ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ବୃଦ୍ଧ ଏକ ‘ଧର୍ମ ସଂକଟ’ ?
ପ୍ରସାଦ ରାଓ
୨୧ ଫେବୃୟାରୀ
ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ଜଳେଣୀ ଗ୍ୟାସର ଆକାଶଛୁଆ ଦରବୃଦ୍ଧି ସାଧାରଣ ମଣିଷକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଏହାକୁ ‘ଧର୍ମ ସଂକଟ’ କହି ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅର୍ଥମନ୍ତ୍ରୀ ସୀଥାରମଣ ଶନିବାର ଦିନ ‘ଚେନ୍ନାଇ ସିଟିଜନ୍ସ୍ ଫେରମ୍’ ପକ୍ଷରୁ ‘କ୍ରିଷ୍ଣା ଗଣ ସଭା’ ଗୃହରେ ଆୟୋଜିତ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନାରେ ଭାଗ ନେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମନା କରି ପେଟ୍ରୋଲ ଓ ଡ଼ିଜେଲର ଦରବୃଦ୍ଧିକୁ ଏକ ‘ଧର୍ମ ସଂକଟ’ ବୋଲି ମନ୍ତବ୍ୟ ଦେବା ସହ ଏକହି ସଂକଟ ଦୂର କରିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି ବସି ରାସ୍ତା ବାହାର କରିବା ଦରକାର ବୋଲି ମତ ଦେଇଥିଲେ । ସେ ଦେଶର ଅର୍ଥ ମନ୍ତ୍ରୀ ହୋଇଥିବା ସତ୍ତ୍ୱେ ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସ ଦର କମାଇ ଦେବେ ବୋଲି ପ୍ରତିଶ୍ରୁତି ଦେବାକୁ ସକ୍ଷମ ନୁହନ୍ତି । ଜାଳେଣୀର ଦର ବୃଦ୍ଧି ଏଭଳି ଏକ ଇସ୍ୟୁ ଦର କମାଇବା ବ୍ୟତୀତ ତାହାର କିଛି ଉତ୍ତର ନାହିଁ ବା ସାଧାରଣ ଲୋକଙ୍କୁ ବୁଝାଇବାର ଅନ୍ୟ କିଛି ବାଟ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ବାଟରେ ପେଟ୍ରୋଲ, ଡ଼ିଜେଲ ଉପରେ ଟିକସ ବୃଦ୍ଧି କରି ରାଜସ୍ୱ ବଢାଉ ଥିବାରୁ କାହାରିକୁ ‘ପବିତ୍ର’ କହି ହେବ ନାହିଁ । ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ନଭେମ୍ବରରୁ ବଢିଛି । ତାହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଟିକସ ବଢିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ବାଟରେ ନିଜ ନିଜ ରାଜସ୍ୱ ବଢାଇ ଥିବାରୁ ତୈଳ ଦରରେ ବୃଦ୍ଧି ଦେଖା ଦେଇଛି । ଆଗାମୀ ଦିନରେ ଅଶୋଧିତ ତୈଳ ଉତ୍ପାଦନ କମିବା ନେଇ ଓପିଇସି ରାଷ୍ଟ୍ରମାନେ ଆଶଙ୍କା ବ୍ୟକ୍ତ କରୁଥିବାରୁ ପରିସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ପେଟ୍ରୋଲ, ଡ଼ିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବା ସଂପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ସୀଥାରମଣ କହିଛନ୍ତି, ତାହା ଉପରେ ନିର୍ଣ୍ଣୟ ନେବା ଦାୟିତ୍ୱ ହେଉଛି ଜିଏସଟି ପରିଷଦର । ତୈଳ କଂପାନୀମାନେ ଓପିଇସି ରାଷ୍ଟ୍ରମାନଙ୍କରୁ ଯେଉଁ ଅଶୋଧିତ ତୈଳ ଆମଦାନୀ କରୁଛନ୍ତି ତାହାର କିଣା ମୂଲ୍ୟ, ବିଶୋଧନ ଖର୍ଚ୍ଚ, ବିତରଣ ଖର୍ଚ୍ଚ ଏବଂ ଲଜିଷ୍ଟିକ୍ସକୁ ନେଇ ଦର ନିର୍ଦ୍ଧାରଣ ହେଉଛି । କେତେବେଳେ ମୂଲ୍ୟ ବଢୁଛି ତ କେତେବେଳେ କମୁଛି । କେନ୍ଦ୍ର ଓ ରାଜ୍ୟ ସରକାରମାନେ ତାହା ଉପରେ ନିଜ ନିଜ ଟିକସ ଆଦାୟ କରିବା ଦ୍ୱାରା ଉପଭୋକ୍ତା ବଜାରରେ ପେଟୋଲ, ଡ଼ିଜେଲ ଓ ଜାଲେଣୀ ଗ୍ୟାସ୍ ଦୁର୍ମୁଲ୍ୟ ହେବାରେ ଲାଗିଛି । କେବଳ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହି ଦରବୃଦ୍ଧିକୁ ରୋକିବା ସକାଶେ ଏକାଠି ବସି ବାଟ ବାହାର କରିପାରିବେ ବୋଲି ସୀଥାରମଣ କହିଛନ୍ତି ।
ଲଗାତର ୧୨ ଦିନ ହେଲା ପେଟ୍ରୋଲ, ଡ଼ିଜେଲ ଦର ବଢୁଛି
ଲଗାତର ୧୨ ଦିନ ହେଲା ଦେଶରେ ପେଟ୍ରୋଲ, ଡ଼ିଜେଲର ଦର ବଢୁଛି । ଶନିବାର ଦିନ ହୋଇଥିବା ୧୨ତମ ବୃଦ୍ଧିରେ ମୁମ୍ବାଇରେ ପେଟ୍ରୋଲ ଲିଟର ୯୭ ଟଙ୍କାରେ ପହଂଚିଥିବା ବେଳେ ଡ଼ିଜେଲ ଲିଟର ୮୮ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ୯୨ ଟଙ୍କା ୫୯ ପଇସା ଓ ଡ଼ିଜେଲ ଲିଟର ୮୫ ଟଙ୍କା ୯୮ ପଇସା ରହିଛି । ଓଡ଼ିଶାରେ ମଧ୍ୟ ପେଟ୍ରୋଲ, ଡ଼ିଜେଲର ଦର ବୃଦ୍ଧି ଲଗାମହୀନ ଥିବା ଦେଖିବାକୁ ମିଳୁଛି । ଶନିବାର ଦିନ ରାଜଧାନୀରେ ପ୍ରଥମ ଥର ପାଇଁ ପେଟ୍ରୋଲ ଲିଟର ୯୧ ଟଙ୍କା ଓ ଡ଼ିଜେଲ ଲିଟର ୮୮ ଟଙ୍କା ଟପିଛି । ଗତକାଲି ସହରରେ ପେଟ୍ରୋଲ ଲିଟର ୯୧ ଟଙ୍କା ୩୦ ପଇସା ଓ ଡ଼ିଜେଲ ଲିଟର ୮୮ ଟଙ୍କା ୨୪ ପଇସା ଥିଲା । ଗତ ୧୨ ଦିନ ମଧ୍ୟରେ ତୈଳ କଂପାନୀମାନେ ପେଟ୍ରୋଲ ଉପରେ ୩ଟଙ୍କା ୬୭ ପଇସା ଓ ଡ଼ିଜେଲ ଉପରେ ୪ ଟଙ୍କା ୨୧ ପଇସା ବୃଦ୍ଧି କରି ଖାଉଟୀଙ୍କ ଉପରେ ଆର୍ଥିକ ବୋଝ ଲଦିଛନ୍ତି । ଜାଳେଣୀ ଗ୍ୟାସ୍ ଦର ରାତାରାତି ୫୦ ଟଙ୍କା ବଢି ଯିବା ପ୍ରତ୍ୟେକ ହାଣ୍ଡିଶାଳ ଉପରେ ବଡ ଚୋଟ ହୋଇଛି । ପଡୋଶୀ ରାଷ୍ଟ୍ରମାନଙ୍କରେ ପେଟ୍ରୋଲ ଓ ଡ଼ିଜେଲ ଦର ନିୟନ୍ତ୍ରଣାଧିନ ଥିବା ସମୟରେ ଭାରତରେ ଦର ହୁ ହୁ ହୋଇ ବଢିବା ସମାଲୋଚନାର ବିଷୟ ହୋଇଛି । ତେବେ, ବିଭିନ୍ନ ପଡୋଶୀ ରାଷ୍ଟ୍ରରେ ଏହି ଦୁଇ ଜାଲେଣୀର ବ୍ୟବହାର ସୀମିତ ଥିବା ଯୋଗୁଁ ଦର ନିୟନ୍ତ୍ରଣରେ ରହି ଥିବା ଏବଂ ଭାରତରେ ପେଟ୍ରୋଲ ଓ ଡ଼ିଜେଲ ବିପୁଳ ପରିମାଣରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ଥିବାରୁ ଦର ଅନିୟନ୍ତ୍ରିତ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ଏକ ଗଣମାଧ୍ୟମ ବିବୃତିରେ ଯୁକ୍ତି ରଖି ଥିଲେ । ପେଟ୍ରୋଲ, ଡ଼ିଜେଲ ଓ ଜାଲେଣୀ ଗ୍ୟାସର ଅନିୟନ୍ତ୍ରିତ ଦରବୃଦ୍ଧି ପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ରାଜ୍ୟ ସରକାରଙ୍କୁ ଦାୟି କରୁଥିବା ବେଳେ ରାଜ୍ୟ ସରକାର କେନ୍ଦ୍ରକୁ ଦାୟି କରି ସମୟ ଗଢାଉଛନ୍ତି । ନିକଟରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ, ଡ଼ିଜେଲ ଦରବୃଦ୍ଧିର ବିରୋଧରେ ସୀମିତ ସମୟ ପାଇ ‘ଭାରତ ବନ୍ଦ’ ହୋଇଥିଲା । ଜନସାଧାରଣରେ ‘ବନ୍ଦ’କୁ ସ୍ୱତଃସ୍ପୁର୍ତ୍ତ ସମର୍ଥନ ମିଳି ଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇ ଦର ନିୟନ୍ତ୍ରଣ କରିବା ନାଁ ଧରୁ ନାହାନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS