ଓଜେଏସ୍ ଅନୁପମା ବେହେରା ହତ୍ୟାକାଣ୍ଡ, ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ
କଟକ, ମାର୍ଚ୍ଚ ୨୯ (ମୋ ଅନୁଭବ): ୨୦୧୩ ମାର୍ଚ୍ଚ ୧୫ ତାରିଖରେ ବାଲେଶ୍ୱର ସହରରେ ଘଟି ଥିବା ବହୁ ଚର୍ଚ୍ଚିତ ଅନୁପମା ବେହେରା (ଓଜେଏସ୍) ହତ୍ୟାକାଣ୍ଡର ରାୟ ବୁଧବାର ପ୍ରକାଶ ପାଇଛି । କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ବିଚାରପତି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଦୁଇ ଭାଇ ଜ୍ୟୋତି ରଂଜନ ମହାନ୍ତି ଓ ପ୍ରିୟ ରଂଜନ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ସେମାନଙ୍କୁ ଆଇପିସିର ୩୦୨, ୧୨୦(ଖ) ଓ ୨୦୧ ଦଫାରେ ଦଣ୍ଡିତ କରାଯିବା ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଅନାଦେୟ ଆଉ ଅଧିକ ଗୋଟିଏ ବର୍ଷ ଲେଖାଏଁ ସେମାନେ ଜେଲଦଣ୍ଡ ଭୋଗିବେ ବୋଲି କୋର୍ଟ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀ ଅନୁପମା ବେହେରା ନୟାଗଡ ଜିଲ୍ଲାର ରଣପୁରରେ ଥିବା ଅଦାଲତରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟକରୁଥିବା ସମୟରେ ସେହି କୋର୍ଟରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ଜ୍ୟୋତି ରଂଜନ ମହାନ୍ତିଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଜ୍ୟୋତି ରଂଜନ ବିବାହିତ ଥିଲେ । ଅନୁପମା ରଣପୁରରୁ ବେଲେଶ୍ୱରକୁ ପ୍ରେସେସ୍ ଇନିସପେକ୍ଟର ଭାବେ ବଦଳି ହୋଇ ଆସିବା ପରେ ମଧ୍ୟ ସେମାନଙ୍କ ମଧ୍ୟରେ ସଂପର୍କ ଅବ୍ୟାହତ ରହି ଥିଲା । କାରଣ, ନିଜ ସ୍ୱାମୀଙ୍କ ସହ ଅନୁପମାଙ୍କ ଭଲ ସଂପର୍କ ନ ଥିଲା । ଅନ୍ୟପକ୍ଷରେ, ଅନୁପମାଙ୍କ ସହ ଜ୍ୟୋତିଙ୍କ ପ୍ରେମ ସଂପର୍କକୁ ନେଇ ଜ୍ୟୋତିଙ୍କ ପତ୍ନୀ କ୍ଷୁବ୍ଧ ଥିଲେ ଏବଂ ବିଭିନ୍ନ ସମୟରେ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି କୁହାଯାଉଛି । ଅନୁପମା ଓ ଜ୍ୟୋତି ରଂଜନଙ୍କ ଏହି ପ୍ରେମ ସଂପର୍କ ବିଷୟରେ ସାନ ଭାଇ ପ୍ରିୟ ରଂଜନ ମହାନ୍ତି ମଧ୍ୟ ଜାଣିଥିଲେ । ଘରେ ହେଉଥିବା ଅଶାନ୍ତିକୁ ଏଡାଇବା ସକାଶେ ସେ ଓଜେଏସ୍ ଅନୁପମାଙ୍କ ସହ ସଂପର୍କ ପ୍ରତିଷ୍ଠା କରି ବଡ଼ ଭାଇ ଠାରୁ ଦୂରେଇ ଯିବାକୁ ପ୍ରବର୍ତାଉ ଥିଲେ । କିନ୍ତୁ, ଏଥିରେ ତାଙ୍କ ସଫଳତା ମିଳି ନ ଥିଲା । ଇତିମଧ୍ୟରେ ଅନୁପମାଙ୍କୁ ବାଲେଶ୍ୱରରୁ କୋରାପୁଟକୁ ସବ୍-ଜଜ୍ ଭାବେ ପଦୋନ୍ନତି ସହ ବଦଳି ହୋଇଯାଇ ଥିଲା । ସେ କୋରାପୁଟ ଯିବା ସକାଶେ ପ୍ରସ୍ତୁତ ହେଉଥିବା ବେଳେ ଦୁଇ ଭାଇ ମିଶି ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ ।
ଯୋଜନା ଅନୁସାରେ, ଜିନିଷପତ୍ର ପ୍ୟାକିଂରେ ସହାୟତା କରିବା ବାହାନାରେ ପ୍ରିୟ ରଂଜନ ୨୦୧୩ ମାର୍ଚ୍ଚ ୧୪ ତାରିଖ ଦିନ ଅନୁପମାଙ୍କ ବାଲେଶ୍ୱରସ୍ଥିତ ସରକାରୀ ବାସଭବନରେ ପହଂଚି ଥିଲେ ଏବଂ ସେଠି ରାତି ମଧ୍ୟ କଟାଇ ଥିଲେ । ସୁଯୋଗ ଦେଖି ସେ ପ୍ରଥମେ ରୋଷେଇ ଘର ଛୁରୀରେ ଅନୁପମାଙ୍କୁ ଆକ୍ରମଣ କରିବା ପରେ ତକିଆରେ ମୁହଁକୁ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ପରଦିନ ସକାଳେ ସେ ସେଠାରୁ ଖସି ପଳାଇ ଥିଲେ । ପରଦିନ ଅନୁପମା ଘରୁ ବାହାରୁ ନଥିବା ଦେଖି ପଡୋଶୀ ସନେ୍ଦହରେ ପୁଲିସକୁ ଖବର ଦେଇ ଥିଲେ । ପୁଲିସ ଘରୁ ଅନୁପମାଙ୍କ ସନେ୍ଦହଜନକ ଭାବେ ମରି ପଡି ରହିଥିବା ଦେଖି ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଦୁଇ ଦିନ ପରେ ମାର୍ଚ୍ଚ ୧୭ ତାରିଖରେ ଭୁବନେଶ୍ୱର ପୁଲିସ ଦୁଇ ଭାଇ ଜ୍ୟୋତି ରଂଜନ ଓ ପ୍ରିୟ ରଂଜନଙ୍କୁ ଗିରଫ କରି ଥିଲା । ସେମାନେ ହତ୍ୟା କରିଥିବାର ଠୋସ୍ ପ୍ରମାଣ ମିଳି ନ ଥିଲେ ମଧ୍ୟ ପାରିପାଶ୍ୱିର୍କ ପ୍ରମାଣ ଭିତ୍ତିରେ କଟକ ଜିଲ୍ଲା ଓ ସେସନ୍ସ ବିଚାରପତି ଜ୍ୟୋତି ଓ ପ୍ରିୟଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିବା ଜଣାପଡିଛି । କୋର୍ଟ ରାୟରେ ଅନୁପମାଙ୍କ ଭାଇ ସନ୍ତୋଷ ପ୍ରକାଶ କରିଥିବା ବେଳେ ଜ୍ୟୋତି ଓ ପ୍ରିୟଙ୍କ ଓକିଲ ରାଜ୍ୟ ବିରୋଧରେ ଉପର କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS