି, ଏହା ନିଃସନେ୍ଦହରେ କୁହାଯାଇପାରେ । ତେବେ, ଘର ଭିତରେ କଣ ଚାଲିଛି? ବିଶୃଙ୍ଖଳାର ବାତାବରଣ ପଛରେ କେଉଁମାନଙ୍କ ହାତ ରହିଛି ?? ଏହି ପ୍ରଶ୍ନ ସ୍ୱତଃ ମନରେ ଜାଗ୍ରତ ହେଉଛି । ୨୬ ତାରିଖ ଆଉ ଗୋଟିଏ ଜନରାଜ୍ୟ ଦିବସ ପାଳନ କରିବା ପୂର୍ବରୁ ଆତ୍ମସମୀକ୍ଷା ଯେ ଜରୁରୀ, ତାହା ଆମେ କହିବାକୁ ଚାହୁଁଛୁ ।
କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ସଂଖ୍ୟାଲଘୁ ପ୍ରୀତି କଥା ଉଠୁ ଥିଲା । ପାକିସ୍ତନ ଆତଙ୍କବାଦକୁ ଜବାବ ଦେବାରେ ସରକାରଙ୍କ ନିଷ୍ଠାକୁ ନେଇ ସନେ୍ଦହ ପ୍ରକାଶ କରାଯାଉଥିଲା । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ପ୍ରତିଷ୍ଠା ହେବା ପରେ ପଡୋଶୀ ପାକିସ୍ତାନର ଆତଙ୍କରାଜର ଉପଯୁକ୍ତ ଜବାବ ଦିଆଯିବ ବୋଲି ଦେଶବାସୀଙ୍କ ମନରେ ବିଶ୍ୱାସ ଥିଲା । ଏହି ସରକାର ଗଲା ତିନି ବର୍ଷରୁ ଉଦ୍ଧ୍ୱର୍ ସମୟ ମଧ୍ୟରେ ପାକିସ୍ତାନ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜନତାର ବିଶ୍ୱାସକୁ ଅତୁଟ ରଖିଛନ୍ତି । ଚୀନ ବିରୋଧରେ ଡ଼ୋକଲମରେ ଭାରତୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ବିଶ୍ୱବାସୀଙ୍କୁ ଚକିତ କରିଛି । ପାକିସ୍ତାନ ଓ ଚୀନ ମିଳିତ ଭାବେ ଭାରତକୁ ଭୟଭୀତ କରି ଏହାର ଶକ୍ତିକୁ ଖଣ୍ଡିତ କରିବା ପାଇଁ ଚଳାଇ ଥିବା ଉଦ୍ୟମର ଉଚିତ ଜବାବ ଦିଆଯାଉଛି । ଅର୍ଥନୀତି କ୍ଷେତ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ବିମୁଦ୍ରାକରଣ ପଦକ୍ଷେପ ଏବଂ ସମଗ୍ର ଦେଶ ପାଇଁ ଏକକ ଟିକ ବ୍ୟବସ୍ଥା (ଜିଏସଟି) ବିତର୍କର ବାତାବରଣ ସୃଷ୍ଟି କରିଛି ସତ, କିନ୍ତୁ କଳାଧନକୁ ଖୋଜି ବାହାର କରିବାର ଉଦେ୍ଦଶ୍ୟକୁ ଜନସମର୍ଥନ ମିଳିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ଗୋଟିଏ ପରେ ଗୋଟିଏ ରାଜ୍ୟ ହୋଇ ଦେଶର ୧୯ଟି ରାଜ୍ୟ ବିଜେପି ହାତକୁ ଯିବା । କଂଗ୍ରେସର କ୍ଷମତା ସଂକୁଚିତ ହୋଇ ଆଙ୍ଗୁଠି ଗଣତି ରାଜ୍ୟରେ ସୀମିତ ରହିଯିବା । ପୂର୍ବ ଭାରତ ଦେଇ ସମଗ୍ର ଦେଶକୁ ଗେରୁଆ ରଂଗରେ ରଂଗିତ କରିବାକୁ ନରେନ୍ଦ୍ର ମୋଦୀଙ୍କ ଯୋଜନା କୌଣସି ପ୍ରକାର ବାଧାବିଘ୍ନ ମାନିବାକୁ ପ୍ରସ୍ତୁତ ନ ଥିବା ଦେଖିବାକୁ ମିଳୁଛି । ଏବେ ଚିନ୍ତାର କାରଣ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚାଭିଳାଷରୁ ସୃଷ୍ଟି ହୋଇଥିବା ଅଦମନୀୟ ଅବସ୍ଥା । ରାଜ୍ୟ ଦଖଲ ହେଉ ବା ସାଂବିଧାନିକ ଅନୁଷ୍ଠାନକୁ ନିଜ ନିୟନ୍ତ୍ରଣରେ ପରିଚାଳିତ କରିବାକୁ ହେଉ ମୋଦୀ ସରକାର ଯେଭଳି ଉଗ୍ର ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଚନ୍ତାର କାରଣ ହୋଇଛି । ସରକାରଙ୍କ କୂଟନୀତି କାହାରି ନିକଟରେ ଆଉ ଅଛପା ରହୁନି ।
ଏଠାରେ ଗୁଜରାଟ ବିଧାନସଭା ନିର୍ବାଚନ କଥାର ଦୃଷ୍ଟାନ୍ତ ଦିଆ ଯାଇ ପାରେ । ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଜନ୍ମମାଟି । ୨୦୦୨ରୁ ରାଜ୍ୟରେ ବିଜେପି ଶାସନ ଚାଲିଛି । ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୭ ବିଧାନସଭା ନିର୍ବାଚନରେ ରାଜ୍ୟର ୧୮୨ଟି ବିଧାନ ସଭା ଆସନରୁ ୧୫୦ଟି ବିଜେପି କବ୍ଚାକୁ ଆସିବ ବୋଲି ଉଭୟ ମୋଦୀ ଓ ଶାହା ଆକଳନ କରିଥିଲେ । ତେବେ, ରାଜ୍ୟରେ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ଏତେ ପ୍ରବଳ ଥିଲା ଯେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରର ଶେଷ ଭାଗରେ ‘ବିକାଶ’ରୁ ବାଟବଣା ହୋଇ ପାକିସ୍ତାନ ଆଡକୁ ଚାଲି ଯାଇଥିଲେ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ପୂର୍ବତନ ସେନାଧ୍ୟକ୍ଷଙ୍କ ସମେତ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଗୁଜରାଟରେ ବିଜେପିକୁ କ୍ଷମତାଚ୍ୟୁତ କରିବା ସକାଶେ ପାକିସ୍ତାନୀ କୂଟନୀତିଜ୍ଞଙ୍କ ସହ ଗୋପନ ବୈଠକ କରିଥିବା ଏବଂ ତାହା ମଧ୍ୟ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ହୋଇଥିବା ଗୁଜରାଟର ବିଭିନ୍ନ ନିର୍ବାଚନ ସଭାରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଥିଲେ, ଯାହାକି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା । ଏହାକୁ ନେଇ ପାର୍ଲାମେଂଟରେ ଅଚଳାବସ୍ଥା ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀ ଏଭଳି ଭିତ୍ତିହୀନ ମନ୍ତବ୍ୟ ପାଇଁ ଗୃହକୁ ଆସି କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ଅଡି ବସିଥିଲେ । ଶେଷରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଂକାୟା ନାଇଡୁ କଥାକୁ ସମ୍ଭାଳିବାକୁ ଯାଇ ପ୍ରଧାନମନ୍ତ୍ରୀ ଗୃହ ବାହାରେ ଏଭଳି ମନ୍ତବ୍ୟ ଦେଇ ଥିବାରୁ ଗୃହରେ ଆସି କ୍ଷମା ମାଗିବେ ନାହିଁ ବୋଲି ରୋକଠୋକ କହିଥିଲେ । ତେବେ, ବିରୋଧୀଙ୍କ ଚାପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ପ୍ରଧାନମନ୍ତ୍ରୀଙ୍କ ପାଇଁ ପରୋକ୍ଷରେ କ୍ଷମା ପ୍ରାର୍ଥନା କରି ପରିସ୍ଥିତି ସମ୍ଭାଳି ଥିଲେ । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ତିନି ଅଙ୍କର ଆସନ ନୁହେଁ, ଦୁଇ ଅଙ୍କରେ ସୀମିତ ରହି ଯାଇଥିିଲା ।
ଏହା ହେଉଛି ରାଜନୀତି କଥା । ଦେଶର ନାଗରିକଙ୍କ ପାଇଁ ସବୁଠୁ ବଡ ଚିନ୍ତାର କାରଣ ହୋଇଛି ସାଂବିଧାନିକ ସଂସ୍ଥା ମାନଙ୍କର କଂଠରୋଧ ଉଦ୍ୟମ । ଏହାର ତିନିଟି ଉଦାହରଣ ହେଉଛି, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ବିରୋଧରେ ଚାରି ଜଣ ବରିଷ୍ଠ ବିଚାରପତିଙ୍କ ଖୋଲା ବିଦ୍ରୋହ, ପ୍ରଖ୍ୟାତ ଚଳଚ୍ଚିତ୍ର ନିଦେ୍ର୍ଦଶକ ସଂଜୟ ଲିଳା ବଂଶାଳୀଙ୍କ କିମ୍ବଦନ୍ତୀ-ଆଧାରିତ ଏବଂ ୧୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚଳଚ୍ଚିତ୍ର ‘ପଦ୍ମାବତ୍’କୁ ନିଷିଦ୍ଧ କରାଯିବା ଦାବିରେ ବିଜେପି ଶାସିତ ରାଜ୍ୟମାନଙ୍କରେ ହିଂସାତ୍ମକ ବିରୋଧ ଏବଂ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଆପ୍)ର ୨୦ ଜଣ ବିଧାୟକଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ନ ଦେଇ ନିର୍ବାଚନ କମିସନ ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗରେ ସେମାନଙ୍କ ସଭ୍ୟ ପଦ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ଏବଂ ରାଷ୍ଟ୍ରପତିକୁ ଏହି ବିଧାୟକମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ତରବରିଆ ଭାବେ ରବିବାର (ଜାନୁୟାରୀ ୨୧ ତାରିଖ) ଛୁଟି ଦିନରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରିଦେବା ଭଳି ଘଟଣା । ସୁପ୍ରିମ କୋର୍ଟ ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ବେଂଚ୍-ଫାକ୍ସିଂ ଅଭିଯୋଗ କରି ଏହି ସର୍ବୋଚ୍ଚ ନ୍ୟାୟାଳୟର ଚାରି ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିବା ଏକ ଚରମ ବିଶଅଙ୍ଖଳା ଏବଂ ଭାରତୀୟ ଅଦାଲତୀ ିତିହାସରେ ଏକ ବିରଳ ଘଟଣା । ତେବେ, ଏହାକୁ ‘ମୁକ୍ତ ବିଚାର ବ୍ୟକ୍ତ କରିବା ଅଧିକାର’ ଭାବେ ଯୁକ୍ତି ଦର୍ଶାଯାଉଛି । ଏହା ପଛରେ ଥିବା ରାଜନୀତି ପଦାକୁ ଆସିନି ସତ, କିନ୍ତୁ ମୁଖ୍ୟ ନ୍ୟାୟାଧିଶଙ୍କୁ ସାଧାରଣରେ ନିନ୍ଦିତ କରିବା ପାଇଁ ଏହା ଏକ ଅପପ୍ରୟାସ କହିବା ଅତ୍ୟୁକ୍ତି ହେବ ନାହିଁ । ସେହିଭଳି, ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ଚିତ୍ତୋରଗଡ଼ର ମହାରାଣୀ ପଦ୍ମାବତୀଙ୍କ ମହାନତାକୁ କଳଂକିତ କଲା ଭଳି ପ୍ରଦର୍ଶନ କରାଯାଇଛି ବୋଲି ଅଭିଯୋଗ କରି ରାଜପୁତ ସଂପ୍ରଦାୟ ଏହାକୁ ବିରୋଧ କରୁଛନ୍ତି । ଦେଶର ପ୍ରାୟ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ବରିଷ୍ଠ ବିଜେପି ନେତାମାନେ ଏହି ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯିବା ଦାବୀରେ ହିଂସାତ୍ମକ ବିରୋଧକୁ ସମର୍ଥନ ଦେଇ ଗୁଣ୍ଡାରାଜକୁ ଉତ୍ସାହିତ କରିଥିବା ଉଦବେଗର ବିଷୟ ହୋଇଛି । ଜାତୀୟ ଫିଲ୍ମ ସେନସ୍ ବୋର୍ଡ ଭୟରେ ଏହି ଚଳଚ୍ଚିତ୍ରକୁ ସେନସର୍ ସାର୍ଟିଫିକେଟ୍ ନ ଦେଇ ସମୟ ଗଡାଇ ଚାଲିଥିଲେ । ଏହା ମୁକ୍ତ ବିଚାରର କଂଠରୋଧ ବୋଲି ସବୁ ମହଲରେ ଅଭିଯୋଗ କରାଯାଇ ନିନ୍ଦା କରାଯିବା ପରେ ସେନସର୍ ବୋର୍ଡ ଫିଲ୍ମର ନାମ ‘ପଦ୍ମାବତୀ’ରୁ ‘ପଦ୍ମାାବତ୍’କୁ ପରିବର୍ତନ କରାଯିବା ସହ ‘ଏହା ଇତିହାସ ଉପରେ ଆଧାରିତ ନୁହେଁ, କିମ୍ବଦନ୍ତୀ-ଉପରେ ଆଧାରତ’ ବୋଲି ‘ଡ଼ିସ୍ କ୍ଲେମର୍’ ଦେବାକୁ ସର୍ତ ରଖି ଫିଲ୍ମକୁ ସେନସର୍ ସାର୍ଟିଫିକେଟ୍ ଦେଇଛନ୍ତି । ପ୍ରଯୋଜକ ସେନସର୍ ସାର୍ଟିଫିକେଟ୍ ପାଇବା ପରେ ଜାନୁୟାରୀ ୨୫ ରେ ଫିଲ୍ମ ରିଲିଜ କରିବାକୁ ଘୋଷଣା କରିଥିବା ବେଳେ ବିଜେପି ଶାସିତ ରାଜ୍ୟ ସରକାର ଓ ରାଜସ୍ତାନର କର୍ନୀ ସେନା ୨୫ ତାରିଖ ଫିଲ୍ମ ରିଲିଜ କରାଇ ନ ଦେବା ଜିଦ୍ ରେ ଅଟଳ । ରାଜପୁତ କର୍ମୀ ସେନା ପକ୍ଷରୁ ଗୁଜରାଟ ସମେତ ବିଭିନ୍ନ ଅଂଚଳରେ ବ୍ୟାପକ ହିଂସା ଓ ଜଳାପୋଡା କାଂଡ ଚାଲିଥିବା ବେଳେ ସଂପୃକ୍ତ ରାଜ୍ୟମାନେ ନୀରବଦ୍ରଷ୍ଟା ରହି ହିଂସାତ୍ମକ ପ୍ରଦର୍ଶନକୁ ପ୍ରୋତ୍ସାହିତ କରୁଥିବା କ୍ଷୋଭର ବିଷୟ ହୋଇଛି । ଛଅଟି ବିଜେପି ଶାସିତ ରାଜ୍ୟ ନିଜ ନିଜ ରାଜ୍ୟରେ ଫିଲ୍ମ ରିଲିଜ୍ କରାଇ ନ ଦେବାକୁ ନିଷେଧାଦେଶ ଜାରି କରିବାରୁ ‘ପଦ୍ମାବତ୍’ର ପ୍ରଯୋଜକ, ନିଦେ୍ର୍ଦଶକ ଓ ମାର୍କେଟିଂ ଅଧିକାର ନେଇ ଥିବା ସଂସ୍ଥା ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଜରୁରୀ ଶୁଣାଣୀ କରି, ଯେହେତୁ ସେନସର୍ ବୋର୍ଡ ଏହି ଫିଲ୍ମକୁ ପ୍ରଦର୍ଶନ ପାଇଁ ଅନୁମତି ଦେଇ ସାର୍ଟିଫିକେଟ୍ ପ୍ରଦାନ କରିଛି, କୌଣସି ରାଜ୍ୟ ସରକାର ଏହାକୁ ନିଷିଦ୍ଧ କରିବା ଅଧିକାର ରଖି ନାହାନ୍ତି ବୋଲି ରାୟ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟ ପରେ ବିଜେପି ଶାସିତ ରାଜ୍ୟମାନେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ଘୋଷଣା କରିଥିବା ବେଳେ ରାଜପୁତ କର୍ନୀ ସେନା ହିଂସାକୁ ଯୋରଦାର କରିଛି । ୨୫ ତାରିଖ ସମଗ୍ର ଦେଶରେ ‘ପଦ୍ମାବତ୍’ ରିଲିଜ୍ ବିରୋଧରେ ‘ମାନବ କଫ୍ୟୁ’ ଜାରି କରାଯାଇ ହିଂସାର ଧମକ ଦିଆଯିବା ପରେ ଫିଲ୍ମର ନିଦେ୍ର୍ଦଶକ କର୍ନୀ ସେନା ପାଇଁ ପ୍ରଭ୍ୟୁ କରିବାକୁ ନିମନ୍ତ୍ରଣ ଦେଇଛନ୍ତି । ତେବେ, ତାହା କେତେଦୂର ଗ୍ରହଣୀୟ ହେଉଛି ଜଣାପଡି ନାହିଁ । ମଜା କଥା ହେୁଛି, ଯେଉଁମାନେ ବର୍ଷାଧିକ କାଳ ହେଲା ଏହି ଫିଲ୍ମକୁ ବିରୋଧ କରି ଆସୁଛନ୍ତି ସେମାନେ ଆଜି ସୁଦ୍ଧା ଫିଲ୍ମରେ କଣ ଅଛି ଦେଖି ନାହାନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶ ସ୍ପଷ୍ଟ ହୋିଥିବା ସତ୍ୱେ ତାହାର ଯେଭଳି ଅବମାନନା କରାଯାଉଛି ଏବଂ ହିଂସାକୁ ପେଆତ୍ସାହିତ କରାଯାଉଚି ତାହା ଦେଶର ସମ୍ମାନ ଏବଂ ଆଇନକାନୁନ ପ୍ରତି ଖୋଲା ଅବମାନନା କହିବା ଭୁଲ ହେବ ନାହିଁ ।
ଗଣତନ୍ତ୍ରର ହତ୍ୟା ସଂପର୍କୀତ ତୃତୀୟ ଉଦାହରଣ ହେଉଛି ସବୁଠାରୁ ଅଧିକ ସ୍ପର୍ଶକାତର । ଦିଲ୍ଲୀରେ ‘ଆମ୍ ଆଦମୀ ପାର୍ଟି’ ସରକାର ଗଠନ ଦିନ ଠାରୁ କେନ୍ଦ୍ର ସରକାରଙ୍କ ଅହସଯୋଗର ସମ୍ମୁଖୀନ ହୋଇ ଆସୁଛି । ଦିଲ୍ଲୀକୁ ରାଜ୍ୟ କୁହା ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କର୍ତୃତ୍ୱ ସୀମିତ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଲେଫ୍ଟନାଂଟ୍ ଗଭର୍ଣ୍ଣର ସର୍ବେସର୍ବା । ‘ଆପ୍’ ସରକାର ଯେତେବେଳେ ଯାହା ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଚାହିଁଛନ୍ତି କୌଣସି ନା କୌଣସି ଆଳ ଦେଖାଇ ଏଲ. ଜି ମାନେ ତାହାର ବିରୋଧ କରି ଆସିଛନ୍ତି । ୨୦ ‘ଆପ୍’ ବିଧାୟକଙ୍କ ବିରୋଧରେ ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗ ଆଣି ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଇବା ସେଥିରୁ ଅନ୍ୟତମ । ଦିଲ୍ଲୀବାସୀଙ୍କ ପାଇଁ ଚାଲି ଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ ଦିଲ୍ଲୀ ମୁଖ୍ୟୃମନ୍ତ୍ରୀ ସଂପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ଅଧିନରେ ଜଣେ ଲେଖାଏଁ ସହଯୋଗୀଙ୍କୁ ନିଯୁକ୍ତି ଦେଲେ । ସେମାନଙ୍କୁ ପାର୍ଲାମେଂଟାରୀ ସଚିବ ପାହ୍ୟା ଦିଆ ଗଲା । ସେମାନେ ଟଙ୍କାଟିଏ ବି ଦରମା ବା ଅନ୍ୟ କୌଣସି ସରକାରୀ ସୁବିଧା ନେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଥମରୁ ନିଯୁକ୍ତିପତ୍ରରେ ସ୍ପଷ୍ଟ କରି ଦେଇ ଥିଲେ । ତେବେ, ଏହା ‘ଅଫିସ ଅଫ୍ ପ୍ରଫିଟ୍’ ଆଇନ ପରିସରରେ ଆସୁଛି କହି ଏଲ.ଜି ବା କୋର୍ଟ ଅନୁମୋଦନ ଦେଲେ ନାହିଁ । ତେଣୁ, କିଚି ମାସ କାର୍ଯ୍ୟ କରିଥିବା ବିଧାୟକମାନେ ସଂପୃକ୍ତ ପଦବୀରୁ ହଟି ଗଲେ । ତେବେ, କେନ୍ଦ୍ର ସରକାର ନିଜ ଜିଦ୍ କୁ କାର୍ଯ୍ୟକାରୀ କରିବା ପାଇଁ ଅଭିଯୋଗ ନିର୍ବାଚନ କମିସନ୍ଙ୍କ ନିକଟକୁ ପଠାଇ ଦେଲେ ଏବଂ କମିସନ ଗଲା ଶୁକ୍ରବାର ଦିନ ଏହି ବିଧାୟକମାନଙ୍କ ସଭ୍ୟ ପଦ ରଦ୍ଦ କରିବା ସକାଶେ ରାଷ୍ଟ୍ରପତିଙ୍କୁ ସୁପାରିଶ କରି ଦେଲେ । ବିଧାୟକମାନଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦିନ ସେମାନେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ତୁରନ୍ତ କୌଣସି ରିଲିଫ ନଦେଇ ନିର୍ବାଚନ କମିସନକୁ କେତେକ ସ୍ପଷ୍ଟିକରଣ ମାଗି ଥିଲେ । ସେମାବାର ଏହାର ପରବର୍ତୀ ଶୁଣାଣୀ ହେବାକୁ ଥିଲା । ଶନିବାର ଦିନ ବିଧାୟକମାନେ ରାଷ୍ଟ୍ରପତିଙ୍କୁ ଗୁହାରି ଜଣାଇବା ପାଇଁ ସମୟ ମାଗି ଥିଲେ । ତେବେ, ରାଷ୍ଟ୍ରପତି ଗୁହାରୀ ଶୁଣିବାକୁ ସମୟ ଦେବା ଦୂରେ ଥାଉ ରବିବାର ଦିନ ବିଧାୟକମାନଙ୍କ ସଭ୍ୟ ପଦ ରଦ୍ଦ କରି ଦେଲେ । ନିର୍ବାଚିତ ପ୍ରତିନିଧିଙ୍କ ଗୁହାରୀ ଥରଟିଏ ଶୁଣିବା ପରେ ଯଦି ରାଷ୍ଟ୍ରପତି ସେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥା’ନ୍ତେଳ କାହାରି ଆଂଗୁଠି ଉଠି ନଥା’ନ୍ତା । ତାହା ନ ହେବା ମାନବିକତା ପ୍ରତି କୁଠାରାଘାତ ବୋଲି ଆଲୋଚନା ହେଉଛି । ମୁଖ୍ୟ ନିର୍ବାଚନ କମିସନର ଓ ରାଷ୍ଟ୍ରପତିଙ୍କ ପ୍ରତି ଅବିଶ୍ୱାସ ଭାବ ସୃଷ୍ଟିି ହେବା ଗଣତନ୍ତ୍ର ପ୍ରତି ସବୁଠାରୁ ବଡ ବିପଦ । ଏହି ପୃଷ୍ଠଭୂମୀରେ ଦେଶ ୨୦୧୮ର ଜନରାଜ୍ୟ ଦିବସ ପାଳନ କରିବାକୁ ଯାଉଛି । ଦେଶ ପ୍ରତି ବାହ୍ୟ ବିପଦ ଦୃଶ୍ୟମାନ । କିନ୍ତୁ, ଆଭ୍ୟନ୍ତରୀଣ ବିପଦ ଦୃଶ୍ୟମାନ ନ ହୋଇ ଘାତକ ସାବ୍ୟବସ୍ତ ହୋଇଥାଏ । ତେଣୁ, ଗଣତନ୍ତ୍ର ପ୍ରେମୀ ଚିନ୍ତିତ ହେବା ସ୍ୱାଭାବିକ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS