ମୁହଁରେ ତୁଣ୍ଡି ବାନ୍ଧି ଦେଲେ କି ଅପରାଜିତା ?
ପ୍ରସାଦ ରାଓ
ଭୁବନେଶ୍ୱର
୧୬ ଫେବୃୟାରୀ
କିଛି ଦିନ ତଳେ ଗଣମାଧ୍ୟମରେ ବଡ଼ ଖବର ଥିଲା – ‘ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ’ । ରାସ୍ତାଘାଟରେ, ବିଶେଷକରି ପୁରୁଣା ଭୁବନେଶ୍ୱର ଅଂଚଳରେ ଏଭଳି କିଛି ପୋଷ୍ଟର ଲାଗି ଥିଲା, ଯାହାକୁ ଭିତ୍ତି କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଏଭଳି ଖବର । କିଏ ପୋଷ୍ଟର୍ ମାରିଥିଲେ ଭିନ୍ନ କଥା । ତେବେ, ଏଭଳି ପୋଷ୍ଟର୍ ଲାଗିବାର କାରଣ ଥିଲା, ଜାତୀୟ କୀର୍ତ୍ତିରାଜି ପ୍ରାଧୀକରଣ (ଏନଏମଏ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଏକାମ୍ର କ୍ଷେତ୍ରରେ ଥିବା ଶ୍ରୀଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ କୀର୍ତ୍ତିରାଜି ପାଇଁ ଜାରି କରିଥିବା ବାଇ-ଲ’ ବା ଉପନିୟମ, ଯେଉଁଥିରେ କି ଏହି ସବୁ କୀର୍ତ୍ତିରାଜିର ୧୦୦ ମିଟର ପରିଧି ଅଂଚଳକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇ ସେହି ଅଂଚଳରେ ଏନଏମଏର ବିନା ଅନୁମତିରେ ସରକାରୀ ବା ଘରୋଇ ଭାବେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଥିବା ପ୍ରସ୍ତାବ । ଏହା ଏକ ଚିଠା ପ୍ରସ୍ତାବ ହୋଇଥିଲେ ସୁଦ୍ଧା ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ପୁରୀ ଗସ୍ତରେ ଯାଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ମନ୍ଦିରରେ ସାମନାରୁ ଏନଏମଏର ଉପନିୟମକୁ ଦୃଢ ବିରୋଧ କରିଥିଲେ ଏବଂ ତାହା ପ୍ରତ୍ୟାହାର କରାଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏହା ରାଜ୍ୟ ବିରୋଧରେ କେନ୍ଦ୍ର ସରକାରଙ୍କ ଏକ ଷଡଯନ୍ତ୍ର ବୋଲି ମଧ୍ୟ ଶାସକ ଦଳ ଅଭିଯୋଗ କରିବାକୁ ପଛାଇ ନଥିଲେ ।
ପୁରୀରେ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ଆଡୁ ପ୍ରତିବାଦ ତୀବ୍ର ହେବାରୁ ଏନଏମଏ ଦ୍ୱାରା ଜାରି ହୋଇଥିବା ଉପନିୟମ ପ୍ରତ୍ୟାହାର କରି ନିଆଗଲା ବୋଲି କୁହାଗଲା । ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ ହସ୍ତକ୍ଷେପରୁ ଏତେବଡ଼ ସଫଳତା ମିଳିଲା ବୋଲି ଦଳ ପକ୍ଷରୁ ପ୍ରଚାର ହେଲା । ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସର ଏନଏମଏ ଉପନିୟମରୁ ମୁକ୍ତ ହୋଇଥିବା ଖବର କିଛି ମୂହୂର୍ତ୍ତ ପାଇଁ ରାଜ୍ୟବାସୀଙ୍କୁ ସନ୍ତୋଷ ଦେଇଥିଲା ସିନା ଏକାର୍ମ କ୍ଷେତ୍ର ପାଇଁ ତାହା ଅଦ୍ୟାବଧି ଲାଗୁ ଥିବା ଜଣାପଡିବା ପରେ ପାଣି ଫୋଟକା ଭଳି ଉଭାଇ ଯାଇଥିଲା । କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ଏକ ଜୀବନ୍ତ କୀର୍ତ୍ତି । ତେଣୁ, ଏନଏମଏର ପ୍ରସ୍ତାବିତ ଉପନିୟମରୁ ଶ୍ରୀମନ୍ଦିରକୁ ବାଦ୍ ଦିଆଗଲା । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଯୁକ୍ତି ଏକାମ୍ର କ୍ଷେତ୍ରକୁ ଗୌଣ କରିଦେଇଥିବା ଦେଖି ଏକାମ୍ର କ୍ଷେତ୍ରରେ ତାତି ବଢିଛି । ଏକାମ୍ର କ୍ଷେତ୍ରର ସେବାୟତମାନଙ୍କ ଯୁକ୍ତି ହେଉଛି, ପୁରୀ ଶ୍ରୀମନ୍ଦିର ଭଳି ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ମଧ୍ୟ ବିଭିନ୍ନ ଯାନିଯାତ୍ରା ହୋଇଥାଏ । ଏହି କ୍ଷେତ୍ର ମଧ୍ୟ ଏକ ଜୀବନ୍ତ କୀର୍ତ୍ତି । ତେଣୁ, ଏହି କ୍ଷେତ୍ରକୁ ମଧ୍ୟ ଶ୍ରୀକ୍ଷେତ୍ର ଭଳି ଏନଏମଏର ପ୍ରସ୍ତାବିତ ଉପନିୟମରୁ ବାଦ୍ ଦିଆଯାଉ ବୋଲି ଏକାମ୍ର କ୍ଷେତ୍ରର ସେବାୟତ ଓ ଜନସାଧାରଣ ଅଡି ବସିଛନ୍ତି ।
ଶାସକ ବିଜେଡ଼ିର ତୁଂଗ ନେତାମାନେ ଏକାମ୍ର କ୍ଷେତ୍ରର ନେତୃତ୍ୱ ନେବା ଫଳରେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ରାଜଧାନୀର ଅନ୍ୟ ଶୈବ ପୀଠରେ ଭକ୍ତ ଲକ୍ଷାଧିକ ଦୀପ ଜାଳି ପ୍ରତିବାଦକୁ ଯୋରଦାର କଲେ । ଏକାମ୍ର କ୍ଷେତ୍ର ପ୍ରତି କେନ୍ଦ୍ର ସରକାର ଏଭଳି ବୈମାତୃକ ଭାବ ପ୍ରଦର୍ଶନ କରୁଥିବା ବେଳେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଉଭାନ ହୋଇଯାଇଥିବା ଏବଂ କୌଣସି ବିବୃତି ମଧ୍ୟ ରଖୁ ନଥିବା ଶାସକ ବିଜେଡ଼ି ପାଇଁ ବଡ଼ ପ୍ରସଙ୍ଗ ହୋଇଥିଲା । ଏକାମ୍ର କ୍ଷେତ୍ରର କାନ୍ଥବାଡ଼ରେ ସାଂସଦଙ୍କ ଫଟୋ ସହ ‘ଅପରାଜିତା ନିଖୋଜ’ ପୋଷ୍ଟର୍ ଲାଗି ଥିଲା । ସେହି ସମୟରେ ସଂସଦର ବଜେଟ୍ ଅଧିବେଶନ ଚାଲି ଥିବାରୁ ସାଂସଦ ଦିଲ୍ଲୀରେ ଥିଲେ । ନିଖୋଜ ପୋଷ୍ଟର୍ ସଂପର୍କରେ ଖବର ପାଇବା ପରେ ସାଂସଦଙ୍କ ପ୍ରତିକ୍ରିୟା ଥିଲା, ବଜେଟ୍ ଅଧିବେଶନ ଚାଲି ଥିବାରୁ ସେ ଦିଲ୍ଲୀରେ ଅଛନ୍ତି । ଏକାମ୍ର କ୍ଷେତ୍ର ପ୍ରତି ଅନ୍ୟାୟ ହୋଇତିବା ସଂପର୍କରେ ଯାହା କୁହାଯାଉଛି ତାହା ଉପରେ ଦିଲ୍ଲୀରେ ସଂପୃକ୍ତ ପକ୍ଷଙ୍କ ସହ ଆଲୋଚନା କରି ଫେବୃୟାରୀ ୧୫ରେ ଭୁବନେଶ୍ୱର ଫେରିବା ପରେ ନିଜ ପକ୍ଷ ରଖିବେ । ସାଂସଦ ଶ୍ରୀମତୀ ଷଡଙ୍ଗୀ ୧୫ତାରିଖ ଭୁବନେଶ୍ୱର ଫେରିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଯାହା କହିଛନ୍ତି ତାହା ରାଜ୍ୟ ସରକାରଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଲା ଭଳି ହୋଇଛି । ପାରଦର୍ଶୀତା କଥା କହୁଥିବା ସରକାର କିଭଳି ଅଜ୍ଞତାର ପରିଚୟ ଦେଇଛନ୍ତି ତାହାର ବିଷ୍ଫୋରକ ତଥ୍ୟ ଉପସ୍ଥାପନ କରି ସରକାରଙ୍କୁ ସମାଲୋଚନା କରିଛନ୍ତି ଅପରାଜିତା ।
ଅପରାଜିତା ପ୍ରଶ୍ନ କରିଛନ୍ତି, ଏନଏମଏର ପ୍ରସ୍ତାବିତ ଉପନିୟମ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦେଶକଙ୍କ ହାତ ଦେଇ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନଏମଏ)କୁ ଯାଇଛି । ସେଥିରେ କଣ ସବୁ ପ୍ରସ୍ତାବ ରହିଛି ତାହା ରାଜ୍ୟ ସରକାର କେମିତି ଜାଣି ପାରିଲେ ନାହିଁ ? ଏନଏମଏ ଅଧିନରେ ଦେଶର ୩୬୯୩ଟି କୀର୍ତ୍ତିରାଜି ରହିଛି । ସେଥିରୁ ୮୦ଟି ହେଉଛି ଓଡ଼ିଶାର । ଏହି ସମସ୍ତ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଆଇନ ବ୍ୟବସ୍ଥା ରହିଛି । ସେହି ଆଇନ ଅନୁସାରେ ଜୀବନ୍ତ କୀର୍ତ୍ତିରାଜିର ୧୦୦ ମିଟର ପରିଧି ଅଂଚଳ ନିଷିଦ୍ଧାଂଚଳ ହୋଇ ଥିବାରୁ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ନାହିଁ । ୧୦୦ରୁ ୨୦୦ ମିଟର ପରିଧି ଅଂଚଳ ଭିତରେ ଯାହା କିଛି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ଏନଏମଏର ଆଗୁଆ ଅନୁମତି ନେବାକୁ ପଡିବ । ଏହି ଆଇନଗତ ବ୍ୟବସ୍ଥା ସମ୍ବିଧାନ ସମ୍ମତ ଏବଂ ତାହାକୁ କେହି ପରିବର୍ତନ କରି ପାରିବ ନାହିଁ । ଅଧିନିୟମ ମାଧ୍ୟମରେ କେବଳ ସଂଶୋଧନ କରାଯାଇ ପାରିବ । ଏନଏମଏ ଦ୍ୱାରା ଜାରି ଚିଠା ଉପ ନିୟମ ଉପରେ ରାଜ୍ୟ ସରକାର ନିଜ ମତାମତ ରଖି ପାରିବେ ବା ଯଦି କିଛି ପ୍ରତିବାଦ କରିବାର ଅଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଜଣାଇ ପାରିବେ । ଏଥିସକାଶେ ୩୦ ଦିନ ସମୟ ଦିଆଯାଇଛି । ରାଜ୍ୟ ସରକାର କେନ୍ଦ୍ରକୁ କୌଣସି ମତାମତ ବା ପ୍ରତିବାଦ ପଠାଇ ନାହାନ୍ତି, ଉପ ନିୟମ ପ୍ରତ୍ୟାହାର ପାଇଁ ଦାବି ଉପସ୍ଥାପନ କରୁଛନ୍ତି, ଯାହାକି ହାସ୍ୟାସ୍ପଦ କଥା । ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ୧୫ ତାରିଖ ଦିନ କେନ୍ଦ୍ର ସରକାରଙ୍କୁ ପଠାଇ ଥିବା ଚିଠିକୁ ସେ ସମାଲୋଚନା କରି କହିଛନ୍ତି, ଏନଏମଏ ଉପ ନିୟମ ଚିଠା ପ୍ରସ୍ତାବ ସ୍ତରରେ ରହିଛି । ତାହା ପ୍ରତ୍ୟାହାର ହେବା, ନହେବାର କିଛି ଅର୍ଥ ନାହିଁ । ଆଇନ ସମସ୍ତଙ୍କ ମାନିବାକୁ ପଡିବ ।
ଶ୍ରୀମନ୍ଦିର ସୌନ୍ଧ୍ୟର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ମନ୍ଦିରର ୭୫ ମିଟର ଅଂଚଳକୁ ନିଷିଦ୍ଧାଂଚଳ ଘୋଷଣା କଲେ ଏବଂ ଆବଶ୍ୟକ ଉଚ୍ଛେଦ କାର୍ଯ୍ୟ କଲେ । କିନ୍ତୁ, ଏନଏମଏରେ ଅନୁମତି ନେଇ ନାହାନ୍ତି । ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଧ୍ୟର୍ଯ୍ୟକରଣ କ୍ଷେତ୍ରରେ ମଧ୍ୟ ସରକାର କାହାରି ଅନୁମତି ନେବାର ଆବଶ୍ୟକତା ଅନୁଭବ କରି ନାହାନ୍ତି । ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟ ପାଇଁ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮ରୁ ୨୦୧୯ ମଧ୍ୟରେ ୯ଟି ଚିଠି ଲେଖା ଯାଇଛି । ଦୁଇଟି କୈଫିୟତ ମଧ୍ୟ ମଗା ଯାଇଛି । ଏପର୍ଯ୍ୟନ୍ତ ସରକାର ସେସବୁର ଉତ୍ତର ରଖି ନାହାନ୍ତି । ଏପରିକି, ପୁରୀ ଓ ଲିଙ୍ଗରାଜ ମନ୍ଦିର ସୌନ୍ଧ୍ୟର୍ଯ୍ୟକରଣ କାର୍ଯ୍ୟର ଡ଼ିପିଆର (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ମଧ୍ୟ ଏଏସଆଇକୁ ଦେଇ ନାହାନ୍ତି । ୨୦୧୯ ଡ଼ିସେମ୍ବର ୨୨ ତାରିଖରେ ଏଏସଆଇ ମହାନିଦେ୍ର୍ଦଶକ ଓଡ଼ିଶା ଆସି ଥିଲେ । ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସେତେବେଳେ ମଧ୍ୟ ସରକାର ପୁରୀ ଓ ଏକାମ୍ର କ୍ଷେତ୍ରର ସୌନ୍ଧ୍ୟର୍ଯ୍ୟକରଣ କାର୍ଯ୍ୟ ସଂପର୍କରେ ଡ଼ିପିଆର ଉପସ୍ଥାପନ କରି ନଥିଲେ । ଏହାର କାରଣ କଣ (?) ବୋଲି ସାଂସଦ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୌନ୍ଧ୍ୟର୍ଯ୍ୟକରଣ କାର୍ଯ୍ୟ ବେଙ୍ଗୁଲୁରର ଭୂମିପୁତ୍ର ଆର୍କିଟେକ୍ଚରାଲ୍ ଫାର୍ମ ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିର ସୌନ୍ଧ୍ୟର୍ଯ୍ୟକରଣ କାର୍ଯ୍ୟ ନୋଏଡାର ଆର୍କ ହୋମ୍ ଆର୍କିଟେକ୍ଚରାଲ୍ ଫାର୍ମ ହାତରେ ସମର୍ପି ଥିବା ଦର୍ଶାଇ ଦୁଇଟି ଯାକ ସଂସ୍ଥାର କୌଣସି ପୂର୍ବ ଅଭିଜ୍ଞତା ନାହିଁ ବୋଲି ଅପରାଜିତା ଅଭିଯୋଗ କରିଛନ୍ତି । ସରକାର ୮୦୦ କୋଟି ଟଙ୍କାର କାମ ଏମିତି କେମିତି ଦେଇ ଦେଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଏନଏମଏ ଚିଠା ଉପ ନିୟମ ପ୍ରତ୍ୟାହାର ଦାବିରେ ରାଜ୍ୟ ସରକାର କିଛି ଦିନ ହେଲା ଯେଉଁ ତୁମ୍ବିତୋଫାନ ଚଳାଇଛନ୍ତି ତାହା ଅପରାଜିତାଙ୍କ ଉତ୍ତର ପରେ ଥଣ୍ଡା ପଡୁଛି ନା ଆଗକୁ ବଢୁଛି- ସମୟ କହିବ । ସରକାରଙ୍କ ଦାବିକୁ ନେଇ ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ (ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ)ଙ୍କ ପ୍ରତିକ୍ରି୍ରୟା ପ୍ରତିରକ୍ଷାତ୍ମକ ରହିଛି । ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚିଠା ଉପ ନିୟମକୁ ଠିକ୍ ଭାବରେ ବୋଧହୁଏ ପଢି ନାହାନ୍ତି । ଭଲ ଭାବରେ ପଢି ମୁଖ୍ୟମନ୍ତ୍ରୀଙ୍କୁ ବୁଝାନ୍ତୁ ବୋଲି ର୍ଧେମନ୍ଦ୍ର ଫେବୃୟାରୀ ୧୨ ତାରିଖରେ ଟ୍ୱିଟ୍ କରିଥିବା ବେଳେ ୧୪ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଭୁବନେଶ୍ୱରରେ କହିଥିଲେ, ଏନଏମଏର ସଂପୃକ୍ତ ଚିଠା ଉପ ନିୟମ ପ୍ରତ୍ୟାହାର ପାଇଁ ଆଦେଶ ଦିଆ ସରିଛି । ପରୀ ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରରେ ମଧ୍ୟ ଉପ ନିୟମ ପ୍ରତ୍ୟାହାର ହୋଇଯିବ । କିନ୍ତୁ, ଅପରାଜିତାଙ୍କ ଆକ୍ରମଣାତ୍ମକ ସାମ୍ବାଦିକ ସମ୍ମିଳନୀ ବିଜେପିର ରଣନୀତିକୁ ସ୍ପଷ୍ଟ କରିଛି । ଯେତେହେଲେ ବି ସେ ଜଣେ ସ୍ୱଇଚ୍ଛାରେ ଅବସର ନେଇତିବା ଆଇଏଏସ୍ । ରାଜନେତାଙ୍କ ଭଳି ଏତେଶୀଘ୍ର ନଇଁ ଯିବା ଲୋକ ନୁହନ୍ତି । ଦିଲ୍ଲୀରୁ ସମସ୍ତ ତଥ୍ୟ ସାଂଗରେ ଧରି ଆସିଥିଲେ । ଜୋକ ମୁହଁରେ ଲୁଣ ଦେଲା ଭଳି ଓଗାଳି ଦେଲେ । ରାଜ୍ୟ ସରକାର କି ଜବାବ ରଖିବେ ଜାଣିବା ପାଇଁ ସମସ୍ତେ ବ୍ୟଗ୍ର ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS