ଦେଶବ୍ୟାପୀ ବିରୋଧକୁ ଦେଖି ମଧ୍ୟ କେନ୍ଦ୍ର ନଇଁବାକୁ ରାଜି ନୁହେଁ !
ଭୁବନେଶ୍ୱର, ସେପ୍ଟେମ୍ବର ୧୧ (ପ୍ରସାଦ ରାଓ): ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଲଗାମଛଡା ଦରବୃଦ୍ଧିକୁ ସମଗ୍ର ଦେଶ ବିରୋଧ କରିଛି । ଭାରତୀୟ ଜାତୀୟ କଂଗ୍ରେସ ପ୍ରତି ଜନସାଧାରଣରେ ଆସ୍ଥା ଫେରି ନ ଥିବା ସତ୍ୱେ ୧୦ ତାରିଖ ‘ଭାରତ ବନ୍ଦ’କୁ ଅକୁଣ୍ଠ ସମର୍ଥନ ମିଳିଛି । ‘ବନ୍ଦ’ ପାଳନ କରି ଦେଲେ ଯେ ସମସ୍ୟାର ସମାଧାନ ହୋଇ ଯିବ, ଏଭଳି ବିଶ୍ୱାସ କହାରି ନାହିଁ । ତଥାପି, ଦେଶବାସୀ ଏହା ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ନିଜର ଅସନ୍ତୋଷ ଜଣାଇଛନ୍ତି । ସବୁ ବର୍ଗର ଜନସାଧାରଣ ‘ବନ୍ଦ’ରେ ସାମିଲ ହୋଇ ଏହାକୁ ସଫଳ କରିଛନ୍ତି । ଦେଶରେ କାଁ ଭାଁ କେଉଁଠି କିଛି ଅପ୍ରିତିକର ଘଟଣା ଘଟି ଥିବା ଖବର ମିଳିଛି । ତେବେ, ମୋଟାମୋଟି ଭାବେ କାଲିର ‘ବନ୍ଦ’ ଥିଲା କଂଗ୍ରେସ ନେତୃତ୍ୱରେ ୨୨ ବିରୋଧୀ ଦଳର ବଡ ସଫଳତା ।
‘ବନ୍ଦ’କୁ ନେଇ ସୋମବାର କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ଥିଲା ପ୍ରତିରକ୍ଷାତ୍ମକ । କାଁ ଭାଁ ଘଟିଥିବା କିଛି ଘଟଣାକୁ ଦେଖାଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଂଗ୍ରେସକୁ ସମାଲୋଚନା କରିବା ସହକୈଫିୟତ ମାଗିଥିଲେ ସିନା ସେଥିରେ ଦାମ୍ଭିକତାର ଅଭାବ ଥିଲା । କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ହେଲେ ଲୋକମାନେ ଡରି ମରି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଦିଅନ୍ତି ଏବଂ ରାସ୍ତାଘାଟ ଶୂନଶାନ ହୋଇଯାଏ ବୋଲି କେନ୍ଦ୍ର ମନ୍ତ୍ରୀ କହି ଥିବା ବେଳେ ବିଜେପି ଓଡ଼ିଶା ଶାଖା ଏହି ସଫଳତାର ଶ୍ରେୟ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାନୁଷ୍ଠାନଗୁଡିକୁ ଆଗୁଆ ବନ୍ଦ କରି ଦେବା ସହ ନିଜେ ସାମାନ୍ୟ ବିଳମ୍ବରେ ବିଧାନସଭାରେ ପହଂଚିବା କଥାକୁ ବିଜେପି ସୋମବାର ‘ ଭାରତ ବନ୍ଦ’ର ସଫଳତାକୁ ଯୋଡିଛି । ଅବଶ୍ୟ, ପୂର୍ବଦିନ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରାଜ୍ୟ କଂଗ୍ରେସର ଅନ୍ୟ କିଛି ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇ ସେ ଯଦି ‘ବନ୍ଦ’କୁ ସମର୍ଥନ କରୁଥା’ନ୍ତି ତେବେ ସାମାନ୍ୟ ବିଳମ୍ବରେ ବିଧାନସଭାରେ ପହଂଚିବେ ବୋଲି ନିବେଦନ କରିଥିଲେ । ସୋମବାର ‘ବନ୍ଦ’ ପାଳନ ସମୟରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ସରକାର ରାଜ୍ୟ ସରକାର ସୋମବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଶନିବାରରୁ ଘୋଷଣା କରି ସାରିଥିଲେ । ତେବେ, ଅନ୍ୟାନ୍ୟ ସେବା ଯେଭଳି ଶୃଙ୍ଖଳିତ ଭାବେ ଚାଲିବ ତାହା ତଦାରଖ କରିବାକୁ ସରକାର ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଚିଠି ମାଧ୍ୟମରେ ନିର୍ଦେଶ ଦେଇଥିବା ସତ୍ୱେ ରାଜ୍ୟରେ କଂଗ୍ରେସ ଓ କମ୍ୟୁନିଷ୍ଟଙ୍କ ପକ୍ଷରୁ ସଫଳତାର ସହ ‘ରେଳ ରୋକୋ’ କରାଯାଇଥିଲା । ସଡକ ପରିବହନ ଓ ବ୍ୟବସାୟ ପ୍ରତିଷ୍ଠାନ କୌଣସି ପ୍ରକାର ଚାପ ନ ଥାଇ ଆପେ ଆପେ ବନ୍ଦ ରହି ଥିଲା । ଜଣାପଡୁଥିଲା ଯେମିତି ରାଜ୍ୟବାସୀ ନିଜ ଆଡୁ ସ୍ୱତଃ ଏହି ବନ୍ଦ ଡାକରା ଦେଇ ସଫଳ କରିଛନ୍ତି । କଂଗ୍ରେସ ବା କମ୍ୟୁନିଷ୍ଟମାନେ ଥିଲେ ନିମିତ୍ତମାତ୍ର।
ଦେଶରେ କଂଗ୍ରେସ ନେତୃତ୍ୱକୁ ନେଇ ବିରୋଧୀଙ୍କ ମଧ୍ୟରେ ସହମତି ନ ଥିଲେ ମଧ୍ୟ ୨୨ ବିରୋଧୀ ଦଳ ଏକାଠି ହୋଇ ସୋମବାରର ‘ଭାରତ ବନ୍ଦ’କୁ ସଫଳ କରିବା ନିଶ୍ଚିତ ଭାବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଚିନ୍ତାର କାରଣ ହୋଇଥିବ । ତଥାପି, ଶାସକ ଦଳର ଜନମତ ନିକଟରେ ମୁଣ୍ଡ ନୁଆଁଇବା ଭଳି ଲାଗୁ ନାହିଁ । ଜନମତକୁ ଉପେକ୍ଷା କରି ବିଜେପି ନେତୃତ୍ୱ ଘୋଷଣା କରିଛି ଯେ, ବିରୋଧୀ ଦଳଙ୍କ ତଥାକଥିତ ଏକତା ସତ୍ୱେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ (୨୦୧୪ ତୁଳନାରେ) ସାଂସଦଙ୍କୁ ଜିତାଇ କ୍ଷମତାକୁ ଫେରିବ । କଥିତ ବିରୋଧୀ ଏକତା ‘ପାଣି ଫୋଟକା’ ଭଳି ମିଳାଇ ଯିବ । ଓଡ଼ିଶା ଓ ପଶ୍ଚିମ ବଂଗରେ ମଧ୍ୟ ଦଳ ସରକାର ଗଢିବ ବୋଲି ଦମ୍ଭର ସହିତ କହିଛି । ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ିର ଅନୁଗ୍ରହ ଲାଭ କରିଥିବା ବିଜେପି ଦଳ ଓ ତାହାର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏଭଳି ଦମ୍ଭୋକ୍ତି କରୁଛନ୍ତି । ଶାହା ନିର୍ବାଚନରେ ବିଜେପିରର ମଂଗ ଧରୁ ଥିବା ସ୍ପଷ୍ଟ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧିକୁ ଆନ୍ତର୍ଜାତିକ ଅର୍ଥନୈତିକ ସଂକଟ ସହ ଯୋଡି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇଲେଣି । ବିଶ୍ୱ ବଜାରରେ ଅଶୋଧିତ ତୈଳର ଅହେତୁକ ଦରବୃଦ୍ଧି ସହ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ପରିମାଣରେ ହ୍ରାସ ପାଇବା ତେଲ ଦର ବଢିବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏଥିରେ କୌଣସି ଭୂମିକା ନାହିଁ ବୋଲି ଦଳ ପକ୍ଷରୁ ଦମ୍ଭୋକ୍ତ ପ୍ରକାଶ କରାଯିବା ଆଗାମୀ ଦିନରେ ତେଲ ଦର ଖସିବା ସମ୍ଭାବନାକୁ କ୍ଷୀଣ କରିଛି । ଅପରପକ୍ଷରେ, ତେଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଟିକସ କମାଇବା ପାଇଁ ସରକାରଙ୍କ ଉପରେ ଜନତାର ଚାପ ବଢୁ ଥିବା ସତ୍ୱେ ସରକାର ପାଖାପାଖି ୩୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପ୍ରସ୍ତୁତ ନୁହନ୍ତି । ତେଲ ଲିଟର ପିଛା ୨ ଟଙ୍କା କମାଇଲେ ବି ସରକାର ୨୮ରୁ ୩୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ବୋଲି କେନ୍ଦ୍ରୀୟ ଅଧିକାରୀମାନେ ଆକଳନ କରିବା ସହ ଏହା ହେଲେ ଦେଶରେ ଚାଲି ଥିବା ବିଭିନ୍ନ ସମାଜମଂଗଳ କାର୍ଯ୍ୟ ବନ୍ଦ ହୋଇ ଯିବ ବୋଲି କହୁଛନ୍ତି । ସରକାର ଏସବୁ କାର୍ଯ୍ୟ ବନ୍ଦ ହେବା ଚାହାନ୍ତି ନିହିଁ ବୋଲି ମଧ୍ୟ ସରକାରୀ ଭାବେ ସ୍ପଷ୍ଟ କରି ଦିଆଯାଇଛି । ଇତିମଧ୍ୟରେ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ଭାଟ୍ (ରାଜ୍ୟ ସରକାରଙ୍କ ଟିକସ) ପରିମାଣ କମାଇ ଅଂତତଃ ୨ ଟଙ୍କା ହ୍ରାସ କରି ଥିବାରୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ ତାହା କମାଇ ତେଳ ଦରରେ ସୁଧାର ଆଣିବେ ବୋଲି କେନ୍ଦ୍ର ସରକାର ଆଶା କରୁଥିବା ସରକାରୀ ପଦାଧିକାରୀମାନେ ସୂଚନା ଦେଇଛନ୍ତି ।
ସୋମାବର ଦେଶବ୍ୟାପୀ ‘ବନ୍ଦ’ ପାଳନ ଚାଲି ଥିବା ବେଳେ କେନ୍ଦ୍ର ଆଇନ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦେଇଥିବା ଟିପ୍ପଣୀ ସରକାରଙ୍କ ମନୋଭାବକୁ ସ୍ପଷ୍ଟ କରୁଛି । ‘ଆମେ ତୈଳ ସମସ୍ୟାକୁ ନେଇ ଜନସାଧାରଣଙ୍କ ସହ ରହିଛୁ, ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛୁ ଏବଂ ସମସ୍ୟାର ସମାଧାନ କରିବୁ’ ବୋଲି ସେ ସାମ୍ବାଦିକ ମାନଙ୍କୁ କହିଥିଲେ । ତେବେ, କେନ୍ଦ୍ର ସରକାରଙ୍କ ପଦାଧିକାରମାନେ କହିବା ଅନୁଯାୟୀ କେନ୍ଦ୍ର ସରକାର ନିଜ ଆଡୁ କେନ୍ଦ୍ରୀୟ ଟିକସ କମାଇବା ସପକ୍ଷରେ ନାହାନ୍ତି । ଅଧିକରୁ ଅଧିକ ରାଜ୍ୟ ନିଜସ୍ୱ ଟିକସ ହାର (ଭାଟ୍) କମାଇ ତେଲ ଦର ଆଖିଦୃଶିଆ କମାଇବେ ବୋଲି ଆଶା ରଖିଛନ୍ତି । କାରଣ, କେନ୍ଦ୍ର ସରକାର ବିଭିନ୍ନ ବାବଦରେ ଯାଉଁ ପରିମାଣରେ ଟିକସ ପାଉଛନ୍ତି ସେଥିରୁ ୪୦ ପ୍ରତିଶତ ରାଜ୍ୟଗୁଡିକ ସେମାନଙ୍କ ଭାଗ ହିସାବରେ ମିଳୁଛି । କେନ୍ଦ୍ରୀୟ ଟିକସ କମିଲେ ଯାହା ଆୟ କମିବ ସେଥିରେ ସମସ୍ତେ କ୍ଷତିଗ୍ରସ୍ତ ହେବେ । ଯେକୌଣସି ଉତ୍ପାଦର ଦର ବୃଦ୍ଧି ଘଟିଲେ ରାଜ୍ୟମାନେ ମଧ୍ୟ ସେଥିରୁ ଅଧିକ ରାଜସ୍ୱ ପାଇଥା’ନ୍ତି ବୋଲି କେନ୍ଦ୍ର ମତ ଦେଇଛି । ତେବେ, ‘ଭାରତ ବନ୍ଦ’କୁ ସଫଳ କରିଥିବା କଂଗ୍ରେସ ସମେତ ଅନ୍ୟ ୨୧ ରାଜନୈତିକ ଦଳ ଏହି ଥିଓରିକୁ ନକାରି ଦେଇ ‘ବନ୍ଦ’ର ଅଭୁତପୂର୍ବ ସଫଳତା ତେଲ ଦର କମାଇବା ପାଇଁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ତେଲଦର ବୃଦ୍ଧିର ଧାସ ସବୁ ଶ୍ରେଣୀର ଜନତାଙ୍କୁ ଛୁଇଁ ଥିବା ବେଳେ ଏହାକୁ ନେଇ ସରକାର ଓ ବିରୋଧୀଙ୍କ ରାଜନୀତି ଏହି ସମସ୍ୟକୁ କି ମୋଡ ଦେବ, ତାହା ଅତି ଶୀଘ୍ର ସ୍ପଷ୍ଟ ହୋଇଯିବ ।
‘ବନ୍ଦ’ବାଟରେ ‘ବନ୍ଦ’; ତେଲ ଦର ବଢିବାରେ ଲାଗିଛି…
ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଆକାଶଛୁଆଁ ଦରବୃଦ୍ଧିକୁ ନେଇ କଂଗ୍ରେସ ନେତୃତ୍ୱରେ ୨୨ଟି ବିରୋଧୀ ଦଳ ପକ୍ଷରୁ ସୋମବାର ଦେଶବ୍ୟାପୀ ‘ବନ୍ଦ’ ପାଳନ ହୋଇଥିବା ସତ୍ୱେ ତେଲ ଦର କମିବା ନାଁ ଧରୁ ନାହିଁ। ସୋମବାର ଦିନ ଓଡ଼ିଶାର ଅଦ୍ଧାଧିକ ଅଂଚଳରେ ତେଲ ଲିଟର ୮୦ ଟଙ୍କା ଟପିଛି । କୋରାପୁଟ, ନବରଂଗପୁର, ମାଲକାନଗିରି, ଜୟପୁର, ବ୍ରହ୍ମପୁର, କେନ୍ଦୁଝର, ସମ୍ବଲପୁର, ରାୟଗଡା, ନୂଆପଡା, କଳାହାଣ୍ଡି, ଫୁଲବାଣୀ, ରାଉରକେଲା, ଢେଙ୍କାନାଳ ଓ ଅନୁଗୁଳରେ କାଲି ପେଟ୍ରୋଲ ଲିଟର ୮୦ ଟଙ୍କାରୁ ଅଧିକ ଥିବା ବେଳେ ଭୁବନେଶ୍ୱର, କଟକ, ଯାଜପୁର, ବାରିପଦା, ବାଲେଶ୍ୱର, ପାରାଦୀରେ ପାଖାପାଖି ୮୦ ଟଙ୍କା ଥିଲା । ମାଲକାନଗିରିରେ ପେଟ୍ରୋଲ ଲିଟର ସର୍ବାଧିକ ୮୩ ଟଙ୍କା ୩୩ ପଇସାରେ ପହଂଚି ଥିବା ବେଳେ କେରାପୁଟରେ ୮୨ ଟଙ୍କା ୮୩ ପଇସା, ନବରଂଗପୁରରେ ୮୨ ଟଙ୍କା ୫୬ ପଇସା, ଜୟପୁରରେ ୮୨ ଟଙ୍କା ୭୫ ପଇସା, ରାୟଗଡାରେ ୮୨ ଟଙ୍କା ୪୪ ପଇସାରେ ବିକ୍ରି ହୋଇଛି । ପେଟ୍ରୋଲ ଲିଟର ୮୧ ଟଙ୍କାରୁ ଅଧିକ ଥିବା ଜିଲ୍ଲାଗୁଡିକ ହୋଉଛି – କଳାହାଣ୍ଡି (୮୧ ଟଙ୍କା ୫୬ ପଇସା) ଓ ନୂଆପଡା (୮୧ ଟଙ୍କା ୫୨ ପଇସା) । ୮୦ ଟଙ୍କାରୁ ଅଧିକରେ ପେଟ୍ରୋଲ ବିକ୍ରି ହେଉଥିବା ଜିଲ୍ଲାଙ୍କ ମଧ୍ୟରେ ରହିଛି ଗଞ୍ଜାମର ବ୍ରହ୍ମପୁର ସହର (୮୦ ଟଙ୍କା ୫୨ ପଇସା), କେନ୍ଦୁଝର (୮୦ ଟଙ୍କା ୬୦ ପଇସା), ଫୁଲବାଣୀ (୮୦ ଟଙ୍କା ୫୦ ପଇସା), ରାଉରକେଲା (୮୦ ଟଙ୍କା ୫୭ ପଇସା), ଢେଙ୍କାନାଳ (୮୦ ଟଙ୍କା ୦୭ ପଇସା ଓ ଅନୁଗୁଳ (୮୦ ଟଙ୍କା ୩୬ ପଇସା) । ବାକି ଜିଲ୍ଲାମାନଙ୍କରେ ପେଟ୍ରୋଲ ଲିଟର ୮୦ ଟଙ୍କା କଂଟା ଛୁଇଁବା ଉପରେ । ରାଜସ୍ଥାନ ଓ ଅନ୍ଧ୍ର ଭଳି ଓଡ଼ିଶାରେ ଭାଟ୍ କମିଲେ ରାଜ୍ୟବାସୀ ପେଟ୍ରୋଲ ତାତିରୁ ସମ୍ୟକ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି । ପେଟ୍ରୋଲ ଓ ଡ଼ିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଗଲେ ଉପଭୋକ୍ତା ଅନ୍ତତଃ ଲିଟର ପିଛା ୨୫ ଟଙ୍କା ରହାତି ପାଇବେ ବୋଲି କୁହାଯାଉଥିଲେ ମଧ୍ୟ କେନ୍ଦ୍ର ବା ରାଜ୍ୟ ସରକାର ଏହା ସପକ୍ଷରେ ଥିବା ଭଳି ମନେ ହେଉ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS