‘ଧର୍ମନିରପେକ୍ଷତା’ ବାଣ କାଟୁ କଲା ନାହିଁ ଉଦ୍ଧବଙ୍କୁ, ପଚାରିଲେ – ‘ଧର୍ମନିରପେକ୍ଷତା’ କଣ ?
ପ୍ରସାଦ ରାଓ
୨୯ ନଭେମ୍ବର
ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗୁରୁବାର ସନ୍ଧ୍ୟାରେ ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟରେ ମାସାଧିକ କାଳ ହେଲା ଚାଲିଥିବା ମହାନାଟକର ଅବସାନ ଘଟି ଥିବା ବିଶ୍ୱାସ କରାଯାଉଛି । ତିନି ଦଳ ମଧ୍ୟରେ ଏହା ଏକ ସୁଖଃଦ ବିବାହ ବନ୍ଧନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ, ଆଜିର ଆଧୁନିକ ସମାଜରେ ବିବାହ ଓ ବିଚ୍ଛେଦ ମଧ୍ୟରେ ସୂକ୍ଷ୍ମ ରେଖାଟିଏ ହିଁ ବିଭାଜକ ଭାବେ ରହୁ ଥିବାରୁ ବିରୋଧୀ ବିଜେପି ଏହି ଭିନ୍ନ ଆଦର୍ଶ ଓ ଚରିତ୍ରର ଦଳଙ୍କ ମିଳନ ଓ ଗଠନ ହୋଇଥିବା ସରକାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛି । ରାଜ୍ୟରେ ମେଂଟ ସରକାର ଚଳାଇବା ପାଇଁ ତିନି ଦଳ ସହମତିରେ ଯେଉଁ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମପି) ଘୋଷଣା କରିଛନ୍ତି ସେଥିରେ ସର୍ବାଗ୍ରେ ରହିଛି ‘ଧର୍ମନିରପେକ୍ଷତା’ । ସରକାର ଏହାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ଗତକାଲି ସୂଚନା ଦେଇଥିବା ବେଳେ ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳ ସହଜରେ ତାହାକୁ ଗ୍ରହଣ କରିପାରୁ ନାହାନ୍ତି । ତେଣୁ, ଗୁରୁବାର ରାତିରେ ଶପଥ ଗ୍ରହଣ ଓ ପ୍ରଥମ କ୍ୟାବିନେଟ୍ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ‘ଧର୍ମନିରପେକ୍ଷତା’କୁ ନେଇ ଗଣମାଧ୍ୟମର ପ୍ରଶ୍ନବାଣର ସମ୍ମୁଖୀନ ହୋଇଥିଲେ । ତେବେ, ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଉତ୍ତର ସାମ୍ବାଦିକଙ୍କ ମୁହଁ ବନ୍ଦ କରି ଦେଇଥିଲା ।
ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବଙ୍କ ଏହା ପ୍ରଥମ ସାମ୍ବାଦିକ ସମ୍ମିଳନୀ ଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ କ୍ୟାବିନେଟ୍ ରେ ସ୍ଥାନ ପାଇ ଥିବା ଛଅ ଜଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଗ୍ରହଣ କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ସଂପର୍କରେ ସୂଚନା ଦେଲା ବେଳେ ‘ମହାରାଷ୍ଟ୍ର ବିକାଶ ଆଘାଡି’ ଦ୍ୱାରା ପ୍ରକାଶିତ ସିଏମପିର ସର୍ବାଗ୍ରେ (ପ୍ରିଏମ୍ବଲରେ) ‘ଧର୍ମନିରପେକ୍ଷତା’କୁ ପ୍ରାଧାନ୍ୟ ଦିଆ ଯାଇ ଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ । ତେବେ, ତାଙ୍କ ସରକାର ସିଏମପିକୁ ଅଗାଧିକାର ଦେବ ଏବଂ ତିନି ଦଳ ଆଲୋଚନା ମାଧ୍ୟମରେ ସବୁ ନିଷ୍ପତ୍ତି ନେବେ କହି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ମୁହଁ ବନ୍ଦ ପାଇଁ ଉଦ୍ୟମ କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ଶିବସେନାର ଆଦର୍ଶ ସାବରକର୍ ଓ ଗୋଡ଼ସେ ହୋଇଥବା ବେଳେ କଂଗ୍ରେସ ଓ ଏନସିପିର ସେମାନେ ହେଉଛନ୍ତି ଚିରଶତୃ । ଶିବସେନା କଟ୍ଟର-ହିନ୍ଦୁତ୍ୱବାଦୀ ହୋଇଥିବା ବେଳେ କଂଗ୍ରେସ ଓ ଏନସିପି କଟ୍ଟର ଧର୍ମନିରପେକ୍ଷ ଦଳ । ତେଣୁ, ମହାରାଷ୍ଟ୍ରରେ ଏହି ଦୁଇ କଟ୍ଟର ଧର୍ମନିରପେକ୍ଷ ଦଳ ସହ ଶିବସେନା ମେଂଟ ସରକାର କରି ନିଜ ଆଦର୍ଶ ଠାରୁ ଦୂରେଇ ନାହିଁ ତ ? ଏବେ ଶିବସେନା ‘ଧର୍ମନିରପେକ୍ଷ’ ହୋଇ ଗଲା କି ?? ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ପ୍ରଶ୍ନ ମଂଚରେ ଉପସ୍ଥିତ କଂଗ୍ରେସ ଓ ଏନସିପି ମନ୍ତ୍ରୀମାନଙ୍କୁ ରୋମାଂଚିତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଠାକରେଙ୍କ ଉତ୍ତର ଥିଲା ଅତି ସ୍ପଷ୍ଟ ଓ ଶାଣିତ । ଦେଶର ସମ୍ବିଧାନରେ ସର୍ବାଗ୍ରେ (ପ୍ରିଏମ୍ବଲ୍ରେ) ‘ଧର୍ମନିରପେକ୍ଷତା’ କଥା ଉଲ୍ଲେଖ ରହିଛି । ମହାରାଷ୍ଟ୍ରରେ ନବଗଠିତ ‘ମହାବିକାଶ ଅଘାଡି’ ସରକାର ମଧ୍ୟ ସିଏମପିରେ ତାହାକୁ ସର୍ବାଗ୍ରେ ରଖିଛନ୍ତି । ‘ଆପଣମାନଙ୍କ ନଜରରେ ଧର୍ମନିରପେକ୍ଷତାର ଅର୍ଥ କଣ (?)’ ବୋଲି ମୁଖ୍ୟମନ୍ତ୍ରୀ ଠକରେ ପାଲଟା ପ୍ରଶ୍ନ କରିବା ସହ ରାଜ୍ୟରେ ସାଧାରଣ ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ସରକାର ଅଂଗିକାରବଦ୍ଧ, କୌଣସି ଧର୍ମ, ଜାତି ବା ସଂପ୍ରଦାୟ ଆଧାରରେ ନୁହେଁ ବାଲି ସେ ଦୃଢ ଭାବେ କହିଥିଲେ । ଏହି ପ୍ରଶ୍ନକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଉଦ୍ଧବଙ୍କୁ ଘେରିବାକୁ ଚାହିଁ ଥିଲେ ମଧ୍ୟ ନିଜ ମନ୍ତ୍ରୀ ପରିଷଦ ସହ ସେଠାରୁ ପ୍ରସ୍ଥାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଠାକରେଙ୍କ ଦୃଢତା ଓ ସ୍ପଷ୍ଟ ଉତ୍ତର ‘ଧର୍ମନିରପେକ୍ଷତା’ର ପରିଭାଷା ବଦଳାଇ ଦେଇଛି । ଦେଶ ବା ରାଜ୍ୟରେ ଯେଉଁ ରାଜନୈତିକ ଦଳର ସରକାର ଥାଉ ନା କାହିଁକି ସରକାରଙ୍କ ପ୍ରାଥମିକତା ହେଉଛି, ଦଳ, ମତ, ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ଜନତାର ସେବା କରିବା । ସେଇଥି ପାଇଁ ଭାରତୀୟ ସମ୍ବିଧାନର ସର୍ବାଗ୍ରେ ‘ଧର୍ମନିରପେକ୍ଷତା’ ସ୍ଥାନ ପାଇଛି । ତେବେ, ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଦେଶରେ କ୍ଷମତାର ପରିଭାଷା ବଦଳି ଯାଇଛି । ‘ଧର୍ମନିରପେକ୍ଷତା’ ନାମରେ କିଛି ରାଜନୈତିକ ଦଳ ଅଣ-ହିନ୍ଦୁ ତୁଷ୍ଟିକରଣ ରାଜନୀତିକୁ ପ୍ରଧାନ୍ୟ ଦେଉଥିବା ବେଳେ ଆଉ କିଛି ହିନ୍ଦୁ ଭୋଟ ଏକୀକରଣ କରିବା ସକାଶେ ‘ହିନ୍ଦୁତ୍ୱ’ ଓ ‘କଟ୍ଟର-ହିନ୍ଦୁତ୍ୱ’ର ଭାଷା କହୁଛନ୍ତି । ଏହାଦ୍ୱାରା ଭାରତ ଭଳି ଏକ ବୃହତ୍ ଗଣତନ୍ତ୍ର ହିନ୍ଦୁ ଓ ଅଣ-ହିନ୍ଦୁ ତତ୍ୱରେ ବାଂଟି ହୋଇଯାଇଛି । ଏହାପରେ, ଜାତି, ଧର୍ମ ଓ ଅନ୍ୟାନ୍ୟ ପ୍ରସଙ୍ଗ ରାଜନୀତିକୁ ପ୍ରଭାବିତ କରୁଛି । ସମ୍ବିଧାନର ମୂଳତତ୍ୱ – ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ସରକାର ସମସ୍ତ ଦେଶବାସୀଙ୍କୁ ସମାନ ସେବା ଯୋଗାଇ ଦେବା । ତାହା ହିଁ ଧର୍ମନିରପେକ୍ଷତା – ଏକଥା ପ୍ରକାରାନ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିବାକୁ ଚାହିଁ ଥିଲେ ।
କାଲି ଘୋଷଣା ହୋଇଥିବା ‘ମହାରାଷ୍ଟ୍ର ମହାବିକାଶ ଆଘାଡି’ର ସିଏମପିରେ କେବଳ ଧର୍ମନିରପେକ୍ଷତାକୁ ନୁହେଁ, ଚାଷୀ, ବ୍ୟବସାୟୀ, ବେକାର ଯୁବକ ଯୁବତୀ, ମହିଳାଙ୍କ ବିକାଶ ସହ ସହରାଂଚଳ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟୋଗ ଜଗତ, ଗରିବ ଜନତା, ପଛୁଆ ବର୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସରକାର ଚାଷୀଙ୍କ ସମସ୍ୟା ଓ ବେକାରୀ ଦୂରୀକରଣକୁ ପ୍ରଧାନ୍ୟ ଦେଇଛନ୍ତି । ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସଜାଡିବା ପାଇଁ ଋଣଛାଡ କରିବାକୁ ମେଂଟ ସରକାର ସହମତ ହୋଇଛନ୍ତି । ସେହିଭଳି, ବେକାର ସମସ୍ୟାର ସମାଧାନ ପାଇଁ ୮୦ ପ୍ରତିଶତ ନିଯୁକ୍ତି ମହାରାଷ୍ଟ୍ର ବାସିନ୍ଦା ମିଳିବ ଏବଂ ରାଜ୍ୟରେ ସରକାରୀ କାର୍ଯ୍ୟାଳୟମାନଙ୍କରେ ଥିବା ଖାଲି ପଦ ସବୁ ତୁରନ୍ତ ପୂରଣ କରାଯିବ ବୋଲି ସିଏମପିରେ କୁହାଯାଇଛି । ଶିକ୍ଷିତ ବେକାରଙ୍କ ପାଇଁ ଫେଲୋସିପ୍, ଶ୍ରମିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କୁ କମ୍ ସୁଧରେ ଶିକ୍ଷାଋଣ ଯୋଗାଇ ଦେବା, ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଝିଅମାନଙ୍କୁ କଲେଜସ୍ତର ଯାଏଁ ମାଗଣାରେ ଶିକ୍ଷାଦାନ, ରାଜ୍ୟର ବିଭିନ୍ନ ସହର ଓ ଜିଲ୍ଲା ମୁଖ୍ୟାଳୟରେ କାମ କରୁଥିବା ମହିଳାଙ୍କ ପାଇଁ ହଷ୍ଟେଲ୍ ନିର୍ମାଣ, ଅଂଗନବାଡି କର୍ମୀ ଓ ‘ଆଶା’ କର୍ମୀଙ୍କ ଦରମା ଓ ବିଭିନ୍ନ ସୁବିଧା ସୁଯୋଗ ବଢାଇବା, ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଇ ଏଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଙ୍କୁ ଅଧିକ ସୁବିଧା ସୁଯୋଗ ଦେବା, ସହରାଂଚଳରେ ରାସ୍ତାଘାଟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ବିକାଶ ଯୋଜନା ଭଳି ସହରାଂଚଳ ସକାଶେ ଯୋଜନା କାର୍ଯ୍ୟକାରୀ କରାଯିବା, ନଗର ପଂଚାୟତ, ନଗର ନିଗମ ଓ ନଗରପାଳିକାର ରାସ୍ତାଘାଟକୁ ସୁଦୃଢ କରିବା ସକାଶେ ଅଲଗା ପାଂଠି ବ୍ୟବସ୍ଥା, ମୁମ୍ବାଇ ଓ ରାଜ୍ୟର ଅନ୍ୟତ୍ର ବଡ ସହରରେ ଝୋପଡବସ୍ତିର ବିକାଶ ପାଇଁ ପ୍ରତ୍ୟେକଙ୍କୁ ୩୦୦ ବର୍ଗମିଟର ବଦଳରେ ୫୦୦ ବର୍ଗମିଟର ଜମି ଯୋଗାଇ ଦେବା ପ୍ରଭୃତି ସିଏମପିରେ ସ୍ଥାନ ପାଇଛି ।
ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ଶସ୍ତାରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତାଲୁକା ସ୍ତରରେ ୧ ଟଙ୍କା ବିନିମୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବା ଭଳି କ୍ଲିନିକ ପ୍ରତିଷ୍ଠା, ସବୁ ଜିଲ୍ଲାରେ ଚରଣବିନ୍ଦୁ ତରିକାରେ ସୁପର-ସ୍ପେଶାଲିଟି ହସପିଟାଲ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା, ରାଜ୍ୟର ସମସ୍ତ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରାଯିବା, ଗରିବ ଓ ପଛୁଆ ବର୍ଗ ପରିବାରଙ୍କୁ ଶିକ୍ଷା-ସ୍ୱାସ୍ଥ୍ୟ- ଖାଦ୍ୟ-ବସ୍ତ୍ର ଓ ଘର ଯୋଗାଇ ଦେବା ସରକାରର ପ୍ରାଥମିକତା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଚାଲିଥିବା ୫ଟଙ୍କିଆ ଆହାର ଯୋଜନା ଭଳି ମହାରାଷ୍ଟ୍ରରେ ୧୦ ଟଙ୍କାରେ ପେଟଭର୍ତି ଖାଦ୍ୟ ମିଳିବା ବ୍ୟବସ୍ଥା କରାଯିବ । ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ସରକାର ପୁଂଜି ଲଗାଣକାରୀଙ୍କୁ ଆକୃଷ୍ଟି କରିବା ସକାଶେ ନୀତି, ନିୟମରେ ପରିବର୍ତନ ଆଣିବା ସହ ଅଧିକ କୋହଳ ନୀତି ଅବଲମ୍ବନ କରିବାକୁ ଘୋଷରା କରିଛନ୍ତି । ଆଇଟି କ୍ଷେତ୍ରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ବର୍ତମାନ ମିଳୁଥିବା ସୁବିଧା ସୁଯୋଗରେ ବୃଦ୍ଧି କରାଯିବ ବୋଲି ମଧ୍ୟ ଉଦ୍ଧବ ସରକାର କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଠାକରେ ଓ ତାଙ୍କ ମହାବିକାଶ ଅଘାଡି ସରକାର ସିଏମପିରେ ଯାହା ସବୁ ଘୋଷଣା କରିଛନ୍ତି ସେସବୁ ଅକ୍ଷତ ଭାବେ କାର୍ଯ୍ୟକାରୀ ହେଲେ ସରକାରର ସ୍ଥାୟିତ୍ୱ ନେଇ ସନ୍ଦେହର ଅବକାଶ ନାହିଁ । କଟ୍ଟର ହିନ୍ଦୁତ୍ୱ ଓ ଧର୍ମନିରପେକ୍ଷତା ମଧ୍ୟରେ ସଂଘର୍ଷ ହେବା ନେଇ ଯେଉଁ ଆଶଙ୍କା ରହୁଛି ତାହା ମଧ୍ୟ ରହିବ ନାହିଁ ବୋଲି ବିଶ୍ୱାସ କରାଯାଉଛି । ଏନସିପି ମୁଖ୍ୟ ଶରଦ ପାୱାର ପ୍ରତ୍ୟକ୍ଷ ଭାବେ ସିଏମପି ପ୍ରସ୍ତୁତ କରିଛନ୍ତି । ଶିବସେନା, ଏନସିପି ଓ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଦୀର୍ଘ ଆଲୋଚନା ପରେ ସେଥିରେ ମୋହର ମାରିଛନ୍ତି । ଏହାର କାର୍ଯ୍ୟକାରିତାରେ କୌଣସି ଅବହେଳା ହେବ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଆଇସିସି ଅନ୍ତଃରୀଣ ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ସିଏମପିକୁ ପ୍ରଶଂସା କରିବା ସହ ଉଦ୍ଧବଙ୍କୁ ବଧାଇ ଜଣାଇଛନ୍ତି ।
କାଲିର ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖର୍ଗେ, ଅହମ୍ମଦ ପଟେଲ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ, ତାମିଲନାଡୁ ଡ଼ିଏମକେ ମୁଖ୍ୟ ଷ୍ଟାଲିନ୍ ଙ୍କ ସମେତ ବହୁ ପ୍ରମୁଖ ନେତା ଉପସ୍ଥିତ ଥିଲେ । ମୁମ୍ବାଇର ଦାଦରରେ ଥିବା ଐତିହାସିକ ଛତ୍ରପତି ଶିବାଜୀ ପାର୍କରେ ସନ୍ଧ୍ୟାରେ ଆୟୋଜିତ ଏହି ଉତ୍ସବରେ ବିଜେପିର ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଓ ଏମଏନଏସ ନେତା ତଥା ଉଦ୍ଧବଙ୍କ ଭାଇ ରାଜ୍ ଠାକରେଙ୍କୁ ମଧ୍ୟ ଦେଖିବାକୁ ମିଳି ଥିଲା । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ସନ୍ଧ୍ୟା ୬ଟା ୩୫ରେ ଶିବାଜୀ ପାର୍କରେ ପହଂଚି ୬ଟା ୪୦ରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇ ଥିଲେ । ସାତଟା ୧୦ ମିନିଟ ସୁଦ୍ଧା କାର୍ଯ୍ୟକ୍ରମ ସରି ଥିଲା । ରାତି ୮ଟାରେ ନୂତନ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟର ପ୍ରଥମ ବୈଠକରେ ଐତିହାସିକ ରାୟଗଡ଼ କିଲ୍ଲାର ମରାମତି କାର୍ଯ୍ୟ ପାଇଁ ତୁରନ୍ତ ୨୦ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ମୋଟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ ଚାଲିଛି । ୨୦ ଟଙ୍କା ଅଛି । ସରକାର ଏହି କାର୍ଯ୍ୟ ପାଇଁ ଆଜି ୨୦ କୋଟି ଟଙ୍କା ଦେଲେ ବୋଲି ଉଦ୍ଧବ କହିଥିଲେ । ଜନସାଧାରଣଙ୍କ ସେବା ତାଙ୍କ ସରକାରର ପ୍ରାଥମିକତା ହେବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ପରେ ସାମ୍ବିଦିକଙ୍କୁ କହିଛନ୍ତି ।
ଗତକାଲିର ଶପଥ ଗ୍ରହଣ ଉତ୍ସବକୁ ଠାକରେଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏଆଇସିିସି ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ଥିଲା । ଏଆଇସିସି ସଭାପତି ସୋନିଆ ଗାନ୍ଧୀ ବାର୍ତାଟିଏ ପଠାଇ ଉଦ୍ଧବଙ୍କୁ ସନ୍ତୁଷ୍ଟ କରିଥିବା ବେଳେ ବାର୍ଦ୍ଧକ୍ୟ ଯୋଗୁ ପୂର୍ବ ପ୍ରଧାନମନ୍ତ୍ରୀ ଡ.ସିଂହ ଏହି ଉତ୍ସବରେ ଯୋଗ ଦେଇ ନାହାନ୍ତି । ଅନ୍ୟମାନେ ଶିବସେନାର ‘ହିନ୍ଦୁତ୍ୱ’ ଛବିକୁ ନେଇ ଉତ୍ସବରୁ ଦୂରେଇ ରହିଥିବା ବିଶ୍ୱାସ କରାଯାଉଛି । ଏସବୁ ସତ୍ୱେ ଗୁରୁବାର ସନ୍ଧ୍ୟାରେ ଶିବାଜୀ ପାର୍କ ଉତ୍ସାହରେ ଉଛୁଳୁ ଥିଲା । ପ୍ରଥମ ଥର ପାଇଁ ଠାକରେ ପରିବାରରୁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ଥିବାରୁ ମୁମ୍ବାଇରେ ଦଶହରା ଓ ଦୀପାବଳି ପାଳନର ଭ୍ରମ ସୃଷ୍ଟି ହୋଇଥିଲା । ଟିଭି ପରଦାରେ ସମଗ୍ର ଦେଶ ଏହି ଦୃଶ୍ୟ ଦେଖିଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS