ଡ଼ାକ ସେବାରେ ବିରାଟ ସଂସ୍କାର, ଆଇପିପିବି ସେବା ଆରମ୍ଭ


ନୂଆଦିଲ୍ଲୀ, ୦୨ ସେପ୍ଟେମ୍ବର (ମୋଅନୁଭବ.କମ୍): ଶନିବାର (୧ ତାରିଖ)ଦିନ ଏଠାରେ ଇଣ୍ଡିଆନ ପୋଷ୍ଟାଲ ପେମେଂଟ୍ ବ୍ୟାଙ୍କ୍ (ଆଇପିପିବି)ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟିତ କରିଛନ୍ତି । ଏହା ହେଉଛି ଦେଶର ଯୋଗାଯୋଗ ମନ୍ତ୍ରଣାଳୟ ଓ ଡ଼ାକ ବିଭାଗ ଅନ୍ତର୍ଗତ ଏକ ରାଷ୍ଟ୍ରାୟତ୍ତ କଂପାନୀ । ଭାରତ ସରକାରଙ୍କର ଏଥିରେ ଶହେ ପ୍ରତିଶତ ଇକ୍ୟୁଟି ରହିଛି । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନରେ କାର୍ଯ୍ୟ କରିବ । ୨୦୧୮ ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଦେଶର ୧.୫୫ ଲକ୍ଷ ଡ଼ାକ ଘର ଆଇପିପିବି ସେବା ଅନ୍ତର୍ଭୁକ୍ତ ହେବ । ପେ-ଟିମ୍ ଓ ଏୟାରଟେଲ ପରେ ଆଇପିପିବି ହେବ ଦେଶର ତୃତୀୟ ପେମେଂଟ୍ସ ବ୍ୟାଙ୍କ ।
ଆଇପିପିବି ଲୋକଙ୍କ ଘରେ ପହଂଚି ବ୍ୟାଙ୍କ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଗ୍ରାମାଂଚଳରେ କାର୍ଯ୍ୟରତ ଭାରତୀୟ ଡ଼ାକ ସେବା କର୍ମଚାରୀମାନେ ଏବେ ଲୋକଙ୍କୁ ବ୍ୟାଙ୍କ ସେବା ସହ ପରିଚିତ କରାଇବେ । ସଂଚୟ, ଚଳନ୍ତି ଖାତା ଖୋଲିବା ଠାରୁ ଆରମ୍ଭ କରି ଟଙ୍କା ଉଠାଣ, ସ୍ଥାନାନ୍ତର, ରିଚାର୍ଜ, ଅନ୍ୟାନ୍ୟ ସେବା ପାଇଁ ବିଲ୍ ପେମେଂଟ୍, ଏଂଟରପ୍ରାଇଜ୍ ତଥା ମର୍ଚାଂଟ ପେମେଂଟ୍ ଭଳି ବିଭିନ୍ନ ସୁବିଧା ସେମାନେ ଯୋଗାଇ ଦେବେ । ଏହି ଉତ୍ପାଦ ତଥା ସେବା ବିଭିନ୍ନ ମାଧ୍ୟମ – ଅର୍ଥାତ କାଉଂଟର ସେବା, ମାଇକ୍ରୋ ଏଟିଏମ୍, ମୋବାଇଲ ବ୍ୟାଙ୍କିଂ ଆପ୍, ଏମଏମଏସ୍ ଏବଂ ଆଇଭିଆର ଜରିଆରେ ପ୍ରଦାନ କରାଯିବ । ତେବେ, ଆଇପିପିବି କୌଣସି ଏଟିଏମ୍ ଡ଼େବିଟ କାର୍ଡ ପ୍ରଦାନ କରିବ ନାହିଁ । ବରଂ ଏହା ଗ୍ରାହକଙ୍କୁ କ୍ୟୁଆର୍ କୋଡ ଭିତ୍ତିକ ବାୟୋମେଟ୍ରିକ କାର୍ଡ ପ୍ରଦାନ କରିବ । ଆଇପିପିବି ପିଏନବି ମେଟ୍ରୋଲାଇଫ୍ ଓ ବାଜାଜ ଆଲିଂଆଂଜ୍ ସହ ଅନୁବଂଧିତ ହୋଇଛି । ଏହି ସହବଂଧନ ଜରିଆରେ ଆଇପିପିବି ବୀମା ଉତ୍ପାଦ ପ୍ରଦାନ କରିବ । ଦେୟ ହିସାବରେ ନଗଦ ଜମା ଓ ଉଠାଣ ବ୍ୟତୀତ ଅନ୍ୟାନ୍ୟ ଡ଼ିଜିଟାଲ ଦେଣନେଣ ପାଇଁ କାରବାର ପିଛା ୧୫ ଟଙ୍କା ଏବଂ ନଗଦ କାରବାର (ଟଙ୍କା ଉଠାଣ ଓ ଜମା)ରେ କାରବାର ପିଛା ୨୫ ଟଙ୍କା ଦେୟ ଦେବାକୁ ପଡିବ ।
ସମଗ୍ର ଦେଶରେ ଭାରତୀୟ ଡ଼ାକ ସେବାର ୧.୫୫ ଲକ୍ଷ କାର୍ଯ୍ୟାଳୟ ରହିଛି । ବ୍ୟାଙ୍କ ଶାଖାର ଏହା ପାଖାପାଖି ୨.୫ ଗୁଣ । ବର୍ତର୍ମାନ ସୁଦ୍ଧା ଡ଼ାକ ଘରମାନଙ୍କରେ ଥିବା ୧୭ କୋଟି ଡ଼ାକ ଘର ସଂଚୟ ବ୍ୟାଙ୍କ ଖାତା ମଧ୍ୟରୁ କିଛି ପେମେଂଟସ୍ ବ୍ୟାଙ୍କକୁ ସ୍ଥାନାନ୍ତର ହେବ ବୋଲି ଆଇପିପିବି ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଡ଼ାକ ବିଭାଗର ୬୫୦ ଶାଖା ଏବଂ ୩,୨୫୦ ଉପ ଡ଼ାକଘରରେ ଆଇପିପିବି ସେବା ଆରମ୍ଭ କରିଛନ୍ତି । ବ୍ୟାଙ୍କ ସେବାକୁ ଅଧିକ ସରଳ କରିବା ସକାଶେ ସେ ଇଂଡିଆ ପୋଷ୍ଟ ପେମେଂଟସ୍ ବ୍ୟାଙ୍କ ମୋବାଇଲ୍ ଆପ୍ ର ମଧ୍ୟ ଶୁଭାରଂଭ କରିଛନ୍ତି । ଆଇପିପିବି ସେବା ଲୋକଙ୍କ ନିକଟରେ ପହଂଚାଇବା ପାଇଁ ୩ ଲକ୍ଷରୁ ଉଦ୍ଧ୍ୱର୍ ଡ଼ାକବାଲା ଓ ଗ୍ରାମାୀଣ ଡ଼ାକ ସେବକଙ୍କୁ ନିୟୋଜିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବର୍ତମାନ ପାଇଁ ଗ୍ରାମାଂଚଳ ଓ ସହରାଂଚଳରେ ମୋଟ ୧୧ ହଜାର ଡ଼ାକବାଲା ଏହି ସେବା ଯୋଗାଇବେ ।
ଓଡ଼ିଶାରେ ବର୍ତମାନ ୮,୨୧୫ଟି ଡ଼ାକଘର ରହିଛି । ସେଥିରୁ ୩୩ଟି ଡ଼ାକଘର ଓ ୧୬୫ଟି ଉପ ଡ଼ାକଘରରେ ଆଇପିପିବି ବ୍ୟାଙ୍କିଂ ସେବା ୧ତାରିଖରୁ ଆରମ୍ଭ କରାଯାଇଛି । ଡ଼ିସେମ୍ବର ଶେଷ ସୁଦ୍ଧା ବଳକା ୮,୦୫୦ ଡ଼ାକଘରରେ ଏହି ସେବା ଉପଲବ୍ଧ ହେବ। ରଜ୍ୟର ସବୁ ଡ଼ାକଘରରେ ଆଇପିପିବି ସେବା ଉପଲବ୍ଧ ହେବା ପରେ ୧,୩୬୭ ଡ଼ାକବାଲା ଓ ୭,୦୦୯ ଜଣ ଡ଼ାକ ବିତରକଙ୍କ ମାଧ୍ୟମରେ ଲୋକଙ୍କୁ ଏହି ବ୍ୟାଙ୍କିଂ ସୁବିଧା ଯୋଗାଇ ଦିଆଯିବ ବୋଲି ଭୁବନେଶ୍ୱରରେ ଆଇପିପିବି ସେବାର ଉଦଘାଟନ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ରାଜ୍ୟର ୧୬ ଲକ୍ଷ ଡ଼ାକ ସଂଚୟ ଖାତା ଆଇପିପିବିକୁ ସ୍ଥାନାନ୍ତର କରାଯିବ ବୋଲି ଡ଼ାକ ବିଭାଗ ଓଡ଼ିଶା ମଣ୍ଡଳ ମୁଖ୍ୟ ମହା ଡ଼ାକପାଳ ଡ. ଏସ. କେ. କମିଳା ଭିବନେଶ୍ୱରରେ ସୂଚନା ଦେଇଛନ୍ତି।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS