ଷଡଯନ୍ତ୍ର ସ୍ୱରୂପ କେତେ ଭୟାନକ ହୋଇପାରେ !
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬: ବେଳେ ବେଳେ ପୁଲିସ ଓ ରାଜନେତାଙ୍କ ମିଳିତ ଷଡଯନ୍ତ୍ର ଯେ କେତେ ଭୟାନକ ହୋଇପାରେ, ତାହା ‘ଇସ୍ରୋ’ ବିଜ୍ଞାନୀ ଏସ୍. ନାମ୍ବି ନାରାୟଣନଙ୍କ ଦୁଃଖଦ କାହାଣୀରୁ ସ୍ପଷ୍ଟ ଅନୁଭବ କରି ହେଉଛି । ଗୁପ୍ତଚର କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଛନ୍ଦି ଦିଆଯାଇ ଦୀର୍ଘ ୫୦ ଦିନ କାଳ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆ ଗଲା । ତାଙ୍କ ବିରୋଧରେ ହୋଇ ଥିବା ଅଭିଯୋଗ ଭିତ୍ତିହୀନ, ଏକଥା ପ୍ରମାଣିତ ହେବାକୁ ଲାଗିଲା ୨୪ ବର୍ଷ । ନ୍ୟାୟିକ ଯୁଦ୍ଧରେ ସେ ବିଜୟୀ ହେଲେ ସିନା ଦେଶ ପାଇଁ ନୂଆ କିଛି କରିବାର ସୁଯୋଗ ହରାଇଲେ । ଦେଶ ମଧ୍ୟ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ତାଙ୍କ ଭଳି ଜଣେ ସଫଳ ବୈଜ୍ଞାନିକଙ୍କ ସେବାରୁ ବଂଚିତ ରହିଲା । ୭୬ ବର୍ଷ ବୟସରେ ପହଂଚି ଥିବା ବୈଜ୍ଞାନିକ ନାମ୍ବି ନାରାୟଣନ ନ୍ୟାୟ ପାଇ ଆନନ୍ଦିତ । କିନ୍ତୁ, ତାଙ୍କର ସେହି ୫୦ ଦିନର ଅମାନୁଷିକ ଯଂତ୍ରଣା ଏବଂ ୨୪ ବର୍ଷର ନ୍ୟାୟିକ ଯୁଦ୍ଧ ପାଇଁ ଯେଉଁମାନେ ଦାୟି ସେମାନଙ୍କୁ କାଠଗଡାରେ ଠିଆ କରାଇ ପାରି ନ ଥିବାରୁ ଏବେ ବି ଦୁଃଖିତ । ଅବଶ୍ୟ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଦୁଃଖ ବୁଝିଛନ୍ତି ଏବଂ ଏଭଳି ଘୃଣ୍ୟ ଆପରାଧିକ ମାମଲାରେ ତାଙ୍କୁ ଫସାଇ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଏବଂ ସେମାନଙ୍କ ଉଦେ୍ଦଶ୍ୟ କଣ ଥିଲା ଠାବ କରିବାକୁ ଜଣେ ସୁପ୍ରିମ କୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଇନକ୍ୱାରୀ କମିଟି ବସାଇଛନ୍ତି । ଯାହାକି ନାମ୍ବି ନାରାୟଣନଙ୍କ ପାଇଁ ଏକମାତ୍ର ଆଶ୍ୱାସନା ହୋଇଛି ।
୧୯୯୪ ମସିହାର ଏହି ‘ଇସ୍ରୋ’ ଗୁପ୍ତଚର ମାମଲା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଦେଶର ଅତ୍ୟନ୍ତ ଗୋପନୀୟ ପ୍ରତିରକ୍ଷା ସଂପର୍କିତ ତଥ୍ୟ ମାଳଦ୍ୱୀପର ଜଣେ ମହିଳାଙ୍କ ମାଧ୍ୟମରେ ପାକିସ୍ତାନକୁ ବିକ୍ରି ଉଦ୍ୟମ ହୋଇଥିବା ଅଭିଯୋଗରେ ‘ଇସ୍ରୋ’ ବୈଜ୍ଞାନିକ ଏସ୍. ନାମ୍ବି ନାରାୟଣନଙ୍କୁ କେରଳ ପୁଲିସ ଗିରଫ କରି ଦେଶରେ ଚାଂଚଲ୍ୟ ସୃଷ୍ଟି କରି ଥିଲେ । ମାମଲାଟି ସଂପୂର୍ଣ୍ଣ ମିଥ୍ୟା ଅଭିଯୋଗ ଉପରେ ଆଧାରିତ ଏବଂ ପୁଲିସ ଏହି ଅଭିଯୋଗକୁ ସାବ୍ୟସ୍ତ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଜାଣି ସୁଦ୍ଧା କେରଳ ସରକାର ତାଙ୍କୁ ନ୍ୟାୟ ଦେବାକୁ କୁଂଠା ପ୍ରକାଶ କରି ଅଧିକ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଦୀର୍ଘ ବର୍ଷର ଶାରୀରିକ ଓ ମାନସିକ ଯନ୍ତ୍ରଣା ପରେ ସେ ଗତ ଗୁରୁବାର (ସେପ୍ଟେମ୍ବର ୧୪ ତାରିଖ) ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଦ୍ୱାରା ଏହି ଅପବାଦରୁ ମୁକ୍ତ ହୋଇଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟ ‘ଐତିହାସିକ’ ବୋଲି ସମଗ୍ର ଦେଶ ସ୍ୱୀକାର କରିଛି । କେରଳ ପୁଲିସ ଏବଂ ଉଭୟ କଂଗ୍ରେସ ଓ ବାମପନ୍ଥୀ ଦଳ ସରକାରଙ୍କ କୁତ୍ସିତ ରୂପ ମଧ୍ୟ ଏହି ମାମଲା ମାଧ୍ୟମରେ ପଦାରେ ପଡିଛି ।
ଏସ୍. ନାମ୍ବି ନାରାୟଣନ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଜଣେ ସଫଳ ବୈଜ୍ଞାନିକ ଥିଲେ । ଭାରତ ମହାକାଶକୁ ସଫଳତାର ସହ ପ୍ରେରଣ କରିଥିବା ପ୍ରଥମ ପିଏସଏଲଭି ଯାନର ରକେଟ ନିର୍ମାଣ କାର୍ଯ୍ୟ ଚାରିଟି ଚରଣରେ ହୋଇଥିବା ବେଳେ ନାମ୍ବି ସେଥିରୁ ଦୁଇଟି ଚରଣର ଥିଲେ ପ୍ରକଳ୍ପ ନିର୍ଦେଶକ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଆଉ ଗୋଟିଏ ପାଦ ଆଗକୁ ଯିବାକୁ କ୍ରାୟୋଜେନିକ ଇଂଜିନ ନିର୍ମାଣ ଯୋଜନା କରି ଥିଲା । ତାହାର ମଧ୍ୟ ପ୍ରକଳ୍ପ ନିର୍ଦେଶକ (ପ୍ରୋଜେକ୍ଟ ଡ଼ାଇରେକ୍ଟର) ଦାୟିତ୍ୱ ଦିଆ ଯାଇ ଥିଲା ନାମ୍ବି ନାରାୟଣନଙ୍କୁ। କିନ୍ତୁ, କେରଳ ପୁଲିସ ତାଙ୍କ ଜୀବନର ମୋଡ ବଦଳାଇ ଦେଲେ । ନାମ୍ବି ନାରାୟଣଙ୍କୁ ଏହି ଯଂତ୍ରଣାର ଝଟକା ଦେଇଥିଲେ କେରଳ ପୁଲିସର ଜଣେ ଇନିସପେକ୍ଟର ଏସ୍. ବିଜୟନ ।
୧୯୯୪ ମସିହା ଅକ୍ଟୋବର ୨୦ ତାରିଖରେ ମାଳଦ୍ୱୀପର ନାଗରିକ ମାରିୟମ ରସିଦା ନାମକ ଜଣେ ମହିଳାଙ୍କୁ କେରଳ ପୁଲିସ ଗିରଫ କଲା ଥିରୁଭନାଥପୁରମର ଏକ ଲଜିଂରୁ । ମାରିୟମଙ୍କ ନିକଟରୁ ‘ଇସ୍ରୋ’ ଦ୍ୱାରା ନିର୍ମାଣ ହେବାକୁ ଥିବା କ୍ରାୟୋଜୋନିକ ରକେଟ ଇଂଜିନର ଏକ ଡ୍ରଇଂ ଜବତ ହୋଇଥିବା ସେତେବେଳେ ପୁଲିସ ଅଭିଯୋଗ କରିଥିଲେ । ଜବତ ହୋଇଥିବା ମାରିୟମଙ୍କ ଡ଼ାଏରୀରୁ ‘ଇସ୍ରୋ’ର ଅନ୍ୟତମ ବୈଜ୍ଞାନିକ ଡ଼ି. ଶଶି କୁମାରଙ୍କ ଘରୋଇ ଟେଲିଫୋନ ନମ୍ବର ମଧ୍ୟ ମିଳି ଥିଲା । ପୁଲିସ ଏହି ମାମଲାର ତଦନ୍ତ କରି ସେହି ବର୍ଷ ନଭେମ୍ବର ୩୦ ତାରିଖ ଦିନ ନାମ୍ବି ନାରାୟଣନଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରବୃତ୍ତି କରୁଥିବା ଅଭିଯୋଗରେ ଗିରଫ କରିଥିଲେ ।
ମାରିୟମଙ୍କ ସହ ଏହି ଗୁପ୍ତଚର ମାମଲାକୁ ଯୋଡିବାକୁ ପୁଲିସ ନିକଟରେ ପ୍ରଥମ କଡି ଥିଲେ ‘ଇସ୍ରୋ’ର ମହାକାଶ ବିଜ୍ଞାନୀ ଶଶି କୁମାର । ସେହି ସମୟରେ ଶଶି ନାମ୍ବିଙ୍କ ଅଧିନରେ କାର୍ଯ୍ୟ କରୁଥିଲେ । ମାରିୟମଙ୍କ ଡ଼ାଇରୀରୁ ପୁଲିସ ଶଶିଙ୍କ ଘରୋଇ ଫୋନ ନମ୍ବର ପାଇ ଥିବା ଆଧାରରେ ୧୯୯୪ ନଭେମ୍ବର ୩୦ ତାରିଖରେ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣନ, ଶଶି କୁମାରଙ୍କ ସମତେ ମୋଟ ୭ ଜଣଙ୍କୁ ଗିରଫ କରିଥିଲେ । ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରେ ଥିଲେ ମାଳଦ୍ୱୀପର ଅନ୍ୟ ଜଣେ ମହିଳା ଫୌଜିଆ ହାସନ, ରୁଷ୍ ର ମହାକାଶ ଏଜେନ୍ସି ‘ଗ୍ଲାଭକୋସମୋସ୍’ର ଏଜେଂଟ କେ. ଚନ୍ଦ୍ରଶେଖର ଓ ଜଣେ ଶ୍ରମିକ କଂଟ୍ରାକ୍ଟର ଏସ. କେ. ଶର୍ମା । ନାମ୍ବି ନାରାୟଣଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ଥାନାରେ ରଖି ପୁଲିସ ଅକଥନୀୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଥିଲେ । କିନ୍ତୁ, ଅଭିଯୋଗକୁ ସାବ୍ୟସ୍ତ କଲା ଭଳି କୌଣସି ଠୋସ୍ ତଥ୍ୟ ବା ପ୍ରମାଣ ପୁଲିସ ହାତରେ ନ ଲାଗିବାରୁ ୧୯୯୪ ଡ଼ିସେମ୍ବରରେ ସିବିଆଇ କେରଳ ପୁଲିସା ଏସଆଇଟି ହାତରୁ ମାମଲାକୁ ନିଜ ହାତକୁ ନେଇ ତଦନ୍ତ କରିଥିଲା । ତେବେ, ସିବିଆଇ ତଦନ୍ତ ମଧ୍ୟ ନାମ୍ବି ନାରାୟଣନ ଓ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷି ସାବ୍ୟସ୍ତ କରି ପାରି ନ ଥିଲା । ଶେଷରେ, ସିବିଆଇ ନାମ୍ବି ଓ ଅନ୍ୟମାନଙ୍କ ବିରୋଧରେ କେରଳ ପୁଲିସ ପକ୍ଷରୁ ହୋଇଥିବା ଗୁପ୍ତଚରବୃତ୍ତି ଅଭିଯୋଗକୁ ‘ମିଥ୍ୟା’ ଦର୍ଶାଇ ପୁଲିସ ଦ୍ୱାରା ହୋଇଥିବା ମାମଲା ବନ୍ଦ କରି ଦେବାକୁ ଏର୍ଣ୍ଣାକୁଲମ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଅବେଦନ କରିଥିଲା । ସିବିଆଇର ତଦନ୍ତ ରିପୋର୍ଟ ଆଧାରରେ ଏର୍ଣ୍ଣକୁଲମ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ନାମ୍ବିଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ଖଲାସ କରିଥିଲେ । ତେବେ, ତକ୍ରାଳୀନ କେରଳ ବାମପନ୍ଥୀ-ଗଣତାନ୍ତ୍ରିକ ମେଂଟ (ଏଲଡ଼ିଏଫ) ସରକାର ମାମଲାର ଅଧିକ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ, ଯାହାକୁ କି ସେହି ବର୍ଷ ନଭେମ୍ବର ମାସରେ କେରଳ ହାଇକୋର୍ଟର୍ ଅନୁମୋଦନ ଦେଇ ଥିଲେ । କିନ୍ତୁ, ୧୯୯୮ ମେ’ରେ ସୁପ୍ରିମ କୋର୍ଟ କେରଳ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଦେବାରୁ ବୈଜ୍ଞାନିକ ନାମ୍ବି ନାରାୟଣନ ୧୯୯୯ ଜାନୁୟାରୀରେ କେରଳ ସରକାର ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ୧ କୋଟି ଟଙ୍କାର କ୍ଷତିପୂରଣ ମାମଲା ଦାଏର କରିଛନ୍ତି ।
୨୦୦୧ରେ ଏନଏଚଆରସି (ଜାତୀୟ ମାନବାଧିକାର କମିସନ) ନାମ୍ବି ନାରାୟଣନଙ୍କୁ ନ୍ୟାୟ ଦେଇ ତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେରଳ ସରକାରଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ, ୨୦୧୨ରେ ନାମ୍ବିଙ୍କୁ ଏହି କ୍ଷତିପୂରଣ ଟଙ୍କା ମିଳିଛି । ନାମ୍ବିଙ୍କ ଲଢେଇର ମୂଳ ଉତ୍ସ ଥିଲା ତାଙ୍କୁ ମିଥ୍ୟା ଆରୋପରେ ଫସାଇ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା । ତେବେ, କେରଳ ସରକାର ତାହା କରାଇ ଦେଉ ନ ଥିଲେ । ସେଥି ସକାଶେ ନାମ୍ବିଙ୍କୁ ଆଉ ଛଅ ବର୍ଷ ନ୍ୟାୟିକ ଲଢେଇ ଲଢିବାକୁ ପଡିଲା । ଗତ ସେପ୍ଟେମ୍ବର ୧୪ ତାରିଖରେ ସୁପ୍ରିମ କୋର୍ଟରୁ ନାମ୍ବିଙ୍କୁ ସଂପୂର୍ଣ୍ଣ ନ୍ୟାୟ ମିଳିଛି । ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ.ଏମ. ଖାନୱିଲକର ଓ ବିଚାରପତି ଡ଼ି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାୟ ଦେଇ ୭୬ ବର୍ଷ ବୟସ୍କ ନାମ୍ବି ନାରାୟଣନଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିବା ସହ ସେ ଦେଶର ସ୍ୱାର୍ଥ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବାକୁ ଯାଉଥିବା ବେଳେ କେରଳ ପୁଲିସ ତାଙ୍କୁ ବିନା ଆଧାରରେ ଗୁପ୍ତଚର ମାମଲାରେ ଛନ୍ଦି ଗିରଫ କରିବା ଏବଂ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଜାଣିଶୁଣି ଅପମାନିତ କରିବା କ୍ଷୋଭର ବିଷୟ ବୋଲି କହିଛନ୍ତି । ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ମାମଲାରୁ ଷଡଯନ୍ତ୍ରର ଗନ୍ଧ ବାରିବା ସହ ନାମ୍ବି ନାରାୟଣଙ୍କୁ ଏଭଳି ଅପମାନିତ କରାଯିବା ପଛରେ ଥିବା କାରଣ, ସଂପୃକ୍ତ ପୁଲିସ ଅଧିକାରୀ ଶିବା ମାଥ୍ୟୁ, କେ.କେ. ଜୋସୁୱା ଓ ଏସ. ବିଜୟ କୁମାରଙ୍କ ଭୂମିକା ଓ ଉଦେ୍ଦଶ୍ୟ ସଂପର୍କରେ ତଦନ୍ତ କରିବାକୁ ସୁପ୍ରିମ କୋର୍ଟ ବିଚାରପତି ଡ଼ି. କେ. ଜୈନଙ୍କ ଅଧ୍ୟକ୍ଷତାରେ ଏକ ଇନକ୍ୱାରୀ କମିଟି ବସାଇଛନ୍ତି । ନାମ୍ବି ନାରାୟଣନଙ୍କୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କେରଳ ସରକାରଙ୍କୁ ନିର୍ଦେଶ ଦିଆଯିବା ସହ ରାଜ୍ୟ ସରକାର ଆଠ ସପ୍ତାହ ମଧ୍ୟରେ ତାହା ଦେବାକୁ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି । ଅଧିକ କ୍ଷତିପୂରଣ ପାଇବା ସକାଶେ ନାମ୍ବି ନାରାୟଣନ ରାଜ୍ୟ ସରକାରଙ୍କ ବିରୋଧରେ କରିଥିବା ଦେୱାନୀ ମାମଲା ଚାଲୁ ରଖିବାକୁ ମଧ୍ୟ ସୁପ୍ରିମ କୋର୍ଟ ଖଣ୍ଡପୀଠ ତାଙ୍କୁ ଅନୁମତି ଦେଇଛନ୍ତି ।
ଦୀର୍ଘ ୨୪ ବର୍ଷର ସଂଘର୍ଷ ପରେ ସଂପୂର୍ଣ୍ଣ ନ୍ୟାୟ ପାଇ ଥିବାରୁ ନାମ୍ବି ନାରାୟଣନ ଖୁସି । କିନ୍ତୁ, ଯେଉଁମାନେ ଷଡଯନ୍ତ୍ର କରି ୧୯୯୪ରେ ତାଙ୍କୁ ଗୁପ୍ତଚର ମାମଲାରେ ଫସାଇ ଥିଲେ ସେମାନଙ୍କୁ ସାମନାରେ ପାଇଲେ ‘ଚପଲ’ରେ ପିଟିବା ସ୍ୱପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇ ନାହିଁ । ନାମ୍ବିଙ୍କୁ କୌଣସି ପ୍ରମାଣ ନ ଥାଇ ଗିରଫ କରାଯିବା ଏବଂ ମାନସିକ, ଶାରୀରିକ ନିର୍ଯ୍ୟାତନା ଦିଆଯିବା ଅତ୍ୟନ୍ତ ଜଘନ୍ୟ ଘଟଣା ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ମନ୍ତବ୍ୟ ଦେଇ ଥିବାରୁ ଷଡଯନ୍ତ୍ରକାରୀଙ୍କ ସଠତା ଏଥିରୁ ପ୍ରମାଣ ହେଉଛି । ପୁଲିସର ଭୁଲ ଯୋଗୁ ଗିରଫ ହୋଇଥିବା କୌଣସି ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ପ୍ରଚଳନ ନ ଥିବା ସତ୍ୱେ ସୁପ୍ରିମ କୋର୍ଟ ଖଣ୍ଡପୀଠ ନାମ୍ବି ନାରାୟଣନଙ୍କୁ କ୍ଷତିପୂରଣ ଦେବାକୁ କେରଳ ସରକାରଙ୍କୁ ନିର୍ଦେଶ ଦେଇ ଇତିହାସ ସୃଷ୍ଟି କରିଛନ୍ତି । ତତ୍କାଳୀନ ଏଲଡ଼ିଏଫ୍ ସରକାରରେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା କେ. କରୁଣାକରନଙ୍କ ସମେତ ପରବର୍ତୀ ସମୟରେ କ୍ଷମତାକୁ ଆସିଥିବା ଇ.କେ.ନୟନାର, ଏ.କେ.ଆଂଟୋନି, ଓମାନ ଚାଂଡି, ଭି.ଏସ. ଅଚ୍ୟୁତାନନ୍ଦନ ଏବଂ ବର୍ତର୍ମାନର ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ପର୍ଯ୍ୟନ୍ତ ସବୁ ସରକାର ନାମ୍ବି ନାରାୟରଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜି ନୁହନ୍ତି । ସିବିଆଇ ପକ୍ଷରୁ ଏର୍ଣ୍ଣାକୁଲମ ସିଜେଏମଙ୍କ କୋର୍ଟରେ ୧୯୯୬ ମେ’ ୨ ତାରିଖରେ ଯେଉଁ ତଦନ୍ତ ରିପୋର୍ଟ ଦାଖଲ ହୋଇଥିଲା ତାହାର ନକଲ ଗୋପନୀୟ ଭାବେ କେନ୍ଦ୍ର ସରକାରଙ୍କ ଗୋଇନ୍ଦା ବ୍ୟୁରୋ (ଆଇବି) ଓ କେରଳ ସରକାରଙ୍କ ଏସଆଇଟିକୁ ପଠା ଯାଇ ଆଇବିର ଦୁଇ ଜଣ ଅଧିକାରୀ – ଯୁଗ୍ମ ନିର୍ଦେଶକ ମାଥ୍ୟୁ ଜନ୍ ଓ ଉପ ନିର୍ଦେଶକ ଆର.ବି. ଶ୍ରୀ କୁମାରଙ୍କ ବିରୋଦରେ ଗୁରୁତର ଅଭିଯୋଗ କରାଯାଇଛି । ଏହି ଦୁଇ ଆଇବି ଅଧିକାରୀ ଅଭିଯୁକ୍ତମାନଙ୍କୁ ଜେରା କରିଥିବା ସଂପର୍କରେ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ତାଳମେଳ ନଥିବା ଏବଂ ତଥ୍ୟ ପରସ୍ପର ବିରୋଧୀ ଥିବା ସିବିଆଇ ଦର୍ଶାଇଛି । ଦୁଇ ଆଇବି ଅଧିକାରୀ ମାମଲାର ଠିକ୍ ଭାବେ ଯାଂଚ କରି ନ ଥିବା ମଧ୍ୟ ସିବିଆଇ ଅଭିଯୋଗ କରିଛି । କେରଳ ପୁଲିସର ସ୍ପେଶାଲ ବ୍ରାଂଚ ଇନିସପେକ୍ଟର ଏସ୍. ବିଜୟନ, ଡ଼ିଏସ୍ ପି କେ.କେ. ଯୋସୁୱା ଓ ଡ଼ିଆଇଜି ୱାଇ. ବି. ମାଥ୍ୟୁଙ୍କୁ ମଧ୍ୟ ବେପରାଆ ତଦନ୍ତ ପାଇଁ ଦାୟି କରାଯାଇଛି । ତେଣୁ, ଏଭଳି କରିବା ପଛରେ ସେମାନଙ୍କ ଉଦେ୍ଦଶ୍ୟ କଣ ଥିଲା ତାହା ଜାଣିବା ସକାଶେ ସୁପ୍ରିମ କୋର୍ଟ ଖଣ୍ଡପୀଠ ବିଚାରପତି ଜଷ୍ଟିସ ଜୈନଙ୍କୁ ନେଇ ଇନକ୍ୱାରୀ କମିଟି ଗଠନ କରିଥିବା ସୂଚନା ମିଳିଛି ।
ନାମ୍ବି ନାରାୟଣନଙ୍କୁ ଗୁପ୍ତଚର ମାମଲାରେ ଫସା ଯିବାର ବିଭିନ୍ନ ଉଦେ୍ଦଶ୍ୟ ମଧ୍ୟରୁ ବ୍ୟକ୍ତିଗତ ସନେ୍ଦହ କଥା ମଧ୍ୟ ପଦାକୁ ଆସୁଛି । କେରଳର ପୁଲିସ ଇନିସପେକ୍ଟର ଏସ. ବିଜୟନ ଥିରୁଭନାଥପୁରମର ଏକ ଲଜିଂରୁ ୧୯୯୪ ଅକ୍ଟୋବର ୨୦ ତାରିଖରେ ମାଳଦ୍ୱୀପର ମହିଳା ମାରିୟମ ରସିଦକୁ ଗିରଫ କରିବା ସମୟରେ ମାରିୟମଙ୍କ ବିରୋଧରେ ‘ଓଭର ଷ୍ଟେୟିଂ’ ଅଭିଯୋଗ ଲଗାଇ ଥିଲେ । ତେବେ, ପଛରେ ତାହା ମିଛ ପ୍ରମାଣିତ ହୋଇଛି । ମାରିୟମ ନିଜ ଦେଶକୁ ଫେରିବା ସକାଶେ ବିମାନ ଟିକଟ କରି ସାରି ଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ଦିବସରେ ଥିରୁଭନାଥପୁରମରେ ‘ବନ୍ଦ’ ପାଳନ ହେଉ ଥିବାରୁ ସେ ଫେରି ପାରି ନ ଥିଲେ । ଇନିସପେକ୍ଟର ବିଜୟନଙ୍କୁ ତାହା ଜଣାଇବାକୁ ଯାଇ ଥିବା ବେଳେ ତାଙ୍କୁ ବିଜୟନ ସହାୟତା କରିବା ସକାଶେ ମାରିୟମଙ୍କ ସହ ଶାରୀରିକ ସଂପର୍କ (ସେକ୍ସୁଆଲ୍ ଫେଭର) ଚାହିଁ ଥିଲେ । ମାରିୟମ ରାଜି ନ ହେବାରୁ ତାଙ୍କୁ ଗିରଫ କରାଯାଇ ହାଜତରେ ଶାରୀରିକ ନିର୍ଯ୍ୟାତନା ଦିଆଯାଇ ଥିଲା ବୋଲି ମାରିୟମ ତଦନ୍ତ ସମୟରେ ଅଭିଯୋଗ କରିଛନ୍ତି । ଏହି ଇଂରାଜୀ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାରିୟମ ସ୍ୱାସ୍ଥ୍ୟଗତ କାରଣ ନେଇ ‘ଇସ୍ରୋ’ ବୈଜ୍ଞାନିକ ଶଶି କୁମାରଙ୍କ ଡାକ୍ତରାଣୀ ପତ୍ନୀଙ୍କ ସହ ସଂପର୍କରେ ଥିଲେ । ତେଣୁ, ଶଶି କୁମାରଙ୍କ ଘରୋଇ ଟେଲିଫୋନ ନମ୍ବର ତାଙ୍କ ଡାଏରୀରେ ରହି ଥିଲା । ମାମଲାର ରୋଚକ ଦିଗ ହେଉଛି ରାଜନୈତିକ ଷଡଯନ୍ତ୍ର । ନାମ୍ବିଙ୍କୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ କରାଯିବା ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ପିଭି ନରସିଂହ ରାଓ । ସେତେବେଳେ କେରଳ ମୁଖ୍ୟମନ୍ତ୍ରୀ ଥିବା କେ. କରୁଣାକରନ (କଂଗ୍ରେସ)ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଷଡଯନ୍ତ୍ର ହୋଇଥିଲା। କେରଳ କଂଗ୍ରେସର ଏ.କେ. ଆଂଟୋନି ଗୋଷ୍ଠୀ ଓ ଓମାନ ଚାଂଡି ଗୋଷ୍ଠୀ କରୁଣାକରନଙ୍କୁ କ୍ଷମତରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ । ସେଥି ସକାଶେ ଟାର୍ଗେଟ୍ କରିଥିଲେ ମୁଖ୍ୟମନ୍ତ୍ରୀ କରୁଣାକରନଙ୍କ ଘନିଷ୍ଟ ଭାବେ ପରିଚିତ ଜଣେ ପୁଲିସ ଅଧିକାରୀଙ୍କୁ । ପରେ କରୁଣାକରନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୋଲି ଏହି ଲେଖାରେ ଦର୍ଶାଯାଇଛି ।
ଏହାଛଡା, ଆଉ ଏକ ସନେ୍ଦହ ମଧ୍ୟ ତଦନ୍ତ ସାପେକ୍ଷ ମନେ ହେଉଛି । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତର ସଫଳତାକୁ ନେଇ କିଛି ୟୁରୋପୀୟ ରାଷ୍ଟ୍ର ସନ୍ତୁଷ୍ଟ ନ ଥିଲେ । ୟୁରୋପୀୟ ରାଷ୍ଟ୍ରଙ୍କ ତୁଳନାରେ ଯଥେଷ୍ଟ କମ୍ ଖର୍ଚ୍ଚରେ ଭାରତ କ୍ରାୟୋଜୋନିକ ଇଂଜିନ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ସେମାନଙ୍କ ଏକଚାଟିଆ ବ୍ୟବସାୟକୁ ନେଇ ଆଶଙ୍କିତ ହୋଇ ଭାରତକୁ କ୍ରାୟୋଜୋନିକ ଇଂଜିନ ନିର୍ମାଣ କ୍ଷେତ୍ରରେ କିଛି ବର୍ଷ ପଛକୁ ଠେଲି ଦେବାକୁ ଚାହୁଁ ଥିଲେ । ୧୯୯୪ର ଏହି ‘ଇସ୍ରୋ’ ଗୁପ୍ତଚର ମାମଲା ଏହି ଷଡଯନ୍ତ୍ରର ଏକ ଅଂଶ ବୋଲି ମଧ୍ୟ କେତେକ ମହଲ ସନ୍ଦେହ କରୁଛନ୍ତି । ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଇନକ୍ୱାରୀ କମିଟି ଏସବୁ ବିଷୟକୁ ଦୃଷ୍ଟିରେ ରଖି ତଦନ୍ତ କରିବେ ବୋଲି ତଥ୍ୟାଭିଜ୍ଞ ମହଲ ଆଶା କରୁଛନ୍ତି । ତେଣୁ, ୧୯୯୪ ମିଥ୍ୟା ଗୁପ୍ତଚର ମାମଲାରେ କେଉଁମାନେ ସଂପୃକ୍ତ ଏବଂ ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା ତାହା ଜାଣିବା ଜରୁରୀ ହୋଇ ପଡିଛି । ଏସବୁ ସ୍ପଷ୍ଟ ହେଲେ ହିଁ ନାମ୍ବି ତାଙ୍କୁ ଫସାଇ ଥିବା ଲୋକମାନଙ୍କୁ ଚପଲରେ ପିଟିବା ସମ୍ଭବ ହୋଇ ପାରିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS