ମାନହାନୀ ମାମଲାରେ ଆକବର ହାରିଲେ, ପ୍ରିୟା ଜିତିଲେ – ‘ମି-ଠୁ’ ଅଭିଯାନ ହେଲା ଶକ୍ତିଶାଳୀ
ପ୍ରସାଦ ରାଓ
୧୮ ଫେବୃୟାରୀ
ନୂଆଦିଲ୍ଲୀର ଜଣେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଫେବୃୟାରୀ ୧୭ ତାରିଖ ଦିନ ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାକୁ ଖାରଜ କରି ଯେଉଁ ରାୟ ଦେଇଛନ୍ତି ତାହା ଦେଶରେ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ମହିଳାଙ୍କ ‘ମି-ଠୁ’ ଅଭିଯାନକୁ ଅଧିକ ଶକ୍ତିଶାଳୀ କରିବା ଆଶା କରାଯାଉଛି । ପ୍ରିୟା ରମାନୀଙ୍କ ଲଢେଇ ଥିଲା ଦେଶର ଖ୍ୟାତିସଂପନ୍ନ ଖବରକାଗଜ ସଂପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ.ଜେ. ଆକବରଙ୍କ ସହ । ପାଶ୍ଚାତ୍ୟ ରାଷ୍ଟ୍ରରେ ଯେତେବେଳେ ଯୌନ ନିର୍ଯ୍ୟାତନା ବିରୋଧରେ ମହିଳାମାନଙ୍କ ଆଡୁ ‘ମି-ଠୁ’ (ମୁଁ ମଧ୍ୟ’) ଆନ୍ଦୋଳନ ଆରମ୍ଭ ହେଲା ଭାରତରେ ବିଳମ୍ବରେ ହେଲେ ସୁଦ୍ଧା ତାହାର ପଦଧ୍ୱନୀ ଶୁଣିବାକୁ ମିଳିଥିଲା । ଅନେକ ଭାରତୀୟ ମହିଳା ଏହି ଅଭିଯାନରେ ସାମିଲ ହୋଇ ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନର ଅଭିଯୋଗ ସାମନାକୁ ଆଣିଥିଲେ । ସାମ୍ବାଦିକ ପ୍ରିୟା ରମାନୀ ଥିଲେ ସେଥିରୁ ଅନ୍ୟତମ । ୨୦ ବର୍ଷ ତଳେ ବରିଷ୍ଠ ସାମ୍ବାଦିକ ତଥା ଇଂରାଜୀ ଦୈନିକ ‘ଏସିଆନ୍ ଏଜ୍’ର ତତ୍କାଳୀନ ମୁଖ୍ୟ ସଂପାଦକ ଏମ.ଜେ.ଆକବର ଏକ ନିଯୁକ୍ତି ସାକ୍ଷାତକାର ନାମରେ ତାଙ୍କୁ ନିଜ ହୋଟେଲ୍ ରୁମ୍ କୁ ଡକାଇ ଯୌନ ନିର୍ଯ୍ୟାତନା ଦେଇଥିଲେ ବୋଲି ସାମ୍ବାଦିକା ପ୍ରିୟା ରମାନୀ ୨୦୧୮ରେ ଏକ ଲେଖା ଓ ଟ୍ୱିଟ୍ ମାଧ୍ୟମରେ ଅଭିଯୋଗ କରିବା ପରେ ଏହି ସୁଖ୍ୟାତ ସଂପାଦକ ଜଣକ ହଡବଡାଇ ଯାଇଥିଲେ । ତୁରନ୍ତ ସେ ଅଭିଯୋଗକୁ ଅସ୍ୱୀକାର କରିବା ସହ ପ୍ରିୟାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଥିଲେ । ସେହି ସମୟରେ (୨୦୧୮ ଅକ୍ଟୋବର ୧୫ ତାରିଖରେ) ଏମ.ଜେ.ଆକବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଦଫା ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଅକ୍ଟୋବର ୧୫ରେ ସେ ପ୍ରିୟାଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତରେ ମାନହାନୀ ମାମଲା ଦାଏର କରିଥିଲେ ମଧ୍ୟ ଦେଶବ୍ୟାପୀ ଚାପର ସମ୍ମୁଖୀନ ହୋଇ ନ ପାରି ୨୦୧୮ ଅକ୍ଟୋବର ୧୭ ତାରିଖ ଦିନ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ପ୍ରିୟା ରମାନୀ ଖ୍ୟାତିସଂପନ୍ନ, ଶକ୍ତିଶାଳୀ ଓ କ୍ଷମତାଶାଳୀ ସଂପାଦକ ଆକବରଙ୍କ ବିରୋଧରେ ମୁହଁ ଖୋଲିବା ପରେ ଅନ୍ୟୁନ ୨୦ ଜଣ ମହିଳା ସେମାନଙ୍କ ଯୌନ ନିର୍ଯ୍ୟାତନାର କାହାଣୀ ସହ ଆକବରଙ୍କୁ କାଠଗଡାକୁ ଟାଣି ଥିଲେ । ୨୦୧୮ ଅକ୍ଟୋବର ୧୫ରେ ଦିଲ୍ଲୀ କୋର୍ଟରେ ଦାଏର ହୋଇଥିବା ଆକବରଙ୍କ ମାନହାନୀ ମାମଲା ଦୁଇ ବର୍ଷରୁ ଅଧିକ ସମୟ ହେଲା ବିଚାରାଧୀନ ଥିଲା । ୨୦୨୧ ଫେବୃୟାରୀ ୧୭ ତାରିଖରେ ଦିଲ୍ଲୀ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ରବିନ୍ଦ୍ର କୁମାର ପାଣ୍ଡେ ଅଭିଯୁକ୍ତା ପ୍ରିୟା ରମାନୀଙ୍କ ବିରୋଧରେ ଚାଲି ଥିବା ମାନହାନୀ ମକଦ୍ଦମାକୁ ଖାରଜ କରିଛନ୍ତି । ବ୍ୟକ୍ତି ଯେତେ ଶକ୍ତିଶାଳୀ, କ୍ଷମତାଶାଳୀ ଏବଂ ଖ୍ୟାତିଯୁକ୍ତ ହୋଇ ଥାଉନା କାହିଁକି ମହିଳାଙ୍କ ଆତ୍ମସମ୍ମାନ ଓ ମର୍ଯ୍ୟାଦା ଅଧିକାର ନିକଟରେ ଖ୍ୟାତି ମହତ୍ୱ ରଖେ ନାହିଁ ବୋଲି ବିଚାରପତି ମନ୍ତବ୍ୟ ଦେଇଛନ୍ତି । ଆକବର ୪୧ ପୃଷ୍ଠାବ୍ୟାପୀ ମାନହାନୀ ମକଦ୍ଦମାର ଦଲିଲ କୋର୍ଟରେ ଉପସ୍ଥାପନ କରି ଦର୍ଶାଇ ଥିଲେ ଯେ, ପ୍ରିୟାଙ୍କ ଅଭିଯୋଗରେ ସତ୍ୟତା ନଥିବା ବେଳେ ତାଙ୍କର ଗୋଟିଏ ଟ୍ୱିଟ୍ ଓ ଲେଖା ଆକବରଙ୍କ ୪୦ ବର୍ଷର କଷ୍ଟାର୍ଜିତ ମର୍ଯ୍ୟାଦାକୁ ମାଟିରେ ମିଶାଇ ଦେଇଛି ଏବଂ ଏଥିସକାଶେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି । ଅପରପକ୍ଷରେ, କୋର୍ଟରେ ପ୍ରିୟା ରମାନୀଙ୍କ ଉପସ୍ଥାପନା ଥିଲା, ବରିଷ୍ଠ ସଂପାଦକ ତଥା ରାଜନେତା ଏମ.ଜେ.ଆକବର ତାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରି ତାଙ୍କ (ପ୍ରିୟାଙ୍କ) ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟ ମହିଳାମାନେ, ଯେଉଁମାନେ କି ଆକବରଙ୍କ ବିରୋଧରେ ଏକା ପ୍ରକାର ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି, ସେମାନଙ୍କୁ ମଧ୍ୟ ଭୟଭିତ କରିବାକୁ ଚାହୁଁଛନ୍ତି । ଦିଲ୍ଲୀ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ପାଣ୍ଡେ ମାମଲାର ଶୁଣୀଣୀ କରିବା ପରେ ଗତକାଲି ପ୍ରିୟାଙ୍କ ସପକ୍ଷରେ ରାୟ ଦେଇ ତାଙ୍କୁ ମାନହାନୀ ଅଭିଯୋଗରୁ ମୁକ୍ତ କରିଛନ୍ତି । କୌଣସି ମହିଳା ଯୌନ ନିର୍ଯ୍ୟାତନା ବିରୋଧରେ ମୁହଁ ଖୋଲି ଥିବାରୁ ତାଙ୍କୁ ଦଣ୍ଡିତ କରି ହେବ ନାହିଁ । ତେବେ, ସେ ଏତେ ବର୍ଷ ବିଳମ୍ବରେ କାହିଁକି ଅଭିଯୋଗ କଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ, ଏମ.ଜେ.ଆକବରଙ୍କ ମାନହାନୀ ମାମଲା ଉପରେ କୋର୍ଟ କହିଛନ୍ତି, ମହିଳାଙ୍କ ଆତ୍ମମର୍ଯ୍ୟାଦାକୁ ବଳି ଦିଆଯାଇ କୌଣସି ବ୍ୟକ୍ତିଙ୍କ ଖ୍ୟାତିକୁ ସୁରକ୍ଷା ଦିଆଯାଇ ପାରିବ ନାହିଁ । ବ୍ୟକ୍ତି ଜଣକର ସାମାଜିକ ସ୍ଥିତି ଯେତେ ଉଚ୍ଚରେ ଥାଉ ପଛେ । ଭାରତୀୟ ସମ୍ବିଧାନରେ ଯେକୌଣସି ଫୋରମ୍ ରେ, ଯେ କୌଣସି ସମୟରେ ଜଣେ ମହିଳା ତାଙ୍କ ପ୍ରତି ହେଉଥିବା ଉତ୍ପୀଡନ ସଂପର୍କରେ ମୁହଁ ଖୋଲି ପାରିବେ, ସେଥିରେ ସମୟ ସୀମାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ । ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ ବନ୍ଦ କୋଠରୀରେ ହିଁ ହୋଇଥାଏ । ଅଧିକାଂଶ ମହିଳା ଚରିତ୍ରରେ ଆଂଚ ଆସିବା ଭୟ ଓ ଆଶଙ୍କାରେ ତୁରନ୍ତ ମୁହଁ ଖୋଲି ନଥା’ନ୍ତି ବୋଲି ବିଚାରପତି କହିଛନ୍ତି । ପ୍ରିୟା ରମାନୀଙ୍କ ବିରୋଧରେ ଏମ.ଜେ.ଆକବରଙ୍କ ମାନହାନୀ ମାମଲାର ପରିଣତି କଣ ହେବ ଦେଖିବା ସକାଶେ ଦେଶର ସମସ୍ତ ବର୍ଗ ଉତ୍ସୁକ ଥିଲେ । କାଲିର ରାୟ ‘ମୁଁ-ମଧ୍ୟ’ ଅଭିଯାନରେ ସାମିଲ ଥିବା ପ୍ରତ୍ୟେକ ମହିଳାଙ୍କୁ ଉତ୍ସାହିତ କରିଛି । ପ୍ରିୟାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟି ଥିବା ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ଆସିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS