ଥମସନ୍ ରଏଟର୍ସ ଫାଉଣ୍ଡେସନ୍ ରିପୋର୍ଟକୁ ନେଇ ଭାରତ କ୍ଷୁବ୍ଧ, ବିଜେପି ସରକାର ଅଡୁଆରେ
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ଜୁନ ୨୮: ମହିଳାଙ୍କ ପାଇଁ ଭାରତ ହେଉଛି ସର୍ବାଧିକ ଅସୁରକ୍ଷିତ ଦେଶ । ଏଭଳି ଏକ ସର୍ଭେ ରିପୋର୍ଟ ପ୍ରକାଶ କରି ଥମସନ୍ ରଏଟର୍ସ ଫାଉଣ୍ଡେସନ୍ ବିବଦମାନ ହୋଇପଡିଛି । ଏହି ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡକୁ ଆଙ୍ଗୁଠି ଉଠାଇ ଥିବା ବେଳେ ବିଜେପି କଂଗ୍ରେସ ପ୍ରତି ଆଙ୍ଗୁଠି ଉଠାଇଛି । ଦେଶର ବିଭିନ୍ନ ମହିଳା ସଂଗଠନ, ମହିଳା ସୁରକ୍ଷା କର୍ମୀ ଏବଂ ଗଣମାଧ୍ୟମ ଏହି ରିପୋର୍ଟକୁ ନେଇ ବିତର୍କ ଆରମ୍ଭ କରି ଦେଇଛନ୍ତି । ଯୁଦ୍ଧ ଉପଦୃତ ଆଫଗାନିସ୍ତାନ, ସିରିଆ, ସାଉଦି ଆରବ ଭଳି ରାଷ୍ଟ୍ରରେ ଅଧିକରୁ ଅଧିକ ମହିଳା ନିର୍ଯ୍ୟାତନା ଘଟଣା ଘଟୁ ଥିବା ବେଳେ ମହିଳାଙ୍କ ପାଇଁ ଭାରତ ସର୍ବାଧିକ ଅସୁରକ୍ଷିତ ଦେଶ ବୋଲି ଚିହ୍ନିତ କରାଯିବା ପ୍ରମାଦପୂର୍ଣ୍ଣ ଏବଂ ଅଭିସନ୍ଧିମୂଳକ ବୋଲି କିଛି ମହିଳା ସାମାଜିକ କର୍ମୀ ମତ ଦେଇଛନ୍ତି । ଅପରପକ୍ଷରେ, ଅନ୍ୟ କେତେକ ମହିଳା ସାମାଜିକ କର୍ମୀଙ୍କ ମତ ହେଉଛି, ଦେଶର ବଡ ବଡ ସହରରେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତାର ଅବକାଶ ନ ଥିଲେ ମଧ୍ୟ ଛୋଟ ଛୋଟ ସହର ଓ ଗ୍ରାମାଂଚଳରେ ବହୁମାତ୍ରାରେ ଅସୁରକ୍ଷା ଭାବ ରହିଛି। ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାରେ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଉ ନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଲଣ୍ଡନର ଥମସନ୍ ରଏଟର୍ସ ଫାଉଣ୍ଡେସନ ଭଳି ଏକ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ପ୍ରକାଶିତ ଏହି ସର୍ଭେ ରିପୋର୍ଟ କେନ୍ଦ୍ର ବିଜେପି ସରକାରଙ୍କ ଅଡୁଆ ବଢାଇ ଦେଇଛି ।
ଥମସନ୍ ରଏଟର୍ସ ଫାଉଣ୍ଡେସନ୍ ପକ୍ଷରୁ ଜାତିସଂଘ ସଭ୍ୟଭୁକ୍ତ ଥିବା ୧୯୩ ରାଷ୍ଟ୍ରର ମହିଳାଙ୍କ ସମସ୍ୟା ସଂପର୍କୀତ ପ୍ରସଙ୍ଗକୁ ନେଇ ୫୫୦ ଜଣ ବିଶେଷଜ୍ଞଙ୍କ ଅନ୍-ଲାଇନ ମତାମତ ଭିତ୍ତିରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ୧୯୩ଟି ରାଷ୍ଟ୍ରଙ୍କ ମଧ୍ୟରୁ କେଉଁ ୫ଟି ରାଷ୍ଟ୍ର ମହିଳାଙ୍କ ପାଇଁ ସର୍ବାଧିକ ଅସୁରକ୍ଷିତ ବୋଲି ହୋଇଥିବା ପ୍ରଶ୍ନ ଉପରେ ଯେଉଁ ମତାମତ ମିଳିଛି ତାହା ଭାରତ ବିପକ୍ଷରେ ଯାଇଛି । ୨୦୧୧ରେ ହୋଇଥିବା ଅନୁରୂପ ସର୍ଭେରେ ମହିଳାଙ୍କ ପାଇଁ ସର୍ବାଧିକ ଅସୁରକ୍ଷିତ ରାଷ୍ଟ୍ର ଭାବେ ଆଫଗାନିସ୍ତାନ ସର୍ବୋଚ୍ଚରେ ଥିଲା ଏବଂ ତାହା ପଛକୁ ଡ଼େମୋକ୍ରେଟିକ୍ ରିପବ୍ଲିକ୍ ଅଫ୍ କଂଗୋ, ପାକିସ୍ତାନ, ଭାରତ ଓ ସୋମାଲିଆ ରହି ଥିଲେ । ୨୦୧୮ରେ ସ୍ଥିତି ବଦଳି ଯାଇଛି । ସଦ୍ୟ ହୋଇଥିବା ସର୍ଭେରେ ମହିଳାଙ୍କ ପାଇଁ ସର୍ବାଧିକ ଅସୁରକ୍ଷିତ ରାଷ୍ଟ୍ରଙ୍କ ମଧ୍ୟରେ ଏକ ନମ୍ବରକୁ ଚାଲି ଆସିଛି ଭାରତ । ଦ୍ୱତୀୟରେ ଆଫଗାନିସ୍ତାନ ଓ ତୃତୀୟରେ ରହିଛି ସିରିଆ । ଆଫଗାନିସ୍ତାନ ଓ ସିରିଆ ଦୀର୍ଘ ବର୍ଷ ହେଲା ଯୁଦ୍ଧ ଓ ହିଂସା ଉପଦୃତ ହୋଇ ଥିବାରୁ ତାଲିକାରେ ଦ୍ୱତୀୟ ଓ ତୃତୀୟରେ ରହିବା କିଛି ଅସ୍ୱାଭାବିକ ନୁହେଁ । ତେବେ, ଭାରତ ପ୍ରଥମ ସ୍ଥାନକୁ ଚାଲି ଆସିବା ଭାରତୀୟ ନାଗରିକ ଓ ରାଜନେତାଙ୍କ ପାଇଁ ଗ୍ରହଣୀୟ ହେଉ ନାହିଁ । ତେଣୁ, ଏହି ସର୍ଭେ ପ୍ରମାଦପୂର୍ଣ୍ଣ ବୋଲି ମହିଳା ସଂଗଠନ ଓ ସାମାଜିକ କର୍ମୀମାନେ ମତ ଦେଇଛନ୍ତି । ୨୦୧୮ ସର୍ଭେରେ ମହିଳାଙ୍କ ପାଇଁ ସର୍ବାଧିକ ଅସୁରକ୍ଷିତ ରାଷ୍ଟ୍ର ତାଲିକାରେ ସିରିଆ ପଛକୁ ରହିଛି ସୋମାଲିଆ ଓ ସାଉଦି ଆରବ । ମହିଳାଙ୍କ ପାଇଁ ବିଶ୍ୱର ପ୍ରଥମ ୧୦ଟି ସର୍ବାଧିକ ଅସୁରକ୍ଷିତ ରାଷ୍ଟ୍ର ତାଲିକାରେ ଏକମାତ୍ର ୟୁରୋପୀୟ ରାଷ୍ଟ୍ର ଭାବେ ଆମେରିକା ଯୁଗ୍ମ ତୃତୀୟ ସ୍ଥାନରେ ରହିଛି । ଏହା ୟୁରୋପୀୟଙ୍କୁ ବିସ୍ମିତ କରିଛି । ତେବେ, ଯୌନ ହିଂସା, ଅତ୍ୟାଚାର ଏବଂ ଯୌନ ସଂଭୋଗ ପାଇଁ ପ୍ରଲୋଭିତ କରିବା କ୍ଷେତ୍ରରେ ଆମେରିକାର ବଦନାମ ଦେଶକୁ ଏହି ତାଲିକାକୁ ଟାଣି ଆଣିଛି । ଆମେରିକାରେ କିଛି ମାସ ହେଲା ଚାଲିଥିବା ‘ମି -ଠୁ’ ଓ ଟାଇମ୍ସ ଅପ୍ କ୍ୟାଂପେନ୍ ଏହି ୟୁରୋପୀୟ ରାଷ୍ଟ୍ରକୁ ଖବରର ଶିରୋନାମାରେ ରଖିଥିଲା ତେଣୁ, ଆମେରିକା ମହିଳାଙ୍କ ପାଇଁ ସର୍ବାଧିକ ବିପଦପୂର୍ଣ୍ଣ ଦେଶ ମଧ୍ୟରେ ଯୁଗ୍ମ ତୃତୀୟ ସ୍ଥାନରେ ରହି ଥିବା ଅନୁମାନ କରାଯାଉଛି ।
ଥମସନ୍ ରଏଟର୍ସ ଫାଉଣ୍ଡେସନର ୨୦୧୮ ସର୍ଭେରେ ଭାରତ ମହିଳାଙ୍କ ପାଇଁ ସର୍ବାଧିକ ଅସୁରକ୍ଷିତ ରାଷ୍ଟ୍ର ତାଲିକାରେ ସର୍ବାଗ୍ରେ ରହିବାର ମୁଖ୍ୟ କାରଣ ପାଂଚ ବର୍ଷ ତଳେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା ଘଟଣା ବୋଲି କୁହାଯାଉଛି । ଏହି ନିର୍ମମ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରି ଥିଲା । ଏହି ଘଟଣା ପରେ ମଧ୍ୟ ଭାରତରେ ମହିଳାଙ୍କ ପ୍ରତି ଜଘନ୍ୟ ହିଂସାକୁ ରୋକିବାରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବା ମହିଳାଙ୍କ ପ୍ରତି ହିଂସାକୁ ରୋକିବା ଜାତୀୟ ଅଗ୍ରାଧିକାର ଭାବେ ବିଚାର କରା ଯାଉ ନାହିଁ । ତେଣୁ, ଭାରତରେ ଏଭଳି ଘଟଣା କମିବା ପରିବର୍ତେ ବୃଦ୍ଧି ପାଉଛି ବୋଲି ବିଶ୍ୱବାସୀଙ୍କ ମନରେ ଧାରଣା ସୃଷ୍ଟି ହୋଇଛି । ଭାରତରେ ମହିଳାଙ୍କୁ ଯଥେଷ୍ଟ ସମ୍ମାନ ମିଳୁ ନ ଥିବା; ଧର୍ଷଣ, ମ୍ୟାରିଟାଲ ରେପ୍, ଯୌନ ଅତ୍ୟାଚାର, ମହିଳା ଚାଲାଣ ଏବଂ କନ୍ୟା ଭ୍ରୁଣହତ୍ୟା ଭଳି ଘଟଣା ଅବାଧରେ ଚାଲି ଥିବା କିଛି ମହିଳା ବିଶେଷଜ୍ଞ ମତ ଦେଇଛନ୍ତି । ଭାରତ ବିଶ୍ୱରେ ଅର୍ଥନୀତି ଓ ସ୍ପେସ୍ ଟେକନୋଲୋଜିରେ ନେତୃତ୍ୱ ନେଲା ଭଳି ସ୍ଥିତିକୁ ଆସି ଥିଲେ ମଧ୍ୟ ଦେଶରେ ମହିଳାଙ୍କ ପ୍ରତି ଅସମ୍ମାନ, ହିଂସା ଓ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବା ଲଜ୍ୟାଜନକ ବୋଲି ଜଣେ ମହିଳା ବିଶେଷଜ୍ଞ ମତ ଦେଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ୨୦୦୭ରୁ ୨୦୧୬ ମଧ୍ୟରେ ମହିଳା- ବିରୋଧୀ ଅପରାଧ ସଂଖ୍ୟା ୮୩ ପ୍ରତିଶତ ବୃଦ୍ଧି ପାଇଛି । ପ୍ରତି ଘଂଟାରେ ଦେଶରେ ୪ଟି ଦୁଷ୍କର୍ମ ଘଟୁଛି । ଜାତିସଂଘ ସଭ୍ୟ ଥିବା ୧୯୩ ଟି ରାଷ୍ଟ୍ରରେ ମହିଳାଙ୍କ ସ୍ୱାସ୍ଥ୍ୟସେବା, ଅର୍ଥନୀତି, ସଂସ୍କୃତି ଓ ପରଂପରାର ପରିପାଳନ, ଯୌନ ହିଂସା ଓ ଉତ୍ପୀଡନ, ଅଣ-ଯୌନ ହିଂସା ଓ ମାନବ ଚାଲାଣ ପ୍ରଭୃତିକୁ ନେଇ ଥମସନ୍ ରଏଟର୍ସ ଫାଉଣ୍ଡେସନର ଏହି ସର୍ଭେ ହୋଇଥିଲା । ସର୍ଭେରେ ଭାଗ ନେଇଥିବା ବିଶେଷଜ୍ଞମାନେ ଭାରତକୁ ଯୌନ ଦାସତ୍ୱ, ଘରୋଇ ହିଂସା, ଯୋର ଜବରଦସ୍ତ କନ୍ୟା ବିବାହ, କନ୍ୟା ଭୃଣହତ୍ୟା, ମହିଳା ଚାଲାଣ ପ୍ରଭୃତି କ୍ଷେତ୍ରରେ ଅଧିକ ଅସୁରକ୍ଷିତ ରାଷ୍ଟ୍ର ଭାବେ ଚିହ୍ନିତ କରିଥିବା ସୂଚନା ମିଳିଛି । ତେବେ, ଏହି ସର୍ଭେକୁ ନେଇ ଭାରତର ମହିଳା ଓ ଶିଶୁ ବାକାଶ ମନ୍ତ୍ରଣାଳୟ ତୁରନ୍ତ କୌଣସି ପ୍ରତିକ୍ରୀୟା ବ୍ୟକ୍ତ କରି ନାହାନ୍ତି ।
ସର୍ଭେ ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଓ ହିଂସା ପୀଡ଼ିତ ଆଫଗାନିସ୍ତାନରେ ମହିଳା ଓ ବାଳିକାମାନେ ସ୍ୱାସ୍ଥ୍ୟ ସେବା, ଲିଙ୍ଗଗତ ଭେଦଭାବ, ଦୁର୍ବ୍ୟବହାର, ଅଶିକ୍ଷା, ଦାରିଦ୍ର୍ୟ ଓ ମାନବାଧିକାର ଉଲଂଘନ ଭଳିି ଗୁରୁତର ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସେଠାରେ ଲାଗି ରହିଥିବା ଯୁଦ୍ଧ ବିଭିଷିକା ମହିଳା ଓ ବାଳିକାଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି । ସର୍ଭେରେ ଅଂଶ ଗ୍ରହଣ କରିଥିବା ଅମେରିକା ଭିତ୍ତିକ ସଂସ୍ଥା ‘ଓଟିସ୍’ ପକ୍ଷରୁ ଏହା କୁହାଯାଇଥିବା ସୂଚନା ମିଳିଛି । ପ୍ରାୟ ୧୭ ବର୍ଷ ହେଲା ଆଫଗାନିସ୍ତାନରେ ଯୁଦ୍ଧର ଘନଘଟା ଲାଗିି ରହିଛି । ଏବେ ବି ଆଫଗାନିସ୍ତାନର ବିସ୍ତୃତ ଅଂଚଳ ତାଲିବାନୀ ଯୋଦ୍ଧାଙ୍କ କବ୍ଜାରେ ରହିଛି । ଆଜିର ଦିନରେ ଆତ୍ମଘାତୀ ବୋମା ବିସ୍ଫୋରଣ ଓ ସଶସ୍ତ୍ର ସଂଘର୍ଷ ଆଫଗାନିସ୍ତାନରେ ମୃତ୍ୟୁ ଓ ବିକଳାଂଗ ହେବାର ତୃତୀୟ ପ୍ରମୁଖ କାରଣ ରହିଛି ବୋଲି ଥମସନ୍ ରଏଟର୍ସ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି । ସେହିଭଳି, ସିରିୟା ସାତ ବର୍ଷ ହେଲା ଯୁଦ୍ଧ ବିଭିଷିକା ମଧ୍ୟରେ ରହିଛି । ଦେଶରେ ଉଭୟ ସ୍ୱାସ୍ଥ୍ୟସେବା ଏବଂ ଯୌନ ସଂକ୍ରାନ୍ତିୟ ଓ ଅଣ ଯୌନ ସଂକ୍ରାନ୍ତିୟ ହିଂସା ବୃଦ୍ଧିରେ ତାହା ପ୍ରମୁଖ କାରଣ ହୋଇଛି । ମହିଳା ଓ ବାଳିକାଙ୍କ ପ୍ରତି ବିଭିନ୍ନ ଧରଣର ହିଂସାର ବିପଦ ରହିଛି । ସରକାରୀ ସେନା ଆଡୁ ମଧ୍ୟ ଯୌନ ହିଂସା ଘଟୁଛି ବୋଲି ସର୍ଭେ ରିପୋର୍ଟରୁ ସୂଚନା ମିଳିଛି । ଘରୋଇ ହିଂସା, ଅପ୍ରାପ୍ତବୟସ୍କ ବିବାହ ବୃଦ୍ଧି ପାଉଥିବା ଏବଂ ପ୍ରସବ ସମୟରେ ମଧ୍ୟ ବହୁ ମହିଳାଙ୍କ ମୃତ୍ୟୁ ଘଟୁଥିବା ଏଥିରେ କୁହାଯାଇଛି । ସୋମାଲିୟାରେ ଦୁଇ ଦଶନ୍ଧିରୁ ଅଧିକ ହେଲା ଯୁଦ୍ଧ ବିଭିଷିକା ଲାଗି ରହିବା ଦ୍ୱାରା ହିଂସାର ସଂସ୍କୃତି ପ୍ରୋତ୍ସାହିତ ହୋଇଛି ଏବଂ ତାହା ଆଇନର ଶାସନକୁ ଦୁର୍ବଳ କରି ଦେଇଛି । ସାଉଦି ଆରବରେ ଗଲା କିଛି ବର୍ଷ ହେଲା କିଛିଟା ପରିବର୍ତନ ଆସିଛି ସତ, କିନ୍ତୁ ମହିଳାଙ୍କୁୁ ପୁରୁଷଙ୍କ ସହ ସମାନ ଅଧିକାର ଦେବାର ଆଇନଗତ ବ୍ୟବସ୍ଥା ସେଠାରେ ନାହିଁ । ସାଉଦି ଆରବ ମହିଳାଙ୍କ ପାଇଁ ପ୍ରତି କଥାରେ ପୁରୁଷଙ୍କ ଅଭିଭାବକତ୍ୱର ଆବଶ୍ୟକତା ପଡୁଛି । ପୁରୁଷଙ୍କ ଅଭିଭାବକତ୍ୱ ବିନା ମହିଳାଙ୍କୁ ପାସପୋର୍ଟ ମଧ୍ୟ ମିଳୁ ନାହିଁ । ଫଳରେ, ସେମାନେ ଭ୍ରମଣରେ ଯାଇପାରୁ ନାହାନ୍ତି । ବେଳେବେଳେ ବିନା ପୁରୁଷ ଏସକର୍ଟରେ ସେମାନେ କାର୍ମ କ୍ଷେତ୍ରକୁ ଯିବାକୁ ମଧ୍ୟ ଅନୁମତି ପାଉ ନାହାନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS