ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍ ‘କାଳିଆ’
– ପ୍ରସାଦ ରାଓ –
ଭୁବନେଶ୍ୱର, ଡ଼ିସେମ୍ବର ୨୩: ଆଖି ଆଗରେ ସାଧାରଣ ନିର୍ବାଚନ । ୨୦୧୯ରେ ନିର୍ଦ୍ଧାରିତ ସମୟରେ ନା ଆଗୁଆ ସାଧାରଣ ନିର୍ବାଚନ ହେବ, ସ୍ପଷ୍ଟ ହୋଇ ନାହିଁ । ତେବେ, ଏପ୍ରିଲ ଆଡକୁ ନିର୍ବାଚନ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି । ଲୋକସଭା ସହ କାର୍ଯ୍ୟକାଳ ସରୁ ଥିବା ବିଧାନସଭାଗୁଡିକର ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍ ଧରିଛି । ୨୦୧୯ରେ ଚାଷ ଓ ଚାଷି ସମସ୍ୟା ଭୋଟ ପ୍ରଚାରରେ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି । ତେଣୁ, ଚାଷିଙ୍କୁ ସନ୍ତୁଷ୍ଟ କରିବା ସବୁ ରାଜନୈତିକ ଦଳର ପ୍ରାଥମିକତା ହୋଇଛି ।
୨୦୧୮ ଡ଼ିସେମ୍ବରରେ ପ୍ରକାଶ ପାଇ ଥିବା ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ବିରୋଧୀ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳଙ୍କୁ ଚାଷିଙ୍କ କଥା ଚିନ୍ତା କରିବାକୁ ବାଧ୍ୟ କରିଛି । ପୂର୍ବରୁ, ଗୁଜରାଟ ବିଧାନସଭା ନିର୍ବାଚନରେ ଶାସକ ବିଜେପି ଗ୍ରାମାଂଚଳ ଭୋଟରଙ୍କ ତୀବ୍ର ଅସନ୍ତୋଷର ସମ୍ମୁଖୀନ ହୋଇଥିଲା । ଭୋଟର ବିଜେପିକୁ ମୁହଁମୋଡି କଂଗ୍ରେସ ସପକ୍ଷରେ ଭୋଟ ଦେବାରୁ କଂଗ୍ରେସ ଦଳ କ୍ଷମତାକୁ ଆସି ପାରି ନ ଥିଲା ବି ବିଜେପି ସହ କାନ୍ଧକୁ କାନ୍ଧ ମିଳାଇଲା ଭଳି ସ୍ଥିତିରେ ରହି ଥିଲା । କେନ୍ଦ୍ର ସରକାର ସେଥିରୁ କିଛି ନ ଶିଖି ଚାଷି ସମସ୍ୟାକୁ ମୁହଁ ମୋଡିବାରୁ ଚଳିତ ବର୍ଷର ଶେଷ ଭାଗରେ ଅନୁଷ୍ଠିତ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ନିର୍ବାଚନରେ ଚାଷି ବିଜେପିକୁ ବଡ ଝଟକା ଦେଇଛନ୍ତି । ବିଜେପି ଶାସିତ ଏହି ତିନି ରାଜ୍ୟରେ ସରକାର କ୍ଷମତାଚ୍ୟୁତ ହୋଇଥିବା ବେଳେ କଂଗ୍ରେସ ଚାଷିଙ୍କ ପାଇଁ ଋଣଛାଡ ସମେତ ଅନ୍ୟାନ ସୁବିଧା ସୁଯୋଗ ଘୋଷଣା କରି ଦୀର୍ଘ ବ୍ୟବଧାନରେ କ୍ଷମତାକୁ ଫେରିଛି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ପ୍ରତି ଚାଷିଙ୍କ ମନରେ କେତେ କ୍ଷୋଭ ରହିଛି, ତାହା ଏହି ତିନି ରାଜ୍ୟ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ଅପରପକ୍ଷରେ, ସେହି ଏକା ସାଙ୍ଗରେ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କ୍ଷମତାସୀନ ଦଳ ଓ ତାହାର ଦଳପତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଧିକ ସଂଖ୍ୟକ ଆସନ ପାଇଁ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛନ୍ତି । ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଚାଷିଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଦେଇ ଏହି ଆଶାତୀତ ସଫଳତା ପାଇ ଥିବା ରାଓଙ୍କ ବିରୋଧୀମାନେ ବି ସ୍ୱୀକାର କରୁଛନ୍ତି ।
ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସୁ ଆସୁ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛି । କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ କୃଷିଋଣ ଛାଡ କରାଯିବ ବୋଲି ରାହୁଲ ଘୋଷଣା କରିଥିଲେ । ଏବେ, ସବୁ ରାଜ୍ୟରେ କୃଷି ଋଣ ଛାଡ ନ ହେବା ପର୍ଯ୍ୟନ୍ତ ମୋଦୀ ସରକାରଙ୍କୁ ଶୁଆଇ ଦେବୁ ନାହିଁ ବୋଲି ରାହୁଲ ଘୋଷଣା କରି ବିଜେପି ଶାସିତ ରାଜ୍ୟମାନଙ୍କ ପ୍ରତି ଆହ୍ୱାନ ସୃଷ୍ଟି କରିଛନ୍ତି। ଆସାମ ସମେତ ଅନ୍ୟ କିଛି ରାଜ୍ୟ କୃଷି ଋଣ ଛାଡ କରି ‘ଋଣ ଛାଡ’ଦୌଡରେ ସାମିଲ ହୋଇଥିବା ବେଳେ ୨୦୧୯ରେ ବିଧାନସଭା ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ଓଡ଼ିଶାରେ ବିରୋଧୀ କଂଗ୍ରେସ ଓ ବିଜେପି କୃଷି ଋଣ ଛାଡ ପ୍ରତିଶ୍ରୁତି ଦେଇ ଶାସକ ବିଜେଡ଼ି ପ୍ରତି ଆହ୍ୱାନ ସୃଷ୍ଟି କରିଛନ୍ତି । ବିଜେଡ଼ି ବା ବିଜୁ ଜନତା ଦଳ କୃଷି ଋଣ ଛାଡ ସପକ୍ଷରେ କେବେ ବି ନ ଥିଲା । ପରିବର୍ତିତ ପରିସ୍ଥିତିରେ ଦଳ କଣ କରିବ (?) ଦେଖିବା ସକାଶେ ରାଜନୈତିକ ବିଶ୍ଲେଷକମାନେ ଚାହିଁ ରହି ଥିଲେ । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପିଠା’ ଭଳି ‘କାଳିଆ’ ନାମରେ ବିରୋଧୀଙ୍କୁ ‘ମାଷ୍ଟର ଷ୍ଟ୍ରୋକ୍’ ଦେଇଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତମାନେ ସ୍ନେହରେ କାଳିଆ ଡ଼ାକନ୍ତି । ତେବେ, ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ହେଉଛି ଭିନ୍ନ ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ମତକୁ ସମ୍ମାନ ଦେଇ କୃଷି ଋଣ ଛାଡ ନିଷ୍ପତ୍ତିରୁ ଦୂରେଇ ରହି ଥିବା ବେଳେ ଚାଷି, ଭାଗ ଚାଷି ଓ ଭୂମିହୀନ କୃଷି ଶ୍ରମିକଙ୍କୁ ସନ୍ତୁଷ୍ଟ କଳାଭଳି ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ବିରୋଧୀଙ୍କ ମୁହଁରେ ତାହା ତୁଣ୍ଡି ବାନ୍ଧି ଦେଇଛି । ରାଜନଙ୍କ ସମେତ ଦେଶର ବଡ ବଡ ଅର୍ଥନୀତିଜ୍ଞ ମତ ଥିଲା, କୃଷି ଋଣ ଛାଡ ଦ୍ୱାରା ଅଳ୍ପ କିଛି ବଡ ଚାଷି ଉପକୃତ ହେବେ ସିନା ସାମଗ୍ରିକ ଭାବେ କ୍ଷୁଦ୍ର ଓ ମଧ୍ୟମ ଚାଷି ଏବଂ କୃଷି ଶ୍ରମିକଙ୍କ ଆର୍ଥନୈତିକ ସମସ୍ୟାର କୌଣସି ପ୍ରକାର ସମାଧାନ ହେବ ନାହିଁ । ଅପରପକ୍ଷରେ, ଋଣ ଛାଡ କରୁଥିବା ରାଜ୍ୟ ଓ ଋଣ ଦେଇଥିବା ବ୍ୟାଙ୍କମାନେ ଦେବାଲିଆ ହୋଇ ନୂତନ ଋଣ ଯୋଗାଇ ଦେବାକୁ ସକ୍ଷମ ରହିବେ ନାହିଁ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ମଧ୍ୟ ଏଥିରେ ଏକମତ । ତେଣୁ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଚତୁରତାର ସହ ଗୋଟିଏ ତୀରରେ ଉଭୟ ଚାଷି, ଭୂମିହୀନ କୃଷି ଶ୍ରମିକ ଓ ବିରୋଧୀଙ୍କୁ ଶିକାର କରିଛନ୍ତି । ରାଜ୍ୟର ୩୨ ଲକ୍ଷରୁ ଅଧିକ ଚାଷି ଓ ଭୂମିହୀନ କୃଷି ଶ୍ରମିକଙ୍କ ଜୀବନଧାରଣ ଏବଂ ଅର୍ଥନୈତିକ ମାନଦଣ୍ଡରେ ଉନ୍ନତି ଆଣିବା ସକାଶେ ‘କୃଷକ ଆସିଷ୍ଟାନ୍ସ ଫର୍ ଲାଇଭଲିହୁଡ୍ ଏଣ୍ଡ୍ ଇନକମ୍ ଅଗମେଂଟେସନ୍’ (କାଳିଆ) ନାମରେ ଯୋଜନା ଘୋଷଣା କରାଯାଇଛି, ଯାହାକି ବିରୋଧୀଙ୍କ ଅକଲ ଗୁଡୁମ୍ କରିଛି ।
‘କାଳିଆ’ ଯୋଜନାର ବିଶେଷତ୍ୱ ହେଉଛି, ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷିଙ୍କୁ ଉଭୟ ଖରିଫ ଓ ରବି ଫସଲ ବାବଦରେ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ, ଭୂମିହୀନ ଚାଷି ପରିବାରକୁ ଜୀବିକା ସହାୟତା ବାବଦରେ ମିଳିବ ୧୨,୫୦୦ ଟଙ୍କ, ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷି ପରିବାରକୁ ପେନସନ୍ ଭଳି ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ ମିଳିବ । ଉଭୟ ଚାଷି ଓ ଭୂମିହୀନ କୃଷି ଶ୍ରମିକ ପାଇବେ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ଦୁଇ ଲକ୍ଷ ଟଙ୍କାର ବୀମା ସୁରକ୍ଷା । କେବଳ ସେତିକି ନୁହେଁ, ଚାଷିଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦିଆଯିବ । ରାଜ୍ୟ ସରକାର ଅଳ୍ପ କିଛି ଚାଷିଙ୍କୁ ଥରୁଟିଏ ଋଣଛାଡ କରି ରାଜ୍ୟର ଅର୍ଥନୀତିକୁ ଢେର ବର୍ଷ ଯାଏଁ ବିପର୍ଯ୍ୟୟ ମୁହଁକୁ ଠେଲି ଦେବା ଅପେକ୍ଷା କୃଷକଙ୍କ ଜୀବନ ଜୀବିକାକୁ ସମୃଦ୍ଧ କଲା ଭଳି ସହାୟତା ତଥା ରୋଜଗାର ବୃଦ୍ଧିକୁ ଗୁରୁତ୍ୱ ଦେଇଛନ୍ତି । ଏବାବଦରେ ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଚାନକ ‘କାଳିଆ’ ଯୋଜନା ଘୋଷଣା ରାଜ୍ୟରେ କଂଗ୍ରେସ ଓ ବିଜେପି ନେତୃତ୍ୱକୁ ନିର୍ବାକ୍ କରି ଦେଇଛି । ସେମାନେ ଏହି ଯୋଜନାକୁ ନେଇ ସରକାରଙ୍କୁ ସମାଲୋଚନା କରୁଥିଲେ ମଧ୍ୟ ଏହାଠାରୁ ଭଲ ଯୋଜନା ଚାଷି ଓ ଭୂମିହୀନ କୃଷି ଶ୍ରମିକଙ୍କ ସାମନାରେ ରଖିବାରେ ସକ୍ଷମ ହୋଇ ନାହାନ୍ତି । ‘କାଳିଆ’ ନାମକରଣକୁ ନେଇ ସମାଲୋଚନା ହେଉଛି । ତେବେ, ଯୋଜନା ଭିତରେ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ହାତ ମାରି ହେଉ ନାହିଁ ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଡ଼ିସେମ୍ବର ୨୧ ତାରିଖ (ଶୁକ୍ରବାର) ଅପରାହ୍ନରେ ରାଜ୍ୟ ସଚିବାଳୟରେ କ୍ୟାବିନେଟ୍ ବୈଠକ କରି ଏହି ଯୋଜନରେ ମୋହର ଦେବା ପରେ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀ କରି ‘କାଳିଆ’ ଯୋଜନାର ଖୁଲାସା କରି ଥିଲେ । ଏହା ଏକ ପ୍ରଗତିଶୀଳ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ‘କାଳିଆ’ଯୋଜନା ମାଧ୍ୟମରେ ରାଜ୍ୟର ୯୨ ପ୍ରତିଶତ ଚାଷି ଏବଂ ସମସ୍ତ ଭୁମିହୀନ କୃଷି ଶ୍ରମିକ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ସରକାରଙ୍କ ସହାୟତା ଚାଷିଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଆଗାମୀ ୩ ବର୍ଷରେ ଏହି ଯୋଜନାରେ ୧୦ ହଜାର ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୧ରେ ଯୋଜନାର ସମୀକ୍ଷା କରାଯାଇ ଆବଶ୍ୟକ ପରିବର୍ତର୍ନ କରାଯିବ । ସରକାରୀ ଘୋଷଣା ଅନୁସାରେ ‘କାଳିଆ’ ଯୋଜନାରେ ରାଜ୍ୟର ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷି ଉପକୃତ ହେବେ । ପ୍ରତ୍ୟେକ ଚାଷି ପରିବାରଙ୍କୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଚାଷିମାନେ କୃଷି ପାଇଁ ସେମାନଙ୍କ ଆବଶ୍ୟକତାକୁ ଦେଖି ଏହି ସହାୟତା ଅର୍ଥ ଖର୍ଚ୍ଚ କରି ପାରିବେ । ଚାଷିର କେତେ ଜମି ଅଛି, ତାହା ସହିତ ଏହି ସହାୟତାର କୌଣସି ସଂପର୍କ ରହିବ ନାହିଁ । ଫଳରେ, ପ୍ରକୃତ ଚାଷି ବା ଭାଗଚାଷି, ଯେଉଁମାନଙ୍କ ପାଖରେ କମ୍ ପରିମାଣର ଜମି ରହିଛି ସେମାନେ ଅଧିକ ଉପକୃତ ହେବେ । ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ତିନି ବର୍ଷର ପାଂଚଟି ଫସଲ ପାଇଁ ଏହି ସହାୟତା ଲାଗୁ ହେବ ।
ରାଜ୍ୟରେ କୃଷି ବିକାଶ ଯୋଜନାରେ ଆଗରୁ କୌଣସି କାର୍ଯ୍ୟକ୍ରମ ନ ଥିଲା । ତେବେ, ‘କାଳିଆ’ ଯୋଜନାରେ ୧୦ ଲକ୍ଷ ଭୂମିହୀନ ପରିବାର ଉପକୃତ ହେବାର ସୁଯୋଗ ସୃଷ୍ଟି ହୋଇଛି । ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ଚାଷ, ମାଛ ଚାଷ, ଛତୁ ଚାଷ ଓ ମହୁ ଚାଷ ପରି ଆନୁସଂଗିକ କୃଷି କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨,୫୦୦ ଟଙ୍କା ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି । ଭୂମିହୀନ ପରିବାରମାନେ ଏହି ସାତଟି ଆନୁସଂଗିକ କୃଷି କାର୍ଯ୍ୟରୁ ଯେ କୌଣସି ଗୋଟିକୁ ନିଜର ଜୀବିକା ପାଇଁ ବାଛି ପାରିବେ । ଏଥିପାଇଁ ଆଗାମୀ ତିନି ବର୍ଷରେ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଚାଷିଙ୍କ ପେନସନ୍ ଦାବିକୁ ମଧ୍ୟ ‘କାଳିଆ’ ଯୋଜନାରେ ଅଣଦେଖା କରାଯାଇ ନାହିଁ । ବୃଦ୍ଧାବସ୍ଥା, ଅକ୍ଷମତା ତଥା ଅନ୍ୟାନ୍ୟ କାରଣରୁ ଚାଷ କାର୍ଯ୍ୟ କରିବାକୁ ଚାଷି ସକ୍ଷମ ହେଉ ନଥିବା ଏବଂ ଭୂମିହୀନ କୃଷି ଶ୍ରମିକ ରୋଜଗାର ହରାଉ ଥିବା ଦର୍ଶାଯାଇ ଏଭଳି ପରିବାରକୁ ଚାଷ କାର୍ଯ୍ୟ ଓ ଜୀବିକା ଜାରି ରଖିବା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ସରକାର ନିଷ୍ପତ୍ତି ନେଇ ଥିବା ସୂଚନା ମିଳିଛି । ତେବେ, ଏହି ସହାୟତା ପାଇଁ ଯୋଗ୍ୟ ହିତାଧିକାରୀ ଗ୍ରାମ ପଂଚାୟତ ଦ୍ୱାରା ମନୋନୀତ ହେବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସାରା ରାଜ୍ୟରେ ଏପରି ୧୦ ଲକ୍ଷ ପରିବାର ପାଇଁ ‘କାଳିଆ’ ଯୋଜନାରେ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷି ଓ ଭୂମିହୀନ ଶ୍ରମିକଙ୍କ ପାଇଁ ‘କାଳିଆ’ ଯୋଜନାରେ ବୀମା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ସେଥିରେ ୫୭ ଲକ୍ଷ ପରିବାର ଉପକୃତ ହେବେ ବୋଲି କୁହାଯାଇଛି । ଏସବୁ ଛଡା, ରାଜ୍ୟ ସରକାର ଚାଷିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଫସଲ ଋଣ ଦେବେ । ଆସନ୍ତା ୩ ବର୍ଷରେ ଏବାବଦରେ ୧୦ ହଜାର ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୩୨ ଲକ୍ଷ ଚାଷି ପରିବାର ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ଋଣ ନିଅନ୍ତି ଓ ୧୨ ଲକ୍ଷ ପରିବାର କୃଷି ପାଇଁ ଋଣ ନେଇ ନ ଥା’ନ୍ତି । ଋଣ ନେଉ ଥିବା ଚାଷିଙ୍କ ମଧ୍ୟରୁ ୬୦ ପ୍ରତିଶତ ନିୟମିତ ଭାବେ ଋଣ ପରିଶୋଧ କରନ୍ତି । ତେଣୁ, କୃଷି ଋଣ ଛାଡ ଘୋଷଣା ହୋଇ ଥିଲେ ରାଜ୍ୟର ସବୁ ଚାଷି ଉପକୃତ ହୋଇ ନ ଥା’ନ୍ତେ । ମାତ୍ର ୮ ଲକ୍ଷ ଚାଷି ପରିବାର ଏହାର ଲାଭ ପାଇଥା’ନ୍ତ । ଭାଗ ଚାଷି ବା ଭୂମିହୀନ କୃଷି ଶ୍ରମିକ ଏହାଦ୍ୱାରା ଉପକୃତ ହେବାର କୌଣସି ସୁଯୋଗ ନ ଥିଲା । ତେଣୁ, ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା କରିଛନ୍ତି । ସରକାରଙ୍କ ଏହି ଯୁକ୍ତିକୁ ବିରୋଧୀ କଂଗ୍ରେସ ବା ବିଜେପି କାଟି ପାରୁ ନାହାନ୍ତି । କେବଳ ସମାଲୋଚନା କରିବା ପାଇଁ ବିତଣ୍ଡା ଯୁକ୍ତି କରୁଛନ୍ତି। ‘କାଳିଆ’ ପାଇଁ କୌଣସି ବଜେଟ ବ୍ୟୟବରାଦ କରା ନ ଯାଇ ଯେଭଳି ଭାବେ ଏହାକୁ ଘୋଷଣା କରାଗଲା ସେଥିରେ ଚାଷିଙ୍କ ପାଇଁ ଦରଦ ଅପେକ୍ଷା ୨୦୧୯ ସାଧାରଣ ନିର୍ବାଚନ ପାରି ହେବା ପାଇଁ ବ୍ୟାକୁଳତା ଅଧିକ ରହିଛି ବୋଲି ବିରୋଧୀ କହୁଛନ୍ତି ।
ପିସିସି ସଭାପତି ନିରଂଜନ ପଟ୍ଟନାୟକ ପାଦେ ଆଗେଇ ଯାଇ ରାଜ୍ୟ କଂଗ୍ରେସ ପକ୍ଷରୁ ଚାଷିଙ୍କୁ ଦିଆଯାଇ ଥିବା ‘ନିର୍ବାଚନ-ପୂର୍ବ’ ଅଫର୍ ‘କାଳିଆ’ଠାରୁ ଅଧିକ ଲାଭଦାୟକ ବୋଲି ଯୁକ୍ତି ଦର୍ଶାଇଛନ୍ତି । ରାଜ୍ୟରେ କୃଷି ଋଣ ଛାଡ ଓ ଏମଏସପି (ଚାଷିଙ୍କୁ ଧାନର କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି ଦାବିରେ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସେ ଚେତବନୀ ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରାଯିବା ସହ ଚାଷିଙ୍କୁ ସୋଲାର ପଂପ୍ ସେଟ୍ ଓ ପାଂଚ ବର୍ଷ ପର୍ଯ୍ୟନ୍ତ କୃଷି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ନିରଂଜନ ବାବୁ ପ୍ରତିଶ୍ରୁତି ଦେଇଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୩୦୦ ଟଙ୍କା ମିଳୁ ଥିବା ବେଳେ ତାହାକୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି। ବାସ୍ତବରେ ଚାଷି ବିଜେପି, କଂଗ୍ରେସ ଓ ବିଜେଡ଼ିକୁ ପରଖି ସାରିଛନ୍ତି । ୨୦୧୯ ନିର୍ବାଚନରେ ‘କାଳିଆ’ ଜିତିବ କି ବିରୋଧୀଙ୍କ ଋଣଛାଡ ପ୍ରତିଶ୍ରୁତି ଚାଷିଙ୍କୁ ପ୍ରଭାବିତ କରିବ, ତାହା ଆଗାମୀ ଦିନରେ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS