ଓଡ଼ିଶା ରାଜନୀତି: ଭୋଟରଙ୍କ ଆଖିରେ ନବୀନ ଭଗବାନ, କଂଗ୍ରେସର ଭରସା ଗାନ୍ଧୀ ପରିବାର, ବିଜେପି ଧରିଛି ମୋଦୀ-ଶାହା ସୀମ୍ କାର୍ଡ


– ପ୍ରସାଦ ରାଓ –
ଭୁବନେଶ୍ୱର: ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଘନ ଘନ ଓଡ଼ିଶା ଗସ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ଆଶ୍ୱସ୍ତ କରିଛି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଂଚଳରେ କଂଗ୍ରେସର ସ୍ୱତନ୍ତ୍ର ପରିଚୟ ଥିଲା । ଆଦିବାସୀ ଅଂଚଳର ପୁରୁଷ ଓ ମହିଳାମାନେ ଅଶି ଓ ନବେ ଦଶକରେ କଂଗ୍ରେସ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉ ଥିଲେ । ଆଂଚଳିକ ଦଳମାନେ ବିଭିନ୍ନ ସମୟରେ ରାଜ୍ୟରେ କ୍ଷମତାସୀନ ଥିଲେ ମଧ୍ୟ ଇନ୍ଦିରା ମା’ ଓ କିଛି ମାତ୍ରାରେ ସ୍ୱର୍ଗତଃ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭାବମୂର୍ତୀ ରାଜ୍ୟବାସୀଙ୍କୁ ପ୍ରଭାବିତ କରିଥିଲା । ଆଜିର ଦିନରେ ଓଡ଼ିଶାରେ କଂଗ୍ରେସର ସେହି ସ୍ଥିତି ନାହିଁ । ୨୦ ବର୍ଷ ହେଲା ଲଗାତର କ୍ଷମତାରେ ଥିବା ବିଜୁ-ପୁତ୍ର ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରେ ଛାଇ ଯାଇଛନ୍ତି । ତାଙ୍କ ନାମରେ ଭୋଟ ହେଉଛି ଓ ବିଜେଡ଼ କ୍ଷମତାକୁ ଫେରୁଛି ।
୨୦୧୯ ନିର୍ବାଚନରେ ମଧ୍ୟ ତାହା ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଗାଁ ଗଣ୍ଡା ବୁଲି ଆଦିବାସୀ, ହରିଜନ, ମହିଳା ଓ ଚାଷୀଙ୍କ ଭୋଟ ଦଳ ସପକ୍ଷରେ ନେବାକୁ ହଜାର ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରୁଛନ୍ତି । ‘କାଳିଆ’, ‘ପିଠା’ ମାଧ୍ୟମରେ ଭୋଟରଙ୍କ ସମାଗମ ହେଉଛି । ରାଜ୍ୟରେ ସଂଗଠିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଲକ୍ଷାଧିକ ସଂଖ୍ୟାରେ ମହିଳା, ଚାଷୀ ସଭା ସମିତିରେ ଏକାଠି ହୋଇ ନବୀନଙ୍କ ଜୟ ଜୟାକାର କରୁଥିବା ବେଳେ ନବୀନ ସବୁ ସଭାବେ ଗୋଟିଏ ପ୍ରଶ୍ନ କରୁଛନ୍ତି ‘ଆପଣମାନେ ଖୁସି ତ?’ । ନବୀନଙ୍କ ଏଭଳି ଜୟଜୟାକାର ହେଉଥିବା ଦେଖି ଉଭୟ କଂଗ୍ରେସ ଓ ବିଜେପି ଚିନ୍ତାରେ। ବିଜେପି ନେତାମାନେ ନବୀନଙ୍କୁ ଅପାରଗ, ନିକମା, ବିକାଶ ବିରୋଧୀ ବୋଲି ଗାଳି କରୁଥିବା ବେଳେ ଆଦିବାଦୀ ଅଧ୍ୟୁଷିତ ଅଂଚଳ ଓ ରାଜ୍ୟର ଗ୍ରାମାଂଚଳରେ ଆୟୋଜିତ ସଭାମାନଙ୍କରେ ‘ନବୀନଙ୍କ ପାଇଁ ଆଜି ଆମେ ଭୋକରୁ ମୁକ୍ତି ପାଇଛୁ, ପେଟକୁ ଦାନା ଓ ହାତକୁ କାମ ମିଳୁଛି’ ବୋଲି ପୁରୁଷ ଓ ମହିଳାମାନେ ଭାଷଣରେ ପ୍ରଶଂସା କରୁଥିବାରୁ ନବୀନ ସମସ୍ତଙ୍କ ଆଖିରେ ‘ଭଗବାନ’ ପାଲଟିଛନ୍ତି । ଏହା ବିଜେଡ଼ିର ପ୍ରଚାର କୁହାଯାଇପାରେ । ତଥାପି, ସାଦ୍ରି ଭାଷାରେ ଭାଷଣ ଦେଇ ଆଦିବାସୀ ମହିଳାମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରି ନବୀନଙ୍କ ଜୟଜୟାକାର କରୁଥିବା ଦେଖିଲେ ୨୦୧୯ ଭୋଟରେ ନବୀନ ଏକପାଖିଆ ଜିତିବାର ଭ୍ରମ ସୃଷ୍ଟି ହେଉଛି । ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଘନ ଘନ ଓଡ଼ିଶା ଗସ୍ତରୁ ଫାଇଦା ନେବାକୁ ଉଦ୍ୟମ କରିଛି । ଏବେ, ମୋଦୀ ଓ ଶାହା ପାକିସ୍ତାନ ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନକୁ ଭୋଟ-ଅସ୍ତ୍ର ଭାବେ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବା ସହ ଉଭୟ କଂଗ୍ରେସ ଓ ବିଜେଡ଼ିକୁ ଝଟକା ଦେବାକୁ ଉଦ୍ୟମ କରୁଥିବାରୁ କଂଗ୍ରେସ ପାଇଁ ରାହୁଲଙ୍କ ନିର୍ବାଚନ ପ୍ରଚାର ଏକମାତ୍ର ଆଶ୍ୱାସନା ହୋଇଛି ।
ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଇତିମଧ୍ୟରେ ତିନି ଥର ଓଡ଼ିଶା ଗସ୍ତ କଲେଣି । ଚାଷୀ, ମହିଳା ଓ ବେକାର ଯୁବକ ଯୁବତୀ କଂଗ୍ରେସର ଟାର୍ଗେଟ୍ ରେ । ରାହୁଲ ଓଡ଼ିଶାରେ ଉଭୟ ବିଜେଡ଼ି ଓ ବିଜେପିକୁ ସମାଲୋଚନା କରି ନିଜ ଦଳର ନେତାମାନଙ୍କ ମନୋବଳ ବଢାଇବାକୁ ଉଦ୍ୟମ କରୁଛନ୍ତି । ଚାଷୀଙ୍କୁ କୃଷି ଋଣ ଛାଡ ସହ ସୋଲାର ପଂପ୍ ଯୋଗାଇ ଦେବାକୁ ଏବଂ ବର୍ଷ ସାରା ଚାଷ କରିବା ପାଇଁ ମାଗଣାରେ ଆର୍ଥିକ ସହାୟତା ଦେବାକୁ କଂଗ୍ରେସ ଘୋଷଣା କରିଛି । ଧାନର ସର୍ବନିନ ସହାୟକ ମୂଲ୍ୟ କୁଇଂଟାଲ ପିଛା ଏବେ ୧୭୭୦ ଟଙ୍କା ଥିବା ବେଳେ ତାହା ୨୬୦୦ ଟଙ୍କା କରିବାକୁ ରାହୁଲ ଘୋଷରା କରିଛନ୍ତି । ସେହିପରି, ସେ ଏଥର ଜୟପୁର ଗସ୍ତ ଅବସରରେ ମହିଳା କାର୍ଡ ମଧ୍ୟ ଖେଳିଛନ୍ତି । ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସର ସୁଯୋଗ ନେଇ ସେ କଂଗ୍ରେସ ଓଡ଼ିଶାରେ ଶାସନକୁ ଆସିଲେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ବୈଷୟିକ, ମେଡ଼ିକାଲ ଓ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣାରେ ଶିକ୍ଷାଦାନ ବ୍ୟବସ୍ଥା କରିବ ବୋଲି ଘୋଷଣା କରିଛନ୍ତି । ତାଙ୍କ ସରକାର ଆସିଲେ ବିଧବା ଭତ୍ତା ୨ ହଜାର ଟଙ୍କା ହେବ, ଗରୀବ ଝିଅଙ୍କୁ ବିବାହ ପାଇଁ ଆର୍ଥିକ ସହାୟତା ଦିଆଯିବ, ମହିଳା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହାୟତା କରିବା ସକାଶେ ସ୍ୱତନ୍ତ୍ର ଅର୍ଥ ନିଗମ ଗଠନ କରାଯିବ, ପ୍ରତି ପଂଚାୟତରେ ନାରୀ ନିର୍ଯ୍ୟାତନାକୁ ରୋକିବା ଏବଂ ମହିଳାମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସକାଶେ ଜଣେ ସ୍ୱତନ୍ତ୍ର ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ପ୍ରସ୍ତାବ ଥିବା ମଧ୍ୟ ସେ ଘୋଷଣା କରିଛନ୍ତି । ପ୍ରତ୍ୟେକ ଗରୀବ ପରିବାରରୁ ଜଣକୁ ସର୍ବନିମ୍ନ ଆୟ ଗ୍ୟାରେଂଟି ଦେବା, ଗରିବୀ ହଟିବା ପର୍ଯ୍ୟନ୍ତ ସେମାନଙ୍କୁ ବ୍ୟାଙ୍କ ଖାତାରେ ଆର୍ଥିକ ସହାୟତା ପହଂଚାଇବା ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି ।
ବିଜେପି ଓ ବିଜେଡ଼ି ଧନୀକ ଓ ଶିଳ୍ପପତିଙ୍କ ସରକାର ବୋଲି କଂଗ୍ରେସ ଆକ୍ଷେପ କରି ଓଡ଼ିଶାରେ କଂଗ୍ରେସ ସରକାର ଥିବା ବେଳେ ଚାଷୀଙ୍କ ବିନା ଅନୁମତିରେ ବା ପଂଚାୟତର ବିନା ଅନୁମୋଦନରେ ଜମି ଅଧିଗ୍ରହଣ ହେଉ ନ ଥିଲା, ଏବେ ଉଭୟ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଏହି ନିୟମ ଉଲଂଘନ କରି ଶିଳ୍ପପତିଙ୍କ ସେବା କରୁଛନ୍ତି ବୋଲି ରାହୁଲ ୮ ତାରିଖ କୋରୁପୁଟର ଜୟପୁର ସହରରେ ଅଭିଯୋଗ କରିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ବେକାର ଯୁବକ, ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏକା ରାହୁଲ ନୁହନ୍ତି, ଗାନ୍ଧୀ ପରିବାରର ଅନ୍ୟତମ ଆକର୍ଷଣ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଓଡ଼ିଶା ଆସି କଂଗ୍ରେସ ପାଇଁ ପ୍ରଚାର କରିବା ଯୋଜନା ଥିବାରୁ ରାଜ୍ୟରେ ବିଜେଡ଼ି-କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ରୋଚକ ହେବାକୁ ଯାଉଛି । ବାମପନ୍ଥୀ ଦଳ ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କଂଗ୍ରେସ ସହ ଆସନ ବୁଟାମଣି କରି ନିର୍ବାଚନ ମଇଦାନରେ ଅବତରଣ କରିବ ବୋଲି କୁହା ଯାଉଥିବା ବେଳେ ସିପିଏମର ସର୍ବଭାରତୀୟ ସାଧାରଣ ସଂପାଦକ ସୀତାରାମ ୟାଚୁରୀ ନିକଟରେ ଦଳ କାହାରି ସହ ଆସନ ବୁଝାମଣା କରିବ ନାହିଁ ବୋଲି ମନ୍ତବ୍ୟ ଦେଇ ବୁଝାମଣାକୁ ବାଟବଣା କରିଛନ୍ତି । ତଥାପି, କଂଗ୍ରେସ ଦଳ ଓଡ଼ିଶାର ବରିଷ୍ଠ ସିପିଏମ ନେତା ଜନାର୍ଦ୍ଧନ ପତିଙ୍କୁ ସାଂସଦ ପ୍ରାର୍ଥୀ କରିବାକୁ ବିଚାର କରୁଥିବା କଂଗ୍ରେସ-ସିପିଏମ ବୁଝାମଣାର ବାଟ ଉନ୍ମୁକ୍ତ ରଖିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS