୨୦ ବର୍ଷ ପୁରୁଣା ମାମଲା ଖୋଲିଲା, ନଭଜୋତ ସିଂହ ସିଦ୍ଧୁ ଜେଲ୍ ଯାଇ ପାରନ୍ତି
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ (ପ୍ରସାଦ ରାଓ): ୧୯୯୮ ମସିହା ଡ଼ିସେମ୍ବର ୨୭ ତାରିଖ ଦିନ ପଂଜାବର ପାଟିଆଲା ଠାରେ କାର୍ ପାର୍କିଂକୁ ନେଇ ଝଗଡାରୁ ଗୁରୁନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗରେ ପ୍ରତିଷ୍ଠିତ ହାସ୍ୟ ଅଭିନେତା ତଥା କ୍ରିକେଟରରୁ ମନ୍ତ୍ରୀ ହୋଇଥିବା ନଭଜୋତ ସିଂହ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡି ପାରେ । ସିଦ୍ଧୁ ଏବେ ପଂଜାବ ସରକାରରେ ମନ୍ତ୍ରୀ ଅଛନ୍ତି । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପାକିସ୍ତାନ ଯାଇ ସେଠାରେ ପାକ୍ ସେନା ନାୟକ ବାଜୱାଙ୍କ ସହ କୁଣ୍ଢାକୁଣ୍ଢି ହେବା ଘଟଣାରେ ସିଦ୍ଧୁ କେନ୍ଦ୍ର ବିଜେପି ସରକାରଙ୍କ କଠୋର ସମାଲୋଚନାର ଶରବ୍ୟ ହୋଇଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଏଥିପାଇଁ ସିଦ୍ଧୁଙ୍କ ସମାଲୋଚନା କରିଥିଲେ । ୨୦ ବର୍ଷ ତଳର ପାଟିଆଲା ଗୁରୁନାମ ସିଂହ ହତ୍ୟା ମାମଲାରେ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ୪ ମାସ ତଳେ ରାୟ ଦେଇ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଅଜାଣତରେ ଏହି ଘଟଣା ଘଟି ଥିବାରୁ ୧୦୦୦ ଟଙ୍କା ଜରିମାନ କରି ଖଲାସ କରି ଦେଇଥିଲେ । ତେବେ, ବୁଧବାର ଦିନ ସୁପ୍ରିମ କୋର୍ଟ ସିଦ୍ଧୁଙ୍କୁ ନୋଟିସ ପଠାଇ ଗୁରୁନାମ ସିଂହ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କାହିଁକି ନ ହେବ କାରଣ ଦର୍ଶାଇବାକୁ ନିର୍ଦେଶ ଦେଇ ସିଦ୍ଧୁଙ୍କ ଜେଲ ଯିବା ଆଶଙ୍କାକୁ ବଳବତ୍ତର କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୪ ମାସ ତଳେ ପ୍ରକାଶ ପାଇଥିବା ରାୟକୁ ଚ୍ୟାଲେଂଜ କରି ମୃତ ଗୁରୁନାମ ସିଂହଙ୍କ ପରିବାର ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ବୁଧବାର ଦିନ ଶୁଣାଣୀ କରି କୋର୍ଟ ସିଦ୍ଧୁଙ୍କୁ ଏହି ନୋଟିସ ଜାରି କରିଛନ୍ତି । ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଆଇପିସିରେ (ଭାରତୀୟ ଦଣ୍ଡବିଧି ଆଇନ) ଜରିମାନା ଓ /ବା ଜରିମାନା ସହ ଏକ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି ।
ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏ.ଏମ. ଖାନୱିଲକର ଓ ଜଷ୍ଟିସ ସଂଜୟ କିଶନ କାଉଲଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଦ୍ଧୁଙ୍କୁ ଏହି ନୋଟିସ ଜାରି କରିବା ସହ ଏହା କେବଳ ସିଦ୍ଧୁଙ୍କ ଦଣ୍ଡର ପରିମାଣକୁ ନେଇ ଉଦ୍ଦିଷ୍ଟ ବୋଲି କୋର୍ଟ ସୂଚନା ଦେଇଥିବା ଜଣାପଡିଛି । ଗତ ମେ’ ମାସରେ ଜଷ୍ଟିସ ଜେ. ଚେଲେମେଶ୍ୱର ( ବର୍ତର୍ମାନ ଅବସରପ୍ରାପ୍ତ) ଓ ଜଷ୍ଟିସ ସଂଜୟ କିଶନ କାଉଲଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ମାମଲାର ବିଚାର କରି ସିଦ୍ଧୁଙ୍କୁ କେବଳ ୧୦୦୦ ଟଙ୍କା ଅର୍ଥଦଣ୍ଡ ବା ଜରିମାନା କରିଥିଲେ । ଫଳରେ, ସିଦ୍ଧୁ ପଂଜାବ ସରକାରରେ ମନ୍ତ୍ରୀ ପଦରେ ରହିବାକୁ ସକ୍ଷମ ହୋଇ ଥିଲେ । ଆଇନ ଅନୁସାରେ କାହାରିକୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇ ୨ ବର୍ଷରୁ କମ୍ ଜେଲ ଦଣ୍ଡରେ ଦଣ୍ଡିତ କରା ଯାଇଥିଲେ ସଂପୃକ୍ତ ବ୍ୟକ୍ତି ନିର୍ବାଚନ ଲଢିବାରେ ପ୍ରତିବନ୍ଧକ ନାହିଁ ।
୨୦ ବର୍ଷ ତଳେ ଘଟଣାଟି ଘଟି ଥିଲା ଏହିପରି । ନବଜୋତ ସିଂହ ସିଦ୍ଧୁ ଓ ତାଙ୍କର ଜଣେ ବନ୍ଧୁ ରୂପିନ୍ଦର ସିଂହ ସାନ୍ଧୁ ୧୯୯୮ ଡ଼ିସେମ୍ବର ୨୭ ତାରିଖ ଦିନ ପଂଜାବର ପାଟିଆଲା ଠାରେ କାର୍ ପାର୍କିଂକୁ ନେଇ ଗୁରୁନାମ ସିଂହ ନାମକ ବ୍ୟକ୍ତିଙ୍କ ସହ ଝଗଡା କରିଥିଲେ । ସିଦ୍ଧୁ ଓ ସାଦ୍ଧୁଙ୍କ ଠାରୁ ନିସ୍ତୁକ ମାଡ ଖାଇ ଥିବା ଗୁରୁନାମଙ୍କ ପରେ ମୃତ୍ୟୁ ଘଟି ଥିଲା । ଏହି ମାମଲାରେ ଏକ ତଳ କୋର୍ଟ ସେମାନଙ୍କୁ ଅଭିଯୋଗମୁକ୍ତ କରି ଦେଇଥିବା ବେଳେ ପଂଜାବ ଓ ହରିଆନା ହାଇକୋର୍ଟ ଏହାକୁ ଅଜ୍ଞତାବଶତଃ ହୋଇଥିବା ଏକ ହତ୍ୟା (କଲ୍ପେବୁଲ୍ ହୋମିସାଇଡ୍) ବୋଲି ଦର୍ଶାଇ ୨୦୦୬ରେ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥଲେ । ୨୦୦୭ରେ ସିଦ୍ଧୁ ଓ ତାଙ୍କ ବନ୍ଧୁ ସୁପ୍ରିମ କୋର୍ଟର ଆଶ୍ରୟ ନେଇ ଥିଲେ । ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ସହ ମାମଲାର ଶୁଣାଣୀ କରିଥିଲେ । ୨୦୧୮ ମେ’ରେ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଚେଲେମେଶ୍ୱର ଓ ଜଷ୍ଟିସ ସଂଜୟ କିଶନ କାଉଲଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଦ୍ଧୁ ଓ ତାଙ୍କୁ ବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି କେବଳ ୧୦୦୦ଟଙ୍କା ଜରିମାନା ଦଣ୍ଡ କରି ଛାଡି ଦେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS