ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେ’ ହତ୍ୟା ମାମଲାରେ ଛୋଟା ରାଜନ ଦୋଷୀ ସାବ୍ୟସ୍ତ


ମୁମ୍ବାଇ, ୨ ମେ’: ୨୦୧୧ ଜୁନ ୧୧ ତାରିଖରେ ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେ’ଙ୍କୁ ଗୁଳି କରି ହତ୍ୟା କରି ଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଛି । ମୁମ୍ବାଇର ସ୍ୱତନ୍ତ୍ର ମୋକୋକା (ଦି ସ୍ପେଶାଲ ମହାରାଷ୍ଟ୍ର କଂଟ୍ରୋଲ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ) କୋର୍ଟ ଆଜି (୨ ତାରିଖ) ଏହି ମାମଲାର ରାୟ ପ୍ରକାଶ କରି ଛୋଟା ରାଜନ ଓ ଅନ୍ୟ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏହି ହତ୍ୟାକାଣ୍ଡ ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଓ ପାଉଲସନ୍ ଯୋସେଫଙ୍କୁ ନିର୍ଦୋଶରେ ଖଲାସ କରିଛି । ବରିଷ୍ଠ ସାମ୍ବାଦିକ ଦେ’ଙ୍କୁ ପାୱାଇ ଠାରେ ଗୁଳି କରି ହତ୍ୟା କରାଯାଇଥିଲା।
ମୋକୋକା କୋର୍ଟ ଏହି ମାମଲାରେ ୧୫୫ ଜଣ ସାକ୍ଷୀଙ୍କୁ ଜେରା କରିଥିବା ବେଳେ ସେଥିରୁ ୧୦ ଜଣ ବୟାନ ବଦଳାଇ ଥିଲେ । ୧୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିନୋଦ ଆଶ୍ରାନୀଙ୍କ ମୃତ୍ୟୁ ଘଟି ଥିବା ବେଳେ ଦୁଇ ଜଣ ଫେରାର ଅଛନ୍ତି । ଅନ୍ୟ ଅଭିଯୁକ୍ତ ଥିଲେ – ଛୋଟା ରାଜନ, ସତୀଶ କାଲିଆ, ଅଭିଜିତ ସିନେ୍ଧ, ଅରୁଣ ଡ଼ାକା, ସଚିନ ଗାଏକୱାଡ, ଅନିଲ ୱାଘମୋଦେ, ନିଲେଶ ସନଡ୍ଗେ, ମଂଗେଶ ଆଗୱାନେ, ପାଉଲସନ୍ ଯୋଶେଫ୍, ଦୀପକ ସିସୋଦିଆ ଓ ସାମ୍ବାଦିକା ଜିଗ୍ନା ଭୋରା ଅନ୍ତର୍ଭୁକ୍ତ ଥିଲେ ।
ମୁମ୍ବାଇ ପୋଲିସ କ୍ରାଇମବ୍ରାଂଚ୍ ୨୦୧୧ ଡ଼ିସେମ୍ବର ୩ ତାରିଖରେ ଏହି ମାମଲାର ଚାର୍ଜସିଟ୍ ଦାଖଲ କରି ଥିଲେ ଏବଂ ସିବିଆଇ ୨୦୧୬ ଅଗଷ୍ଟ ୫ ତାରିଖରେ କୋର୍ଟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଥିଲା । ହତ୍ୟାର ଶିକାର ହୋଇଥିବା ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେ’ ଅଣ୍ଡରୱାଲ୍ଡ ଡ଼ନ୍ ଦାଉଦ ଇବ୍ରାହିମ୍ ଙ୍କ ଡ଼ି-ଗ୍ୟାଙ୍ଗ୍ ପାଇଁ କାମ କରୁଥିବା ସେ ସନେ୍ଦହ କରୁଛି ବୋଲି ଛୋଟା ରାଜନ ଜଣେ ସାମ୍ବାଦିକଙ୍କୁ କହିଥିବା ସିବିଆଇ ତାହାର ଚାର୍ଜସିଟ୍ ରେ ଉଳ୍ଲେଖ କରିଥିଲା । ୨୦୧୧ ମେ’ ୩୦ ତାରିଖରେ ସାମ୍ବାଦିକ ଦେ’ଏକ ନିବନ୍ଧ ଲେଖି ଦାଦା ବଟି ଆଦାୟରୁ ଏକ ବଡ ଅଂଶ ପାଇବା ସକାଶେ ରାଜନ ଗ୍ୟାଂଗ୍ ଦାଉଦ ଗ୍ୟାଂଗ୍ ର କସକର୍ ଉପରେ ଗୁଳି ମାଡ କରାଇ ଥିବା ଉଲ୍ଲେଖ କରିଥଲେ । “ଦେ ମୋ ବିରୋଧରେ ବିଭିନ୍ନ ସମ୍ବାଦପତ୍ରରେ ବହୁ ଲେଖା ଲେଖିଛନ୍ତି । ମୁଁ ତାଙ୍କ ସହ ଯୋଗାଯୋଗ କରି ନମ୍ରତାର ସହ ପଚାରି ଥିଲି, ମୋ ସହିତ ତାଙ୍କର କିଛି ବ୍ୟକ୍ତିଗତ ଶତୃତା ଅଛି କି? ସେ ମନା କରିଥିଲେ । କିନ୍ତୁ ମୋ ବିରୋଧରେ ଲେଖା ଜାରି ରଖିଥିଲେ । ମୋ ଗ୍ୟାଙ୍ଗ୍ ଦୁର୍ବଳ ହୋଇ ପଡିଛି । ମୁଁ ଅସୁସ୍ଥ । ମୋ’ ଖାସ୍ ଲୋକମାନେ ମୋତେ ଛାଡି ଚାଲି ଯାଉଛନ୍ତି … ଏଭଳି ଲେଖା ଲେଖି ସେ ମୋତେ କ୍ରୋଧିତ କରିଥିଲେ । ମୋର ଧାରଣା ହୋଇ ଥିଲା ଯେ ବରିଷ୍ଠ ସାମ୍ବାଦିକ ଦେ ହାଉଦ୍ ଗ୍ୟାଙ୍ଗ୍ ପାଇଁ କାମ କରୁଛନ୍ତି । ମୁଁ ତାଙ୍କୁ ହତ୍ୟା କରିବା ପୂର୍ବରୁ ବୁଝାଇବାକୁ ଉଦ୍ୟମ କରିଥିଲି । କିନ୍ତୁ ସେ ଶୁଣି ନ ଥିଲେ । ବାସ୍ତବରେ ସେ ଦାଉଦ୍ ଗ୍ୟାଙ୍ଗ୍ ସହ ଘନିଷ୍ଟ ଥିଲେ କି ନାହିଁ ମୁଁ ଜାଣିନି । କିନ୍ତୁ, ତାଙ୍କ ଲେଖା ସବୁ ମୋ ମନରେ ସେଭଳି ଧାରଣା ସୃଷ୍ଟି କରିଥିଲା ।” ବୋଲି ସାମ୍ବାଦିକ ଦେ’ ଙ୍କ ହତ୍ୟା ପରେ ଛୋଟା ରାଜନ ଜଣେ ସାମ୍ବାଦିକଙ୍କୁ କହିଥିବା ସିବିଆଇ ଚାର୍ଜସିଟ୍ ରେ ଦର୍ଶାଯାଇଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS