ଏକୋଇସୀର ଡ଼ାଏରୀ (୧): ଏକାମ୍ର ରାଜନୀତିରେ ଶିଂଗ ଲଢିବାକୁ ବିଜେଡ଼ି ବାଛିଲା ମଂଗରାଜଙ୍କୁ !
ପ୍ରସାଦ ରାଓ
ଭୁବନେଶ୍ୱର
୧୭ ଫେବୃୟାରୀ
କେନ୍ଦ୍ର ସରକାରଙ୍କ ଜାତୀୟ କୀର୍ତ୍ତିରାଜି ପ୍ରାଧିକାରଣ (ଏନଏମଏ) ଚିଠା ବାଇ ଲ’ ପ୍ରତ୍ୟାହାର ଦାବିକୁ ନେଇ ରାଜ୍ୟରେ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ବିବାଦ ଚରମ ସ୍ତରରେ ପହଂଚିଛି । ଏନଏମଏ ଜାରି କରିଥିବା ଚିଠା ବାଇ ଲ’କାର୍ଯ୍ୟକାରିତାରୁ ପୁରୀ ଶ୍ରୀକ୍ଷେତ୍ରକୁ ବାଦ୍ ଦିଆଗଲା ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କହୁଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ ତାହା ବଳବତ୍ତର ଥିବାରୁ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ଥମିବା ନାମ ନେଉ ନାହିଁ । ବିବାଦ କେବଳ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ବିଜେପି ଓ ବିଜେଡ଼ି ମଧ୍ୟରେ ସୀମିତ ରହି ନାହିଁ, ରାଜ୍ୟ ବିଜେପିରେ ଥିବା ତୀବ୍ର ଗୋଷ୍ଠୀ ବିବାଦକୁ ମଧ୍ୟ ଲୋକଲୋଚନକୁ ଆଣିଛି । ବାଇ ଲ’ ପ୍ରତ୍ୟାହାର ଦାବିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର ରାଜନେତା ଭଳି ମନ୍ତବ୍ୟ ଦେଇ ବିବାଦ ଠାରୁ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ନିଜର ଭାବପ୍ରବଣତା ଦେଖାଇ ଓଡ଼ିଶାବାସୀଙ୍କ ଭାବାବେଗକୁ ସେ ହିଁ ବୁଝି ପାରୁଥିବା ସଂକେତ ଦେଇଛନ୍ତି । ଅପରପକ୍ଷରେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଚାଣକ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦରେ ବିଜେପିରେ ଯୋଗ ଦେଇଥିବା ଏବଂ ସେହି ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିବା ଅପରାଜିତା ଷଡଙ୍ଗୀ ନିଜର ସେହି ପୁରୁଣା ‘ରୋବ୍’କୁ ଛାଡି ପରି ନାହାନ୍ତି । ଫଳରେ, ରାଜ୍ୟ ବିଜେପିରେ ଅନ୍ତଦ୍ଦ୍ୱର୍ନ୍ଦ୍ୱ ବଢିଛି ଏବଂ ନିଜକୁ ସର୍ବଭାରତୀୟସ୍ତର ବିଜେପି ନେତା ଭାବେ ଦାବି କରୁଥିବା ଏହି ତିନି ନେତାଙ୍କ ମଧ୍ୟରେ ସଂପର୍କରେ କେତେଦୂର ତୀକ୍ତ, ତାହା ଏକାମ୍ର କ୍ଷେତ୍ର ପାଇଁ ଏନଏମଏର ଚିଠା ବାଇ ଲ’ ପ୍ରତ୍ୟାହାର ଦାବି ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତରୁ ଅଧିକ ଉଜାଗର ହୋଇଛି ।
ବୋଧହୁଏ ରାଜ୍ୟ ବିଜେଡ଼ି ନେତୃତ୍ୱ ସାଂସଦ ଅପରାଜିତାଙ୍କ ଏହି ଦୁର୍ବଳ ସ୍ଥିତିର ସୁଯୋଗ ନେଇ ଏକାମ୍ର କ୍ଷେତ୍ର ଏନଏମଏ ବାଇ ଲ’ ପ୍ରତ୍ୟାହାର ପ୍ରସଙ୍ଗରେ ଦଳର ଜଣେ କନିଷ୍ଠ ନେତାଙ୍କୁ ଅପରାଜିତାଙ୍କ ସହ ସହ ଶିଂଗ ଲଢେଇ କରିବା ଦାୟିତ୍ୱ ସମର୍ପିଛନ୍ତି । ଏହି କନିଷ୍ଠ ନେତା ଜଣକ ହେଉଛନ୍ତି, ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଂଗରାଜ । ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର କ୍ଷେତ୍ରରେ ଏନଏମଏର ଚିଠା ଉପ ନିୟମ ଲାଗୁ ହେବ ନାହିଁ, କିନ୍ତୁ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ସମେତ ଅନ୍ୟ କୀର୍ତ୍ତିରାଜି ପାଇଁ ଚିଠା ଉପ ନିୟମ ହଟିବାର ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଡି ରହି ଥିବା ବେଳେ ଏହି ଚିଠା ଉପ ନିୟମକୁ କିଏ ପ୍ରସ୍ତୁତ କରିଛି, ସେ ନେଇ ବିବାଦ ଆଜିର ରାଜନୀତିର ମୁଖ୍ୟ ବିନ୍ଦୁ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ‘ନିଖୋଜ’ରୁ ମୁକୁଳିବା ପରେ ଗଲା ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ ଉଦ୍ୟମ କରିଥିଲେ । ଏନଏମଏ ଦ୍ୱାରା ଜାରି ଚିଠା ଉପ ନିୟମ ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନିର୍ଦେଶକଙ୍କ ମାଧ୍ୟମ ଦେଇ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟକୁ ଯାଇଥିବା ବେଳେ ରାଜ୍ୟ ସରକାର ଚିଠା ଉପ ନିୟମରେ କଣ ସବୁ ପ୍ରସ୍ତାବ ରହିଛି ତାହା କେମିତି ଜାଣି ପାରିଲେ ନାହିଁ ବୋଲି ସାଂସଦ ଶ୍ରୀମତୀ ଷଡଙ୍ଗୀ ଦୁଇ ଦିନ ହେଲା ପ୍ରଶ୍ନ କରୁଥିଲେ । ଏହି ଦୁଇ କୀର୍ତ୍ତିରାଜିର କାର୍ଯ୍ୟ ନୋଏଡା ଓ ବେଙ୍ଗୁଲୁରୁରେ ଅବସ୍ଥାପିତ ଦୁଇଟି ଆର୍କିଟେକ୍ଚରାଲ ଫାର୍ମକୁ ଦିଆଯାଇଥିବା ଏବଂ ସେମାନଙ୍କ ଆବଶ୍ୟକ ଅଭିଜ୍ଞତା ନ ଥିବା ମଧ୍ୟ ଅପରାଜିତା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣି ଥିଲେ । ଏହି ଦୁଇ ପ୍ରକଳ୍ପରେ ୮୦୦ କୋଟି ଟଙ୍କା ବ୍ୟୟ ଅଟକଳ ଥିବା ବେଳେ ସରକାର ଏଏସଆଇ ମହାନିର୍ଦେଶକଙ୍କୁ ଡ଼ିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ଲୁଚାଇବାର କାରଣ କଣ (?) ବୋଲି ମଧ୍ୟ ଅପରାଜିତା ପ୍ରଶ୍ନ କରିଥିଲେ ।
ରାଜ୍ୟ ସରକାରଙ୍କ ଅନଭିଜ୍ଞତାକୁ ଅପରାଜିତା ଚୋଟ ମାରିବାରୁ ରାଜ୍ୟ ବିଜେଡ଼ି ନେତୃତ୍ୱ ଦଳରେ ବହୁ ତୁଂଗ ନେତା ଓ ପ୍ରବକ୍ତା ଥାଉ ଥାଉ ଜଣେ କନିଷ୍ଠ ନେତାଙ୍କୁ ଅପରାଜିତାଙ୍କ ଆଡକୁ ମୁହାଁଇ ତାଙ୍କ ଦକ୍ଷତା, ଅଭିଜ୍ଞତା ଏବଂ ଓଡ଼ିଶାର ସଂସ୍କୃତି ପ୍ରତି ଆବେଗଶୂନ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ନିଶଚିତ ଭାବେ ଏକ ପରିପକ୍ୱ ରଣକୌଶଳ । ମଂଗରାଜ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଆଜି ସାଂସଦ ଅପରାଜିତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ବିଜ୍ଞପିତ ‘ଆନ୍ସିଏଂଟ ମନୁମେଂଟସ୍ ଏଣ୍ଡ ଆର୍କୋଲୋଜିକାଲ୍ ସାଇଟ୍ସ ଏଣ୍ଡ ରିମେନ୍ସ ଆକ୍ଟ, ୧୯୫୮’ (ଆମସାର୍ ଆକ୍ଟ)ର ଧାରା-୨୦ ‘ଇ’କୁ ଭଲ ଭାବେ ପଢିବାକୁ ଜ୍ଞାନ ଦେଇଛନ୍ତି । ସେ ନିଜେ ଆଇଏସ୍ ନହେଲେ ସୁଦ୍ଧା ୫ ମିନିଟରେ ‘ଆମସାର୍’ ଆକ୍ଟ୍କୁ ବୁଝି ଯାଇଥିବା ଦର୍ଶାଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦେଶକ ନୁହଁନ୍ତି, ଆଇନ ଅନୁଯାୟୀ ଐତିହ୍ୟ ବାଇ ଲ’ ଚିଠା ପ୍ରସ୍ତୁତି କ୍ଷମତା ରହିଛିି କଲିକତାରେ ଅବସ୍ଥାପିତ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଂଡ଼ିଆ (ଏଏସଆଇ) ଆଂଚଳିକ ନିର୍ଦେଶକଙ୍କ କ୍ଷମତା ପରିସରଭୁକ୍ତ ବୋଲି ସୂଚାଇଛନ୍ତି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦେଶକଙ୍କ ମୁଣ୍ଡରେ ଅଠା ନ ବୋଳି ଅପରାଜିତା ସଂପୃକ୍ତ ଆଇନକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ମଂଗରାଜ ପରାମର୍ଶ ଦେବା ସହ ଅପରାଜିତା ନିଜେ ନିଜର ଅଜ୍ଞାନତାର ପରିଚୟ ଦେଇଥିବା ପାଲଟା ଅଭିଯୋଗ ରଖିଛନ୍ତି । ମଂଗରାଜଙ୍କ ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ପରୋକ୍ଷରେ ଅପରାଜିତାଙ୍କ ଅଣ-ଓଡ଼ିଆ ଭିତ୍ତିଭୂମି ପ୍ରତି ଆକ୍ଷେପ କରାଯାଇଛି । ଶ୍ରୀମତୀ ଷଡଙ୍ଗୀ ଯେହେତୁ ଓଡ଼ିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି, ତେଣୁ ଧାର୍ମିକ ଭାବନା ସହିତ ଜଡ଼ିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କ ମଧ୍ୟରେ ଯେଉଁ ସଂପର୍କ ରହିଛି ତାହା ବୁଝିବା ତାଙ୍କ ପାଇଁ କଷ୍ଟକର ହେଉଛି ବୋଲି ବିବୃତିରେ କୁହାଯାଇଛି । ଅପରପକ୍ଷରେ, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଭଲ ଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝି ପାରିଛନ୍ତି ବୋଲି କୁହାଯାଇ ବିଜେପି ରାଜ୍ୟ ଶାଖାରେ ଥିବା ବୁଝାମଣାର ଅଭାବକୁ ଉଜାଗର କରାଯାଇଛି ।
ଶ୍ରୀମତୀ ଷଡଙ୍ଗୀ ଠିକଣା ଭାବେ ‘ଆମସାର୍’ ଆଇନକୁ ପଢି ନାହାନ୍ତି ବା ଜାଣିଶୁଣି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ ଆକ୍ଷେପ କରାଯିବା ସହ ଆଇନକୁ ଠିକଣା ଭାବେ ପଢି ତାଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ମଂଗରାଜ ଆହ୍ୱାନ ଦେଇଛନ୍ତି । ଅପରାଜିତାଙ୍କ ଉତ୍ତର କଣ ହେବ, ତାହା ଶୀଘ୍ର ଜଣାପଡିବ । କିନ୍ତୁ, ବଂଗ ପରେ କଳିଙ୍ଗ ଦଖଲର ସ୍ୱପ୍ନ ଦେଖୁଥିବା ବିଜେପି କେନ୍ଦ୍ରୀୟ ନେତୃତ୍ୱ ଅପରାଜିତାଙ୍କ ଦୁବିଧା ଦୂର କରିବାରେ କେତେଦୂର ସକ୍ଷମ ହେବେ ଏବଂ ରାଜ୍ୟରେ ଥିବା ଦଳୀୟ ନେତୃବର୍ଗଙ୍କୁ କେମିତି ଶୃଂଖଳିତ କରିବେ, ତାହା ଦେଖିବାକୁ ଅଧିକ ସମୟ ଲାଗିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS