ନୋଇଡ଼ାରେ ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ବିଶ୍ୱର ସର୍ବବୃହତ ସେଲଫୋନ୍ କାରଖାନା
ନୂଆଦିଲ୍ଲୀ, ଜୁଲାଇ ୧୦: ସୋମବାର ଦିନ ସହର ଉପକଂଠ ନୋଇଡ଼ାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ବିଶ୍ୱର ସର୍ବବୃହତ ସେଲଫୋନ୍ କାରଖାନା । ଦକ୍ଷିଣ କୋରିଆର ‘ସାମସଙ୍ଗ୍’ କଂପାନୀର ଏହି କାରଖାନାରୁ ବର୍ଷକୁ ୧୨୦ ନିୟୁତ ସ୍ମାର୍ଟଫୋନ୍ ଉତ୍ପାଦନ ହେବାକୁ ଯାଉଛି । କମ୍ ରେଂଜର ଫୋନ୍ ରୁ ଆରମ୍ଭ କରି କଂପାନୀର ଫ୍ଲାଗସିପ୍ ଫୋନ୍ କୁହା ଯାଉଥିବା ‘ଏସ-୯’ ମଡେଲ ପର୍ଯ୍ୟନ୍ତ ସେଲଫୋନ୍ ଏହି କାରଖାନାରେ ନିର୍ମିତ ହେବ । ମାସକୁ ୧୦ ନିୟୁତ ସେଲଫୋନ୍ ଉତ୍ପାଦନ କରାଯିବା ଯୋଜନା ରହିଛି, ଯାହାର ୭୦ ପ୍ରତିଶତ ଘରୋଇ ବଜାରରେ ବିକ୍ରି ହେବ ବୋଲି ଅଟକଳ କରାଯାଇଛି । ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜେ-ଇନ୍ ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ ଉତ୍ସବରେ ଭାଷଣ ଦେଇ କହିଛନ୍ତି, ବର୍ତମାନ ୪୦ କୋଟି ଭାରତୀୟ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ ୩୦ କୋଟି ବ୍ରଡବ୍ରାଣ୍ଡ୍ ବ୍ୟବହାର କରୁଛନ୍ତି । ଏହି କାରଖାନାରୁ ଉତ୍ପାଦନ ହେବାକୁ ଥିବା ୩୦ ପ୍ରତିଶତ ସ୍ମାର୍ଟଫୋନ୍ ବିଦେଶକୁ ରପ୍ତାନୀ ହେଲେ ବିଶ୍ୱ ବଜାରରେ ଭାରତର ବ୍ୟବସାୟିକ ସ୍ଥିତିକୁ ସୁଦୃଢ ହେବ । ଏହା ଭାରତ ତଥା ଉତ୍ତର ପ୍ରଦେଶ ପାଇଁ ଗୌରବର ବିଷୟ । ଏହି କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ଅନ୍ୟ ବିଦେଶୀ କଂପାନୀମାନେ ଦେଶରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ହେବେ । ଗତ ବର୍ଷ ସରକାର ସ୍ମାର୍ଟଫୋନ୍ ଯନ୍ତ୍ରାଂଶ ଆମଦାନୀ ଉପରେ ଯେଉଁ ଟିକସ ଲଗାଇଲେ ତାହାର ଉଦେ୍ଦଶ୍ୟ ଥିଲା ଭାରତକୁ ଏକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନକାରୀ ହବ୍ ରେ ପରିଣତ କରିବା । ଏହାଦ୍ୱାରା ନିୟୁତାଧିକ ନୂତନ ନିଯୁକ୍ତି ସୃଷ୍ଟି ହେବ । ଦକ୍ଷିଣ କୋରିଆ କଂପାନୀ ସାମସଙ୍ଗ୍ ପାଖାପାଖି ୭୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ନୋଇଡ଼ାରେ ପ୍ରତିଷ୍ଠିତ ନୂତନ କାରଖାନାରେ ୧୦୦୦ରୁ ଅଧିକଙ୍କୁ ନିଯୁକ୍ତି ମିଳିବ । ଏହି ନୂତନ କାରଖାନାର ଉଦଘାଟନ ଉତ୍ସବରେ ଯୋଗ ଦେବା ସକାଶେ ପ୍ରଧାନମନ୍ତ୍ରୀ ମୋଦୀ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଦିଲ୍ଲୀରୁ ନୋଇଡ଼ା ଯାଏଁ ଦିଲ୍ଲୀ ମେଟ୍ରୋରେ ଯାଇଥିଲେ ।
ଗତବର୍ଷ ଭାରତ ଆମେରିକାକୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ବୃହତ ସ୍ମାର୍ଟଫେନ୍ ମାର୍କେଟ ହୋଇଛି । ଚୀନ ପ୍ରଥମ ସ୍ଥାନରେ ରହିଛି । ଦେଶରେ ୨୦୧୬ରେ ୩୫୯ ନିୟୁତ ସ୍ମାର୍ଟଫୋନ୍ ସଂଯୋଗ ଥିବା ବେଳେ ୨୦୨୧ ସୁଦ୍ଧା ସଂଯୋଗ ସଂଖ୍ୟା ୭୮୦ ନିୟୁତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS