ସାମାଜିକ ଗଣମାଧ୍ୟମଙ୍କୁ ଆଇଟି ମନ୍ତ୍ରୀଙ୍କ ଚେତାବନୀ – ‘ବେପାର କର, ପଇସା କମାଅ, କିନ୍ତୁ ଦେଶର ଆଇନ ମାନିବାକୁ ବାଧ୍ୟ’
ନୂଆଦିଲ୍ଲୀ
୧୧ ଫେବୃୟାରୀ
ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନର ସମର୍ଥନରେ କିଛି ବିଦେଶୀ ସେଲିବ୍ରିଟୀ ଟ୍ୱିଟର୍ ମାଧ୍ୟମରେ ଟ୍ୱିଟ୍ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ କ୍ରୋଧିତ କରିଛି । ଦୀର୍ଘ ୧୦ଦିନ ହେଲା ଏନେଇ ଆମେରିକା ଭିତ୍ତିକ ସାମାଜିକ ଗଣମାଧ୍ୟମ ଜିଆଂଟ୍ ‘ଟ୍ୱିଟର୍’ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବାଦବିବାଦ ଚାଲିଛି । ଟ୍ୱିଟର୍ ‘କ୍ୟାପିଟଲ୍ ହିଲ୍’ ଓ ‘ଲାଲକିଲ୍ଲା’ ପାଇଁ ଭିନ୍ନ ଭିନ୍ନ ନୀତି ପ୍ରଦର୍ଶନ କରି ନିଜର ଦୋମୁହାଁ ନୀତି ଉଜାଗର କରିଛି ବୋଲି କେନ୍ଦ୍ର ସରକାର ଅଭିଯୋଗ କରିବା ଦ୍ୱାରା ସରକାରଙ୍କ ଆକ୍ରୋଶ କେଉଁ ସ୍ତରରେ ପହଂଚିଲାଣି ତାହା ସ୍ପଷ୍ଟ ହେଉଛି ।
କେନ୍ଦ୍ର ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ରାଜ୍ୟସଭାରେ ଶୂନ୍ୟକାଳରେ ମତାମତ ରଖି ମିଥ୍ୟା ଖବର ପରିବେଷଣ କରୁଥିବା ଏବଂ ହିଂସାର କାରକ ହେଉଥିବା ସାମାଜିକ ଗଣମାଧ୍ୟମଙ୍କୁ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେବା ମାଧ୍ୟମରେ ସରକାରଙ୍କ କ୍ଷୋଭ ସାଂସଦମାନଙ୍କ ସାମନାରେ ରଖିଛନ୍ତି । ‘ଟ୍ୱିଟର୍’, ‘ଫେସ୍ ବୁକ୍’, ‘ହ୍ୱାଟସ୍ ଆପ୍’ ଓ ‘ଲିଂକେଦିନ୍’ର ନାମ ନେଇ ମନ୍ତ୍ରୀ ରାଜ୍ୟସଭାରେ ବିଷୋଦଗାର କରିଥିଲେ । ‘ଭାରତରେ ତୁମର ଅଗଣିତ ସମର୍ଥକ ଅଛନ୍ତି, ତୁମେ ବ୍ୟବସାୟ କରିବାକୁ ମୁକ୍ତ । ବ୍ୟବସାୟ କର, ପଇସା କମାଅ, କିନ୍ତୁ ଭାରତୀୟ ସମ୍ବିଧାନକୁ ଅନୁସରଣ କରିବାକୁ ତୁମେମାନେ ବାଧ୍ୟ’ ବୋଲି ସେ କହିଛନ୍ତି । ସାମାଜିକ ଗଣମାଧ୍ୟମର ଅପବ୍ୟବହାର ସଂପର୍କରେ ଶୂନ୍ୟକାଳରେ ଆଲୋଚନା ସମୟରେ ସେ ଏଭଳି ମତ ରଖିଥିଲେ । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର କହିଛନ୍ତି, ସରକାର ସାମାଜିକ ଗଣମାଧ୍ୟମକୁ ଯଥେଷ୍ଟ ସମ୍ମାନ ଦିଅନ୍ତି । ଡ଼ିଜିଟାଲ ଇଂଡ଼ିଆ କାର୍ଯ୍ୟକ୍ରମରେ ସାମାଜିକ ଗଣମାଧ୍ୟମର ବୃହତ ଭୂମିକା ରହିଛି । ତେବେ, ସାମାଜିକ ଗଣମାଧ୍ୟମର ଯଦି ଅପବ୍ୟବହାର ହୁଏ ଏବଂ ମିଥ୍ୟା ଖବର ପରିବେଷଣ ଦ୍ୱାରା ହିଂସାର ପ୍ରସାର ହୁଏ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ।
ଉଲ୍ଲେଖନୀୟ ଯେ, ଦିଲ୍ଲୀ ସୀମାନ୍ତରେ ୭୦ ଦିନରୁ ଅଧିକ ହେଲା ଚାଲି ଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କଲା ଭଳି କିଛି ବିଦେଶୀ ସିଲିବ୍ରିଟୀଙ୍କ ଟ୍ୱିଟ୍ ଏବଂ ସେଥିରେ ବ୍ୟବହାର କରାଯାଇଥିବା ‘ଫାର୍ମର୍ସ, ଜେନୋସାଇଡ୍’ ହାସ୍ ଟ୍ୟାଗ୍ କେନ୍ଦ୍ର ସରକାରଙ୍କୁ ପ୍ରତିକ୍ରି୍ରୟାଶୀଳ କରିଛି । ଆଇଟି ଆଇନର ୬୯ ‘କ’ ଧାରାରେ ସରକାର ‘ଟ୍ୱିଟର୍’କୁ ନୋଟିସ ଜାରି କରି ଏଭଳି ‘ହାସ୍ ଟ୍ୟାଗ୍’ବ୍ୟବହାରକାରୀଙ୍କ ଟ୍ୱିଟର୍ ଆକାଂଟ୍ ଗୁଡିକୁ ନିଷିଦ୍ଧ କରିବାକୁ ନିର୍ଦେଶ ଦେଇଥିଲେ । ଏଭଳି ହାସ୍ ଟ୍ୟାଗ୍’ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ସରକାର ଭାରତରେ ଅବସ୍ଥାପିତ ‘ଟ୍ୱିଟର୍’ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଜଣାଇ ଦେଇଥିଲେ । ଏଭଳି ୧୩୦୦ ଟ୍ୱିଟର୍ ଆକାଉଂଟ୍ ତୁରନ୍ତ ବ୍ଲକ୍ କରିବାକୁ ସରକାର ନିର୍ଦେଶ ଦେଇଥିବା ବେଳେ ତାହା ଆଂଶିକ ଭାବେ କାର୍ଯ୍ୟକାରୀ କରାଯାଇଛି । ସରକାରୀ ନିର୍ଦେଶ କାର୍ଯ୍ୟକାରୀ ନ ହେଲେ ଭାରତରେ ଥିବା ଟ୍ୱିଟର୍ ଅଧିକାରୀମାନେ ଗିରଫ ହେବେ ବୋଲି କେନ୍ଦ୍ର ସରକାରଙ୍କ ଧମକକୁ ମଧ୍ୟ ‘ଟ୍ୱିଟର୍’ କତ୍ତୃପକ୍ଷ ଅଣଦେଖା କରିଛନ୍ତି । ଏହି ବୃହତ ମାଇକ୍ରୋ ବ୍ଲଗିଂ ସଂସ୍ଥା ସଫେଇ ଦେଇ କହିଛି, ସରକାରଙ୍କ ନିର୍ଦେଶକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରାଗଲେ ‘ଟ୍ୱିଟର୍’ ବ୍ୟବହାରକାରୀଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷୁର୍ଣ୍ଣ ହେବ । ତେବେ, କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ପ୍ରକାଶ ସାହାନେ ବୁଧବାର ଦିନ ଏସଂପର୍କରେ ‘ଟ୍ୱିଟର୍’ର ଏକଜିକ୍ୟୁଟିଭ୍ ମୋନିକ୍ୟୁ ମାଚେ ଓ ଜିମ୍ ବାକରଙ୍କ ସହ ଆଲୋଚନା କରି ବିବଦମାନ ‘ହାସ୍ ଟ୍ୟାଗ୍’ ବ୍ୟବହାର ଦ୍ୱାରା ସାମ୍ବାଦିକତାର ସ୍ୱାଧୀନତା ବା ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷୁର୍ଣ୍ଣ ହେଉ ନାହିଁ, ଓଲଟା ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପରିସ୍ଥିତିକୁ ହିଂସା ଆଡକୁ ଟାଣି ନେବା ଆଶଙ୍କା ରହିଛି ବୋଲି ଚେତାଇ ଦେଇଥିଲେ ।
୧୦ରୁ ୧୨ ଦିନ ହେଲା ‘ଟ୍ୱିଟର୍’କୁ କେନ୍ଦ୍ର ସରକାର ନୋଟିସ ଜାରି କରିଥିବା ବେଳେ ତାହା ଶତ ପ୍ରତିଶତ କାର୍ଯ୍ୟକାରୀ ନ ହେବା ଅତ୍ୟନ୍ତ ଗୁରତର ବ୍ୟାପାର ବୋଲି ଏବେ ସରକାର ଅନୁଭବ କରୁଛନ୍ତି । ଏବେ ଆଉ ‘କଂପ୍ଲାଏନ୍ସ’ ନୁହେଁ, ସରକାରୀ ଆଦେଶ ଶତ ପ୍ରତିଶତ କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି ସରକାର ‘ଟ୍ୱିଟର୍’କୁ ଜଣାଇଛନ୍ତି । ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଦେଶରେ ତାହାର ଆଇନଗତ ସୀମା ପ୍ରସଂଗକୁ ନେଇ କେନ୍ଦ୍ର ସରକାର ଓ ‘ଟ୍ୱିଟର୍’ ମଧ୍ୟରେ ଟଣାଓଟରା ଚାଲି ଥିବା ବେଳେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଏବଂ ଚାଷୀଙ୍କ ନାମରେ କିଛି ଦୁର୍ବୁତ୍ତ ଲାଲକିଲ୍ଲାରେ ପ୍ରବେଶ କରି ଧର୍ମୀୟ ପତାକା ଉଡାଇବା ଘଟଣା ପାଇଁ ସରକାର ‘ଟ୍ୱିଟର୍’କୁ ଦାୟୀ କରୁଥିବା ଦେଖିବାକୁ ମିଳୁଛି ।
ଜାନୁୟାରୀ ୨୬ ହିଂସା ପରେ ହିଁ ସରକାର ୧୩୦୦ ‘ଟ୍ୱିଟର୍’ ଆକାଉଂଟକୁ ନିଜ ପୃଷ୍ଠାରୁ ସଂପୃର୍ଣ୍ଣ ହଟାଇ ଦେବାକୁ ‘ଟ୍ୱିଟର୍’ କତ୍ତୃପକ୍ଷଙ୍କୁ ସରକାର ନିର୍ଦେଶ ଦେଇଥିଲେ । ସେଥିରେ ରାଜଦୀପ ସରଦେଶାଇ, ଶଶି ଥରୁରଙ୍କ ଭଳି କିଛି ବରିଷ୍ଠ ସାମ୍ବାଦିକ, ସାମାଜିକ କର୍ମୀ ଓ ରାଜନେତାଙ୍କ ଆକାଉଂଟ୍ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । ସଂପୃକ୍ତ ରାଜନେତା, ସାମାଜିକ କର୍ମୀ ଓ ବରିଷ୍ଠ ସଂପାଦକଙ୍କ ବିରୋଧରେ ମିଥ୍ୟା ଖବର ପରିବେଷଣ ଓ ହିଂସାକୁ ପ୍ରୋତ୍ସାହିତ କରିବା ଭଳି (ଦେଶଦ୍ରୋହ) ଗୁରୁତର ମାମଲା ହୋଇଛି । ଦିଲ୍ଲୀ ପୁଲିସ ପକ୍ଷରୁ ହୋଇଥିବା ମାମଲା ରଦ୍ଦ କରାଯାଉ ବୋଲି ଶଶି ଥରୁର, ରାଜଦୀପ ଓ ଅନ୍ୟମାନେ ସୁପ୍ରିମ କୋଟକୁ ଯାଇଛନ୍ତି । ସରକାରଙ୍କ ଯୁକ୍ତି ଯାହା ହୋଇଥାଉନା କାହିଁକି ‘ଟ୍ୱିଟର୍’ କତ୍ତୃପକ୍ଷ ତାହା ପୂର୍ଣ୍ଣତଃ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବାରୁ ଶାସକ ଦଳକୁ କ୍ଷୁବ୍ଧ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS