ବୈଜୟନ୍ତଙ୍କ ପରେ ବିଜେଡ଼ିରୁ ତଡା ଖାଇଲେ ଦାମ ରାଉତ
ଭୁବନେଶ୍ୱର, ସେପ୍ଟେମ୍ବର ୧୩ (ମୋଅନୁଭବ.କମ୍): କିଛି ମାସ ତଳେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡ଼ିରୁ ତଡା ଖାଇ ଥିଲେ ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ବୁଧବାର ସନ୍ଧ୍ୟାରେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଦାମୋଦର ରାଉତଙ୍କୁ ସମଦଶା ଭୋଗିବାକୁ ପଡିଛି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ.ଦାମୋଦର ରାଉତଙ୍କୁ ବୁଧବାର ସନ୍ଧ୍ୟାରେ ଦଳରୁ ବହିଷ୍କାର କରିଥିବା ନେଇ ଦଳ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିବୃତିରୁ ସୂଚନା ମିଳିଛି ।
ଏହି ପ୍ରେସ୍ ବିବୃତିରେ ଡ. ରାଉତଙ୍କୁ ଦଳରୁ ବହିଷ୍କାର କରାଯିବାର କୌଣସି କାରଣ ଦର୍ଶାଯାଇ ନାହିଁ । ତେବେ, ଦଳର ଜଣେ ମୁଖପାତ୍ର ତୁରନ୍ତ ଦେଇ ଥିବା ପ୍ରତିକ୍ରିୟାରୁ ଜଣାପଡିଛି ଯେ, ଡ. ରାଉତ କିଛି ଦିନ ହେଲା ଲଗାତର ଭାବେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଦଳ ଓ ସରକାରଙ୍କୁ ଅଡୁଆରେ ପକାଉ ଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ, ଡ. ରାଉତ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦରେ ଜଣେ ବରିଷ୍ଠ ମନ୍ତ୍ରୀ ଥାଇ ବ୍ରହ୍ମଣଙ୍କ ପ୍ରତି କଟୁ ମନ୍ତବ୍ୟ ଦେବା ଯୋଗୁ ନିଜର ମନ୍ତ୍ରୀ ପଦ ସହ ବିଜେଡ଼ି ରାଜ୍ୟ ଉପ ସଭାପତି ପଦ ହରାଇ ଥିଲେ । ଦଳ ଭିତରେ ଥାଇ ବି ସେ ନ ଥିବା ଭଳି ଅନୁଭବ କରୁଥିବା ଡ. ରାଉତ କହୁଥିଲେ । ପ୍ରତି କଥାରେ ସେ ବିଜେଡ଼ି ଓ ସଚିବାଳୟର ତୃତୀୟ ମହଲା (ମୁଖ୍ୟମନ୍ତ୍ରୀଙ୍କ ଦରବାର)କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ଅଢୁଆରେ ପକାଇବାକୁ ଉଦ୍ୟମ କରୁଥିଲେ । ରାଜ୍ୟରେ ୧୦୦ କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଥିବା ସଂପର୍କରେ ସେ ନିକଟରେ କରିଥିବା ଅଭିଯୋଗ ବୋମା ସଦୃଶ କାମ କରିଥିଲା । ରାଜ୍ୟ କୃଷି ମନ୍ତ୍ରୀ ରାଜ୍ୟରେ ୧୭ କୋଟି ଟଙ୍କାର ଚାରା ଦୁର୍ନୀତି ଧରା ପଡିଥିବା ଏବଂ ତାହାର ତଦନ୍ତ ଚାଲି ଥିବା ସ୍ୱୀକାର କରିଥିବା ବେଳେ ଚାରା ଦୁର୍ନୀତିର ପରିମାଣ ୧୦୦ କୋଟି ଟଙ୍କା ହେବ ବୋଲି ପୂର୍ବରୁ କୃଷି ଓ ସମବାୟ ମନ୍ତ୍ରୀ ଥିବା ଡ. ରାଉତ ଗଣମାଧମକୁ ସୂଚନା ଦେଇ ବିତର୍କର ସୂତ୍ରପାତ କରିଥିଲେ। ସେହିଭଳି, ଓମଫେଡ୍ ପ୍ୟାକିଂ ମେଟେରିଆଲ୍ କିଣାରେ ବଡ ଧରଣର ଦୁର୍ନୀତି ହୋଇଥିବା ଖୁଲାସା କରି ଡ. ରାଉତ ସରକାର ଓ ପ୍ରଶାସନର ନିଦ ହଜାଇ ଦେଇଛନ୍ତି ।
ତେବେ, ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ସହ ଡ. ରାଉତଙ୍କ ସଂପର୍କ ଥିବା, ନିଜ ନିର୍ବାଚନ ମଂଡଳୀରେ ରାଉତ ଅପରାଧୀଙ୍କୁ ଆଶ୍ରୟ ଦେଉଥିବା ଏବଂ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଦଳୀୟ ସଂଗଠନକୁ ନଷ୍ଟଭ୍ରଷ୍ଟ କରୁଥିବା ସଂପର୍କରେ ତାଙ୍କର କଟ୍ଟର ବିରୋଧୀମାନେ ନିକଟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିଯୋଗ କରିବା ସହ ଲିଖିତ ଭାବେ ଜଣାଇଥିଲେ । ଡ. ରାଉତଙ୍କୁ ଦଳରୁ ତୁରନ୍ତ ବହିଷ୍କାର କରାଯିବାକୁ ମଧ୍ୟ ସେମାନେ ଦୁଇ ଦିନ ତଳେ ଦାବି କରିଥିଲେ । ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ନବୀନଙ୍କ ଆଡୁ ସଂକେତ ମିଳି ଥିଲା । ବୁଧବାର ସନ୍ଧ୍ୟାରେ ଏହି ସଂକେତକୁ ବାସ୍ତବ ରୂପ ଦେଇଛନ୍ତି ନବୀନ । ଦଳ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ବିଜ୍ଞପ୍ତିରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଡ. ରାଉତଙ୍କୁ ଦଳର ବହିଷ୍କାର କରାଗଲା ବୋଲି ଦଳର କାର୍ଯ୍ୟକର୍ତର୍ା ବିଜୟ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ, ପୂର୍ବତନ ସାଂସଦ ପଣ୍ଡା ତୃତୀୟ ମହଲାର ଯେଉଁ ଅଣ ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ଟାର୍ଗେଟ୍ କରି ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ଦାମ ବାବୁ ମଧ୍ୟ ସେହି ଅଧିକାରୀଙ୍କୁ ଟାର୍ଗେଟ କରି ବହିଷ୍କୃତ ହୋଇଛନ୍ତି । ଓଡ଼ିଶା ଏବେ ତାମିଲ ଉପନିବେଶ ହୋଇ ଗଲାଣି ବୋଲି ଡ. ରାଉତ ଦିନକ ତଳେ କଟାକ୍ଷ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ବାଟ ଫିଟାଇ ଦେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS