ବର୍ଷକ ପାଇଁ ସାଂସଦ ନେବେ ୩୦ ପ୍ରତିଶତ କମ୍ ଦରମା
ଆଜି କେନ୍ଦ୍ର କ୍ୟାବିନେଟ୍ ଏକ ବଡ ନିଷ୍ପତ୍ତି । ବର୍ଷକ ପାଇଁ ସମସ୍ତ ସାଂସଦ, ମନ୍ତ୍ରୀ ୩୦ ପ୍ରତିଶତ ଦରମା କମ୍ ନେବେ ବୋଲି ନିଷ୍ପତ୍ତି ହୋଇଛି । ୨୦୨୦ ଏପ୍ରିଲରୁ ବର୍ଷକ ପାଇଁ ସାଂସଦମାନଙ୍କୁ ୩୦ ପ୍ରତିଶତ ଦରମା କମାଇବାକୁ କେନ୍ଦ୍ର ସରକାର ‘ଏମପିଙ୍କ ଦରମା, ଆଲାଉନ୍ସ ଓ ପେନସନ୍ ଆଇନ, ୧୯୫୪ରେ’ ସଂଶୋଧନ ପାଇଁ ଏକ ଅଡ଼ିନାନ୍ସ ଆଣି ଆଜି କ୍ୟାବିନେଟର ମଂଜୁରୀ କରାଇ ନେଇଛନ୍ତି । ପରେ ଏହା ସଂସଦରେ ଉପସ୍ଥାପନ ହେବ ଏବଂ ରାଷ୍ଟ୍ରପତିଙ୍କ ଦସ୍ତଖତରେ ବିଲ୍ ଆକାରରେ ପାରିତ ହେବ । ସ୍ୱଇଚ୍ଛାରେ ସବୁ ସାଂସଦ ୩୦ ପ୍ରତିଶତ କମ୍ ଦରମା ନେବାକୁ ରାଜି ହେବା ପରେ କ୍ୟାବିନେଟ୍ରେ ଏହି ଅଡ଼ିନାନ୍ସକୁ ମଂଜରୀ ମିଳି ଥିବା କେନ୍ଦ୍ର ସରକାରଙ୍କ ଜଂଗଲ ଓ ଜଳବାୟୁ ମନ୍ତ୍ରୀ ପ୍ରକାଶ ଜାବଦେକର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ସାଂସଦ, ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ରାଜ୍ୟପାଳମାନେ ସେମାନଙ୍କ ଦରମାର ୩୦ ପ୍ରତିଶତ କମ୍ ପାଇବେ । ଏହାଛଡା, ଦୁଇ ବର୍ଷ ପାଇଁ ସମସ୍ତ ସାଂସଦଙ୍କ ଏମପି ଲାଡ୍ (ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ସକାଶେ ସାଂସଦମାନେ ପାଉ ଥିବା ପାଂଠି) ସସ୍ପେଣ୍ଡ ରଖାଯାଇ କରୋନା ମୁକାବିଲା କାର୍ଯ୍ୟରେ ବିନିଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷର ଏମପି ଲାଡ୍ ସସ୍ପେଣ୍ଡ ହୋଇଛି । ସାଂସଦମାନେ ବର୍ଷକୁ ୧୦ କୋଟି ଲେଖାଏଁ ସାଂସଦ ପାଣ୍ଠି ବା ଏମପି ଲାଡ୍ ପାଉ ଥବାରୁ ଦୁଇ ବର୍ଷର ସ୍ଥଗିତ ସାଂସଦ ପାଣ୍ଠିର ପରିମାଣ ୭,୯୦୦ କୋଟି ଟଙ୍କା ହେବ । ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଏହି କ୍ୟାବିନେଟ୍ ବୈଠକ ହୋଇଥିଲା । ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟ ସଂପର୍କରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ପୂର୍ବରୁ ଦିନକର ଦରମା କରୋନା ମୁକାବିଲା ପାଂଠିକୁ ଦେଇ ସାରିଛନ୍ତି । ଏବେ,ସାଂସଦମାନେ ସମୂହ ଭାବେ ନିଜର ୩୦ ପ୍ରତିଶତ ଦରମା ସହ ଦୁଇ ବର୍ଷର ଏମପି ପାଂଠି କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରିବାକୁ ସ୍ୱଇଚ୍ଛାରେ ଆଗେଇ ଆସିଛନ୍ତି । ଦେଶରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ସହ ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଦେବାରେ ଭାରତ ସରକାରଙ୍କ କନସୋଲିଡ଼େସନ୍ ପାଂଠି ବିନିଯୋଗ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS