ପାଂପଲେଟ୍ ମାଛରେ ଫର୍ମୋଲିନ୍
ଭୁବନେଶ୍ୱର, ଜୁଲାଇ ୧୪: ଆସାମ ସରକାର ଓଡ଼ିଶା ସରକାରଙ୍କ ଆଖି ଖୋଲିଛନ୍ତି । ଆନ୍ଧ୍ରରୁ ବିଭିନ୍ନ ରାଜ୍ୟକୁ ଆସୁଥିବା ମାଛରେ ଫର୍ମୋଲିନ୍ ଭଳି ଏକ ବିଷାକ୍ତ ରସାୟନ ରହୁଥିବା ସଂପର୍କରେ ଆସାମ ସରକାର ଚେତାଇ ଦେଇ ଆସାମକୁ ଆନ୍ଧ୍ର ମାଛର ଆମଦାନୀ ଓ ବିକ୍ରକୁ ନିଷିଦ୍ଧ କରିଛନ୍ତି । ଏହାର ଗୋଟିଏ ଦିନ ପରେ ଓଡ଼ିଶା ସରକାର ହଡବଡେଇ ଓଡ଼ିଶାକୁ ଆସୁଥିବା ଆନ୍ଧ୍ର ମାଛ ଯାଂଚ କରିବାକୁ ନିର୍ଦେଶ ଦେଇଥିଲେ । ଶୁକ୍ରବାର ଦିନ ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ରାଜଧାନୀର ୪ ନମ୍ବର ମାର୍କେଟ ମାଛ ବଜାରରୁ ୯ଟି ବିଭିନ୍ନ ପ୍ରକାର ମାଛର ନମୂନା ସଂଗ୍ରହ କରିଥିଲେ । ଯାଂଚରେ ପାଂପଲେଟ୍ ମାଛର ନମୂନାରେ ପର୍ମୋଲିନ୍ର ଉପସ୍ଥିତି ଥିବା ବିଭାଗୀୟ ଶାସନ ସଚିବ ସୂଚନା ଦେଇଛନ୍ତି । ମଲା ମଣିଷ ବା ଜୀବକୁ ଅଧିକ ଦିନ ସତେଜ ରଖିବା ସକାଶେ ଫର୍ମୋଲିନ୍ ର ବ୍ୟବହାର କରାଯାଇଥାଏ । ଏହି ଦ୍ରବଣରେ ସତେଜ ମାଛକୁ ବୁଡାଇ ରଖିଲେ ବା ମାଛରେ ପର୍ମୋଲିନ୍ ସ୍ପ୍ରେ କରାଗଲେ ମାଛ ଅଧିକ ଦିନ ସତେଜ ଦିଶେ । ଏହି ରସାୟନ କ୍ୟାନସରକାରକ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି । ଶୁକ୍ରବାର ଦିନ ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରୁ ସଂଗୃହିତ ନମୂନାରୁ ପାଂପଲେଟ୍ ମାଛରେ ଫର୍ମୋଲିନର ଉପସ୍ଥିତି ଥିବା ଲ୍ୟାବ୍ ପରୀକ୍ଷାରୁ ଜଣାପଡିବା ପରେ ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଗଠନ କରାଯାଇ ଆନ୍ଧ୍ରରୁ ଆସୁଥିବା ମାଛର ଯାଂଚ କରାଯିବାକୁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଥିବା ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ସଂପୃକ୍ତ ବ୍ୟବସାୟୀ ପାଂପଲେଟ୍ ମାଛ କେଉଁଠୁ ଆଣିଥିଲେ ତାହା ଯାଂଚ କରାଯାଉଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ମାଛରେ ଫର୍ମୋଲିନ୍ ଭଳି ହାନୀକାରକ ରସାୟନର ପ୍ରୟୋଗ ହେଉଥିବା ଜାଣିବା ପରେ ଖାଉଟୀ ମହଲରେ ଆତଙ୍କ ଖେଳି ଯାଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS