ପାନାମା ପେପର ଲିକ୍: ନୱାଜ ସରିଫ ଓ କନ୍ୟା ମରିୟମ ଲାହୋର ବିମାନ ବନ୍ଦରରୁ ଗିରଫ
ନୂଆଦିଲ୍ଲୀ, ଜୁଲାଇ ୧୪: ଅସଦ୍ ଉପାୟରେ ଅର୍ଜିତ ଧନରେ ଲଣ୍ଡନରେ ଚାରିଟି ବିଳାସପୂର୍ଣ୍ଣ ଆପାର୍ଟମେଂଟ କିଣି ଥିବା ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଓ ତାଙ୍କ କନ୍ୟା ମରିୟମଙ୍କୁ ପାକିସ୍ତାନର ଏକ ଆକାଉଂନ୍ଟେବିଲିଟି କୋର୍ଟ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରି ଥିବାରୁ ପୁଲିସ ଶୁକ୍ରବାର ଦିନ ଦୁହିଁଙ୍କୁ ଲାହୋର ବିମାନ ବନ୍ଦରରୁ ଗିରଫ କରିନେଇଛି । ନୱାଜ ଓ ମରିୟମ ଲଣ୍ଡନରୁ ଆବୁଧାବୀ ଦେଇ ଲାହୋର ବିମାନ ବନ୍ଦରରେ ପହଂଚିବା ପରେ ଗିରଫ ହୋଇଥିଲେ । ପାନାମା ପେପର ସ୍କାଣ୍ଡାଲ୍ ସହ ସଂପୃକ୍ତ ତିନିଟି ଦୁର୍ନୀତି ମାମଲାରେ ସରିଫଙ୍କୁ ଜଡିତ କରାଯାଇଥିବା ବେଳେ ଆଭେନଫିଲ୍ଡ ରେଫରେନ୍ସ ମାମଲାରେ ଜୁଲାଇ ୬ ତାରିଖ ଦିନ ଆକାଉଂନ୍ଟେବିଲିଟି କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ବିମାନ ବନ୍ଦରରେ ସେମାନଙ୍କ ପାସପୋର୍ଟ ଜବତ କରିନିଆ ଯାଇଛି ।
ପାକ୍ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୱାଜ ଓ ମରିୟମଙ୍କୁ ଆଣି ଥିବା ବିମାନଟି ନିର୍ଦ୍ଧାରିତ ସମୟରୁ ତିନି ଘଂଟା ବିଳମ୍ବରେ ଲାହୋର ବିମାନ ବନ୍ଦରରେ ପହଂଚି ଥିଲା । ଲାହୋରର ଆଲ୍ଲାମା ଇକବଲ୍ ବିମାନ ବନ୍ଦରରେ ବିମାନଟି ଅବତରଣ କରୁ କରୁ ନୱାଜ ଓ ମରିୟମଙ୍କୁ ଗିରଫ କରି ନିଆଯାଇ ଥିଲା । ଦୁହିଁଙ୍କୁ ଲାହୋରରୁ ହେଲିକପଟରରେ ଇସଲାମାବାଦ ନିଆ ଯାଇ ରାୱଲପିଣ୍ଡିର ଆଦିଆଲା ଜେଲରେ ରଖିବା ବ୍ୟବସ୍ଥା ହୋଇଛି ।
ଶୁକ୍ରବାର ଦିନ ନୱାଜ ଓ ମରିୟମ ଦେଶକୁ ଫେରୁ ଥିବା ଜାଣି ତାଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍ (ପିଏମଏଲ-ଏନ) ନୱାଜ ଗୋଷ୍ଠୀର ବହୁ ସଂଖ୍ୟକ ସମର୍ଥକ ବିମାନ ବନ୍ଦରରେ ସେମାନଙ୍କୁ ସ୍ୱାଗତ କରିବା ସକାଶେ ଏକାଠି ହୋଇଥିଲେ । ବିମାନ ବନ୍ଦର ଠାରେ ନୱାଜ ଓ ତାଙ୍କ କନ୍ୟାଙ୍କୁ ସ୍ୱାଗତ କରାଯିବା ପୁଲିସ ଚାହୁଁ ନ ଥିବାରୁ ସେଠାରେ ଏକାଠି ହୋଇଥିବା ପିଏମଏଲ-ଏନ ସମର୍ଥକମାନଙ୍କୁ ଘଉଡାଇ ଥିଲେ । ଫଳରେ, ପୁଲିସ ସହ ନୱାଜ ସମର୍ଥକଙ୍କ ସଂଘର୍ଷ ଘଟି ଥିଲା । ପୁଲିସ ବହୁ ସଂଖ୍ୟକ ନୱାଜ ସମର୍ଥକଙ୍କୁ ଗିରଫ କରିଛି । ଆଇନଶୃଙ୍ଖଳା ରକ୍ଷା ସକାଶେ ଲାହୋରରେ ପ୍ରାୟ ୧୦ ହଜାର ପୁଲିସ ଅଧିକାରୀ ନିୟୋଜିତ ଥିଲେ । ପଞ୍ଜାବ ସରକାର ମଧ୍ୟ ମୋବାଇଲ ଓ ଇଂଟରନେଟ୍ ସେବାକୁ ସସପେଣ୍ଡ୍ କରି ଦେଇଥିଲେ ।
ଆଭେନଫିଲ୍ଡ ରେଫରେନ୍ସ ମାମଲାରେ ପାକିସ୍ତାନର ଆକାଉଂନ୍ଟେବିଲିଟି କୋର୍ଟ ଜୁଲାଇ ୬ ତାରିଖ ଦିନ ରାୟ ପ୍ରକାଶ କରି ନୱାଜ, କନ୍ୟା ମରିୟମ ଓ ଜ୍ୱାଇଁ କ୍ୟାପଟେନ ମୁହମ୍ମଦ ସଫଦର (ଅବସରପ୍ରାପ୍ତ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ନୱାଜଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଏହି ଷଡଯନ୍ତ୍ରରେ ପିତାଙ୍କୁ ସାହଯୋଗ କରିଥିବା ଅଭିଯୋଗରେ ମରିୟମଙ୍କୁ ସାତ ବର୍ଷ ଜେଲଦଣ୍ଡ ହୋଇଛି । ଏନଏବିକୁ ସହଯୋଗ କରିଥିବା ଅଭିଯୋଗରେ ନୱାଜଙ୍କ ଜ୍ୱାଇଁ ସଫଦରଙ୍କୁ ଗତ ରବିବାର ଦିନ ରାୱାଲପିଣ୍ଡି ଠାରେ ଦଳର ଏକ ର୍ୟାଲି ବେଳେ ଗିରଫ କରାଯାଇଥିଲା । ତାଙ୍କୁ କୋର୍ଟ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS