ସାମାଜିକ ଗଣମାଧ୍ୟମରେ ବୈଜୟନ୍ତ ‘ହୀରୋ’, ଶ୍ରୀକାନ୍ତ ‘ଖଳନାୟକ’
ଭୁବନେଶ୍ୱର,୩୦ ଏପ୍ରିଲ (ସ୍ୱତନ୍ତ୍ର ପ୍ରତିନିଧି): ଶାସକ ବିଜେଡ଼ିର ପ୍ରତିକୂଳ ପ୍ରଚାର ସତ୍ତ୍ୱେ ସାମାଜିକ ଗଣ ମାଧ୍ୟମରେ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଲୋକପ୍ରିୟତା କମି ନାହିଁ । ବିଜେପି ସହିତ ତାଙ୍କର ଘନିଷ୍ଟତା ବିଜେଡ଼ିରେ ଗାତ୍ରଦାହର କାରଣ ହୋଇଛି ବୋଲି ସମସ୍ତେ ଜାଣନ୍ତି । ଦଳରେ ଥାଇ ଭିନ୍ନମତ ପ୍ରକାଶ କରିବା ଗଣତନ୍ତ୍ର ବିଜେଡ଼ିରେ ନ ଥିବା ଜାଣି ସୁଦ୍ଧା ସେ ଦଳ ଓ ସରକାର ବିରୋଧରେ ନିଜସ୍ୱ ମତ ରଖି ଥିଲେ । ଅବଶ୍ୟ ଏହା ଦଳୀୟ ଶୃଙ୍ଖଳା ବିରୋଧୀ । ତାଙ୍କୁ ତାଗିଦ କରିବା ଓ ଆବଶ୍ୟକତା ପଡିଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧିକାର ଦଳର ସଭାପତିଙ୍କ ରହିଛି । ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ବୈଜୟନ୍ତଙ୍କୁ ନିଲମ୍ବନ କରି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଶୃଙ୍ଖଳା ବଜାୟ ରଖିଛନ୍ତି । ତେବେ, ବୈଜୟନ୍ତଙ୍କୁ ଦଳରୁ ଇସ୍ତଫା ଦେବା ପାଇଁ ଚାପ ସୃଷ୍ଟି କରିବା ସକାଶେ ତୃତୀୟ ମହଲାରେ ଇଂଗିତରେ ଦଳର କିଛି ମନ୍ତ୍ରୀ, ବିଧାୟକ ଓ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର କିଛି ବିଜେଡ଼ି ନେତା ଯେଭଳି କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି, ତାହା ସାମାଜିକ ଗଣମାଧ୍ୟମରେ ଗ୍ରହଣୀୟ ହୋଇ ପାରୁ ନାହିଁ । ଶାସକ ଦଳର ଭାବମୂର୍ତୀକୁ ମଧ୍ୟ କାଠଗଡାରେ ଠିଆ କରାଇଛି । ଏହାଛଡା, ବୈଜୟନ୍ତଙ୍କ ମାଲିକାନାରେ ଥିବା ବିଭିନ୍ନ ବ୍ୟବସାୟିକ ସଂସ୍ଥା ଉପରେ ଯେଭଳି ଆକ୍ରୋଶମୂଳକ ଚଢାଉ ଚାଲିଛି, ତାହା ଭିନ୍ନମତ ପ୍ରକାଶରେ ବିଶ୍ୱାସ ରଖୁ ଥିବା ସାଧାରଣ ଜନତାକୁ ମଧ୍ୟ ଆତଙ୍କିତ କରିଛି । ଏସବୁ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଭାବେ ଜଣାଶୁଣା ଜଣେ ପ୍ରଶାସକଙ୍କ ଇଙ୍ଗିତରେ କରାଯାଉଛି ବୋଲି ବୈଜୟନ୍ତ ନିଜ ଆଡୁ ଅଭିଯୋଗ କରିଛନ୍ତି। ତେବେ, ବିଜେଡ଼ି ରାଜନୀତିରେ ସଂପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ନାକପୁରାକୁ ନେଇ ହେଉଥିବା ଅଭିଯୋଗ ଉପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନୀରବତା ଶାସନ ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବର୍ତମାନ ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଯେଉଁ ଦୁଇ ଜଣ ନେତାଙ୍କୁ ନେଇ ଚର୍ଚ୍ଚା ଯୋର୍ ଧରିଛି ସେଥିରେ ସର୍ବାଗ୍ରେ ରହିଛି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ । ତା’ ପଛକୁ ରହିଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ବିଜେଡିରେ ବୈଜୟନ୍ତଙ୍କ ବିବଦମାନ ସ୍ଥିତିକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ନେଇ ରାଜ୍ୟ କଂଗ୍ରେସରେ ପୁନର୍ବାର ଉଠି ଥିବା ଝଡ ସାମାଜିକ ଗଣମାଧ୍ୟମକୁ ଚଳଚଂଚଳ କରିଛି । ନିକଟରେ, ଜଣେ ସମ୍ବାଦିକା ତାଙ୍କ ଫେସବୁକ୍ ଆକାଉଂଟରେ ବୈଜୟନ୍ତଙ୍କ ବିକ୍ତତ୍ୱକୁ ନେଇ ଟିପ୍ପଣୀ ଦେବା ସହ ସେ ଜଣେ ସାଂସଦ ନା ଫୁଲ ବେପାରୀ ବୋଲି ପ୍ରଶ୍ନ କରିଥଲେ । ତାହା ଉପରେ ୨୦୦ରୁ ଅଧିକ ପ୍ରତିକ୍ରିୟା ମିଳି ଥିବା ଦେଖିବାକୁ ମିଳିଛି । ଫେସ୍ ବୁକ୍ ରେ ପ୍ରତିକ୍ରିୟା ବ୍ୟକ୍ତ କରିଥିବା ଅଧିକାଂଶ ଫଲୋଅର୍ ବୈଜୟନ୍ତଙ୍କ ବ୍ୟକ୍ତତ୍ୱର ପ୍ରଶଂସା କରିଛନ୍ତି । ବୈଜୟନ୍ତ ବିଶ୍ୱ ଦରବାରରେ ଭାରତୀୟ ସାଂସଦଙ୍କ ପ୍ରତିନିଧିତ୍ୱ କରିବା ସହ ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ମାଧ୍ୟମରେ ଓଡିଆଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ନିଜ ସଂସଦୀୟ ଅଂଚଳରେ ଲୋକଙ୍କ ସହ ସିଧାସଳଖ ସଂପର୍କ ରକ୍ଷା କରି ଭଲ, ମନ୍ଦରେ ସେମାନଙ୍କ ସାଥୀରେ ରହିଛନ୍ତି ବୋଲି ସେମାନେ ପ୍ରତିକ୍ରିୟାରେ କହିଛନ୍ତି । ଏହି ଫଲୋଅର୍ ମାନେ ବୈଜୟନ୍ତଙ୍କୁ ବିଜେଡିର ଏକମାତ୍ର ସୁଯୋଗ୍ୟ ସାଂସଦ ଭାବେ ଅଭିହିତ କରି ରାଜନୀତି ତାଙ୍କ ପେଷା ନୁହେଁ, ତେଣୁ ସେ ବ୍ୟବସାୟ କରିବାରେ ଅସୁବିଧା ରହିଲା କେଉଁଠି (?) ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସେହିପରି, ଅନ୍ୟ କେତେକ ଫଲୋଅର୍ ବିଜେଡ଼ିରୁ ସଦ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଚ୍ୟୁତ ସାମନ୍ତ ଓ ସୌମ୍ୟ ରଂଜନ ପଟ୍ଟନାୟକ ବେପାରୀ ନୁହଁନ୍ତି କି (?)ବୋଲି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି । ବୈଜୟନ୍ତଙ୍କ ମାଲିକାନାରେ ରାୟଗଡା ଜିଲ୍ଲା ଥେରୁବାଲି ଠାରେ ଥିବା ‘ଇମ୍ଫା’ କଂପାନୀରେ ଶ୍ରମିକ ଅଶାନ୍ତୀ ସୃଷ୍ଟି କରାଯାଇ ଦାବି ପୂରଣ ଆଳରେ ଯେଭଳି ଚାଲି ଥିବା ଗୁଣ୍ଡାମୀ ଚାଲିଛି ତାହାକୁ ଅଧିକାଂଶ ଫଲୋଅର୍ କଠୋର ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।
ଅପରପକ୍ଷରେ, ରାଜ୍ୟ କଂଗ୍ରେସରେ ନୂଆ ବିବାଦର ମଂଜି ବୁଣିବାକୁ ଉଦ୍ୟମ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇ ଖଳନାୟକ ଭାବେ ଅଭିହିତ ହୋଇଥିବା ଦେଖିବାକୁ ମିଳୁଛି । ରାଜ୍ୟ କଂଗ୍ରେସରେ ଦୀର୍ଘ ସାତ ବର୍ଷ ଧରି ନେତୃତ୍ୱ ବିବାଦ ଳାଗି ରହିଥିଲା । ଏଥିରେ ପୂର୍ଣ୍ଣଛେଦ ପକାଇବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବିଳମ୍ବରେ ହେଲେ ମଧ୍ୟ ପିସିସିର ନବକଳେବର କରିଛନ୍ତି । ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେବା ସହ ରାଜ୍ୟର ଅନ୍ୟ ସମସ୍ତ ବରିଷ୍ଠ ନେତାଙ୍କୁ ନେଇ ଏକ ମିଳିତ ନେତୃତ୍ୱର ଫର୍ମୂଲା କାର୍ଯ୍ୟକାରୀ କରିଛନ୍ତିି । ଏହି ପ୍ରକ୍ରିୟା ଆଗକୁ ବଢିବାର ଅଳ୍ପ ଦିନ ହୋଇଛି, ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଥିବା ଜେନା ରାଜ୍ୟରେ କେଉଁ ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଆବଶ୍ୟକ, କେତେ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସେମାନେ କେଉଁ ବର୍ଗର ହେବା ଉଚିତ ଭଳି ବିବାଦୀୟ ପ୍ରଶ୍ନ ଉଠାଇ ଚଠି ଲେଖିବା ରାଜ୍ୟ କଂଗ୍ରେସ ରାଜନୀତିକୁ ପୁଣିି ଥରେ କଳୁଷିତ କରିବାର ଅପଚେଷ୍ଟା ଭାବେ ବିଚାର କରାଯାଉଛି । ପିସିସି ସଭାପତି ପଟ୍ଟନାୟକ ଏହାର ରୋକଠୋକ୍ ଉତ୍ତର ଦେଇ କହିଛନ୍ତି ଯେ, ଦଳ ଆଗେ ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ସକ୍ଷମ ହେଉ, ତା’ ପରେ ଏଆଇସିସି ସଭାପତି ରାହୁଲଜୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିର୍ଣ୍ଣୟ କରିବେ । ଦଳର ଅଧିକାଂଶ ବରିଷ୍ଠ ନେତା ଜେନାଙ୍କୁ ସମାଲୋଚନା କରି ନିରଂଜନଙ୍କ ପଛରେ ଠିଆ ହେବା ଶ୍ରୀକାନ୍ତଙ୍କୁ ଅଡୁଆରେ ପକାଇଛି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଶ୍ରୀକାନ୍ତ କଟୁ ସମାଲୋଚନାର ଶରବ୍ୟ ହୋଇଛନ୍ତି ।
କେତେକ ଫେସ୍ ବୁକ୍ ଫଲୋଅର୍ ଜେନାଙ୍କୁ ଦଳରୁ ବହିଷ୍କାର କଲେ ଦଳର ଅବସ୍ଥାରେ ସୁଧୁରିବ ବୋଲି ମତ ଦେଇ ଥିôବା ବେଳେ ଆଉ କେତେକ ରାଜ୍ୟ କଂଗ୍ରେସରେ ଗୋଷ୍ଠି କନ୍ଦଳ ପାଇଁ ସିଧାସଳଖ ଶ୍ରୀକାନ୍ତଙ୍କୁ ଦାୟି କରିଛନ୍ତି । ଆଉ କିଛି କଂଗ୍ରେସରେ ଗୋଷ୍ଠି କନ୍ଦଳ ଏକ ପରମ୍ପରା ବୋଲି ମତ ଦେବାକୁ ପଛାଇ ନାହାନ୍ତି । ଦୀର୍ଘ ୧୯ ବର୍ଷ ହେଲା ରାଜ୍ୟରେ କଂଗ୍ରେସ କ୍ଷମତା ବାହାରେ ରହିଛି । ନିର୍ବାଚନ ଅନେକ ଦିନ ବାକି ଅଛି । ଏବେଠାରୁ ଏସବୁ ଆକଳନ କରାଯିବା ଉଚିତ ନୁହଁ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ମନ୍ତବ୍ୟ ଦେବା ସହ କଂଗ୍ରେସର ଇସ୍ତାହାର ଦିଳ୍ଲୀରେ ନୁହଁ, ଗ୍ରାମାଂଚଳକୁ ଯାଇ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେଇ ପ୍ରସ୍ତୁତ କରାଯିବ ବୋଲି ଦୃଢତାର ସହ କହିଛନ୍ତି । ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଯିବା ନିଷ୍ପତ୍ତିକୁ ଗଣମାଧ୍ୟମରେ ବେଶ୍ ସମର୍ଥନ ମିଳିଛି । ଏହି ପଦ ପାଇଁ ରାଜ୍ୟ କଂଗ୍ରେସରେ ସବୁଠାରୁ ଉପଯୁକ୍ତ ବ୍ୟକ୍ତି ନିରଂଜନ ଥିଲେ ବୋଲି ଅନେକ ମତ ଦେଇଥିବା ବେଳ ଶ୍ରୀକାନ୍ତଙ୍କ ଜାତି ସମୀକରଣ ରାଜନୀତିକୁ କଟୁ ସମାଲୋଚନା କରିଛନ୍ତି । ନିରଂଜନଙ୍କୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଚୟନ କରି କଂଗ୍ରେସ ଦଳ ଉପଯୁକ୍ତ ନିଷ୍ପତି ନେଇଛି ବୋଲି ମଧ୍ୟ ଅନେକ ଫଲୋଅର୍ ମତ ଦେଇଛନ୍ତି ।
ବିଜେଡି-ବୈଜୟନ୍ତ ବିବାଦରେ ବୈଜୟନ୍ତଙ୍କୁ ସାବାଡ୍ କରିବା ପାଇଁ ଶାସକ ବିଜେଡ଼ିର ଆକ୍ରୋଶମୂଳକ ରାଜନୀତିକୁ ସାମାଜିକ ଗଣମାଧ୍ୟମ ସମାଲୋଚନା କରି ବୈଜୟନ୍ତଙ୍କ ପ୍ରତି ଅନୁକମ୍ପା ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ କଂଗ୍ରେସକୁ ପୁଣି ଥରେ ବିବାଦକୁ ଟାଣି ଆଣିବା ପାଇଁ ଶ୍ରୀକାନ୍ତ ଜେନାଙ୍କ ଉଦ୍ୟମ ଉପରେ ପ୍ରତିକୂଳ ମନ୍ତବ୍ୟ ଦେଇ ତାଙ୍କୁ ଖଳନାୟକ ଭାବେ ଉପସ୍ଥାପନ କରିଥିବା ଶ୍ରୀକାନ୍ତଙ୍କୁ ଅଡୁଆରେ ପକାଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS