ଟିକିରି ରାସ୍ତାରେ ଯାଉଛି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ !
– ପ୍ରସାଦ ରାଓ –
ଭୁବନେଶ୍ୱର, ୧୪ ମାର୍ଚ୍ଚ : କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାର ତଦନ୍ତ ଠିକ୍ ଟିକିରି ରାସ୍ତାରେ ଯାଉଛି । ଉଭୟ ଘଟଣାର ତଦନ୍ତ ଦାୟିତ୍ୱ ରାଜ୍ୟ କ୍ରାଇମ୍ ବ୍ରାଂଚ ଉପରେ ନ୍ୟସ୍ତ ଥିଲା । ଟିକିରି ଘଟଣାରେ ରାଜ୍ୟ କ୍ରାଇମ ବ୍ରାଂଚ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବାରେ ବିଫଳ ହେବାରୁ ସିବିଆଇ ଦ୍ୱାରା ମାମଲାର ତଦନ୍ତ କରାଯାଇଥିଲା । ସିବିଆଇ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଖୋଜି ବାହାର କରିବା ଦୂରେ ଥାଉ, ଚିହ୍ନଟ କରିବାରେ ମଧ୍ୟ ବିଫଳ ହେଲେ । ଶେଷରେ, ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଇଥିବା ସୁପ୍ରିମ କୋର୍ଟଙ୍କ ନିକଟରେ ମାମଲାର ତଦନ୍ତ ବନ୍ଦ କରିବାକୁ ଅବେଦନ କରି କୋର୍ଟ ନିଦେ୍ର୍ଦଶରେ ତଦନ୍ତ କାର୍ଯ୍ୟରୁ ନିସ୍ତାର ପାଇଛନ୍ତି । ସବୁଦିନ ପାଇଁ ଟିକିରି ଶିକ୍ଷା ସହାୟିକା ଇତିଶ୍ରୀ ପ୍ରଧାନଙ୍କୁ ଯୌନ ନିର୍ଯ୍ୟାତନା ଓ ଶେଷରେ କିରାସିନୀ ଢାଳି ପୋଡି ମାରି ଦିଆଯିବା ଘଟଣାର ତଦନ୍ତରେ ପୂର୍ଣ୍ଣଛେଦ ପଡିଛି । ବର୍ତମାନ କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା ତଦନ୍ତର ଗତି ଏକା ଭଳି ପୂର୍ଣ୍ଣଛେଦ ପଡିବାକୁ ଯାଉଥିବା ଜଳ ଜଳ ଦିଶୁଛି । ରାଜ୍ୟ ପୁଲିସ ଓ କ୍ରାଇମ ବ୍ରାଂଚ କୁନ୍ଦୁଲି ଗଣ ଦୁଷ୍କର୍ମ ଅଭିଯୋଗକୁ ‘ମିଛ’ ସାବ୍ୟସ୍ତ କରିବା ପାଇଁ ମୂଳରୁ ଉଦ୍ୟମ କରି ଆସୁଥିଲେ । ସୋମବାର ଦିନ କଲିକତା ସ୍ଥିତ କେନ୍ଦ୍ରୀୟ ଫେରେନ୍ସିକ ସାଇନ୍ସ ଲାବରୋଟୋରୀ (ସିଏଫଏସଏଲ) ପୀଡ଼ିତା ନାବାଳିକା ଜଣକ କଥିତ ଗଣଦୁଷ୍କର୍ମ ସମୟରେ ପିନ୍ଧି ଥିବା ଅନ୍ତର୍ବାସର ଯାଂଚ କରି ସେଥିରେ କାହାରି ବୀର୍ଯ୍ୟ ବା ସିମେନ୍ ର ଉପସ୍ଥିତି ନାହିଁ, ଯାହା ଦାଗ ରହିଛି ନାବାଳିକାଙ୍କ ଶରୀରରୁ ନିର୍ଗତ ତରଳ ପଦାର୍ଥର ବୋଲି ରିପୋର୍ଟ ଦେବା ପରେ ପୁଲିସ କାହାଣୀ ଅଧିକ ମଜଭୁତ ହୋଇଛି । ରାଜ୍ୟ ସରକାର ଏହି ମାମଲାର ବିଚାର ବିଭାଗୀୟ ଓ ଏସଆଇଟି ତଦନ୍ତ କରାଉ ଥିଲେ ମଧ୍ୟ ଫଳାଫଳ ଟିକିରି ଘଟଣାରେ ସିବିଆଇ ତଦନ୍ତ ଭଳି ହେବା ନିଶ୍ଚିତ ବୋଲି ଜଣାପଡୁଛି ।
ଏବେ ପ୍ରଶ୍ନ ଉଠୁଛି, କୁନ୍ଦୁଲିର ଆଦିବାସୀ ନାବାଳିକାକୁ ଗତ ବର୍ଷ ଅକ୍ଟୋବର ମାସ ୧୦ ତାରିଖ ମଧ୍ୟାହ୍ନରେ ଯଦି ଗଣ ଦୁଷ୍କର୍ମ ହୋଇ ନଥିଲା, ତେବେ କଣ ହୋଇଥିଲା? ପୁଲିସ ନାବାଳିକାକୁ ଦୀର୍ଘ ଦିନ ନିଜ ହେପାଜତରେ ରଖିି ଚିକିତ୍ସା କରାଇ ଥିଲେ ମଧ୍ୟ ପରେ ଏହା ଗଣଦୁଷ୍କର୍ମ ନୁହେଁ କହି ନାବାଳିକାର ଅଭିଯୋଗକୁ ‘ମିଛ’ ବୋଲି କହିବାକୁ ପଛାଇ ନ ଥିଲେ । ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା ଜଣକ ରାଜ୍ୟ ପୁଲିସ ମୁଖ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ କରି ମାମଲା ପ୍ରତ୍ୟାହାର ପାଇଁ ତାଙ୍କୁ ପୁଲିସ ମୋଟା ଅଙ୍କର ଅର୍ଥ ଯାଚି ଥିଲା ବୋଲି କହିବାକୁ ପଛାଇ ନ ଥିଲେ । ଏପରିକି, ତାଙ୍କ ଅଭିଯୋଗ ଯଦି ମିଛ ହୋଇଥିବ, ତାଙ୍କୁ ଫାସୀ ଦିଆଯାଉ ବୋଲି ମଧ୍ୟ ସେ ଚ୍ୟାଲେଂଜ କରିଥିଲେ । ଶେଷରେ, ସରକାର ଓ ପୁଲିସ ତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଦର୍ଶାଇ ଗଣେଶ ପୂଜା ଦିନ ସେ ବେକରେ ଓଢଣୀ ଗୁଡାଇ ଆତ୍ମହତ୍ୟା କରିଥିଲେ । ପୀଡ଼ିତା ନାବାଳିକାଙ୍କ ମୃତ୍ୟୁ ପରେ ରାଜ୍ୟ ପୁଲିସ କର୍ତୃପକ୍ଷ ତୁରନ୍ତ ରାଜ୍ୟ ଫେରେନ୍ସିକ ସାଇନ୍ସ ଲାବରୋଟୋରୀ (ଏସଏଫ ଏସଏଲ)ର ଯାଂଚ ରିପୋର୍ଟ ସର୍ବ ସମ୍ମୁଖରେ ଉପସ୍ଥାପନ କରି ପୀଡ଼ିତା ଜଣକ ଘଟଣା ସମୟରେ ପିନ୍ଧି ଥିବା ଅନ୍ତର୍ବାସରେ କୌଣସି ପ୍ରକାର ରକ୍ତ ମିଶ୍ରିତ ବିର୍ଯ୍ୟର ଉପସ୍ଥିତି ନଥିବା ଦର୍ଶାଇ ମୃତ ନାବାଳିକାକୁ ମିଥାବାଦୀ ପ୍ରମାଣିତ କରିବାକୁ ପଛାଇ ନ ଥିଲେ । ଗଣଦୁଷ୍କର୍ମ ଅଭିଯୋଗ ହେବାର ଗୋଟିଏ ସପ୍ତାହ ପରେ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବରୋଟୋରୀରୁ ମିଳିଥିବା ଅନ୍ତଃବସ୍ତ୍ରର ଯାଂଚ ରିପୋର୍ଟରେ ଦୁଇ ଜଣ ବ୍ୟକ୍ତିଙ୍କ ଅଲଗା ଅଲଗା ଗୃପର ରକ୍ତମିଶ୍ରିତ ବୀର୍ଯ୍ୟ ଛିଟାର ଉପସ୍ଥିତି ଥିବା ଦର୍ଶା ଯାଇଥିବା ବେଳେ ଚୂଡାନ୍ତ ରିପୋର୍ଟ କେମିତି ବଦଳି ଗଲା, ସେ ନେଇ ପ୍ରଶ୍ନ ଉଠିବାରୁ ତାହାର ନିରପେକ୍ଷ ଯାଂଚ ଆଳରେ କୋଲକତା ସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ ସାଇନ୍ସ ଲାବରୋଟୋରୀକୁ ପଠା ଯାଇ ଥିଲା । ଗଲା ସୋମବାର (୧୨ ତାରିଖ) ସିଏଫଏସଏଲର ରିପୋର୍ଟ ମିଳିଛି । ଏହି ଯାଂଚ ରିପୋର୍ଟ ରାଜ୍ୟ ସରକାରଙ୍କ ଏସଏଫଏସଏଲର ଚୂଡାନ୍ତ ରିପୋର୍ଟ ସହ ମେଳ ଖାଉ ଥିବାରୁ ରାଜ୍ୟ କ୍ରାଇମ ବ୍ରାଂଚ ନାବାଳିକାର ଅଭିଯୋଗକୁ ମିଛ ସାବ୍ୟସ୍ତ କରିବାକୁ ଅଧିକ ବଳ ପାଇଛନ୍ତି । ରାଜ୍ୟବାସୀ ମଧ୍ୟ ଏବେ ପୁଲିସ ଥିଓରୀକୁ ମାନି ନେବାକୁ ବାଧ୍ୟ । ତେବେ, ବାସ୍ତବରେ ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ କଣ ଘଟିଲା ଏବଂ ନାବାଳିକା ଜଣକ କେଉଁ ପରିସ୍ଥିତିରେ ତା’ ପ୍ରତି ୪ ଜଣ ଯବାନ ପୋଷାକ ପିନ୍ଧି ଥିବା ବ୍ୟକ୍ତି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣି ରାଜ୍ୟବ୍ୟାପୀ ଚହଲ ସୃଷ୍ଟି କଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଉଭୟ ପୁଲିସ ଓ ରାଜ୍ୟ କ୍ରାଇମ୍ ବ୍ରାଂଚ ମାମଲାର ତଦନ୍ତ କରି ଥିବାରୁ ବାସ୍ତବ ସତ୍ୟ ଲୋକଲୋଚନକୁ ଆଣିବାରେ କୁଣ୍ଠିତ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ହେଲାଣି ।
ଗତ ସପ୍ତାହରେ ନାବାଳିକାର ମା’ଙ୍କ ସମେତ ପରିବାର ସଦସ୍ୟମାନେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ସହ ଦିଲ୍ଲୀ ଯାଇ ମାମଲାର ସିବିଆଇ ତଦନ୍ତ ଦାବିରେ ସେଠାରେ ଧାରଣା ଦେଇଥିଲେ । ସିଏଫଏସଏଲର ଯାଂଚ ରିପୋର୍ଟକୁ ମଧ୍ୟ ସେମାନେ ଗ୍ରହଣ କରିବକୁ ପ୍ରସ୍ତୁତ ନୁହନ୍ତି । ନାବାଳିକାର ମା’ ତାଙ୍କ ଝିଅ ପ୍ରତି ଗଣଦୁଷ୍କର୍ମ ହୋଇ ଥିବା ଅଭିଯୋଗକୁ ବାରମ୍ବାର ଦୋହରାଇ ପୁଲିସର ‘ମିଛ’ ଥିଓରୀକୁ ‘ମିଛ’ ସାବ୍ୟସ୍ତ କରିବାକୁ ପଛାଉ ନାହାନ୍ତି । ରାଜ୍ୟ ସରକାର ନିଜକୁ ‘ସତୀ’ ସାବ୍ୟସ୍ତ କରିବାକୁ ଯେତେ ଦଲିଲ ଦେଲେ ବି ବାସ୍ତବ ସତ୍ୟ କର, ତାହା ପ୍ରକାଶ କରାଯାଉ ନ ଥିବାରୁ ପୁଲିସ ଓ ସରକାରଙ୍କ ପ୍ରତି ଜନସାଧାରଣରେ ସନେ୍ଦହ ଅଧିକ ଘନୀଭୂତ ହେଉଛି । ବିଜେପୁର ଉପ ନିର୍ବାଚନ ପରାଜୟ ପରେ ରାଜ୍ୟ ବିଜେପିର ଚେହେରା ମଳିନ ପଡି ଯାଇ ଥିବାରୁ କୁନ୍ଦୁଲି ଘଟଣାରେ ସରକାରଙ୍କ ସଦ୍ୟ ଖୁଲାସାକୁ ନେଇ ସେଭଳି କିଛି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ତେବେ, ଏହି ମାମଲାର ତଦନ୍ତ ଚାଲି ଥିବାରୁ ସିଏଫଏସଏଲ ରିପୋର୍ଟ ଖୁଲାସା କରିବା ସରକାରଙ୍କ ଅଜ୍ଞତାର ପରିଚୟ ଦେଉଛି ବୋଲି ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ମିଡ଼ିଆକୁ କହିଛନ୍ତି । କିନ୍ତୁ, ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ନେତାମାନେ ଏହି ଇସ୍ୟୁକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ପୁଣି ଥରେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ବିରୋଧୀଙ୍କ ପାଇଁ ସରକାର ବିରୋଧୀ ପ୍ରଚାରର ବିଷୟ ବସ୍ତୁ ହେବ। ତେଣେୁ, ତଦନ୍ତ ଚାଲି ଥିବା ବାହାନା ଦେଖାଇ ରାଜ୍ୟ ସରକାର ଚୁପ୍ ରହିବା ଅପେକ୍ଷା ବାସ୍ତବ୍ୟ ସତ୍ୟ ଲୋକ ଲୋଚନକୁ ଆଣିବା ଅଧିକ ବୁଦ୍ଧିମତ୍ତାର ପରିଚୟ ହେବ । ପୁଲିସର ମନୋବଳ ଭାଙ୍ଗି ଯିବା ଭୟରେ ଯଦି ସରକାର ବାସ୍ତବ ତଥ୍ୟ ଲୁଚାଇବାକୁ ଉଦ୍ୟମ କରନ୍ତି, ତାହା ସରକାରଙ୍କ ପ୍ରତି ‘ବୁମେରାଂ’ ହେବା ନିଶ୍ଚିତ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS