ଚିତାଭଷ୍ମରୁ ଶଙ୍ଖ ଧ୍ୱନୀ…
ଭୁବନେଶ୍ୱର, ମାର୍ଚ୍ଚ ୨୯ (ପ୍ରସାଦ ରାଓ): ଶୁଣିବାକୁ ନିଶ୍ଚିତ ଭାବେ ଅସହଜ ଲାଗୁ ଥିବ । ଚିତାଭଷ୍ମ ସହ ଶଙ୍ଖ ଧ୍ୱନୀର ସଂପର୍କ କଣ? ଭଷ୍ମ ତ ମିଳେ ଶ୍ମଶାନରେ । ଆଉ ଶଙ୍ଖ (!)- ମନ୍ଦିର ଛାଡି ଆଜି କାଲି ମିଳିଲାଣି ପାର୍ଟି କାର୍ଯ୍ୟାଳୟରେ, ଆଉ ର୍ୟାଲିରେ । ଏଠି ଆମେ ଯେଉଁ ଚିତାଭଷ୍ମ କଥା କହୁଛୁ ତାହା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ଚିତାରୁ ମିଳିଥିବା ଭଷ୍ମ କଥା । ଏବଂ ଶଙ୍ଖ ଧ୍ୱନୀ – କିଛି ଦିନ ପରେ ଗଞ୍ଜାମ ରାଜନୀତିରୁ କଂଗ୍ରେସକୁ ମୂଳପୋଚ କରିବା ଖୁସୀରେ ଶାସକ ବିଜେଡ଼ି ପକ୍ଷରୁ ବାଜିବାକୁ ଥିବା ଶଙ୍ଖର କଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଦା କଂଗ୍ରେସର ଗଡ଼ ଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଏପ୍ରିଲ ୪ ତାରିଖ ଦିନ ଶଙ୍ଖନାଦ କରିବାକୁ ଯାଉଛନ୍ତି । ଏହାର ଆୟୋଜନ କେବଳ ଜିଲ୍ଲାର ବିଜେଡ଼ି ନେତାମାନେ କରୁ ନାହାନ୍ତି, କଂଗ୍ରେସ ଛାଡି ବିଜେଡ଼ିରେ ମିଶିବାକୁ ଯାଉଥିବା ନେତାମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଘନ ଘନ ସମର୍ଥକଙ୍କ ସମ୍ମିଳନୀ ଆୟୋଜନ କରାଯାଇ ରାଜନୈତିକ ଭାବାବେଗର ସଂସ୍କାର କରାଯାଉଛି । କଂଗ୍ରେସ ଝଂଡା ଧରୁ ଥିବା ହାତରେ ଶଙ୍ଖ ଧରାଇ କ୍ଷମତା ଦଖଲର ନୂଆ ପାଠ ପଢା ଯାଉଛି । ଅନ୍ଧ ସମର୍ଥକମାନେ ଜାଣନ୍ତି ନାହିଁ ସେମାନଙ୍କର କି ଲାଭ ହେବ । କିନ୍ତୁ, ନେତାମାନେ ଅଙ୍କ କଷା ସାରି ଦଳଡ଼ିଆଁ ସହ ନିଜର ନୂଆ ନେତାଙ୍କୁ ପ୍ରସନ୍ନ କରିବାକୁ ସବୁ ଦିଗରୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି ।
ଏବେ ଆମେ ଆଲୋଚନା କରିବା ଚିତା ଓ ଭଷ୍ମ କଥା । ଅଶି ଦଶକରେ ଗଞ୍ଜାମ ରାଜନୀତି ସହ ସଂପୃକ୍ତ ପ୍ରାୟ ସମସ୍ତେ ଏହି ସ୍ପର୍ଶକାତର କଥାକୁ ଜାଣନ୍ତି । ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବ୍ରହ୍ମପୁର ପୌର ପାଳିକାରୁ କ୍ଷମତା ରାଜନୀତି ଆରମ୍ଭ କରି ଥିବା ଚନ୍ଦ୍ର ଶେଖର ସାହୁ ଫସି ଥିଲେ ଏହି ଚିତାଭଷ୍ମ ରାଜନୀତିରେ । ୧୯୮୪ ଅକ୍ଟୋବରରେ ତକ୍ରାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିର୍ମମ ଭାବେ ତାଙ୍କ ଦେହରକ୍ଷୀ ହତ୍ୟା କରିବା ପରେ ସମଗ୍ର ଦେଶରେ ଭାବନାତ୍ମକ ଆବେଗର ପରିପ୍ରକାଶ ହୋଇଥିଲା । ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ଚିତାଭଷ୍ମ ଦେଶର ସବୁ ରାଜ୍ୟରେ ପହଂଚି ଥିଲା ଶେଷ ସମ୍ମାନ ପ୍ରଦର୍ଶନ ପାଇଁ । ସେତେବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥା’ନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ । ଇନ୍ଦିରାଙ୍କ ଚିତାଭଷ୍ମ ଜନ ସାଧାରଣଙ୍କ ଦର୍ଶନ ପାଇଁ ଆସି ରହିଲା ସ୍ଥାନୀୟ ସୂଚନା ଭବନ ପରିସରରେ । ବାବୁ ଚନ୍ଦ୍ର ଶେଖର ଥାଆନ୍ତି ବ୍ରହ୍ମପୁର ପୌର ପାଳିକାର ଯୁବ ନଗରପାଳ । କାହାରିକୁ କିଛି ନ କହି ରାତା ରାତି ହାଣ୍ଡିରେ କିଛି ଭଷ୍ମ ଧରି ପହଂଚି ଗଲେ ବ୍ରହ୍ମପୁରରେ । ତାହା ଇନ୍ଦିରାଙ୍କ ଚିତାଭଷ୍ମ ବୋଲି ନଗରପାଳ ଚନ୍ଦ୍ର ଶେଖର ଓ ତାଙ୍କ ସମର୍ଥକମାନେ ଦାବି କଲେ ସିନା କଂଗ୍ରେସରେ ଥିବା ତାଙ୍କ ବିରୋଧୀ ଗୋଷ୍ଠୀ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ସେମାନଙ୍କ ଯୁକ୍ତି ଥିଲା, ଇନ୍ଦିରାଙ୍କ ଚିତାଭଷ୍ମ କେବଳ ରାଜ୍ୟ ରାଜଧାନୀ ଗୁଡିକରେ ପହଂଚିଛି । ରାଜଧାନୀ ବାହାରକୁ ଗଲା କେମିତି? ଚନ୍ଦ୍ର ଶେଖର ଯାହାକୁ ଇନ୍ଦିରାଙ୍କ ଚିତାଭଷ୍ମ କହୁଛନ୍ତି ତାହା ନକଲି ।
ରାଜ୍ୟ କଂଗ୍ରେସ ସଂଗଠନ ବା ସରକାର ଚନ୍ଦ୍ର ଶେଖରଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଲେ ନାହିଁ । ଫଳରେ, ଯୁବ ନଗରପାଳ ଚନ୍ଦ୍ର ଶେଖରଙ୍କ ଖ୍ୟାତି ସହ ଯୋଡି ହୋଇ ଗଲା ନକଲି ଚିତାଭଷ୍ମ କାହାଣୀ । ଶେଖର ଥିଲେ ଅଶୀ ଦଶକରେ ରାଜ୍ୟର ଅତ୍ୟନ୍ତ କ୍ଷମତାଶାଳୀ (ସୁପର୍ ଚିଫ୍ ମିନିଷ୍ଟର ଭାବେ ପରିଚିତ) କଂଗ୍ରେସ ନେତା ବସନ୍ତ କୁମାର ବିଶ୍ୱାଳଙ୍କ ଖାସ୍ ସମର୍ଥକ । ବ୍ରହ୍ମପୁର ରାଜନୀତିରେ ତାଙ୍କୁ ଟକ୍କର ଦେଉ ଥିଲେ ଅନ୍ୟତମ କଂଗ୍ରେସ ଯୁବ ନେତା ଶିବ ଶଙ୍କର ସାହାଣୀ, ଯିଏକି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଶୀର୍ବାଦରେ ପରବର୍ତୀ ସମୟରେ ବ୍ରହ୍ମପୁର ବିଧାୟକ ହୋଇ ଚନ୍ଦ୍ର ଶେଖରଙ୍କ ବିଧାୟକ ହେବାର ସ୍ୱପ୍ନକୁ ଧୂଳିସାତ କରିଥିଲେ। ସାହାଣୀ ବିଧାୟକ ଥାଇ ବ୍ରହ୍ମପୁର ପୌର ପାଳିକାରେ କାଉନସିଲର ମଧ୍ୟ ଥିଲେ । ଫଳରେ, ନଗରପାଳିକା ବୈଠକରେ ଦୁଇ କଂଗ୍ରେସ ନେତା ମୁହାଁମୁହିଁ ହେବାର ଅନେକ ନଜିର ରହିଛି । ପୂର୍ବତନ ବିଧାୟକ ସାହାଣୀ ଏବେ ବିଜେଡ଼ିରେ । ଚନ୍ଦ୍ର ଶେଖର ଦୀର୍ଘ ବର୍ଷ ପୌରାଧ୍ୟକ୍ଷ ରହି ବ୍ରହ୍ମପୁର ପୌରାଂଚଳରେ ଜଣେ ଲୋକପ୍ରିୟ ନେତା ଭାବେ ନିଜର ପରିଚିତି ସୃଷ୍ଟି କରି ଥିଲେ । ତେବେ,ତାଙ୍କ ବିଧାୟକ ହେବାର ସ୍ୱପ୍ନ ଅଧୁରା ରହିଛି । ୨୦୦୪ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ଟିକଟରେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ତକ୍ରାଳୀନ ବିଜେପି ଏମ.ପି ଅନାଦୀ ସାହୁଙ୍କୁ ପରାଜିତ କରିଥିଲେ । ଏହି ବିଜୟ ତାଙ୍କୁ କେନ୍ଦ୍ରରେ ୟୁପିଏ-୧ ସରକାରରେ ମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା । ପୂର୍ବରୁ ଥରେ ସେ ଆସିକା ଲୋକସଭା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।
ଏବେ ଗାଟିଏ ଗୁହାଳରେ ଶତୃ, ମିତ୍ର !
ଏବେ ଗୋଟିଏ ଗୁହାଳରେ ପୁଣି ଶତୃ, ମିତ୍ର ଏକାଠି ହେବାକୁ ଯାଉଛନ୍ତି । କେବଳ ଚନ୍ଦ୍ର ଶେଖର, ଶିବ ସାହାଣୀ ନୁହନ୍ତି; ଅତୀତରେ କଂଗ୍ରେସ ରାଜନୀତିରେ ରହି ପରସ୍ପରର ଛାଇ ଦେଖିବାକୁ ଚାହୁଁ ନ ଥିବା ବହୁ ନେତା ଗୋଟିଏ ଗୁହାଳରେ ବନ୍ଧା ହେବାକୁ ଯାଉଛନ୍ତି । ଏକଦା କଂଗ୍ରେସ ଯୁବ ନେତା ଭାବେ ଜେବି ପଟ୍ଟନାୟକଙ୍କ ଅତି ନିକଟତର ଥିବା ଅଲେଖ ଚୌଧୁରୀ ବ୍ରହ୍ମପୁର ବିଧାନସଭା ଆସନରୁ କଂଗ୍ରେସ ଟିକଟ ପାଇ ନାମାଙ୍କନପତ୍ର ଦାଖଲ କରିବାକୁ ଶେଭାଯାତ୍ରାରେ ଯାଉଥିବା ସମୟରେ ଦଳ ଟିକଟ ଛଡାଇ ନେଇ ଚନ୍ଦ୍ର ଶେଖରଙ୍କ ହାତରେ ଧରାଇ ଦେଲା । ଶେଖର ଟିକଟ ପାଇଲେ ସିନା ନିର୍ବାଚନରେ ଜିତି ପାରିଲେ ନାହିଁ । ଚୌଧୁରୀ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି କଂଗ୍ରେସ ଭୋଟ ବିଭାଜନ କରିବା ସହ ବିଜେଡ଼ି ପ୍ରାର୍ଥୀ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଜିତିବାରେ ସହାୟକ ହେଲେ । ୧୯୯୫ ନିର୍ବାଚନରୁ ବିଜେଡ଼ି ବିଧାୟକ ଡ.ଚ୍ୟାଉ ପଟ୍ଟନାୟକ ଲଗାତର ଭାବେ ବ୍ରହ୍ମପୁର ଆସନରୁ ଜିତି ଆସୁଛନ୍ତି । ୨୦୦୦ ବିଧାନସଭା ନିର୍ବାଚନରେ କଂଗ୍ରେସ ଯୁବ ନେତା ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ପ୍ରତିବାଦରେ ଚନ୍ଦ୍ର ଶେଖର ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନରେ ମୁକାବିଲା କଲେ। ବିକ୍ରମ କମ୍ ଭୋଟ ପାଇ ଥିଲେ ସୁଦ୍ଧା ଡ. ଚ୍ୟାଉ ପଟ୍ଟନାୟକ ଅବିଶ୍ୱସନୀୟ ଭାବେ ଅତି କମ୍ ଭୋଟ ବ୍ୟବଧାନରେ ଶେଖରଙ୍କୁ ପରାଜିତ କରି ଥିଲେ । ୨୦୦୪ ନିର୍ବାଚନରେ ବିକ୍ରମ ବ୍ରହ୍ମପୁର ବିଧାନସଭା ଆସନ ଓ ଚନ୍ଦ୍ର ଶେଖର ବ୍ରହ୍ମପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ଥିଲେ । ବିକ୍ରମ ଚ୍ୟାଉ ବାବୁଙ୍କ ଠାରୁ ପୁନର୍ବାର ପରାଜିତ ହୋଇଥିବା ବେଳେ ଚନ୍ଦ୍ର ଶେଖର ବିଜେପି ଏମ.ପି ଅନାଦୀଙ୍କୁ ପରାଜିତ କରି ଲୋକସଭାକୁ ଗଲେ । ୨୦୦୯ ନିର୍ବାଚନରେ କିନ୍ତୁ ଶେଖର ଲୋକସଭା ନିର୍ବାଚନ ଜିତି ପାରିଲେ ନାହିଁ । ଓଲିଉଡ୍ ତାରକା ସିଦ୍ଧାନ୍ତ ମହାପାତ୍ର ପ୍ରଥମ ଥର ରାଜନୀତିକୁ ପ୍ରବେଶ କରି ବିଜେଡ଼ିରୁ ଲୋକସଭା ପ୍ରାର୍ଥୀ ହେବା ସହ ଚନ୍ଦ୍ର ଶେଖରଙ୍କୁ ଧୁଳି ଚଟାଇଲେ । ବିକ୍ରମ ପୁଣି ଥରେ ବିଧାନସଭା ପ୍ରାର୍ଥୀ ହୋଇ ଚ୍ୟାଉ ବାବୁଙ୍କ ଠାରୁ ହାରିଲେ । ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ତାହାର ପୁନରାବୃତ୍ତି ଘଟିଛି । ଚ୍ୟାଉ ପଟ୍ଟନାୟକ ପଂଚମ ଥର ବ୍ରହ୍ମପୁର ବିଧାୟକ ଓ ସିଦ୍ଧାନ୍ତ ମହାପାତ୍ର ଦ୍ୱତୀୟ ଥର ବ୍ରହ୍ମପୁର ସାଂସଦ ହୋଇ ୨୦୧୯ରେ ଇତିହାଶର ପୁନରୁବୃତ୍ତି ଅପେକ୍ଷାରେ ଅଛନ୍ତି ।
୨୦୧୯ ଗଣିତ କଣ ହେବ ?
ଆଗାମୀ ସାଧାରଣ ନିର୍ବାଚନ ଆଗୁଆ ନ ହୋଇ ଯଥା ସମୟରେ ହେଲେ ବିଭିନ୍ନ ରାଜନୈତିକ ଦଳ ନିକଟରେ ମାତ୍ର ଗୋଟିଏ ବର୍ଷ ସମୟ ରହିଛି । ଗଣିତ ଦୃଷ୍ଟିରୁ ରାଜ୍ୟରେ କଂଗ୍ରେସ ଦଳର ସ୍ଥିତି ଅତି ଦୁର୍ବଳ । କଂଗ୍ରେସ ଭୋଟ ବିଭାଜନ ସହ ନିଜର ପତିଆରା ବଢାଇବା ପାଇଁ ଶାସକ ବିଜେଡ଼ିି ଓ ବିଜେପି ଅସାଧୁ ପ୍ରତିଦ୍ୱନ୍ଦ୍ୱିତାରେ ମଗ୍ନ । ଦୁଇ ଦଳ ମିଶ୍ରଣ ପର୍ବ ମାଧ୍ୟମରେ ଅନ୍ୟ ଦଳରୁ ବଡ଼ ମୁଣ୍ଡ ଖୋଜୁଛନ୍ତି ନିଜ ଦଳକୁ ଟାଣିବା ପାଇଁ । ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୪ ତାରିଖରୁ ଦୁଇ ଦିନଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ପ୍ରଥମ ସଭା କାର୍ଯ୍ୟକ୍ରମ ରଖି ଥିିବାରୁ ବିଜେଡ଼ି ସେହି ଦିନକୁ ବାଛିଚି ବ୍ରହ୍ମପୁରରେ ମିଶ୍ରଣ ପର୍ବ କରିବାକୁ । ମୁଖ୍ୟମନ୍ତ୍ରୀ ପାଇଁ ଏକ ବଡ଼ ସଭାର ଆୟୋଜନ ଚାଲିଛି । ମିଶ୍ରଣ ପର୍ବ ନା’ରେ ଗଞ୍ଜାମ କଂଗ୍ରେସର କିଛି ବଡ଼ ନେତାଙ୍କୁ ବିଜେଡ଼ିକୁ ଟାଣିବାକୁ ଯୋଜନା ହୋଇଛି । ଏପ୍ରିଲ ୪ ତାରିଖ ମିଶ୍ରଣ ପର୍ବକୁ ମୁଖ୍ୟମନ୍ତ୍ରୀ ସବୁଜ ସଂକେତ ଦେଇଛନ୍ତି। ରାଜ୍ୟରେ କଂଗ୍ରେସର ଦୟନୀୟ ସ୍ଥିତି ଦେଖି ଅତିଷ୍ଟ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଏଆଇସିସି ସାଧାରଣ ସଂପାଦକ ବିକ୍ରମ ପଣ୍ଡାଙ୍କ ସମେତ ଦଳର କାଉନସିଲର, କର୍ମୀ ଓ ଶୁଭେଚ୍ଛୁ ବିଜେଡ଼ିରେ ଯୋଗ ଦେଇ ନବୀନଙ୍କ ନେତୃତ୍ୱରେ ନୂଆ ରାଜନୀତି ଆରମ୍ଭ କରିବାକୁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ୨୦ ହଜାରରୁ ଅଧିକ ଲୋକଙ୍କୁ ଏକାଠି କରିବା ପାଇଁ ବିଜେଡ଼ି ଓ କଂଗ୍ରେସର ନେତୃବୃନ୍ଦ ଲାଗି ପଡିଛନ୍ତିି । ତେବେ, ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ଉଠୁଛି, ନବୀନଙ୍କ ନେତୃତ୍ୱରେ ଗଞ୍ଜାମ ରାଜନୀତିରେ ଯେଉଁ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି ସେଥିରେ ପୁରୁଣା ବିଜେଡ଼ି ବିଧାୟକ, ସାଂସଦଙ୍କ ପରିସ୍ଥିତି କଣ ହେବ ଏବଂ ନୂଆ କରି ‘ଶଙ୍ଖ’ ମୁଣ୍ଡାଇବାକୁ ଯାଉଥିବା ‘ହାତ’ ନେତାମାନେ କିଭଳି ଲାଭବାନ ହେବେ । ଅତୀତରେ, ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତାର ଦାୟିତ୍ୱ ତୁଲାଇ ଥିବା ଭୁପିନ୍ଦର ସିଂହ କଂଗ୍ରେସ ଛାଡି ବିଜେଡ଼ିକୁ ଯିବା ପରେ କମ୍ ଦିନ ପାଇଁ ରାଜ୍ୟ ସଭାକୁ ଯାଇ ଥିଲେ । ଟର୍ମ ସରିବା ପରେ ନୂଆ ଦଳରେ ସେ ଯେମିତି ଅଲୋଡା ହୋଇ ଯାଇଛନ୍ତି ଏବେ ଯାଉ ଥିବା ନେତାଙ୍କ ଅବସ୍ଥା ସେମିତି ହେବ ନାହି ତ ?
ସୌମ୍ୟଙ୍କୁ ରାଜ୍ୟ ସଭା ଟିକଟ ମିଳିଲା ଭଳି ଚନ୍ଦ୍ରଶେଖର ଓ ବିକ୍ରମଙ୍କୁ ୨୦୧୯ ନିର୍ବାଚନରେ ବିଜେଡ଼ି ଟିକଟର ପ୍ରଲୋଭନ ଦେଖାଇ ବିଜେଡ଼ିକୁ ନିଆ ଯାଉଥିବା ଚର୍ଚ୍ଚା ହେଉଛି । ତେବେ, ବ୍ରହ୍ମପୁର ବିଜେଡ଼ି ବିଧାୟକ ଚ୍ୟାଉ ପଟ୍ଟନାୟକ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ଆସିକା ବିଜେଡ଼ି ସାଂସଦ ଲଡୁ କୁଶୋର ସ୍ୱାଇଁଙ୍କ ଭିତରୁ କାହାକୁ ନବୀନ ବଳୀ ପକାଇ ଏମାନଙ୍କୁ ଥଇଥାନ କରିବେ? ଜିଲ୍ଲାର ଯେ କୌଣସି ଲୋକସଭା ବା ବିଧାନସଭା ଆସନରେ ପ୍ରାର୍ଥୀ ହେବାକୁ ପୁରୁଣା ବିଜେଡ଼ି ନେତାମାନେ ଛକାପଂଝାରେ ଅଛନ୍ତି । ନୂଆ କରି ରାଜନୈତିକ ଧର୍ମାନ୍ତରୀକରଣ କରୁଥିବା ଏହି କଂଗ୍ରେସ ନେତାମାନଙ୍କୁ ନବୀନ କେମିତି ସମ୍ଭାଳିବେ? ଗଞ୍ଜାମ ବିଜେଡ଼ିରେ ମଧ୍ୟ ଗୋଷ୍ଠୀ ବିବାଦ ରହିଛି । ଜିଲ୍ଲା ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ବିଜେଡ଼ି ନେତାମାନ ନିଜ ନିଜ ଗୋଷ୍ଠୀକୁ ନେଇ ରାଜନୀତି କରି ଆସୁଛନ୍ତି । କଂଗ୍ରେସରୁ ବିଜେଡ଼ିକୁ ଯାଉଥିବା ନେତାମାନେ କେଉଁ ଗୋଷ୍ଠୀ ସହ ରହିବେ ଓ କାହାକୁ ଛାଡିବେ, ତାହା ମଧ୍ୟ ଦେଖିବାର କଥା । ପୂର୍ବରୁ କଂଗ୍ରେସ ଛାଡି ବିଜେଡ଼ିକୁ ଯାଇ ଥିବା ନେତା ଏବଂ ବର୍ତମାନ ବିଜେଡ଼ିକୁ ଯାଉଥିବା ନେତାମାନେ ପୁଣି ଥରେ ବିଜେଡ଼ି ଗୁହାଳରେ ଏକାଠି ହେବାକୁ ଥିବାରୁ ଗଞ୍ଜାମ ରାଜନୀତି ଆଗାମୀ ଦିନରେ କେଉଁ ମୋଡ ନେବ, ତାହା ଦେଖିବା ସମୟ ଆସୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS