ଦିଶା ରବି ମାମଲା ଦିଲ୍ଲୀ ପୁଲିସ ପାଇଁ ‘ତଂଟିରେ କଂଟା’ ହେବାକୁ ଯାଉଛି !


ପ୍ରସାଦ ରାଓ
୨୧ ଫେବୃୟାରୀ
ବାଂଗାଲୁରୁର ପରିବେଶ କର୍ମୀ ଦିଶା ରବି ଜଣେ ଖାଲିସ୍ତାନୀ ସମର୍ଥକ । ସେ ଦେଶକୁ ବଦନାମ କରିବା ସହ ଦେଶ ଭିତରେ ଅରାଜକତା ସୃଷ୍ଟି ପାଇଁ ଗଭୀର ଷଡ଼ଯନ୍ତ୍ର କରିଥିଲେ । ଜାନୁୟାରୀ ୨୬ ତାରିଖ ଦିନ ଦିଲ୍ଲୀରେ ହୋଇଥିବା ହିଂସା ପଛରେ ଦିଶାଙ୍କ ଷଡଯନ୍ତ୍ର ରହିଛି । ଏଭଳି ଗୁରୁତର ଅଭିଯୋଗ କରି ଦିଲ୍ଲୀ ପୁଲିସ ‘ଟୁଲକିଟ୍’ ମାମଲାରେ ୨୩ ବର୍ଷିୟା ଦିଶା ରବିଙ୍କୁ ନିକଟରେ ତାଙ୍କୁ ବାଂଗାଲୁରୁ ଘରୁ ଉଠାଇ ନେଇ ଦେଶଦ୍ରୋହ ମାମଲାରେ ଛନ୍ଦି ଜେଲ୍ ପଠାଇଛନ୍ତି । ଏହି ଗିରଫଦାରୀକୁ ନେଇ ସମଗ୍ର ଦେଶରେ ପ୍ରତିବାଦର ସ୍ୱର ଉଠିଥିବା ବେଳେ ଦିଲ୍ଲୀର ଅତିରିକ୍ତ ସେସନ୍ସ ଜଜ୍ ଧର୍ମେଶ ରାଣା ଗତକାଲି ଦିଶାଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ସମୟରେ ପୁଲିସକୁ ଯେଭଳି ପ୍ରଶ୍ନବାଣରେ ଛନ୍ଦିଛନ୍ତି ତାହା ଦିଲ୍ଲୀ ପୁଲିସ ତଂଟିରେ ‘କଂଟା’ ଭଳି ଲାଖିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ।
ପୁଲିସ ଦିଶାଙ୍କୁ ଗିରଫ କରି ଦିଲ୍ଲୀ କୋର୍ଟରେ ହାଜର କରାଇବା ପରେ ରିମାଂଡ଼ରେ ଆଣି ପଚରା ଉଚୁରା କରିଥିଲେ । ତେବେ, ତାଙ୍କ ବିରୋଧରେ ପୁଲିସ ଆଡୁ ଯେଉଁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ତାହା ଅଦାଲତରେ ସାବ୍ୟସ୍ତ କଲା ଭଳି ସାମାନ୍ୟତମ ତଥ୍ୟ ବା ପ୍ରମାଣ ପୁଲିସ ଯୋଗାଡ କରି ପାରି ନଥିବା ଜଣାପଡିଛି । ଦିଶାଙ୍କ ରିମାଣ୍ଡ୍ ସରିବା ପରେ ପୁଲିସ ତାଙ୍କୁ ଜେଲକୁ ପଠାଇ ଦେଇଛି । ଦିଶା ତଦନ୍ତରେ ସହଯୋଗ କରୁ ନାହାନ୍ତି ବୋଲି ପୁଲିସ ଅଭିଯୋଗ କରିଛି । ଅପରପକ୍ଷରେ, ଦିଶା ନିଜକୁ ନିର୍ଦୋଷ କହିବା ସହ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଛନ୍ତି । ଦିଲ୍ଲୀର ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣାଙ୍କ ଅଦାଲତରେ ଦିଶାଙ୍କ ଜାମିନ ଆବେଦନର ଶୁଣାଣୀ ହୋଇ ରାୟ ଫେବୃୟାରୀ ୨୩ ତାରିଖକୁ ସ୍ଥଗିତ ରହିଛି । କାରଣ, ଦିଲ୍ଲୀ ଅତିରିକ୍ତ ସେସନ୍ସ ଜଜ୍ ରାଣା ପୁଲିସର କାହାଣୀରେ ଥିବା ବିଶ୍ୱସନୀୟତା ନେଇ ସନ୍ଦେହ ପ୍ରକାଶ କରିବା ସହ ଠୋସ୍ ତଥ୍ୟ, ପ୍ରମାଣ ଅଦାଲତରେ ଉପସ୍ଥାପନ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି ।
ଦିଶା ରବି ‘ଟୁଲକିଟ୍’ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଇଥିବା, ବିଦେଶରେ ଭାରତକୁ ବଦନାମ କରିବା ସହ ଦେଶ ଭିତରେ ବଡ ଧରଣର ଅରାଜକତା ସୃଷ୍ଟି ପାଇଁ ଷଡଯନ୍ତ୍ରରେ ସାମିଲ ଥିବା ପୁଲିସ ଅଭିଯୋଗ କରିଛି । ‘ଟୁଲକିଟ୍’ ମାଧ୍ୟମରେ ବିଦେଶିନୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗଙ୍କ ସମେତ ଅନ୍ୟ କେତେକ ପରିବେଶ କର୍ମୀ ଓ ସେଲିବ୍ରିଟି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ୍ କରିଥିବା ଏହି ଷଡଯନ୍ତ୍ରର ଅଂଶ ବୋଲି କେନ୍ଦ୍ର ସରକାର ବିଚାର କରୁଛନ୍ତି । ଏହା ପଛରେ ଖାଲିସ୍ତାନୀ ସମର୍ଥିତ ସଂସ୍ଥାଙ୍କ ହାତ ଥିବା ମଧ୍ୟ ସରକାର ସନ୍ଦେହ ପ୍ରକଟ କରି ମାମଲା ରୁଜୁ କରିଛନ୍ତି । ଦିଲ୍ଲୀ ପୁଲିସ ଏହି ମାମଲାର ତଦନ୍ତ କରି ବାଂଗାଲୁରୁର ପରିବେଶ କର୍ମୀ ଦିଶା ରବିଙ୍କୁ ତାଙ୍କ ଘରୁ ଉଠାଇ ଆଣି ଜେଲରେ ପୁରାଇଛନ୍ତି ।
ଦିଶାଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ସମୟରେ ବିଚାରପତି (ଦିଲ୍ଲୀର ଅତିରିକ୍ତ ସେସନ୍ସ ଜଜ୍) ପୁଲିସ ପାଇଁ ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଏସ.ଭି.ରାଜୁଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିବା ଜଣାପଡିଛି । ‘ଟୁଲକିଟ୍’ କଣ ? ବାସ୍ତବରେ ଏହା ଆପତ୍ତିଜନକ କି ? ଗତ ଜାନୁୟାରୀ ୨୬ ତାରିଖ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର୍ ର୍ୟାଲି ବେଳେ ହୋଇଥିବା ହିଂସାକାଣ୍ଡ ସହ ଅଭିଯୁକ୍ତାଙ୍କ ସଂପର୍କ ନେଇ କିଛି ଠୋସ୍ ପ୍ରମାଣ ରହିଛି ନା ପୁଲିସ କେବଳ ଅନୁମାନକୁ ଆଧାର କରି ତାଙ୍କୁ ବାନ୍ଧି ଆଣିଛି ? ଏଭଳି ଅନେକ ପ୍ରଶ୍ନଜାଲରେ ବିଚାରପତି ରାଣା ଆତିରିକ୍ତ ସଲିସିଟର ଜେନେରାଲ ରାଜୁଙ୍କୁ ଛନ୍ଦି ଦେଇଥିଲେ । ପୁଲିସ ତାଙ୍କୁ ସନ୍ତୁଷ୍ଟ କଲା ଭଳି ଠୋସ୍ ପ୍ରମାଣ ଅଦାଲତରେ ଉପସ୍ଥାପନ କରିବାକୁ ବିଚାରପତି ରାଣା ନିର୍ଦେଶ ଦେବା ସହ ଦିଶାଙ୍କ ଜାମିନ ଆବେଦନ ଉପରେ ରାୟ ଫେବୃୟାରୀ ୨୩ ପର୍ଯ୍ୟନ୍ତ ସ୍ଥଗିତ ରଖି ଥିଲେ ।
ଶୁଣାଣୀ ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ରାଜୁ ପୁଲିସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଏହା ଏକ ସାଧାରଣ ମାମଲା ନୁହଁ, ଦେଶକୁ ନିନ୍ଦିତ କରିବା ସହ ଦେଶ ଭିତରେ ଅରାଜକତା ସୃଷ୍ଟି ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲେ । ଦିଶା ନିଜର ଆପରାଧିକ କାର୍ଯ୍ୟ ସଂପର୍କରେ ସଚେତନ ଥିଲେ । ତେଣୁ, ‘ହ୍ୱାଟସ୍ ଆପ୍’ ଚାର୍ଟଗୁଡ଼ିକୁ ଡିଲିଟ୍ କରିବା ସହ ସମସ୍ତ ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ । ତାହା ତାଙ୍କ ଆପରାଧିକ ମାନସିକତାକୁ ସ୍ପଷ୍ଟ ପ୍ରତିଫଳିତ କରୁଛି ବୋଲି ଏଏସଜି ରାଜୁ ଯୁକ୍ତି ବାଢିବାରୁ ଖାଲିସ୍ଥାନୀ ଆନ୍ଦୋଳନ ସହ ପରିବେଶ କର୍ମୀ ଦିଶା ରବିଙ୍କ ସିଧାସଳଖ ସଂପର୍କ ଥିବା ନେଇ ସେମାନଙ୍କ ନିକଟରେ କିଛି ଠୋସ୍ ପ୍ରମାଣ ଅଛି କି (?) ବୋଲି ବିଚାରପତି ରାଣା ପ୍ରଶ୍ନ କରିଥିଲେ । ପୋଏଟିକ୍ ଜଷ୍ଟିସ୍ ଫାଉନ୍ଡେସନ (ପିଜେଏଫ) ନାମକ ସଂସ୍ଥା ସହ ଦିଶାଙ୍କ ସଂପର୍କ ନେଇ ପୁଲିସର ଅଭିଯୋଗ ଉପରେ ଅତିରିକ୍ତ ସେସନ୍ସ ଜଜ୍ ରାଣା ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ ।
ଏହି ସଂସ୍ଥା ଯଦି ଖାଲିସ୍ତାନୀ ଆନ୍ଦୋଳନ ସହ ସଂପୃକ୍ତ, ସଂସ୍ଥାର ମୁଖ୍ୟଙ୍କ ବିରୋଧରେ ଏତଲା ହୋଇଛି କି ? ସଂସ୍ଥାକୁ ସରକାର ନିଷିଦ୍ଧ କରିଛନ୍ତି କି ? ବିଚାରପତି ଏଭଳି ଏଭଳି ପ୍ରଶ୍ନ କରିବାରୁ କେବଳ ପାରିପାର୍ଶିକ ତଥ୍ୟ ଓ ଟ୍ୱିଟ୍ କୁ ଆଧାର କରି ଦିଶାଙ୍କ ବିରୋଧରେ ମାମଲା ହୋଇଛି ଏବଂ ଏହା ଉପରେ ଅଧିକ ତଦନ୍ତ ଚାଲିଛି ବୋଲି ଏଏସଜି ରାଜୁ କହିଥିଲେ । ବିଚାରପତି ରାଣା ଆଶ୍ଚର୍ଯ୍ୟ ପ୍ରକଟ କରି ଦେଶ ବିରୋଧୀ ଶକ୍ତିଙ୍କ ସହ ଅଭିଯୁକ୍ତଙ୍କ ସିଧାସଳଖ ସଂପର୍କ ଥିବା ନେଇ ଯଦି କିଛି ଠୋସ୍ ପ୍ରମାଣ ରହିଛି ତାହା ଅଦାଲତରେ ଉପସ୍ଥାପନ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଛନ୍ତି । ସେ ନିଜେ ପ୍ରଥମେ ସନ୍ତୁଷ୍ଟ ହେଲେ ହିଁ ମାମଲାକୁ ଆଗକୁ ବଢାଇବେ ବୋଲି ଏଏସଜି ରାଣା ରୋକଠୋକ୍ କହି ଦେବାରୁ ପୁଲିସ ଅଡୁଆରେ ପଡିଛନ୍ତି ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS