ପ୍ରେମିକା(ମେହେବୁବା)ଙ୍କ ହାତ ଛାଡିଲା ଗେରୁଆ ପ୍ରେମିକ, ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ପାଇଁ ସୁପାରିଶ
– ପ୍ରସାଦ ରାଓ –
ତିନି ବର୍ଷର ପ୍ରେମ ଥିଲା ଅଜବ । ଜମ୍ମୁ-କଶ୍ମୀରରେ ଦେଶ ବିରୋଧୀ ଶକ୍ତିଙ୍କ ପ୍ରତି ଉଦାର ମନୋଭାବ ପ୍ରଦର୍ଶନ କରି ଆସି ଥିବା ପିଡ଼ିପି (ପିପୁଲ୍ସ ଡ଼େମୋକ୍ରେଟିକ ପାର୍ଟି) ଓ ଦକ୍ଷିଣପନ୍ଥୀ ହିନ୍ଦୁବାଦୀ ଦଳ ବିଜେପି ମଧ୍ୟରେ ହୋଇଥିଲା ଏକ ସୁବିଧାବାଦୀ ମେଂଟ । ୨୦୧୪ ଡ଼ିସେମ୍ବରରେ ଅନୁଷ୍ଠିତ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ କୌଣସି ଦଳ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ପାଇ ନ ଥିଲେ । ୮୯ ଆସନ ବିଶିଷ୍ଟ ବିଧାନ ସଭାରେ ପିଡ଼ିପି ୨୮ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ଥିବା ବେଳେ ବିଜେପିକୁ ମିଳିଥିଲା ୨୫ ଆସନ । ପୂର୍ବରୁ ରାଜ୍ୟରେ ସରକାର ଚଳାଇ ଥିବା ନ୍ୟାସନାଲ କନଫରେନ୍ସ (ଏନ୍.ସି)କୁ ମିଳି ଥିଲା ୧୫ ଓ କଂଗ୍ରେସ ପାଇ ଥିଲା ୧୦ ଆସନ । ଏଭଳି ପରିସ୍ଥିତିରେ ପିଡ଼ିପି ଏନ୍.ସିର ହାତ ଧରିବା ପ୍ରଶ୍ନ ଉଠୁ ନ ଥିଲା । କଂଗ୍ରେସ ସହ ମେଂଟ କଲେ ବି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ମିଳୁ ନ ଥିଲା । ହିନ୍ଦୁ ଅଧ୍ୟୁଷିତ ଜମ୍ମୁରୁ ୨୫ ବିଧାନସଭା ଆସନ ପାଇ ସରକାର ଗଠନ ପାଇଁ ବ୍ୟାକୁଳ ହେଉ ଥିବା ବିଜେପି ସହ ମୁସଲିମ୍ ଅଧ୍ୟୁଷିତ କଶ୍ମୀରରୁ ୨୮ ଆସନ ପାଇଥିବା ପିଡ଼ିପିର ମେଂଟ ହିଁ ଏକମାତ୍ର ବିକଳ୍ପ ଥିଲା, ଦୁଇ ଦଳର ମିଳିତ ସରକାର ଗଠନ କରିବା ଅଭିଳାଷକୁ ଚରିତାର୍ଥ କରିବା ପାଇଁ । ଶେଷରେ ତାହା ହିଁ ହେଲା । ରାଜ୍ୟରେ ପିଡ଼ିପି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ସର୍ତରେ ମେଂଟ ହେଲା ଏବଂ ସରକାର ଗଠନ ନିଷ୍ପତ୍ତିରେ ପହଂଚିବାକୁ ଦୁଇ ଦଳକୁ ଲାଗିଲା ଦୁଇ ମାସ । ୨୦୧୫ ମାର୍ଚ୍ଚ ୧ ତାରିଖରେ ଜମ୍ମୁ-କଶ୍ମୀରରେ ପ୍ରତିଷ୍ଠା ହେଲା ମୁଫତି ମହମ୍ମଦ ସୟଦଙ୍କ ପିଡ଼ିପି-ବିଜେପି ସରକାର ।
ଏହି ସରକାର ଗଠନ ବେଳେ ରାଜନୈତିକ ପଂଡିତମାନେ ଗଣନା କରି ଥିଲେ ବେଶି ଦିନ ମେଂଟ ତିଷ୍ଠିବ ନାହିଁ । କାରଣ, ପିଡ଼ିପି ସର୍ବଦା କଶ୍ମୀରରେ ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇ ଥିବା ପାକିସ୍ତାନ ଉଗ୍ରବାଦୀଙ୍କୁ ସମର୍ଥନ ଦେଇ ଆସି ଥିବା ବେଳେ ବିଜେପିର ଚିନ୍ତାଧାରା ଥିଲା ସଂପୂର୍ଣ୍ଣ ବିପରିତ । କଟ୍ଟର ହିନ୍ଦୁବାଦ ଓ ଜାତୀୟତାବାଦୀ ଦଳ ଭାବେ ପରିଚିତ ବିଜେପି କେମିତି ସଂପୂର୍ଣ୍ଣ ବିପରିତ ଧର୍ମୀ ଏକ ରାଜନୈତିକ ଦଳ ସହ ବଂଧୁବାନ୍ଧି ସରକାର ଚଳାଇବ, ତାହା ଥିଲା ପ୍ରଶ୍ନବାଚୀ । ସରକାର ଗଠନ ପରେ ଉଭୟ ଦଳ ମଧ୍ୟରେ ରାଜନୈତିକ ତୀକ୍ତତା ଫୁଟି ଉଠୁ ଥିଲା । କିନ୍ତୁ, କ୍ଷମତାର ମୋହ ଉଭୟଙ୍କୁ ଏକାଠି ରହିବା ପାଇଁ ବାଧ୍ୟ କରୁଥିଲା । ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟଦଙ୍କ ମୃତ୍ୟୁ ପରେ ତାଙ୍କ କନ୍ୟା ମେହେବୁବା ମୁଫତି ଦଳପତି ହୋଇ ସରକାରର ମଙ୍ଗ ଧରିଲେ । ମେହେବୁବା ପିତାଙ୍କ ପଥର ଯାତ୍ରୀ ଥିଲେ । କଶ୍ମୀରରେ ଉଗ୍ରବାଦ ବଢି ଚାଲି ଥିବା ବେଳେ ବିଜେପିର ହିନ୍ଦୁ ଗଡ଼ ଜମ୍ମୁ ଓ ଲଦାଖ ପ୍ରତି ସରକାରୀ ଅବହେଳାକୁ ନେଇ ହିନ୍ଦୁ ଭୋଟରଙ୍କ ମଧ୍ୟରେ ବିଜେପି ବିରୋଧରେ ଅଶାନ୍ତି ବଢି ଚାଲି ଥିଲା । କଶ୍ମୀର ଉପତ୍ୟକାରେ ପାକିସ୍ତାନ ସମର୍ଥିତ ଉଗ୍ରବାଦ ବଢି ଚାଲିବା ସହ ସେନା ବାହିନୀ ଉପରେ ଆକ୍ରମଣ ଏବଂ ଅଂଚଳରେ କାର୍ଯ୍ୟରତ ନିରାପତ୍ତା ବାହିନୀ ଯବାନଙ୍କୁ ପ୍ରତିଦିନ ଟେକାମାଡ ରାଜ୍ୟରେ ଲଗାମହୀନ ଶାସନ ଓ ଅରାଜକତାକୁ ବୟାନ କରୁଥିଲା । ନିକଟରେ ଛୁଟି କଟାଇବା ନିଜ ଗାଁକୁ ଫେରି ଥିବା ଓøରଙ୍ଗଜେବ୍ ନାମକ ଜଣେ ସାମରିକ ଯବାନଙ୍କୁ କଶ୍ମୀର ଉପତ୍ୟାକାରେ ପାକ୍ ସମର୍ଥିତ ଉଗ୍ରପନ୍ଥୀମାନେ ଯେଭଳି ରାସ୍ତାରୁ ଅପହରଣ କରି ନେଇ ହତ୍ୟା କଲେ ତାହା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଭାରତ ଯୁଦ୍ଧ ବିରତି କଥା କହୁଥିବା ବେଳେ ପାକ୍ ସମର୍ଥିତ ଉଗ୍ରପନ୍ଥୀମାନେ କଶ୍ମୀର ଉପତ୍ୟକାରେ ପ୍ରତି ଦିନ ନରସଂହାର କରି ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି । ମେହେବୁବା ମୁଫତିଙ୍କ ସରକାର ଉଗ୍ରପନ୍ଥୀଙ୍କ ପ୍ରତି କଠୋର ହେବା ପରିବର୍ତେ ରମଜାନ ପାଇଁ ଜାରି ହୋଇ ଥିବା ଯୁଦ୍ଧ ବିରତି ସମୟ ସୀମାକୁ ବଢାଇବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ଉଗ୍ରବାଦ ପ୍ରତି ତାହାର କୋହଳ ମନୋଭାବକୁ ଅଧିକ ସ୍ପଷ୍ଟ କରିଛି । ତେବେ, ପିଡ଼ିପି ସହ କ୍ଷମତାରେ ଭାଗିଦାର ଥିବା ବିଜେପି ପାଇଁ ଏହା ଅଶ୍ୱସ୍ତିକର ଥିଲା । କାରଣ, ସମଗ୍ର ଦେଶ ଉଗ୍ରବାଦ ବିରୋଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ହେବ, ତାହା ଦେଖିବାକୁ ଅପେକ୍ଷା କରିଛି ।
ଜମ୍ମୁ-କଶ୍ମୀରରେ ପିଡ଼ିପି-ବିଜେପି ମେଂଟ ସରକାର ପ୍ରତିଷ୍ଠା ହେବା ଦିନ ଠାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟି ଚାଲିଛି । ତାହାକୁ ସମ୍ଭାଳିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଏହି ପ୍ରସଙ୍ଗରେ ବିଜେପି ଉତ୍ତରଦାୟୀ ହେବାକୁ ଯାଉଛି । ନିକଟରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା ଉଦାରବାଦ ଚିନ୍ତକ ସୁଜାଥ ବୁଖାରୀଙ୍କୁ ଯେଭଳି ଭାବରେ ହତ୍ୟା କରାଗଲା ତାହା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଏହା ପଛରେ ପାକ୍ ଉଗ୍ରପନ୍ଥୀଙ୍କ ହାତ ଥିବା ମଧ୍ୟ ସ୍ପଷ୍ଟ ହେଲାଣି । କଶ୍ମୀରରେ ଏହାକୁ ନେଇ ସରକାର ବିରୋଧୀ ଅସନ୍ତୋଷ ବଢୁଛି । ସାମ୍ବାଦିକଙ୍କ ହତ୍ୟାକୁ ସବୁ ମହଲ ନିନ୍ଦା କରିଥିବା ବେଳେ ହତ୍ୟାର ଶିକାର ହୋଇଥିବା ଯବାନ ଓøରଙ୍ଗଜେବ୍ ଙ୍କ ଭାଇ ଓ ବାପା ସରକାରଙ୍କୁ ଭରସା ନ କରି ସେମାନେ ନିଜ ଆଡୁ ଏହି ହତ୍ୟାର ବଦଲା ନେବେ ବୋଲି ଗଣମାଧ୍ୟମରେ ବୟାନ ଦେଲେଣି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ମୋହ ଭଙ୍ଗ ଘଟିଛି । ପିଡ଼ିପି ସହ ମେଂଟରୁ ଓହରିବାକୁ ବିଜେପି ବାଧ୍ୟ ହୋଇଛି । ମେଂଟ ଭାଂଗିବାର ଅନ୍ୟ ବହୁ ରାଜନୈତିକ କାରଣ ମଧ୍ୟ ରହିଛି । ତେବେ, ଆଇନ ଶୃଙ୍ଖଳାରେ ଦୃତ ଅବନତି, ଅରାଜକତା ଏବଂ ହିନ୍ଦୁ ଅଧ୍ୟୁଷିତ ଜମ୍ମୁ ଅଂଚଳ ପ୍ରତି ପିଡ଼ିପି ସରକାରଙ୍କ ଅବହେଳାକୁ ପ୍ରମୁଖ କାରଣ ଭାବେ ବିଚାର କରାଯାଉଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ଜମ୍ମୁ-କଶ୍ମୀରରେ ସରକାରରୁ ବିଜେପି ଓହରି ଯିବ ଏବଂ ତିନି ବର୍ଷ ଧରି ଚାଲି ଥିବା ସରକାରର ନାଟକୀୟ ପତନ ଘଟିବ, ଏହାର ତିଳେ ମାତ୍ର ଆଭାସ ମିଳି ନ ଥିଲା ପିଡ଼ିପି ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ । ଅନ୍ୟ ଦିନ ଭଳି ମଙ୍ଗଳବାର ଦିନ ମଧ୍ୟ ସେ କାର୍ଯ୍ୟବ୍ୟସ୍ତ ଥିଲେ ରାଜ୍ୟ ସଚିବାଳୟରେ । ସେହି ସମୟରେ ଦିଲ୍ଲୀରେ ଚାଲି ଥିଲା ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ବୈଠକ । ଜମ୍ମୁ-କଶ୍ମରରେ ପିଡ଼ିପି ସହ ମେଂଟରୁ ଓହରିବାର ନିଷ୍ପତ୍ତି ହୋଇଥିଲା ଏହି ବୈଠକରେ । ଅପରାହ୍ନ ୨ଟା ସମୟରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ଏନ.ଏନ. ଭୋରା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍ କରି ମୁଖ୍ୟ ଶାସନ ସଚିବଙ୍କୁ ବିଜେପିର ସମର୍ଥନ ପ୍ରତ୍ୟାହାର ନିଷ୍ପତ୍ତି ଜଣାଇ ଦେଇଥିଲେ । ଠିକ୍ ସେହି ସମୟରେ ବିଜେପି ସାଧାରଣ ସଂପାଦକ ରାମ ମାଧବ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଥିଲେ । ଯାହାକି ରାଜ୍ୟରେ ପୁଣି ଥରେ ରାଜ୍ୟପାଳ ଶାସନ ଜାରି ହେବା ସ୍ପଷ୍ଟ କରି ଦେଇଥିଲା । ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବ ବିବି ଭ୍ୟାସ୍ ରାଜ୍ୟପାଳଙ୍କ ବାର୍ତା ତୁରନ୍ତ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ଜଣାଇ ଥିଲେ । ୫୯ ବର୍ଷ ବୟସ୍କା ମେହେବୁବା ଏହି ଖବର ଶୁଣି କିଛି ସମୟ ନୀରବ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଥିଲେ । ମେହେବୁବାଙ୍କ ଇସ୍ତଫାପତ୍ର ପାଇବା ପରେ ରାଜ୍ୟପାଳ ଭୋରା ବିଦାୟୀ ମୁଖ୍ୟମନ୍ତ୍ରୀ ମେହେବୁବା, ବିଜେପିର ରାଜ୍ୟ ମୁଖ୍ୟ ରବିନ୍ଦ୍ର ରାଇନା, ନ୍ୟାସନାଲ କନଫରେନ୍ସ (ଏନସି) ଉପ ସଭାପତି ଓମାର ଅବଦୁଲ୍ଲା ଓ ରାଜ୍ୟ କଂଗ୍ରେସ ସଭାପତି ଜି.ଏ.ମୀରଙ୍କ ସହ ଆଲୋଚନା କରି ଏକ ବିକଳ୍ପ ସରକାର ଗଠନ ସମ୍ଭାବନା ନ ଦେଖିବାରୁ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରିଛନ୍ତି ।
ଜମ୍ମୁ-କଶ୍ମୀର ସମ୍ବିଧାନର ଧାରା ୯୨ ଅନୁସାରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେଲେ ତାହା ଛଅ ମାସ ପାଇଁ ବଳବତ୍ତର ରହିବ । ଏହି ସମୟରେ ବିଧାନସଭା ପରବର୍ତର୍ୀ ନିର୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ ବା ବିଧାନସଭା ଭଙ୍ଗ ମଧ୍ୟ ହୋଇ ପାରିବ । ଛଅ ମାସ ପରେ ରାଜ୍ୟପାଳ ଶାସନର ଅବଧି ମଧ୍ୟ ବଢି ପାରିବ । ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍.ସି ଉପ ସଭାପତି ଓମାର ଅବଦୁଲ୍ଲା ମେଂଟରେ ସରକାର ଗଠନ ପାଇଁ ତାଙ୍କ ଦଳ କାହାରି ଠାରୁ ନିମନ୍ତ୍ରଣ ପାଇ ନାହିଁ ବା ନିଜେ କାହାରି ପାଖକୁ ଯାଇ ନାହିଁ ବୋଲି ସ୍ପଷ୍ଟ କରିବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ନିର୍ବାଚନ କରାଯିବା ସପକ୍ଷରେ ମତ ଦେଇଛନ୍ତି । ବିନା ତଲାକ୍ ରେ ବିଜେପି ମେହେବୁବା (ପ୍ରେମିକା) ମୁଫତିଙ୍କ ହାତ ଛାଡ଼ି ଥିବା ବେଳେ ତାହା ପିଡ଼ିପି କେମିତି ଜାଣି ପାରିଲା ନାହିଁ, ତାହା ହିଁ ଏବେ ଦେଶର ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS