କେମିତି ଦୂର ହେବ ପୁଲିସ ପ୍ରତି ଥିବା ଅବିଶ୍ୱାସ ?
– ପ୍ରସାଦ ରାଓ-
ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ବ୍ରିଟିଶ ଶାସନରେ ଭାରତୀୟଙ୍କୁ ଭୟଭୀତ କରି ରଖିବା ସକାଶେ ପୁଲିସ ବାହିନୀକୁ ଯଥେଷ୍ଟ କ୍ଷମତା ଦିଆଯାଇଥିଲା । ଭାରତୀୟଙ୍କୁ ଡ଼ରାଇ ଥରାଇ ରଖିବା ସକାଶେ ସେତେବେଳେ ଯେଉଁ ଆଇନ କାନୁନ ପ୍ରସ୍ତୁତ ହୋଇଥିଲା ସ୍ୱାଧୀନତା ପରେ ସେଥିରେ କିଛି ସଂଶୋଧନ ହୋଇଛି । ତଥାପି, ଭାରତୀୟଙ୍କ ମନରୁ ପୁଲିସ ପ୍ରତି ସେହି ପୂର୍ବ ଧାରଣା ବଦଳି ନାହିଁ । ପୁଲିସ, ଥାନା, ହାଜତ ଓ କୋର୍ଟ କଚେରୀ କଥା ଉଠିଲେ ଆଜି ମଧ୍ୟ ଅଧିକାଂଶ ଭାରତୀୟ ତା’ଠାରୁ ଯେତେଦୂର ସମ୍ଭବ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି । କାରଣ, ପୁଲିସ ଓ କଚେରୀକୁ ନେଇ ଲୋକଙ୍କ ଅନୁଭବ ବଦଳି ନାହିଁ । ଥରେ କୌଣସି ମାମଲାରେ ଫସିଲେ ସେଥିରୁ ମୁକ୍ତି ପାଇବାକୁ ଚପଲ ଘୋରି ହୋଇଯିବ, ଆଜି ବି ସେହି ଧାରଣା ରହିଛି । ତେଣୁ, କୌଣସି ମାମଲାରେ ଥାନା ବା କୋର୍ଟକୁ ଯାଇ ସାକ୍ଷ୍ୟ ପ୍ରଦାନ କରିବାକୁ ମଧ୍ୟ ସାଧାରଣ ଲୋକ ଭୟ କରନ୍ତି । ପୁଲିସ ପ୍ରତି ଲୋକଙ୍କ ମନରେ ଥିବା ଏହି ଭୟ ଓ ବିରକ୍ତି ଭାବ ଦେଶରେ ଅଧିକରୁ ଅଧିକ ସଂଖ୍ୟକ ମାମଲାରେ ଅଭିଯୁକ୍ତମାନେ ନିର୍ଦୋଶରେ ଖଲାସ ହୋଇ ଯିବାର ମୁଖ୍ୟ କାରଣ କୁହାଯାଇପାରେ ।
ଦେଶର ସବୁ ପୁଲିସ ଅଫିସର ସମାନ ନୁହନ୍ତି । ମୋର ଅନେକ ପୁଲିସ ବନ୍ଧୁ ଅଛନ୍ତି, ଯେଉଁମାନେ କି ଅତି ମାର୍ଜିତ ଏବଂ ସଂବେଦନଶୀଳ । ସେଥିରେ ବରିଷ୍ଠ ପୁଲିସ ଅଧିକାରୀ ଓ କନିଷ୍ଠ ପୁଲିସ କର୍ମଚାରୀ ମଧ୍ୟ ଅଛନ୍ତି । ତେବେ, ସଂଖ୍ୟାଗରିଷ୍ଠ ପୁଲିସ ଅଧିକାରୀଙ୍କ ନିକଟରେ ପୁଲିସ୍ ‘ରୁବାବ୍’ ଦେଖିବାକୁ ମିଳେ । ସେମାନେ ଦେଖାଇ ହୁଅନ୍ତୁ ବା ନ ହୁଅନ୍ତୁ – ସାଧାରଣ ଲୋକ ସେମାନଙ୍କ ପାଖ ମାଡିବାକୁ ଭୟ କରନ୍ତି । ସାମ୍ବାଦିକତା କ୍ୟାରିୟରରେ ଅନେକ ପୁଲିସ ଅଧିକାରୀଙ୍କ ସହ ମୋର ସଂପର୍କ ଯୋଡି ହୋଇଛି, ଅନେକ ସମୟରେ ସାମୟିକ ଭାବେ କିଛି ଅଧିକାରୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ତେବେ, ଅବସର ପରେ ଅନେକ ପୁଲିସ ଅଧିକାରୀ ପୂର୍ବର ‘ରୂତୱା’ ପରିତ୍ୟାଗ କରି ଅତି ସାଧାରଣ ମଣିଷ ଭଳି ସ୍ନେହି ଓ ସଂବେଦନଶୀଳ ହୋଇଥିବା ମଧ୍ୟ ଦେଖିଛି ।
ଏଠାରେ ଏସବୁ କଥା ଅବତାରଣା କରିବାର ଉଦେ୍ଦଶ୍ୟ ହେଉଛି, ଭୁବନେଶ୍ୱର-କଟକ ଦ୍ୱୈତ ମହାନଗରୀରେ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂପର୍କର ସେତୁ ଗଢି ତୋଳିବା ପାଇଁ ନୂତନ ପୁଲିସ କମିସନରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ । ଆଇପିଏସ୍ ସତ୍ୟଜିତ ମହାନ୍ତି ନୂତନ ପୁଲିସ କମିସନର ଭାବେ ଦାୟିତ୍ୱ ନେବା ପରେ ଆରମ୍ଭ କରିଥିବା କିଛି ଜନସଂପର୍କ କାର୍ଯ୍ୟକ୍ରମ ଜନସାଧାରଣରେ ଉତ୍ସାହ ସୃଷ୍ଟି କରିଛି । ତେବେ, ଏଭଳି କାର୍ଯ୍ୟକ୍ରମ ରାଜଧାନୀବାସୀଙ୍କ ପାଇଁ ନୂଆ ନୁହେଁ । ଜନସାଧାରଣଙ୍କ ମନରେ ପୁଲିସ ପ୍ରତି ବିଶ୍ୱାସ ଭାବ ଜାଗ୍ରତ କରିବା ପାଇଁ ନୂଆରେ ଦାୟିତ୍ୱ ନେଉ ଥିବା ପ୍ରତ୍ୟେକ ବଡ ପୁଲିସ ଅଧିକାରୀ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥା’ନ୍ତି । ବିଦାୟୀ ପୁଲିସ କମିସନର ୱାଇ.ବି. ଖୁରାନିଆ ମଧ୍ୟ କିଛି ପୁଲିସ ସହ ଲୋକଙ୍କୁ ଯୋଡିବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାଙ୍କ କାର୍ଯ୍ୟ ଶୈଳୀ ଥିଲା ଭିନ୍ନ । ଖୁରାନିଆ ଗଞ୍ଜାମ ପୁଲିସ ଜିଲ୍ଲା ଏସପି ଥିବା ସମୟରୁ ତାଙ୍କ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରି ଆସିଛି । ଖୁରାନିଆଙ୍କ କାର୍ଯ୍ୟଶୈଳୀ ଥିଲା ମାର୍ଜିତ ଓ ଭରସାଯୋଗ୍ୟ । ଭୁବନେଶ୍ୱର-କଟକ ଦ୍ୱୈତ ମହାନଗରୀ ପୁଲିସ କମିସନର ଭାବେ ମଧ୍ୟ ସେ ଏକା ଢଙ୍ଗରେ କାର୍ଯ୍ୟ କରିଥିଲେ । ପୁଲିସ ଓ ଜନତାଙ୍କୁ ବିଶ୍ୱାସର ସଂପର୍କରେ ଯୋଡିବା ଏବଂ ରାଜଧାନୀର ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ଦିଗରେ ତାଙ୍କ ଉଦ୍ୟମ ଥିଲା ନିଆରା । ତେବେ, ସୀମିତ ସାଧନ ମଧ୍ୟରେ ଦ୍ୱୈତ ମହାନଗରୀର ଅପରାଧ ନିୟନ୍ତ୍ରଣ ଏବଂ ସମସ୍ତଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ସମ୍ଭବ ନଥିଲା ।
ବର୍ତର୍ମାନର ପୁଲିସ କମିସନର ମହାନ୍ତି ମଧ୍ୟ ପୁଲିସ ଓ ଜନତା ମଧ୍ୟରେ ସଂପର୍କ ସୁଧାରିବାକୁ ପ୍ରାଥମିକତା ଦେଇଛନ୍ତି । ନୂଆ କରି ଯୋଡିଛନ୍ତି ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଲିସ ପ୍ରତି ବିଶ୍ୱାସ ଭାବ ଫେରାଇ ଆଣିବା ଫର୍ଦ୍ଦକୁ । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ସେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରୁଛନ୍ତି । ପୁଲିସ ପ୍ରତି କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ଥିବା ଶଂକା ଦୂର କରାଯାଇ ଆସ୍ଥାଭାବ ସୃଷ୍ଟି କରିବା ଉଦ୍ୟମ ହେଉଛି । ପୁଲିସ ମଧ୍ୟ ସାଧାରଣ ମଣିଷଟିଏ । ତେଣୁ, କୌଣସି ପରିସ୍ଥିତିରେ ପୁଲିସକୁ ଭୟ ନ କରି ପୁଲିସ ଓ ପୁଲିସ ଥାନାକୁ ଭରସା କରାଯାଇପାରେ – ଏହି ବାର୍ତର୍ା ପ୍ରଚାର କରାଯାଉଛି । ନିଜେ ପୁଲିସ କମିସନର ଶିକ୍ଷାନୁଷ୍ଠାନଗୁଡିକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରୁଥିବା ଓ ପିଲାଙ୍କ ମନରେ ଥିବା ଶଂକା ଦୂର କରୁଥିବା ଗଣମାଧ୍ୟମ ପାଇଁ ରୋଚକ ଖବର ହୋଇଛି । ସାଧାରଣ ଜନତାରେ ଏହାକୁ ନେଇ ବିତର୍କ ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି । ତେବ, ପ୍ରଶ୍ନ ହେଉଛି ପୁଲିସ କମିସନର ସତ୍ୟଜିତ ମହାନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଛାତ୍ରଛାତ୍ରୀଙ୍କ ଯାହା ସବୁ ଆଶ୍ୱାସନା ଦେଉଛନ୍ତି ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉଛି କି? କୌଣସି ପରିସ୍ଥିତିରେ ଅଭିଯୋଗ ନେଇ ଥାନାରେ ପହଂଚୁଥିବା ଲୋକମାନେ ପୁଲିସ ଠାରୁ ଯେଉଁ ସଂବେଦନଶୀଳତା ଆଶା କରୁଛନ୍ତି, ତାହା ପାଉଛନ୍ତି କି ?? ଯଦି କାନ ଶୁଣୁଥିବା କଥା ସହ ଅନୁଭବର ସମନ୍ୱୟ ନାହିଁ, ତେବେ ପୁଲିସ କମିସନରଙ୍କ ଜନ ସଚେତନତା ସୃଷ୍ଟି ଉଦ୍ୟମ ‘ସାମୟିକ ଆଶ୍ୱାସନା’ ବୋଲି ହିଁ କୁହାଯାଇ ପାରିବ । କମିସନର ବଦଳିଲେ ନୂଆ ପୁଲିସ କମିସନର ଆସିବେ ଏବଂ ତାଙ୍କ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ତଳସ୍ତରର ପୁଲିସ ବ୍ୟବସ୍ଥାକୁ ନେଇ ସାଧାରଣ ଲୋକଙ୍କ ଅନୁଭବ ବଦଳିବ ନାହିଁ ।
ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ପୁଲିସକୁ ନେଇ ଜନ ସାଧାରଣରେ ଥିବା ଭୟ ଦୂର ହୋଇ ନାହିଁ । ଏଥି ସକାଶେ, ବିଶ୍ୱାସର ସେତୁ ନିର୍ମାଣର ଆବଶ୍ୟକତା ରହିଛି । ଭୟ ଦୂର କରିବା ସକାଶେ ପୁଲିସ ଓ ଜନସାଧାରଣଙ୍କ ଦାୟିତ୍ୱ କଣ ହେବା ଉଚିତ ତାହା ଉପରେ ଅଧିକ ବିତର୍କ ହେବା ସହ ଉଭୟଙ୍କ ମଧ୍ୟରେ ସଂପର୍କ ବଢାଇବା ନେଇ କିଛି ନିୟମ କାନୁନ ରହିବା ଏବଂ ସେସବୁ କଡାକଡି ଭାବେ ପାଳନ କରାଯିବାର ଆବଶ୍ୟକତା ରହିଛି । ଏଥିରେ ଆଇନପ୍ରଣେତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେବେ, ପୁଲିସର ଅନୁଗ୍ରହକୁ ଆଧାର କରି ରାଜନୀତି କରୁଥିବା ରାଜନେତାମାନେ ଏହା କେତେଦୂର କାର୍ଯ୍ୟକାରୀ ହେବାକୁ ଦେବେ, ତାହା ହେଉଛି ଆଜିର ପ୍ରଶ୍ନ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS