‘ବ୍ୟାକ୍ ଫୁଟ୍’ରେ ମୋଦୀଜୀ !
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୫ ଡ଼ିସେମ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୪ତାରିଖ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟବାସୀଙ୍କ ମନରେ ଯାହା ବି ଉକ୍ରଣ୍ଠା ଥିଲା ତାହା ‘ନାଇଜର’ ପଡ଼ିଆ ସ୍ୱାଭିମାନ ସଭା ଭାଷଣ ପରେ ଫିକା ପଡି ଯାଇଛି । ଏହି କିଛି ଘଂଟିଆ ଭୁବନେଶ୍ୱର ଗସ୍ତ ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜେଡ଼ି ସରକାରକୁୁ ଲଙ୍ଗଳା ମୁକୁଳା କରିବେ ଏବଂ ଖୋର୍ଦ୍ଧା ଜନସଭାରୁ ବିଜେପି ୨୦୧୯ ସାଧାରଣ ନିର୍ବାଚନର ବିଗୁଲ ବଜାଇବ ବୋଲି ବିରୋଧୀ ଆଶା କରି ଥିଲେ । କିନ୍ତୁ, ସେଭଳି କିଛି ହେଲା ନାହିଁ । ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ଓଡ଼ିଶା ପାଇଁ ସାଥିରେ ଆଣି ଥିବା ୧୪,୫୦୦ କୋଟି ଟଙ୍କା ପ୍ୟାକେଜର ବିବରଣୀ ଦେଲେ, ବରୁଣେଇ ପାହାଡର ପାଦଦେଶରେ (‘ନାଇଜର’ ଷ୍ଟାଡିୟମ) ଥାଇ ଓଡ଼ିଆ ପାଇକ ପୁଅ ଓ ବରପୁତ୍ରଙ୍କ ନାମ ସ୍ମରଣ କରି ସେମାନଙ୍କୁ ନମନ ହେଲେ ଏବଂ ଜନସମାଗମକୁ ଉଦବୋଧନ ଦେଇ ଓଡ଼ିଶାରେ ଚାଲି ଥିବା ଶାସନ ବ୍ୟବସ୍ଥାକୁ ମୃଦୁ ସମାଲୋଚନା କଲେ । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଫଳତା ଓ ଦୁର୍ନୀତି ପାଇଁ ସେ ସରକାରଙ୍କୁ ଦାୟି କଲେ ସିନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନେଲେ ନାହିଁ। ତେବେ, ଦୁର୍ନୀତିର ଦାନବକୁ ପ୍ରଶ୍ରୟ ଦେଇଛି କିଏ (?) ବୋଲି ପ୍ରଶ୍ନ କରି ସେ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଆଂଗୁଠି ଦେଖାଇଲେ । କିନ୍ତୁ, ତାଙ୍କ ସ୍ୱରରେ ସ୍ୱଭାବସୁଲଭ ଟାଣପଣ ନ ଥିଲା । ଦଳର ରାଜ୍ୟ କାର୍ଯ୍ୟକର୍ତା ଓ କର୍ମୀଙ୍କୁ ଉତ୍ସାହିତ କଲା ଭଳି କିଛି ଉପାଦାନ ମଧ୍ୟ ନ ଥିଲା ।
୨୦୧୪ ସାଧାରଣ ନିର୍ବାଚନ ସମୟରେ ମୋଦୀଜୀଙ୍କ ମାରାଥନ ଭାଷଣ ଯେଉଁମାନେ ଶୁଣିଛନ୍ତି ସେମାନେ ସୋମବାର ଅପରାହ୍ନର ଭାଷଣ ଶୁଣି ଚକିତ ହେବା ସ୍ୱାଭାବିକ । କାରଣ, ମୁଣ୍ଡ ଉପରେ ଥିବା ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦେଶରେ ରାଜନୈତିକ ଛକାପଂଝା ଜୋର୍ ଧରିଲାଣି । ବିଜେପି ପୂର୍ବାଂଚଳରୁ ପୂର୍ବୋଦୟ କଥା କହି ତାହାର ଓଡ଼ିଶା ଓ ପଶ୍ଚିମ ବଂଗ ଦଖଲ ସ୍ୱପ୍ନକୁ ଉଜାଗର କରି ରଖିଛି । ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ଓଡ଼ିଶାର ୧୪୭ରୁ ୧୨୦ ପ୍ଲସ୍ ଆସନରେ ଜିତିବ ବୋଲି ବାହାସ୍ପୋଟ ମାରୁଛି। ଏଭଳି ସମୟରେ ମୋଦୀଜୀଙ୍କ ଭାଷଣ ଏତେ ପାଣିଚିଆ ହେବ ବୋଲି କେହି ଆଶା କରି ନ ଥିଲେ । ଦଳର ନେତା ଓ କର୍ମୀମାନେ ଅପେକ୍ଷା କରିଥିଲେ ମୋଦୀଜୀଙ୍କ ସେହି ଅଗ୍ନିବର୍ଷି ଭାଷଣ ଓ ଓଡ଼ିଶା ସରକାରଙ୍କ ପ୍ରତି ଶାଣିତ ସମାଲୋଚନା ଶୁଣିବା ପାଇଁ । ସରକାରଙ୍କ ସମସ୍ତ ଦୋଷ, ଦୁର୍ବଳତା ଓ ଦୁର୍ନୀତିକୁ ପ୍ରଧାନମନ୍ତ୍ରୀ ପଦାରେ ପକାଇବା ସହ ସଭାରେ ଉପସ୍ଥିତ ଜନତା ଓ ଦଳୀୟ କର୍ମୀଙ୍କ ମଧ୍ୟରେ ‘ବିଜେଡ଼ି ବିରୋଧୀ’ବାତାବରଣ ସୃଷ୍ଟି କରିବେ ବୋଲି ଆଶା ଥିଲା । ରାଜ୍ୟ ବିଜେପି ନେତା ଓ କର୍ମୀମାନେ ସେଥି ପାଇଁ ଉତ୍ସାହିତ ହୋଇ ସଭା ସ୍ଥଳରେ ବିପୁଳ ଜନସମାଗମ କରାଇଥିଲେ । ଏହି ଜନତା ନିଜ ନିଜ ଅଂଚଳକୁ ଫେରିବା ପରେ ଓଡ଼ିଶାରେ ଏକ ରାଜନୈତିକ ପରିବର୍ତର୍ନ ଆସୁଥିବାର ବାର୍ତା ପୁରପଲ୍ଲୀରେ ପହଂଚାଇବେ ବୋଲି ବିଶ୍ୱାସ ରଖିଥିଲେ । କିନ୍ତୁ ସେଭଳି କିଛି ହେଲା ନାହିଁ । ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଟାଣପଣ ନ ଥିବା ଦେଖି ରାଜ୍ୟର ନେତା ଓ କର୍ମୀମାନେ ନିରାଶ । ରାଜନୈତିକ ବିଶ୍ଲେଷକମାନେ ମଧ୍ୟ ନିରୁତ୍ସାହିତ ।
୨୦୧୯ ଭୋଟକୁ ନେଇ ଜାତୀୟ ରାଜନୀତିରେ ସମୀକରଣ ବଦଳିବାର ସମ୍ଭାବନା ଦେଖା ଦେଇଛି । ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ବା ଜାତୀୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେବାର ଦମ୍ ରଖୁଥିବା ଅଂଚଳିକ ଦଳମାନେ ଉଭୟ ବିଜେପି ଓ କଂଗ୍ରେସ ବିରୋଧରେ ସଂଗଠିତ ହେଉଛନ୍ତି । କେନ୍ଦ୍ରରେ କ୍ଷମତାସୀନ ଏନଡ଼ିଏ ମଧ୍ୟରେ କ୍ଷମତାଲିପସା ଓ ଅବିଶ୍ୱାସ ଭାବ ବଢୁ ଥିବାରୁ ମଂଗ ଧରି ଥିବା ବିଜେପି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଭାରତୀୟ ଜାତୀୟ କଂଗ୍ରେସ ଓ ଆଂଚଳିକ ଦଳମାନଙ୍କୁ ଉତ୍ସାହିତ କରିଛି । ବିଶେଷକରି, ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଆସନରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ରାଜ୍ୟରେ କ୍ଷମତାକୁ ଫେରିବା ପରେ ରାଓ ଜାତୀୟ ରାଜନୀତିରେ ଆଂଚଳିକ ଦଳମାନଙ୍କୁ କଂଗ୍ରେସ ଓ ବିଜେପିର ବିକଳ୍ପ ଭାବେ ଠିଆ କରିବାକୁ ଏକ ଫେଡେରାଲ୍ ଫ୍ରଂଟ୍ ଗଠନ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଜାତୀୟ ରାଜନୀତିରେ ଏକ ପରିବର୍ତର୍ନର ସୂଚନା ମିଳୁ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ‘ବ୍ୟାକ୍ ଫୁଟ୍’ରେ ରହିବାକୁ ଏକପ୍ରକାର ବାଧ୍ୟ ହେଉଥିବା ମୋଦୀଜୀଙ୍କ ଜନସଭା ପରେ ରାଜନୈତିକ ବିଶ୍ଲେଷକମାନେ ଚର୍ଚ୍ଚା କରୁଛନ୍ତି । ବିଜେପି ତାହାର ଓଡ଼ିଶା ଦଖଲ ଅଭିଯାନକୁ ଶୀତଳଭଣ୍ଡାରକୁ ଠେଲି ଦେଇ ଜାତୀୟ ରାଜନୀତିରେ ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ପ୍ରାଧାନ୍ୟ ଦେଲାଣି । ମୋଦୀଜୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସକାଶେ ଆଂଚଳିକ ଦଳଙ୍କ ସମର୍ଥନ ଲୋଡା ଥିବାରୁ ସଂପର୍କରେ ସୁଧାର ଉଦ୍ୟମ ଆରମ୍ଭ କରାଯାଇଛି । ଦଳର କେନ୍ଦ୍ରୀୟ ନେତାମାନେ ସେମାନଙ୍କ ରଣନୀତି ବଦଳାଇବାକୁ ବାଧ୍ୟ ହେଉଛନ୍ତି । ଏସବୁ କଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୋର୍ଦ୍ଧା ଜନସଭାରୁ ସ୍ପଷ୍ଟ ହୋଇଛି ବୋଲି ରାଜ୍ୟର କିଛି ବରିଷ୍ଠ ସାମ୍ବାଦିକ ଓ ରାଜନୈତିକ ବିଶ୍ଲେଷକଙ୍କ ମତ ।
ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଆସିବାର ଗୋଟିଏ ଦିନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ସପରିବାର ଭୁବନେଶ୍ୱର ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆତିଥ୍ୟ ଗ୍ରହଣ କରି ଥିଲେ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଏକାନ୍ତ ଆଲୋଚନା ହୋଇଥିଲା । ପରେ, ଦୁହେଁ ମିଳିତ ଭାବେ ଖବରଦାତାଙ୍କୁ ଭେଟି ଜାତୀୟ ରାଜନୀତିରେ ଆଂଚଳିକ ଦଳମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉ ଥିବାର ସୂଚନା ଦେଇଥିଲେ । ସୋମବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପୁରୀ ଓ କୋଣାର୍କ ବୁଲିିବା ପରେ ପଶ୍ଚିମ ବଂଗ ଯାଇ ସେଠାରେ ଅନ୍ୟତମ ପ୍ରମୁଖ ଆଂଚଳିକ ଦଳ ‘ତୃଣମୂଳ କଂଗ୍ରେସ’ର ମୁଖ୍ୟା ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଫେଡେରାଲ ଫ୍ରଂଟ୍ ଗଠନ ଉଦ୍ୟମକୁ ଗତିଶୀଳ କରିବାକୁ ସେ ନୂଆଦିଲ୍ଲୀ ଯାଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବସପା ମୁଖ୍ୟା ମାୟାବତୀଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ବର୍ତର୍ମାନ ବିଜେପି ଓ କଂଗ୍ରସ ସହ ଥିବା ଆଂଚଳିକ ଦଳଙ୍କ ସମେତ କୌଣସି ମେଂଟରେ ନ ଥିବା ଆଂଚଳିକ ଦଳଙ୍କୁ ଗୋଟିଏ ମଂଚରେ ଏକାଠି କରିବା ଉଦ୍ୟମ ଚାଲି ଥିବାରୁ ବିଜେପିରେ ଆଶଙ୍କା ବଢୁଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେଥିରେ ବିଚଳିତ ଥିବା ମନେ ହେଉଛି । ତେବେ, ନୂଆ ସାମ୍ମୁଖ୍ୟରେ ପ୍ରଧାନମନ୍ତ୍ରୀ ମୁହଁ କେହି ନାହାନ୍ତି । ଭୋଟ ପରେ ସେମାନେ ସରକାର ଗଠନରେ ବିଜେପି ବା କଂଗ୍ରେସକୁ ସମର୍ଥନ ଦେବେ । କିନ୍ତୁ, ସେମାନଙ୍କ ନିକଟରେ ମୂଲଚାଲ କରିବାର ସମସ୍ତ ସୁଯୋଗ ରହିବ । ଏହି ସମ୍ଭାବନାକୁ ଦେଖି ବିଜେପି ଏବେ ଆଂଚଳିକ ଦଳଙ୍କୁ ଅସନ୍ତୁଷ୍ଟ କରିବା ସପକ୍ଷରେ ନାହିଁ । ପରିସ୍ଥିତି ଅନୁକୂଳ ନ ଥିବା ଦେଖି ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ବର୍ଷିବା ପରିବର୍ତେ ଆଉଁସି ଦେଇ ଚାଲି ଗଲେ ବୋଲି ଆଲୋଚନା ହେଉଛି । ମୋଦୀଜୀଙ୍କ ଏହି ଆଚରଣ ଓ ଉଚ୍ଚାରଣ ଜାତୀୟ ରାଜନୀତିରେ ଆସୁଥିବା ପରିବର୍ତର୍ନ ସଂପର୍କରେ ନୂଆ କରି ଚିନ୍ତା କରିବାର ଅବକାଶ ସୃଷ୍ଟି କରିଛି ।
ଏସବୁ ସତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ଖୋର୍ଦ୍ଧା ବିଜେପିର ସ୍ୱାଭିମାନ ସଭାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମୃଦୁ ସମାଲୋଚନା କରିଥିଲେ । ୨୦୧୪ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ବେଳେ ୨୦୧୮ ଶେଷ ସୁଦ୍ଧା ମାତ୍ର ୨୨ ହଜାର ହେକ୍ଟର ଜମି ପାଇଁ ଜଳସେଚନ ସୁବିଦା ହୋଇଛି । ରାଜ୍ୟର ୭୦ ପ୍ରତିଶତ ଚାଷ ଜମିକୁ ସେଚ ସୁବିଧା ନାହିଁ । ୧୮ ବର୍ଷ ହେଲା ସରକାର କଣ କରୁଛନ୍ତି (?) ବୋଲି ସେ ପ୍ରଶ୍ନ କରିଥିଲେ । ଚାଷିଙ୍କୁ ବିଭିନ୍ନ ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ସ୍ୱାମୀନାଥନ କମିସନ ରିପୋର୍ଟ କାର୍ଯ୍ୟକାରୀ କରିବା ସହ ଧାନ ସମେତ ୨୨ଟି ଫସଲ ପାଇଁ ଦେଢ ଗୁଣା ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଘୋଷଣା କରିଛନ୍ତି । କିନ୍ତୁ, ଓଡ଼ିଶାର ଚାଷିଙ୍କୁ ତାହା ମିଳୁ ନାହିଁ । ଚାଷି ମଣ୍ଡିରେ ଧାନ ବିକ୍ରି ସୁଯୋଗ ନ ପାଇ ରାଜ୍ୟ ବାହାରକୁ ଧାଉଁଛନ୍ତି । କାମଧନ୍ଦା ଅଭାବରୁ ରାଜ୍ୟର ଯୁବକମାନେ ବେକାର । କାମଧନ୍ଦା ଖୋଜିବାକୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଚିଟ୍ ଫଣ୍ଡରୁ ପିସି ସଂସ୍କୃତି ପର୍ଯ୍ୟନ୍ତ ଦୁର୍ନୀତିର ଦାନବ ରାଜ୍ୟକୁ ଗ୍ରାସ କରିଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାକୁ ରାଜ୍ୟ ସରକାର ସ୍ୱୀକୃତି ନ ଦେଇ ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରାଧାନ୍ୟ ଦେଉ ଥିବାରୁ ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ଲୋକମାନେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାରେ ଏଯାବତ୍ ଦେଶର ଛଅ ଲକ୍ଷ ପରିବାର ସୁଫଳ ପାଇ ଥିଲେ ସୁଦ୍ଧା ସେଥିରେ ଓଡ଼ିଶାର ଜଣେ ହେଲେ ନାହାନ୍ତି । ରାଜ୍ୟରେ ମାତୃ ଓ ଶିଶୁ ଅପପୃଷ୍ଠି ହାର ସର୍ବାଧିକ । ସ୍ୱସ୍ଥ୍ୟ ସେବା ପାଇଁ ସରକାର ନିଜସ୍ୱ ଯୋଜନା କଥା କହୁଥିଲେ ମଧ୍ୟ ରାଜ୍ୟରେ ଅଧାରୁ ଅଧିକ ଡ଼ାକ୍ତର ପଦବୀ ଖାଲି ପଡିଛି । ଶିକ୍ଷକମାନେ ଉଚିତ ଦରମା ନ ପାଇ ରାଜରାସ୍ତାରେ ବସି ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ରାଜ୍ୟ ପଛୁଆ । ଦୁର୍ନୀତିର ଦାନବ ସରକାରଙ୍କୁ କବଳିତ କରି ରଖିଛି । ରାଜ୍ୟର ୭୦ ପ୍ରତିଶତ ଅଂଚଳରେ ବିଶୁଦ୍ଧ ପାନୀୟ ଜଳ ମିଳୁ ନାହିଁ ।
ଅପରପକ୍ଷରେ, କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ଗତିଶୀଳ କରିଛନ୍ତି । ଉଚ୍ଚ ଶିକ୍ଷାର ବିକାଶ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଖୋଲା ଯାଇଛି । ଚାଷିଙ୍କୁ ଉଚିତ ମୂଲ୍ୟ ଓ ସୁବିଧା ଦେବା ସକାଶେ ତାଙ୍କ ସରକାର ସ୍ୱାମୀନାଥନ କମିସନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା ସହ ଚାଷି ଓ ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ୭,୫୦୦ କୋଟି ଟଙ୍କାର ପାଣ୍ଠି ଗଠନ କରିଛି । ଓଡ଼ିଶାରେ ଉପଲବ୍ଧ ନଦୀ ଜଳର ସଫଳ ବିନିଯୋଗ ହୋଇ ପାରୁ ନ ଥିବା ବେଳେ କେନ୍ଦ୍ର ସରକାର ନଦୀ ଜଳର ସୁବିନିଯୋଗ ପାଇଁ ୪୦୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ସୂଚନା ଦେବା ସହ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତିର ଉଦାହରଣ ଦେଇଥିଲେ । ତେବେ, ସମାଲୋଚନା ନରମ ଥିଲା । ସେ କେବଳ ରାଜ୍ୟର ବିଜେଡ଼ି ସରକାରଙ୍କ ପ୍ରତି ନୁହେଁ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରତି ମଧ୍ୟ କୋହଳ ମନୋଭାବ ପ୍ରଦର୍ଶନ କରିବା ସମାଲୋଚକଙ୍କୁ ବିସ୍ମିତ କରିଛି । ଭୁବନେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରିବାକୁ ୨୦୦୯ରେ ତତ୍କାଳୀନ କେନ୍ଦ୍ର କଂଗ୍ରେସ ସରକାର ନିଷ୍ପତ୍ତି ନେଇ ଥିଲେ ମଧ୍ୟ ୨୦୧୪ ସୁଦ୍ଧା କଲେ ନାହିଁ । ୨୦୧୮ରେ ଏହି ନିଷ୍ପତ୍ତିକୁ ବିଜେପି କାର୍ଯ୍ୟକାରୀ କରିଛି ବୋଲି ମୋଦୀ କହିବା ସହ କଂଗ୍ରେସ ପ୍ରତି ସମାଲୋଚନାକୁ ସେତିକିରେ ସୀମିତ ରଖି ଥିଲେ ।
ତେବେ, ସଭା ସ୍ଥଳରେ ଥିବା ଭିଡକୁ ଦେଖି ପ୍ରଧାନମନ୍ତ୍ରୀ ଉଲ୍ଲସିତ ହୋଇଥିବା ତାଙ୍କ ଭାଷଣର ଶେଷ ଭାଗରେ ଦେଖିବାକୁ ମିଳି ଥିଲା । ‘ଆପଣମାନେ କିଭଳି ଓଡ଼ିଶା ଦେଖିବାକୁ ଚାହୁଁଛନ୍ତି ତାହା ଏହି ସ୍ଥାନରୁ ସ୍ପଷ୍ଟ ହେଉଛି । ଏକ ନୂତନ ଓଡ଼ିଶା ଦେଖିବା ପାଇଁ ଆପଣମାନେ ବ୍ୟଗ୍ର । ସଭା ସ୍ଥଳରୁ ନିଜ ନିଜ ଅଂଚଳକୁ ଫେରିବା ପରେ ଏହି ବିକାଶର ବାର୍ତା ପୁରପଲ୍ଲୀରେ ପହଂଚାନ୍ତୁ’ ବୋଲି ସେ ଉପସ୍ଥିତ ଜନତା ଓ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେବା ସମସ୍ତଙ୍କୁ ଚକିତ କରିଥିଲା । ‘ସବକା ସାଥ୍, ସବକା ବିକାଶ’ ଓ ‘ଜନତା ଜନାର୍ଦ୍ଦନ ଇଶ୍ୱରଙ୍କ ସ୍ୱରୂପ’- ଏହି ଦୁଇ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀ ତାଙ୍କ ସଭା ଶେଷ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS