ଆସ୍ଥା ଭୋଟ୍ ଜିତିଲେ ଉଦ୍ଧବ ସରକାର, ସପକ୍ଷରେ ୧୬୯ ଭୋଟ
ପ୍ରସାଦ ରାଓ
୩୦ ନଭେମ୍ବର
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି । ଶିବସେନା, ଏନସିପି ଓ କଂଗ୍ରେସକୁ ନେଇ ଗଠିତ ଏହି ସରକାର ସପକ୍ଷରେ ୧୬୯ ଭୋଟ ମିଳିଥିବା ବେଳେ ପରାଜୟ ନିଶ୍ଚିତ ଥିବାରୁ ବିଜେପି ଭୋଟ ବର୍ଜନ କରି କକ୍ଷତ୍ୟାଗ କରିଛି । ଅପରାହ୍ନରେ ବିଧାନସଭା ସୌଧରେ ଅନୁଷ୍ଠିତ ଆସ୍ଥା ଭୋଟ ସମୟରେ ବିଜେପି ସଦସ୍ୟମାନେ ଉଦ୍ଧବ ସରକାରଙ୍କ ବିରୋଧରେ ବିଭିନ୍ନ ଅନିୟମିତା ଅଭିଯୋଗ ଆଣି ଗୃହରେ ପ୍ରବଳ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ । ନିଜର ୧୦୫ ବିଧାୟକଙ୍କ ସହ ବିରୋଧୀ ଆସନରେ ବସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ୍ ଆଜିର ବିଧାନସଭା ଅଧିବେଶନ ସଂପୂର୍ଣ୍ଣ ଅସାମ୍ବିଧାନିକ ଉପାୟରେ ଚାଲିଛି ବୋଲି ଅଭିଯୋଗ କରି ଗୃହରେ ଅଚଳାବସ୍ଥା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ଫଡ଼ନାଭିସ୍ ଙ୍କ ଅଭିଯୋଗ ଥିଲା, ଆଜିର ଆସ୍ଥା ଭୋଟ ସଂପର୍କରେ ସରକାର ଶୁକ୍ରବାର ବିଳମ୍ବ ରାତ୍ରୀରେ ବିଧାୟକମାନଙ୍କୁ ସୂଚନା ଦେଇ ଥିବାରୁ ବହୁ ବିଧାୟକ ବୈଠକରେ ଯୋଗଦେବାକୁ ପହଂଚି ପାରି ନାହାନ୍ତି । ଗୃହରେ ଅଧିବେଶନ ପ୍ରାରମ୍ଭରେ ‘ବନ୍ଦେ ମାତରଂ..’ ବାଜିବା ପରଂପରା ଥିବା ବେଳେ ଉଦ୍ଧବ ସରକାର ସେଥିରେ ବ୍ୟତିକ୍ରମ କରି ଅଧିବେଶନ ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର ମହାବିକାଶ ଆଘାଡି ସରକାରର ଶପଥ ଗ୍ରହଣ ସମୟରେ ରାଜ୍ୟପାଳ ବିଜେପିର ଜଣେ ବିଧାୟକଙ୍କୁ ପ୍ରୋଟେମ୍ ସ୍ପିକର୍ ନିଯୁକ୍ତି କରି ଥିବା ବେଳେ ଆଜିର ଆସ୍ଥା ଭୋଟ ସମୟରେ ଶାସକ ଦଳ ନିଜର ବିଧାୟକ ବିଧାୟକ ଦିଲ୍ଲୀପ ୱାଲସେ ପାଟିଲଙ୍କୁ ପ୍ରୋଟେମ୍ ସ୍ପିକର୍ ନିଯୁକ୍ତି ଦେଇ ଭୋଟ ପରିଚାଳନା କରାଇବା ଆଉ ଏକ ଅଗଣତାନ୍ତ୍ରିକ କାର୍ଯ୍ୟ । ବିଜେପି ବିଧାୟକ ଦଳ ନେତା ଫଡ଼ନାଭିସ୍ ବିଧାନସଭାରେ ଏସବୁ ଅଭିଯୋଗ ଆଣି ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଉଦ୍ଧବ ସରକାର କୌଣସି ପ୍ରକାର ପ୍ରଭାବିତ ହୋଇ ନ ଥିଲେ । ଅପରପକ୍ଷରେ, ପ୍ରୋଟେମ୍ ସ୍ପିକର୍ ପାଟିଲ, ଆଜିର ଆସ୍ଥା ଭୋଟ ପରିଚାନା ପାଇଁ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଛନ୍ତି କହି ରାଜ୍ୟପାଳଙ୍କ ଚିଠି ଗୃହରେ ପଢି ଶୁଣାଇ ଥିଲେ । ବିଜେପି ବିଧାୟକମାନେ ତାହା ଗ୍ରହଣ ନ କରି ହଟ୍ଟଗୋଳ ଚାଲୁ ରଖି ଥିବା ବେଳେ ପ୍ରୋଟେମ୍ ସ୍ପିକର୍ ଆସ୍ଥା ଭୋଟ କରାଇ ଥିଲେ । ଗୁପ୍ତ ଭାଟ୍ ମାଧ୍ୟମରେ ଆସ୍ଥା ଭୋଟ କରାଯିବାକୁ ବିଜେପିର ଦାବି ମଧ୍ୟ ଗ୍ରହଣ କରାଯାଇ ନ ଥିଲା ।
ବିଧାୟକମାନେ ପ୍ରଥମେ ହାତ ଉଠାଇ ଆସ୍ଥା ଭୋଟ ଦେବାକୁ କୁହାଯାଇଥିଲା । ପରେ, ଭୋଟ ସପକ୍ଷରେ ଓ ବିପକ୍ଷରେ ଭୋଟ ଦେଉଥିବା ବିଧାୟକଙ୍କ ମୁଣ୍ଡ ଗଣତି ପାଇଁ ପ୍ରୋଟେମ୍ ସ୍ପିକର୍ ପ୍ରକ୍ରିୟା ଆରମ୍ଭ କରିଥିଲେ । ଫଳରେ, ଫଡ଼ନାଭିସ୍ ଙ୍କ ସମେତ ସମସ୍ତ ବିଜେପି ବିଧାୟକ ଆସ୍ଥା ଭୋଟ ବର୍ଜନ କରି ଗୃହତ୍ୟାଗ କରିଥିଲେ । ଆଜି ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାରଙ୍କ ସପକ୍ଷରେ ୧୬୯ ବିଧାୟକ ଭୋଟ ପଡି ଥିବା ବେଳେ ୪ ଜଣ ବିଧାୟକ ଭୋଟିଂରୁ ବିରତ ରହି ଥିଲେ । ସୁପ୍ରିମ କୋର୍ଟଙ୍କ ରାୟକୁ ସମ୍ମାନ ଦେଇ ଗୃହରେ ଓପନ୍ ଭୋଟିଂ କରାଯାଇଛି ବୋଲି ଅସ୍ଥାୟୀ ବାଚସ୍ପତି ବା ପ୍ରୋଟେମ୍ ସ୍ପିକର୍ କହିଛନ୍ତି । ଗୃହରେ ବିଜେପିର ନିଜସ୍ୱ ୧୦୫ ବିଧାୟକ ଥିବା ବେଳେ ଦଳ ସପକ୍ଷରେ ୧୧୬ ବିଧାୟକଙ୍କ ସମର୍ଥନ ଥିବା ସୂଚନା ମିଳିଛି । ତେବେ, ବିରୋଧୀ ଭୋଟ ଦେଇ ନ ଥିବାରୁ ସେମାନଙ୍କ ବାସ୍ତବ ସଂଖ୍ୟା କେତେ ତାହା ସ୍ପଷ୍ଟ ହୋଇ ନାହିଁ । ଉଦ୍ଧବ ସରକାରଙ୍କ ବିରୋଧରେ ବିରୋଧୀ ବିଜେପିର ଆଜିର ପ୍ରଦର୍ଶନ ଚେତାବନୀ ଦେବା ଭଳି ହୋଇଛି । ଆଗାମୀ ଦିନରେ ସରକାର ବିଭିନ୍ ଇସ୍ୟୁରେ ଅଧିକ ମୁକାବିଲାତ୍ମକ ସ୍ଥିତିରେ ରହିବେ ବୋଲି ଏଥିରୁ ସ୍ପଷ୍ଟ ହେଉଛି । କାଲି ବିଧାନସଭା ବାଚସ୍ପତି ନିର୍ବାଚନ ଥିବାରୁ ଉଭୟ ସରକାର ଓ ବିରୋଧୀ କଡ଼ା ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS