ସାବରିମାଲା ମନ୍ଦିର ମାମଲା, ବିଚାର କରିବେ ୭ ଜଣିଆ ବୃହତ ବେଂଚ୍ : ସୁପ୍ରିମ କୋର୍ଟ
ମୋଅନୁଭବ.କମ୍
ନୂଆଦିଲ୍ଲୀ, ନଭେମ୍ବର ୧୪: କେରଳର ସାବରିମାଲା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ ସୀମାର ମହିଳା ପ୍ରବେଶ କରି ପାରିବେ ବୋଲି ସୁପ୍ରିମ କୋର୍ଟ ୨୦୧୮ ସେପ୍ଟେମ୍ବର ୨୮ ତାରିଖରେ ଯେଉଁ ରାୟ ଦେଇଛନ୍ତି ତାହା ବଳବତ୍ତର ରହିଛି । ଆଜି ଏହି ମାମଲାର ରାୟ ପ୍ରକାଶ କରି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପାଂଚ ଜଣିଆ ସାମ୍ବିଧାନକ ପୀଠ ପୂର୍ବ ରାୟ ଉପରେ କୌଣସି ସ୍ଥଗିତାଦେଶ ଦେଇ ନାହାନ୍ତି । ତେବେ, ମାମଲାର ବିଚାରଣା ପାଇଁ ସର୍ବୋଚ୍ଚ ନ୍ୟାୟଳୟ ଏକ ୭ ଜଣିଆ ବୃହତ ବେଂଚ୍ କୁ ତାହା ପଠାଇବାକୁ ଆଜି ନିଷ୍ପତ୍ତି ନେଇଛନ୍ତି । ପାଂଚ ଜଣିଆ ବେଂଚ୍ ର ବିଚାରପତିଙ୍କ ମଧ୍ୟରୁ ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ଓ ଅନ୍ୟ ୨ ଜଣ ସାବରିମାଲାରେ ମହିଳାଙ୍କ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ଆଇନଗତ ବିବାଦ ବିଚାରଣା ପାଇଁ ଏକ ୭ ଜଣିଆ ବୃହତ ବେଂଚକୁ ପଠାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ୨ ଜଣ ବିଚାରପତି ଭିନ୍ନମତ ପ୍ରକାଶ କରିଛନ୍ତି । ୩:୩ ରାୟରେ ମାମଲା ବିଚାର ପାଇଁ ବୃହତ୍ ସାମ୍ବିଧାନକ ପୀଠକୁ ଯିବା ନିଶ୍ଚିତ ହୋଇଛି ।
ମାମଲାଟି ବିଚାରଣା ପାଇଁ ଏକ ୭ ଜଣିଆ ବୃହତ୍ ବେଂଚକୁ ପଠାଇବା ପାଇଁ ରାୟରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ସହ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଓ ଜଷ୍ଟିସ ଏ.ଏମ.ଖାନୱିଲକର ସହମତ ଥିବା ବେଳେ ଜଷ୍ଟିସ୍ ଆର.ଏଫ.ନରିମେନ୍ ଓ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ଭିନ୍ନମତ ପ୍ରକାଶ କରିଛନ୍ତି । ସାବରିମାଲା ମନ୍ଦିର ମାମଲାରେ ୭ ଜଣିଆ ବୃହତ୍ ବେଂଚ କୌଣସି ରାୟ ଦେବା ପର୍ଯ୍ୟନ୍ତ ସବୁ ବୟସର ମହିଳା ଏହି ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ଆଜି ସୁପ୍ରମି କୋର୍ଟ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ସଂଖ୍ୟା ଗରିଷ୍ଠ ରାୟରେ ମୁସଲମାନ ମହିଳା ମସଜିଦ୍ ରେ ଓ ପାର୍ଶି ମହିଳା ‘ଟାୱାର ଅଫ୍ ସାଇଲେନ୍ସ’ରେ ପ୍ରବେଶ କରିବା କଥା ଉଲ୍ଲେଖ କରିଥିବାରୁ ବିଚାରପତି ରୋହିଂଟନ୍ ନରିମେନ୍ ଭିନ୍ନମତ ପ୍ରକାଶ କରି ଏହି ଦୁଇଟି ବିଷୟ ଭବିଷ୍ୟତରେ ଗଠନ ହେବାକୁ ଥିବା ସାମ୍ବିଧାନିକ ପୀଠ ପାଇଁ ଛାଡି ଦିଆଯିବା ଆବଶ୍ୟକ । ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ, ବିଶେଷକରି ଋତୁସ୍ରାବ ବୟସର ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣା ହଟାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ବିଧିବଦ୍ଧ ଭାବେ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ବିଚାର କରି ୨୦୧୮ରେ ତକ୍ରାଳୀନ ମୁଖ୍ୟ ବିଚାରପତି ଓ ତାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସବୁ ବୟସର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ । ତାହା ସହିତ ମୁସଲିମ୍ ଓ ପାର୍ଶି ମହିଳାଙ୍କ ଅଧିକାର କଥା ରାୟରେ ଦର୍ଶାଯିବା ଅନାବଶ୍ୟକ ବୋଲି ଜଷ୍ଟିସ ନରିମେନ୍ ଯୁକ୍ତି ବାଢ଼ି ଥିଲେ । ତେବେ, ବ୍ୟକ୍ତିଗତ ଉପାସନା ଅଧିକାର ସମସ୍ତଙ୍କର ରହିଛି । କୌଣସି ଧାର୍ମିକ ଗୋଷ୍ଠୀ ଏହା ଉପରେ ଅଙ୍କୁଶ ଲଗାଇ ପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ତାଙ୍କ ରାୟରେ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS