ବିଜେପି ‘ରାଜନୀତି’ଠାରୁ ‘ରାଷ୍ଟ୍ରନୀତି’କୁ ସର୍ବାଧିକ ଗୁରୁତ୍ୱ ଦିଏ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ
୧୧ ଫେବୃୟାରୀ
‘ରାଜନୀତି’ଠାରୁ ‘ରାଷ୍ଟ୍ରନୀତି’ ସର୍ବୋଚ୍ଚରେ । ବିଜେପି ସରକାର ଏଥିରେ ବିଶ୍ୱାସ କରନ୍ତି । ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ତଥା ବିଜେପିର ଆଦର୍ଶ ଭାବେ ବିବେଚିତ ସ୍ୱର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ତମ ମୃତ୍ୟୁ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ସାଂସଦମାନଙ୍କୁ ଉଦ୍ବୋଧନ ସେ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ରାଜନୈତିକ ଭେଦଭାବରେ ବିଶ୍ୱାସ କରେ ନାହିଁ । ରାଜନୈତିକ ବିରୋଧୀମାନଙ୍କ ଦେଶପ୍ରତି ଅବଦାନକୁ ମଧ୍ୟ ଦଳ ସ୍ୱୀକାର କରେ । ବରିଷ୍ଠ କଂଗ୍ରେସ ନେତା ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କୁ ‘ଭାରତ ରତ୍ନ’ ଏବଂ ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଓ ପୂର୍ବତନ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଏସସି ଜମିର (ଉଭୟ କଂଗ୍ରେସ ଦଳର)ଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରି ବିଜେପି ତଥା କେନ୍ଦ୍ର ସରକାର ନିଜର ଏହି ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ଗୋଟିଏ ରାଜନୈତିକ ଦଳ ନିଜ ସଂଖ୍ୟା ବଳରେ ସରକାର ଚଳାଇ ଥାଏ, କିନ୍ତୁ ଦେଶ ଚାଲେ ସହମତିରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ପୁରୋଧା ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ପରି ରାଷ୍ଟ୍ରୀୟ ପ୍ରତୀକଙ୍କୁ ଦଳ ଯେଭଳି ଶ୍ରଦ୍ଧାସୁମନ ଦେଇ ଆସୁଛି ପୂର୍ବରୁ କୌଣସି ସରକାର ତାହା କରି ନାହାନ୍ତି ବୋଲି ସେ କହିଛନ୍ତି । ଦଳିତମାନଙ୍କୁ ସଶକ୍ତ କରିବା ଏବଂ ଦେଶର ଅର୍ଥନୀତିକୁ ଆତ୍ମନିର୍ଭର କରିବା ଥିଲା ପଣ୍ଡିତ ଦୀନଦୟାଲଙ୍କ ମୌଳିକ ଲକ୍ଷ୍ୟ । ସରକାର ଅନ୍ତ୍ୟୋଦୟ ଓ ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ତାହା ସାକାର କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ‘ଦେଶ ପ୍ରଥମ’ – ଏହି ଆଭିମୁଖ୍ୟ ରଖି ତାଙ୍କ ସରକାର କାର୍ଯ୍ୟକରୁଛି । ଯେକୌଣସି ଚାପର ଉଦ୍ଧ୍ୱର୍ରେ ରହି ତାହା ବାସ୍ତବିକତାରେ ପରିଣତ କରିବାକୁ କାର୍ଯ୍ୟ କରୁଛି ବୋଲି ସେ ମନ୍ତବ୍ୟ ରଖିଛନ୍ତି । ଦେଶର ୭୫ତମ ସ୍ୱାଧୀନତା ଦିବସ ଆଗକୁ ଆସୁ ଥିବା ଦୃଷ୍ଟିରୁ ଦେଶର ସମସ୍ତ ବିଜେପି ଶାଖା ୭୫ଟି ସମାଜ ମଂଗଳ କାର୍ଯ୍ୟର ସୂଚୀ ପ୍ରସ୍ତୁତ କରି ତାହା ହାତକୁ ନେବାକୁ ଏବଂ ଦେଶର ସମସ୍ତ ବିଜେପି ସାଂସଦ ନିଜେ ଦୈନନ୍ଦିନ ବ୍ୟବହାର କରୁଥିବା ସମସ୍ତ ଦ୍ରବ୍ୟର ଏକ ତାଲିକା ପ୍ରସ୍ତୁତ କରି ସେଥିରୁ ଯଥାସମ୍ଭବ ବିଦେଶୀ ଉତ୍ପାଦିତ ସାମଗ୍ରୀ ସବୁକୁ ବାଦ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS