ମହିଳା ଡ଼ାକ୍ତର ନ ଥିବାରୁ ରେପ୍ ଭିକ୍ଟିମ୍ ହେଲେ ହଟ୍ଟହଟା !
ବାଲିଗୁଡାରୁ ସତ୍ୟନାରାୟଣ ପାଢୀ
ଫେବୃୟାରୀ ୦୮
ସରକାର କନ୍ଧମାଳ ଜିଲ୍ଲାର ଅଧକାଂଶ ଚିକିତ୍ସାଳୟରେ ମହିଳା ଡାକ୍ତର ନିଯୁକ୍ତି ଦେଇ ନ ଥିବାରୁ ଦୁଷ୍କର୍ମ ଭଳି ବର୍ବରତାର ଶିକାର ହୋଇଥିବା ମହିଳାମାନେ କିଭଳି ହଟ୍ଟହଟା ହେଉଛନ୍ତି ତାହାର ଏକ ସଦ୍ୟ ଉଦାହରଣ ନିକଟରେ ସାମନାକୁ ଆସିଛି । ଜିଲ୍ଲାର କୋଟଗଡ଼ ବ୍ଲକ ପକାରୀ ପଂଚାୟତରୁ ଆସି ଥିବା ଏହି ଖବର ଚିନ୍ତାର କାରଣ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଓସେଫ୍ ବଡମାଝୀ (୨୩)ର ଫେବୃୟାରୀ ୧ ତାରିଖରେ ବାହାଘର ହେବାକୁ ଥିଲା । ତାହା ପୂର୍ବରୁ ଓସେଫ୍ ଜାନୁୟାର ୨୯ ତାରିଖରେ ନିଜ ଗ୍ରାମର ତିନି ଜଣ ଯୁବତୀଙ୍କ ସହ ମିଶି ଭୋଜି କରିବାକୁ କଥା ହୋଇଥିଲା । ଗାଁରୁ ୫୦୦ ମିଟର ଦୂର ପେନାପାଟି ଜଂଗଲରେ ସନ୍ଧ୍ୟା ୫ଟାରେ ସେମାନେ ଏକାଠି ହୋଇ ସଲପ ତାଡି ପିଇ ଥିଲେ । ଦୁଇ ଜଣ ଯୁବତୀ ନିଶାସକ୍ତ ଅବସ୍ଥାରେ କୌଣସି ପ୍ରକାର ନିଜ ଗ୍ରାମକୁ ଫେରି ଥିଲେ ସୁଦ୍ଧା ଜଷର ଯୁବତୀ ଫେରି ପାରି ନଥିଲେ । ଓସେଫ୍ ନିଜ ସଂପର୍କିୟ ଭାଇ ନୀଳାମ୍ବର ବଡମାଝୀକୁ ଡାକି ସହଯୋଗ ମାଗିଥିଲା । ଦୁହେଁ ମିଶି ନିଶାସକ୍ତ ଯୁବତୀ ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକ ଏହି ଦୁଷ୍କର୍ମ ଖବର ପାଇବା ପରେ ପ୍ରଥମେ ନୀଳାମ୍ବରଙ୍କ ପରିବାରକୁ ଜଣାଇ ଥିଲେ । ଗ୍ରାମରେ ବିଚାର ବିମର୍ଷ ପରେ କୌଣସି ସମାଧାନ ନ ହେବାରୁ ପୀଡ଼ିତା ପରିବାର ବାଧ୍ୟ ହୋଇ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡିଆ କେସ୍ ନଂ- ୫/୧/୨/୦୨୧ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତେବେ, ଥାନାରେ ମାମଲା ରୁଜୁ ହେବା ପରେ ପୀଡ଼ିତାଙ୍କ ଡ଼ାକ୍ତରୀ ପରୀକ୍ଷା ସମୟରେ ପ୍ରକୃତ ସମସ୍ୟା ସାମନାକୁ ଆସିଛି । ପୁଲିସ ପୀଡିତାଙ୍କ ଡ଼ାକ୍ତରୀ ମାଇନା କରାଇବା ସକାଶେ ତିନି ଦିନ କାଳ ନାକେଦମ୍ ହୋଇଥିଲା । ପ୍ରଥମେ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସେଠାରୁ ତୁମୁଡ଼ବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ତାହାପରେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସେଠାରୁ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଧାଇଁବା ପରେ ଶେଷର ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରୁ ପୁଲିସକୁ ପୀଡ଼ିତାଙ୍କ ଡ଼ାକ୍ତରୀ ରିପୋର୍ଟ ମିଳି ଥିଲା । ଏହାର କାରଣ ହେଉଛି, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ମହିଳା ଡ଼ାକ୍ତର ନାହାନ୍ତି । ବାଲିଗୁଡ଼ା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଉପଖଣ୍ଡ । ରାଜ୍ୟ ସରକାର ୫-ଟିରେ ସ୍ୱସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା କୁହାଯାଉଥିବା ବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ମହିଳା ଡ଼ାକ୍ତର ନ ଥିବାରୁ କୋଟଗଡ଼ ପୁଲିସ କେମିତି ତିନି ଦିନ କାଳ ବାରଦୁଆର ଶୁଣ୍ଢିପିଣ୍ଡା ହେଲା ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ଜଣେ ରେପ୍ ଭିକ୍ଟିମ୍ ର ଡାକ୍ତରୀ ମାଇନା ପାଇ ଯଦି ପୁଳିସକୁ ତିନି ଦିନ କାଳ ଏମିତି ବୁଲିବାକୁ ପଡିବ ତେବେ ପୀଡ଼ିତା କେମିତି ନ୍ୟାୟ ପାଉଥିବେ, ତାହା ଏଥିରୁ ସହଜରେ ଅନୁମାନ କରି ହେବ । ବାଲିଗୁଡ଼ା ଉପଖଣ୍ଡରେ ଶାସକ, ବିରୋଧୀ ଓ ପ୍ରଶାସନ ଚୁପ୍ ହୋଇ ବସି ଥିବାରୁ ଏଭଳି ଅସୁବିଧା ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ୫-ଟି ସଚିବ ଭି. କାର୍ତ୍ତୀକେୟନ ପାଣ୍ଡିଆନ୍ ମାସେ ତଳେ ଅଚାନକ କନ୍ଧମାଳ ଗସ୍ତରେ ଯାଇ ଜିଲ୍ଲାରେ ଚାଲି ଥିବା ସ୍ୱାସ୍ଥ୍ୟସେବା ପରିଚାଳନାର ସମୀକ୍ଷା କରିଥିଲେ ବୋଲି ଗଣମାଧ୍ୟମରେ ବେଶ୍ ଆଲୋଚନା ହୋଇଥିଲା । କେଟଗଡ଼ ଘଟଣା ବାସ୍ତବିକତାକୁ ପଦାରେ ପକାଇଛି ।
ମୋଅନୁଭବ.କମ୍
କନ୍ଧମାଳ ଜିଲ୍ଲା
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS